Unknown

 

 

 

 

 

 

 

 

 

 

 

ରାଜଧାନୀର ସକାଳ

ସାତକଡ଼ି ହୋତା

 

 

 

 

 

 

 

 

ଶ୍ରଦ୍ଧେୟ ଶ୍ରୀ ପୀତବାସ ରାଉତରାୟ ଏବଂ

ଶ୍ରଦ୍ଧେୟା ଶ୍ରୀମତୀ ମିନାକ୍ଷୀ ରାଉତରାୟଙ୍କୁ ସ୍ନେହୋପହାର–

 

ଲେଖକ

 

ନିଜ କଥା

 

ଏହି ଗଳ୍ପ ସଂକଳନକୁ ନେଇ ମୋର ଷୋହଳଟି ଗଳ୍ପ ସଙ୍କଳନ ପ୍ରକାଶିତ ହେଲା । ପ୍ରଥମ ଗଳ୍ପ ସଂକଳନ ପ୍ରକାଶିତ ହୋଇଥିଲା ୧୯୭୭ରେ । କୋଡ଼ିଏ ବର୍ଷ ପୂର୍ଣ୍ଣ ହେବା ଆଉ କେତେ ମାସ ପରେ । ଏଥିରୁ କେତେକ ସଂକଳନର ଦ୍ୱିତୀୟ ଓ ତୃତୀୟ ସଂସ୍କରଣ ହୋଇଛି ଏବଂ ଅନେକ ଗଳ୍ପ ପଢ଼ି ପାଠକମାନେ ଖୁସି ହୋଇଛନ୍ତି । ଦିନେ ବାଙ୍କିରୁ ଫେରିବା ବାଟରେ ସଡ଼କ କଡର ଗୋଟିଏ ପରିବାଦୋକାନରୁ ଭଲ ବାଇଗଣ କିଣିବା ଉଦ୍ଦେଶ୍ୟରେ ଗାଡ଼ି ଅଟକେଇଲି । ସେହି ଦୋକାନୀ ବାଇଗଣ ବାଛିବାବେଳେ ମୋ ମୁହଁକୁ ଦୁଇ ଚାରି ଥର ଭଲ କରି ଦେଖୁଥାଏ ମୁଁ ପାଖ ଦୋକାନରୁ ଆଉ କିଛି କିଣିବାବେଳେ ମୋ ଡ୍ରାଇଭରକୁ ପଚାରିଲା–“ଇଏ କଣ ସାତକଡ଼ି ହୋତା ? ଚିହ୍ନା ମୁହଁପରି ଲାଗୁଛି, ଖବର କାଗଜରେ ଦେଖୁଛି ।” ମୋ ଡ୍ରାଇଭରଠାରୁ ପରିଚୟ ପାଇବାବେଳକୁ ମୁଁ ଦୋକାନକୁ ଫେରି ଆସି ଦୁଇକିଲୋ ବାଇଗଣ ନେଇ ଟଙ୍କା ଦବାରୁ ସେ ନ ନେଇ ଅତି ବିନମ୍ର ସ୍ୱରରେ କହିଲା–ଆପଣଙ୍କର ଅନେକ ଲେଖା ଖବରକାଗଜ, ପତ୍ରପତ୍ରିକାରୁ ପଢ଼ିଛି । ଆପଣ ଆମ ଦୁଃଖ ସୁଖ ବିଷୟରେ ଲେଖନ୍ତି । ଏହାଠାରୁ ଆଉ ଖୁସିର କଥା କଣ ହୋଇପାରେ ? ଆପଣ କ୍ଷମା କରନ୍ତୁ ସାର୍, ଆପଣଙ୍କଠାରୁ ଟଙ୍କା ନେଇ ପାରିବି ନାହିଁ । ମନେ ମନେ ମୁଁ ସେଇ ମୁ ପାଠକକୁ କୃତଜ୍ଞତାସୂଚକ ନମସ୍କାର ଜଣାଇ ଫେରିବାବେଳେ ଭାବୁଥିଲି ଏଇ ପ୍ରଶଂସା ସାହିତ୍ୟ ଏକାଡେମୀ ପୁରସ୍କାରଠାରୁ କେତେ ବଡ଼ ଇୟେ ଚଉଦ ବର୍ଷ ତଳର କଥା ।

 

ୟାର ଅର୍ଥ ନୁହେଁ ଯେ ସବୁ ଗଳ୍ପ ସମସ୍ତଙ୍କୁ ଭଲ ଲାଗିବ । ମୋତେ ମଧ୍ୟ ମୋର କେତେକ ଗଳ୍ପ ଭଲ ଲାଗେନି । ମୁଁ ଭାବେ ନ ଲେଖିଥଲେ ବୋଧହୁଏ ଭଲ ହୋଇଥାନ୍ତା । ସମୀକ୍ଷକଙ୍କ ଦୃଷ୍ଟିରେ ସାହିତ୍ୟର ମୂଲ୍ୟାୟନ ପାଠକର ମୂଲ୍ୟାୟନଠାରୁ ବେଳେବେଳେ ଏଇଥିପାଇଁ ଅଲଗା ଯେ ସମୀକ୍ଷକ ତାତ୍ତ୍ୱିକ ଦୃଷ୍ଟିରୁ ଗଛର ବିଶ୍ଳେଷଣ କରନ୍ତି, କିନ୍ତୁ ପାଠକ ଗଳ୍ପ ଭିତରେ ଖୋଜେ ପ୍ରାଣ, ତା’ ନିଜର ଆବେଗ ଓ ଅନୁଭବ । ଓଡ଼ିଆ ଗଳ୍ପର ସଠିକ ମୂଲ୍ୟାୟନ ଆଜିଯାଏ ହୋଇନାହିଁ । ତଥାପି ଆଶା ଅଛି ଯେ ଦିନେ ହୁଏତ କେହି ଏସବୁ ଗଳ୍ପ ପଢ଼ିବ ଏବଂ ନିଜକୁ ଗଛର ଚରିତ୍ର ଭିତରେ ଆବିଷ୍କାର କରିବ । ସେଇ ଦିନ ହେବ ଲେଖକ ପକ୍ଷରେ ସର୍ବାପେକ୍ଷା ସ୍ମରଣୀୟ ଦିନ । ଇତି ।

 

ଅଶୋକାଷ୍ଟମୀ

ସାତକଡ଼ି ହୋତା

୨୭ । ୩ । ୯୬

 

☆☆☆

 

ସୂଚୀପତ୍ର

 

୧.

ସତ୍ୟପାଠ

୨.

ଛାଡ଼ପତ୍ର

୩.

ସିମିଳି ଫୁଲ

୪.

ସତ୍ୟମେବ ଜୟତେ

୫.

ଜନନୀ

୬.

ବିଜୟିନୀ

୭.

କଳଙ୍କ

୮.

ବିଷଣ୍ଣ ଶରତ

୯.

ନୂଆ ଲଗ୍ନ

୧୦.

ଛୋଟ ଲୋକ

୧୧.

ନୂଆ ରାସ୍ତା

୧୨.

ମାତୃପୂଜା ମଣ୍ଡପ

୧୩.

ମୋ ଝିଅ ପରି

୧୪.

ରାଜଧାନୀର ସକାଳ

☆☆☆

 

ସତ୍ୟପାଠ

 

ଅଦାଲତରେ ସତ୍ୟପାଠ କରି ଆସିବାଦିନୁ ମନଟା ଘାରି ହେଉଛି ସେଇ କଥା ଭାବି । ସତ କହିବ ବୋଲି ଉପେନ୍ଦ୍ର ସେଦିନ ଈଶ୍ୱରଙ୍କ ନାମରେ ଶପଥ ନେଲାବେଳେ ଭାବି ନଥିଲା ଯେ ତାକୁ ମିଛ କହିବାପାଇଁ ଏକ ପ୍ରକାର ବାଧ୍ୟ କରାଯିବ । ସେ କୋର୍ଟ କଚେରି ହତା ମାଡ଼ି ନଥିଲା । ତା’ ବାପା କି ଗୋସେଇଁ ବାପା କେହି କେବେ ନାଲିସ କରିବାପାଇଁ ଅଦାଲତର ଆଶ୍ରୟ ନେଇ ନଥିଲେ । ସମୁଦୀ ଆସି ବାରମ୍ୱାର ଅନୁରୋଧ କରି ନଥିଲେ ସେ ମଧ୍ୟ ଯାଇ ନଥାନ୍ତା ସାକ୍ଷୀ ହୋଇ । ସେତେବେଳେ ସେ ଜାଣି ନଥିଲା ଯେ, ସାକ୍ଷ୍ୟଦେବା ପୂର୍ବରୁ ଈଶ୍ୱରଙ୍କ ନାମରେ ସତ କହିବ ବୋଲି ତାକୁ ଶପଥ ନେବାକୁ ହେବ । ତାହାରି ମୁହିଁରୁ ମାଜିଷ୍ଟ୍ରେଟ୍ ଶୁଣିବାଲାଗି ଚାହିଁବାରୁ ସେ ଈଶ୍ୱରଙ୍କୁ ସାକ୍ଷୀ ରଖି କହିଥିଲା ଯେ ଯାହା କହିବ ସତ୍ୟ କହିବ । କେବଳ ସତ୍ୟ କହିବ ସାକ୍ଷୀ ରଖି କହିଥିଲା ଯେ ଯାହା କରିବ ସତ୍ୟ କହିବ । କେବଳ ସତ୍ୟ କହିବ ମିଛ କହିବ ନାହିଁ । ଏବେ ଉପେନ୍ଦ୍ରର ସମୁଦୀଙ୍କ ଓକିଲ ତାକୁ ଶିଖାଉଛନ୍ତି ଯାହା ସେ ଦେଖିନାହିଁ, ସତ୍ୟ ବୋଲି ଜାଣିନାହିଁ, ସେଇ କଥା କହିବାପାଇଁ । ବଡ଼ ଧର୍ମ ସଂକଟରେ ପଡ଼ିଯାଇଛି ଉପେନ୍ଦ୍ର ।

 

ପ୍ରତିଦନ ସେ ଭାଗବତ ପଢ଼େ । ଠାକୁର ପୂଜା କରେ । ରାତି ଶୋଇବା ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କରି କୁହେ ଭଲରେ ଭଲରେ ଆଜି ଦିନଟା କଟିଗଲା ପ୍ରଭୁ । କାହାରି ନିନ୍ଦା କରି ନାହିଁ । କାହାରି କ୍ଷତି କରି ନାହିଁ । ମିଛ କହିନି କିମ୍ୱା ପାପକାର୍ଯ୍ୟ କରିବା ଲାଗି ମନ ବଳାଇନି-। କାଲିକି ଯେପରି ଭଲରେ କଟେ । ବାଟ ଛାଡ଼ି ଯେମିତି ଅବାଟରେ ନଯାଏ ।

 

ଉପେନ୍ଦ୍ରର ମନେପଡ଼େ ମହାଭାରତର ଧର୍ମ ଯୁଯେଷ୍ଟିଙ୍କ କଥା । ଜୀବନରେ ସେ କେବେ ମିଥ୍ୟା କହି ନ ଥିଲେ । ସତ୍ୟକୁ ଅନୁସରଣ କରି ଧର୍ମ ପାଳନ କରି କଟେଇଦେଲେ ସାରା ଜୀବନ । ସେଥିପାଇଁ କ’ଣ କମ୍ ଦୁର୍ଭାଗ୍ୟ ଭୋଗିଛନ୍ତି ସେ ଓ ତାଙ୍କ ଭାଇମାନେ ! ଶେଷରେ ପଦେ ମିଛ କହିବା ଲାଗି ବାଧ୍ୟ ହେବାରୁ ସିଧାସଳଖ ମିଛ କଥାଟି କହି ନପାରି ଅତି କଷ୍ଟରେ କହିଦେଲେ ଯେ ନରେ ବା ଗୁଞ୍ଜରେ ଅଶ୍ୱତ୍ଥାମା ହତଃ । ନର ବା ଗୁଞ୍ଜର ନାମକ ଅଶ୍ୱତ୍ଥାମା ମରିଥିବା ମୁଁ ଜାଣେ-

 

କିନ୍ତୁ ସେ ନର କି ହାତୀ ମୁଁ ତ ନିଶ୍ଚିତଭାବେ ନାହିଁ । ଖାଣ୍ଟି ସତ୍ୟ ନ କହି ଏଇ ବକ୍ରୋକ୍ତି କରି ମିଥ୍ୟାକୁ ପ୍ରଶୟ ଦେଇଥିବାରୁ ଏତେ ଧର୍ମ କରି ବି ତାଙ୍କୁ ଶେଷରେ ନର୍କ ଦର୍ଶନ କରିବାକୁ ପଡ଼ିଲା-। ନା, ସେ ପାରିବ ନାହିଁ । ଏତେ ବଡ଼ ମିଛ କହି ପାରିବ ନାହିଁ ।

 

ଉପେନ୍ଦ୍ର ନାଏକର ଝିଅ କନକଲତା ବାହା ହୋଇଛି ପାଖ ଯଦୁପୁର ଗାଁର ଅର୍ଜ୍ଜୁନ ସାହାଣୀଙ୍କର ବଡ଼ ପୁଅକୁ । ଅର୍ଜୁନ ସାହାଣୀର ଦଶଖଣ୍ଡ ଗାଁରେ ନାଁ ଡାକ ଅଛି । ବଡ଼ ଚାଷୀ । ଅବେଳରେ ହାତ ପାତିଲେ କରଜ ଦିଏ, ଆପଦ ବିପଦରେ ପଛରେ କିନ୍ତୁ ବିଧିର ବିଧାନକୁ ଟାଳିବ କିଏ ? ବାହାଘର ହୋଇଗଲା । କନକ ବୋହୂ ହୋଇ ଚାଲିଗଲା ସାହାଣୀ ଘରକୁ । ସିଏ ତାଙ୍କ ହାଣ୍ଡିରେ ଚାଉଳ ପକାଇ ନଥିଲେ ଏପରି କସ୍ମିନ୍‍କାଳେ ଘଟି ନଥାନ୍ତା ।

 

ଝିଅ ସୁଖରେ ଅଛି । ଜ୍ୱାଇଁ ବାପାପରି ଚାଷ କାମରେ ଧୁରନ୍ଧର । ମଝିରେ ମଝିରେ ଝିଅ ଜ୍ୱାଇଁ ଆସନ୍ତି । ଝିଅକୁ ଅହିସୁଲକ୍ଷଣି କରିବାପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା ଜଣାଏ ଉପେନ୍ଦ୍ର ।

 

ସେଦିନ ଅବେଳରେ ସମୁଦୀଙ୍କୁ ଦେଖି ଉପେନ୍ଦ୍ର ତାଙ୍କୁ ଶଙ୍ଖୋଳି ନେଇ ଘରେ ବସେଇ ସରବତ ଗିଲାସେ ଦେଇ କହିଲା, ଏଇ ଖରାଟାରେ ଚାଲି ଆସିଲ ଯେ ସମୁଦୀ….ଡାକି ପଠେଇଥିଲେ ମୁଁ ଯାଇଥାଆନ୍ତି.... ।

 

ଅର୍ଜ୍ଜୁନ ସାହାଣୀ ଚତୁର ଓ ବୁଦ୍ଧିମାନ । ବାପ କୋଡ଼ିଏମାଣ ଜମିର ସତ୍ତ୍ୱ ଛାଡ଼ି ଯାଇଥିଲା, ସେ ତାକୁ ବଢ଼େଇ ସତେଇଶ ମାଣ କଲାଣି । କେନାଲ ପାଖ ଜମି । ବର୍ଷକୁ ଦୁଇଟା ଫସଲ କରି ଯାହା ପାଏ, ଘରେ ରଖିବା ଲାଗି ଜାଗା କୁଳାଏ ନାହିଁ ।

 

ଭଣିତା ନକରି ଅର୍ଜ୍ଜୁନ ସାହାଣୀ କହିଲା, ମଧୁପୁର ଗାଁର ଗୋଲକ ପ୍ରଧାନଙ୍କୁ ଜାଣିଥିବ-। ଲୋକଟା ଭଲ ବୋଲି ଜାଣିଥିଲି । କିନ୍ତୁ ଏଡ଼େ ସିଆଣା, ଶଇତାନ ବୋଲି କେବେ ଭାବି ନଥିଲି-। ସଡ଼କ କଡ଼ର କଳାଚକ ଜମି ଖଣ୍ଡକ ବିକ୍ରି କରିବ କହି ଆଗୁଆ ଦୁଇ ହଜାର ଟଙ୍କା ନେଇଥିଲା ଝିଅ ବାହାଘରବେଳେ । ତା’ପରେ ତା’ ବାପର ସୁଧଘରବେଳେ ନେଇଥିଲା ଆଉ ହଜାରେ-। କାଗଜରେ ଲେଖି ବି ଏଇ ମାଘରେ ଜମି ଦଖଲ ଦବା କଥା । ଫଗୁଣ ଗଲା । ଚଇତ ଗଲା ଦେଲାନି । ସେ କଥା ନରଖି ଥିବାରୁ ମୁଁ ବାଧ୍ୟହୋଇ ଦଖଲ କଲି ଜମି । ଧାନୁବୁଣା ଦିନ ସେ ଆଗ ଗଣ୍ଡଗୋଳ ଆରମ୍ଭ କଲା । ମୋ ମୂଲିଆର ମୁଣ୍ଡ ଫଟୋଇଦେଲା । ଭାଗ୍ୟକୁ ପୁଅ ପହଞ୍ଚିଗଲା-। ତାକୁ ଦେଖି ପଳେଇଗଲା ଦଳବଳ ସହିତ । କିନ୍ତୁ ଲୋକଟା ବଦମାସ ହୋଇ ନଥିଲେ ନିଜ ମୁଣ୍ଡରେ ପଟିବାନ୍ଧି ଥାନାରେ ଏତଲା ଦେଇ ନଥାନ୍ତା । ଏବେ ଫୌଜଦାରୀ ମୋକଦ୍ଦମା ଆରମ୍ଭ ହୋଇଛି । ମୁଁ ଜାଣେ ସତ କେବେ ଲୁଚିବ ନାହିଁ । ସେ ହାରିବ ହିଁ ହାରିବ; କିନ୍ତୁ ସତ୍ୟରକ୍ଷା ଲାଗି ମୋତେ ମୂଲ ଦେବାକୁ ପଡ଼ିବ ।

 

ଉପେନ୍ଦ୍ର ସବୁ କଥା ଶୁଣିଲା । ସମୁଦୀକୁ ଯଥାବିଧି ଚର୍ଚ୍ଚା କରି ବିଦାୟ ଦେବାବେଳେ କହିଲା, ମୁଁ ଥରେ ଚେଷ୍ଟାକରି ଦେଖେ ସମୁଦୀ । ଗୋଲକ ଯଦି କଥା ମାନେ, କୋର୍ଟକୁ ନ ଯାଇ ବାହାରେ ଫଏସଲା କରିଦିଏ, ଗୋଳମାଳ ତୁଟିଯିବ । କୋର୍ଟ କଚେରି ଦଉଡ଼ିବାକୁ ପଡ଼ିବ ନାହିଁ । ଅର୍ଜ୍ଜୁନ ସାହାଣୀ ତା’କଥା ଶୁଣି ବିଶେଷ ପ୍ରସନ୍ନ ହେଲେ ନାହିଁ । ବରଂ ରୋକଠୋକ୍‍ ଭାବରେ କହିଲେ କଥାରେ ଅଛି–ରାଜଦ୍ୱାରେ ଶ୍ମଶାନେ ଚ ଯ ତିଷ୍ଠତି ସ ବାନ୍ଧବଃ । ଏପରି ସଂକଟ ସମୟରେ ବନ୍ଧୁର ଦରକା ହୁଏ । ବିଚାର କରି ଦେଖ ସମୁଦୀ ।

 

ଅର୍ଜ୍ଜୁନ ଚାଲିଯିବା ପରେ ଉପେନ୍ଦ୍ର ଅନେକ ଭାବିଲା । ସ୍ତ୍ରୀ ସହିତ ପରାମର୍ଶ କଲା । ତା’ ସ୍ତ୍ରୀ ନେତ ତାକୁ ବୁଝେଇବା ସମୁଦୀ କଥା ମାନି ନେବାପାଇଁ । ଇଏ ତ ସତ୍ୟ କି ତ୍ରେତା କି ଦ୍ୱାପର ନୁହେଁ । ଘୋର କଳିଯୁଗ । ମିଛରେ ଭାସୁଛି ଜଗତ । ସତ୍ୟ ଧର୍ମ ଲୁଚିଗଲେଣି । ମିଛରେ ବନ୍ଧୁକୁ ଦୂରେଇ ଦିଅନି । ମିଛରେ ବନ୍ଧୁକୁ ଦୂରେଇ ଦିଅନି । ଝିଅ ବାହାଦେଇ ସାତ ପୁରୁଷକୁ ବନ୍ଧୁ ବାନ୍ଧିଛ । ତମେ ତାଙ୍କ ପକ୍ଷ ନ ନେଲେ କ’ଣ ହବ ବିଚାର କର ? ଜ୍ୱାଇଁ ଯଦି ଦଣ୍ଡ ପାଏ ତୁମେ ମୁହିଁ ଦେଖେଇ ଚାଲି ପାରିବ ?

 

ଉପେନ୍ଦ୍ର ଧର୍ମସଂକଟରେ ପଡ଼ିଗଲା । ତଥାପି ଭଗବାନଙ୍କୁ ସ୍ମରଣ କରି ଚାଲିଲା ମଧୁପୁର ଗାଁଆର ଗୋଲକ ପ୍ରଧାନ ପାଖକୁ ।

 

ଗୋଲକ ପ୍ରଧାନ ଘରେ ନଥିଲା, କିନ୍ତୁ ଉପେନ୍ଦ୍ର ଫେରି ନଆସି ଅପେକ୍ଷା କଲା । ଗୋଲକ ପ୍ରଧାନ ଫେରିବାବେଳକୁ ମଧ୍ୟାହ୍ନ ଉତ୍ତୀର୍ଣ୍ଣ ହୋଇଯାଇଥିଲା । ସେ ଉପେନ୍ଦ୍ରକୁ ପିଣ୍ଡାରେ ବସିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏଇ ଅବେଳରେ ଯେ ଉପେନ୍ଦ୍ର ତା’ ଘରକୁ ଆସିବ ଏହା ସେ କେବେ ଭାବି ପାରିଲା ନାହିଁ । ଉପେନ୍ଦ୍ର ଯେ, ଅର୍ଜ୍ଜୁନ ସାହାଣୀର ସମୁଦୀ ଏହା ସେ ଜାଣିଥିଲା । ତେଣୁ କେଉଁ କାରଣରୁ ସେ ଆସିଛି ତାହା ଜାଣିବା ଲାଗି ଗୋଲକର ମନ ଛଟପଟ ହେବାକୁ ଲାଗିଲା । ସାହାଣୀ ଯେ ଖୁବ୍ ସିଆଣିଆ ଏଥିରେ ସନ୍ଦେହ ନାହିଁ । ହୁଏତ ସ୍ୱାର୍ଥ ସାଧନ କରିବା ସକାଶେ ସମୁଦୀକୁ ବ୍ୟବହାର କରୁଥାଇପାରେ । ଗୋଲକ କିଛି ଠିକ୍‍ କରି ନପାରି ନିଜ ଭାବନାକୁ ପଛକୁ ପକେଇ କହିଲା, କି ଅପୂର୍ବ, ତମେ ଏ ଗରିବ ଘରେ ପାଦ ପକେଇଲେ… !

 

ଉପେନ୍ଦ୍ର କହିଲା, ବସ, କଥା ଅଛି… ।

 

ଉପେନ୍ଦ୍ର ସକାଳ ବେଳା ଆସିଥିବାର ଶୁଣି ଗୋଲକ ବ୍ୟସ୍ତ ହୋଇପଡ଼ିଲା ଏବଂ ଆଗେ ତା’ର ଚର୍ଚ୍ଚା କଲା । ଚୁଡ଼ା, କଦଳୀ ଜଳପାନ ସାରି କହିଲା ଉପେନ୍ଦ୍ର…ସଂସାରରେ ଥିଲେ ସମସ୍ୟା ଆସେ । କିନ୍ତୁ ପ୍ରତ୍ୟେକ ସମସ୍ୟାରେ ସମାଧନ ବି ଅଛି । ମୁଁ ନେହୁରା ହେଉଛି ପ୍ରଧାନେ, ସମୁଦୀ ସହିତ ତୁମର ଯୋଉ ଝଗଡ଼ା ହୋଇଛି, ତା’ର ସମାଧାନ ଅପୋଷରେ ହୋଇଯାଉ । ଅଦାଲତା ଆମପାଇଁ ନୁହେଁ, ବଡ଼ ଲୋକଙ୍କପାଇଁ ।

 

ନିଜର ବକ୍ତବ୍ୟ କହିସାରି ଗୋଲକ ପ୍ରଧାନ କହିଲା, ମୁଁ ଛୋଟ ସେ ବଡ଼ । ମୁଁ ଗରିବ ସେ ଧନୀ । କିନ୍ତୁ ତମେ ନିଶ୍ଚୟ ସ୍ୱୀକାର କରିବ ଯେ ନ୍ୟାୟ ମୋ ପକ୍ଷରେ । ମୁଁ ଅନ୍ୟାୟ କରିନି, କିନ୍ତୁ ସାହାଣୀ ମୋ ବିରୁଦ୍ଧରେ ନାଲିସ କରି ମୋ’ ଉପରେ ମାଡ଼ ମାରି ମୁଣ୍ଡ ଫଟେଇଦେଲେ । ମୋତେ ମାରଧର କଲେ । କିନ୍ତୁ ତଥାପି ମୁଁ ତାଙ୍କର ବିରୋଧ କରିନି । ବରଂ ଗୁହାରି କରିଛି । ଏଇ ଜମି ଖଣ୍ଡିକ ମୋର ଭାତହାଣ୍ଡି, ଏ ଖଣ୍ଡି ହାତରୁ ଚାଲିଗଲେ ପିଲାଏ ଓପାସ ରହିବେ । କିନ୍ତୁ ସାହାଣୀଙ୍କର ସେଇ ଏକା ଜିଦ୍ ଜମି ଖଣ୍ଡକ ଦଖଲ ନଦେଲେ ଛାଡ଼ିବେ ନାହିଁ । ମୋକଦ୍ଦମା ଉଠେଇବେ ନାହିଁ । ଟଙ୍କାବାଲା ସେ । ଆଇନ, ନ୍ୟାୟ, ନୀତି ସବୁ ତ କିଣି ହୁଏ ଟଙ୍କାଦ୍ୱାରା ଆଜିକାଲି… ।

 

ଉପେନ୍ଦ୍ର ସମାଧାନର ବହୁତ ଉପାୟ ଚିନ୍ତା କରିଥିଲେ । ଗୋଟି ଗୋଟି କରି କହିଲେ ସବୁ । ଶେଷରେ ଗୋଲକ ରାଜି ହୋଇଗଲା ସମାଧାନ ପ୍ରସ୍ତାବରେ । ସେ ଋଣ କରିଥିବା ଟଙ୍କା ପରିଶୋଧ କରିଦବ ସୁଧମୂଳ ସହିତ । ସାହାଣୀଠାରୁ କ୍ଷମା ବି ମାଗିବ ଏବଂ ଯଦି କେବେ ସେ ବାଧ୍ୟହୋଇ ଜମି ବିକ୍ରି କରେ ଆଉ କାହାକୁ ବିକ୍ରି କରିବା ପୂର୍ବରୁ ସାହାଣୀକୁ ଆଗେ ଯାଚିବ ।

 

ଉପେନ୍ଦ୍ର ଖୁସିରେ ସିଧା ଘରକୁ ନଫେରି ବାଟ ଭାଙ୍ଗି ଚାଲିଲା ସମୁଦୀ ଘରକୁ । ପହଞ୍ଚିବାବେଳକୁ ବେଳ ରତ ରତ । ହଠାତ୍ ତାକୁ ପିଣ୍ଡ ଉପରକୁ ଉଠୁଥିବାର ଦେଖି ଅର୍ଜ୍ଜୁନ ସାହାଣୀ ସଙ୍ଖୋଳି ନେଇ ଚାକରକୁ ଗୋଡ଼ ଧୋଇବା ଲାଗି ପାଣି ଢାଳେ ଆଣିବାକୁ କହି ପଚାରିଲା, ବଡ଼ ଭଲ ଲାଗୁଚି ତୁମକୁ ଦେଖି ସମୁଦୀ । ହଠାତ୍ କେମିତି ମନେ ପକେଇଲ ଯେ… ।

 

ଗୋଡ଼, ହାତ, ମୁହିଁ ଧୋଇ ଖଟ ଉପରେ ଖଟ ଉପରେ ବସି କହିଲେ ଉପେନ୍ଦ୍ର, ଯାଇଥିଲି ଗୋଲକ ପ୍ରଧାନ ପାଖକୁ । ସେ ରାଜି ସମାଧାନପାଇଁ । ସେଥିପାଇଁ ଚାଲି ଆସିଲି ଭଲ ଖରବଟା ଦବାପାଇଁ ।

 

ଅର୍ଜ୍ଜୁନ ସାହାଣୀ ଗୋଟି ଗୋଟି କରି ସବୁ ଶୁଣିଲା ସମୁଦୀଠାରୁ । ତା’ପରେ ମୁହିଁ ଶୁଖେଇ କହିଲା–ତୁମେ ଗୋଲକକୁ ଚିହ୍ନିନ ସମୁଦୀ । ସେ ଶଇତାନକୁ ଯିଏ ନ ଚିହ୍ନିଛି ନିଜ ବାପକୁ ଚିହ୍ନିନି । ମୁହିଁରେ ଯାହା କହେ କାମରେ ଠିକ୍ ତା’ର ଓଲଟା କରେ । ନହେଲେ ମୋ ଠାରୁ ଟଙ୍କା କରଜ ନେଲାବେଳେ ଜମି ଖଣ୍ଡକ ଦବ ବୋଲି ଈଶ୍ୱରଙ୍କ ନାମରେ ଶପଥ କରି ବି କେମିତି ଫାଙ୍କି ଦବାକୁ ବସିଛି ଦେଖୁନ । ପୁଣି ଫୌଜଦାରୀ କଲା । ତମ ଜ୍ୱାଇଁ ଉପରକୁ ହାତ ଉଠାଇଲା । ଶାସ୍ତ୍ରରେ ଅଛି “ଅଧର୍ମୀକୁ ଦଣ୍ଡ ନଦବା ପାପ ।” ଅଦାଲତରେ କେଶ୍ ପଡ଼ିଛି । ଶଳା ଦଉଡ଼ି ଦଉଡ଼ି ଯଦି ସର୍ବସ୍ୱାନ୍ତ ନ ହୋଇଛି ମୁଁ ଗୋପ ସାହାଣୀର ନାତି ଅର୍ଜ୍ଜୁନ ସାହାଣୀ ନୁହେଁ ।

 

ଉପେନ୍ଦ୍ର ହାର ମାନିଲା । ସମୁଦୀଙ୍କୁ ସମାଧାନପାଇଁ ରାଜି କରେଇ ପାରିଲା ନାହିଁ । ପ୍ରସନ୍ନ ମନଟା ତା’ର ପୁଣି ବିଷଣ୍ଣ ହୋଇଗଲା । ସେ ଧର୍ମ ସଂକଟରୁ ତ୍ରାହି ପାଇବା ଲାଗି ଯେଉଁ ବାଟ ପାଇଗଲା ବୋଲି ଭାବୁଥିଲା ତାହା ପୁଣି ଘୁଞ୍ଚିଗଲା ଦୂରକୁ ।

 

ଉପେନ୍ଦ୍ର ଆହୁରି ଦୁଇଥର ସମୁଦୀ ସହିତ ଆଲୋଚନା କଲା । କିନ୍ତୁ ଫଳ ହେଲା ଓଲଟା । ଅର୍ଜ୍ଜୁନ ସାହାଣୀ ବିରକ୍ତ ହୋଇ କହିଲା ଶତ୍ରୁପକ୍ଷର ନାଁ ମୋ ପକ୍ଷର ମୁଁ ସ୍ପଷ୍ଟଭାବେ ଜାଣିବାକୁ ଚାହେଁ । ତାହାରି ଉପରେ ନିର୍ଭର କରେ ଆମର ସମ୍ପର୍କ ଛିଣ୍ଡିବ କି ରହିବ ।

 

ବଡ଼ ବ୍ୟଥିତ ହେଲା ଉପେନ୍ଦ୍ର । ଝିଅ ଆସି ଅନୁନୟ ବିନୟ ହୋଇ ହୋଇ କହିଲା ଶ୍ୱଶୁର ଘର କଥା । ସେ ସାହାଯ୍ୟ ନକଲେ ମୋକଦ୍ଦମାରେ ବିଜୟୀ ହେବାର ସମ୍ଭାବନା କ୍ଷୀଣ । ଆଉ ଯଦି ଫୌଜଦାରୀ କେସ୍‍ଟା ପ୍ରମାଣିତ ହୁଏ ଜ୍ୱାଇଁ ଯିବ ଜେଲକୁ । ଉପେନ୍ଦ୍ର ନିଶ୍ଚୟ ଏହା ଚାହେଁ ନାହିଁ । ସେ ଏହା ବି ଚାହେଁ ନାହିଁ ଯେ ସେ ସତ୍ୟ କହିବ ବୋଲି ଇଶ୍ୱରଙ୍କ ନାମରେ ଶପଥ କରିବା ପରେ ମିଥ୍ୟା ସାକ୍ଷ୍ୟ ଦେବ । ସାହାଣୀ ଯେ ସତ୍ୟର ଆଶ୍ରୟ ନେଇ ମିଥ୍ୟାକୁ ସମ୍ୱଳ କରି ଚାଲିଛି ଏହା ଆଉ ଅବିଦିତ ନୁହେଁ କାହାକୁ । ଉପେନ୍ଦ୍ର ପୂର୍ବରୁ ଶାନ୍ତିରେ ଶୋଉଥିଲା । ଶାଗ ଭାତ ଖାଇ ବେଶ୍ ଶାନ୍ତିରେ ଥିଲା । ସେଇ ଶାନ୍ତି ହଠାତ୍ ତା’ ପାଖରୁ ଯେପରି କେହି ହରଣ କରି ନେଇଛି । ମନ ବିଳଚିତ, ଆନ୍ଦୋଳିତ ହେଉଛି ।

 

ଆସନ୍ତା ସୋମବାର ତାରିଖ । ସାହାଣୀ ଆଜିଠୁ ସଜାଡ଼ି ହେଲାଣି ତାରିଖ ଦିନ ସଦଳବଳେ ହାଜିର ହୋଇ ନିଜର ଦାବି ସାବ୍ୟସ୍ତ କରିବାଲାଗି । ସେ ଜିଦ୍‍ ଧରିଛି ଗୋଲକ ପ୍ରଧାନକୁ ପାନେ ଦବ । ଆଖିବୁଜି ଖର୍ଚ୍ଚ ସେଥିପାଇଁ । ଶତ୍ରୁକୁ ଛାଡ଼ିଦେଲେ ଶତ୍ରୁତା ବଢ଼େ, ଶତ୍ରୁ ବି ବଢ଼ନ୍ତି । ସେ ଛାଡ଼ିବା ନାହିଁ । କଳାଚକ ଜମି ଖଣ୍ଡିକ ସାହାଣୀର ଧଳାଚକକୁ ଲାଗି । ଅର୍ଜ୍ଜୁନର ଗୋସାଇଁ ବାପା ଦଶରଥ ସାହାଣୀ ସେ ଖଣ୍ଡକୁ କିଣି ଗୋଟେ ବଡ଼ ଚକ କରିବ ବୋଲି ଲୋଭ ଦେଖେଇଥିଲା ଗୋଲକର ଗୋସେଇଁ ବାପ ସନାତନକୁ । କିନ୍ତୁ ପାରି ନଥିଲା । ସନାତନ ପ୍ରଧାନ ନିଜର ଭାତହାଣ୍ଡି ଅନ୍ୟ ହାତକୁ ଟେକି ଦବା ଲାଗି ଭରସା କରି ନଥିଲା । ସେଇଦିନୁ ଚେଷ୍ଟା ଚାଲିଛି । ସାହାଣୀ ଘର ନବାପାଇଁ ଆଉ ପ୍ରଧାନ ଘର ନଦବାପାଇଁ ଛକାପଞ୍ଛା ଖେଳ ଖେଳୁଛନ୍ତି । ଏବେ ହଠାତ୍‍ ଗୋଟେ ସୁଯୋଗ ଆସିଗଲା ଅର୍ଜ୍ଜୁନ ସାହାଣୀ ହାତକୁ । ନଚେତ୍ କଳାଚଳ କିଣିବାର ସ୍ୱପ୍ନ ସେ ଦେଖିପାରି ନ ଥା’ନ୍ତା ।

 

ଉପେନ୍ଦ୍ର ଶେଷ ଚେଷ୍ଟା କଲା । ପଞ୍ଚାୟତ ଡକାଗଲା । ତିନି ଗାଆଁର ମୁଖିଆମାନେ ଆସିଲେ । ସରପଞ୍ଚ ଓ ଅନ୍ୟାନ୍ୟ ସଭ୍ୟମାନେ ଭାଗବତ ଘରେ ବସିଲେ ନ୍ୟାୟ ଦବାପାଇଁ । ଗୋଲକ ପ୍ରଧାନ ହାଜିର ହେଲା । ହାଜିର ହେଲା ଅର୍ଜ୍ଜୁନ ସାହାଣୀ । ପଞ୍ଚାୟତର ସଭ୍ୟମାନେ, ଗାଆଁର ମୁରବୀମାନେ ସବୁ ବିଷୟ ଶୁଣିଲେ । ଅର୍ଜ୍ଜୁନ ପ୍ରଧାନ କାଗଜ ଦେଖାଇ କହିଲା ସେ ଯାହା ନେଇଛି ଓ ଯାହା ସେ ଲେଖି ଦେଇଛି ପଞ୍ଚ ପରମେଶ୍ୱର ବିଚାର କରନ୍ତୁ । ଯଦି ମୋ ଟଙ୍କା ନେଇ ଥିବ, ମୋତେ ଜମି ବିକ୍ରି କରିବା ସର୍ତ୍ତ ରଖି ଋଣ କରି ନଥିବ, ମୁଁ ସବୁ ଟଙ୍କା ଛାଡ଼ିଦେବି । ଜମି ଉପରୁ ମୋର ଦାବି ଉଠେଇ ନେବି… । ସତ୍ୟ ଧର୍ମର ଜୟ ସବୁ କାଳରେ । ଆଜି ବି ସୂର୍ଯ୍ୟ ଚନ୍ଦ୍ର ଅଛନ୍ତି । ଗୋଲକ ପ୍ରଧାନ ମୋ ଟଙ୍କା ଖାଇ ଯଦି ପଳାଇଯିବ ଅଧର୍ମ ତାର, ମୋର ନୁହେଁ ।

 

ଯୁକ୍ତି ତର୍କ ଚାଲିଲା । କଥା କଟା କଟି ବି । ଉପେନ୍ଦ୍ର ଉଭୟପକ୍ଷକୁ ସମ୍ଭାଳିବାପାଇଁ ଆପ୍ରାଣ ଚେଷ୍ଟା କଲା । ଅର୍ଜ୍ଜୁନ ତାର ସମୁଦୀ ହେଲେ ବି ସେ ବୁଝୁଥିଲା ଯେ ଅର୍ଥ ବଳରେ ଅନ୍ଧାରକୁ ଆଲୁଅ କରିଦବାର ଶକ୍ତି ଅଛି ସାହାଣୀର । ପଞ୍ଚାୟତ ସଭା ଉପଲକ୍ଷ୍ୟ ମାତ୍ର, ସେ ପୂର୍ବରୁ ସରପଞ୍ଚ ଓ ଅନ୍ୟ ସଭ୍ୟମାନଙ୍କୁ ଉତ୍କୋଚ ଦ୍ୱାରା ହାତ କରିନେଇଛି । ସେଥିପାଇଁ ଉଭୟ ପକ୍ଷର ବକ୍ତବ୍ୟ ଶୁଣିସାରି ବିଚାର କରି ପଞ୍ଚାୟତର ରାୟ ସରପଞ୍ଚବାବୁ ଶୁଣାଇଦେଲେ । ଅର୍ଜ୍ଜୁନ ସାହାଣୀର ଦାବି ଯୁକ୍ତିଯୁକ୍ତ ଓ ନ୍ୟାୟସଙ୍ଗତ ପ୍ରମାଣିତ ହେଲା । ଗୋଲକ ପ୍ରଧାନ ଅପରାଧୀ ସାବ୍ୟସ୍ତ ହେଲା । ଅର୍ଜ୍ଜୁନ ନିଜର ବଡ଼ିମା ଦେଖାଇବାକୁ ଯାଇ ଘୋଷଣା କଲା ଯେ ଗୋଲକର ଅବସ୍ଥା ଭଲ ନଥିବାରୁ ସେ ଆହୁରି ପାଞ୍ଚଶହ ଟଙ୍କା ଦବ ତାକୁ । ଗୋଲକ ଜମି ରେଜିଷ୍ଟ୍ରି କରିଦେଇ, ଫୌଜଦାରୀ ମୋକଦ୍ଦମା ଉଠେଇ ନବା ଲାଗି ଦରଖାସ୍ତ କରୁ । ସେ ବି ନିଜ ମୋକଦ୍ଦମା ଉଠେଇ ନବ । ପଞ୍ଚାୟତର ସଭ୍ୟମାନେ ଅର୍ଜ୍ଜୁନ ସାହାଣୀର ଉଦାରତାର ପ୍ରଶଂସା କଲେ ଏବଂ ଗୋଲକ ପ୍ରଧାନକୁ ପଞ୍ଚ ପରମେଶ୍ୱରଙ୍କ ସିଦ୍ଧାନ୍ତ ଆଗରେ ନତମସ୍ତକ ହେବାପାଇଁ କହିଲେ । ନ ହେଲେ ଗୋଲକ ପ୍ରଧାନକୁ ଏକଘରିକିଆ କରାଯିବ । ନିଆଁ, ପୁଣି ବାସନ୍ଦ କରାଯିବ-। ତା’ ଘର ସହିତ କାହାରି ସମ୍ପର୍କ ରହିବା ନାହିଁ । ତା’ ଦୁଆରକୁ କେହି ଯିବେ ନାହିଁ ।

 

ଚମକି ପଡ଼ିଲା ଗୋଲକ ପ୍ରଧାନ । ଉଦାସ ହୋଇଗଲା ଉପେନ୍ଦ୍ର । ପଞ୍ଚାୟତର ବିଚାରକୁ ମାନି ଦେଇ ପାରିଲା ନାହିଁ ଗୋଲକ । କୋର୍ଟକୁ ଧାଇଁଲେ ଉଭୟ ପକ୍ଷ ।

 

ସେଦିନ ବଟଗଛ ମୂଳେ ଉପେନ୍ଦ୍ରକୁ ଦେଖି କହିଲା ଗୋଲକ, ମୁଁ ଜାଣେ ନାଇକେ, ତମେ ମିଛ କୁହ ନାହିଁ, ମିଛ କହିବ ନାହିଁ, ଯାହା କହିବ ସତ କହିବ । ତୁମେ ସତ କହିଲେ ମୋର ବିଜୟ ସୁନିଶ୍ଚିତ... ।

 

ଉପେନ୍ଦ୍ର ବଟଗଛ ମୂଳେ ଛିଡ଼ା ହୋଇ ଅନୁଭବ କରୁଥିଲା ଏକ ଅଦ୍ଭୁତ ଶିହରଣ । ଯୁଗ ଯୁଗ ଧରି ଖରା ବର୍ଷା ଶୀତ କାକର ସହି ଛିଡ଼ା ହୋଇଛି ଏ ବଟଗଛ । କେତେ ଘଟଣା ପ୍ରତ୍ୟକ୍ଷ କରିଛି, ମଣିଷର ନୀଚତା, ପୁଣି ତାର ଉଦାରତା ସବୁ ଲକ୍ଷ୍ୟ କରିଛି । ଏଇ ବରଗଛ ମୂଳେ ବସି କେତେ ଲୋକ ନ୍ୟାୟ ନିଶାପ କରିଛନ୍ତି । କେହି କେହି ନ୍ୟାୟ ନ ପାଇ ଅବିଚାର ଓ ଅତ୍ୟାଚାରଦ୍ୱାରା ଉତ୍ପୀଡ଼ିତ ହୋଇ କାନ୍ଦିଛନ୍ତି । ବଟଗଛ କିଛି କହି ନାହିଁ, କେବଳ ମୂକସାକ୍ଷୀ ପରି ସବୁ ଦେଖିଛି, ସବୁ ଶୁଣିଛି । ଆଜି ଉପେନ୍ଦ୍ର ଯେଉଁ କଥା କହିବ, ତାହା ବି ସେ ଶୁଣିବ, ତାହା ବି ପୃଥିବୀର ଅଲିଖିତ ଇତିହାସରେ ସ୍ମରଣୀୟ ହୋଇ ରହିଯିବ ।

 

ଲୋକମାନଙ୍କୁ ନ୍ୟାୟ ଦବାପାଇଁ ଅଦାଲତାର ସୃଷ୍ଟି । ଆଇନ ଓ ନିୟମ କାନୁନ ସେଥିଲାଗି ପ୍ରଣୟନ କରାଯାଇଛି । ମଣିଷ ଯେତେବେଳେ ଅସଭ୍ୟ ଥିଲା ବଳ ଯାହାର ମୁଲକ ନୀତିରେ ପରିଚାଳିତ ହେଉଥିଲା । ଏବେ ମଣିଷ ଅନେକ ଆଗେଇ ଆସିଛି, ସେ ସଭ୍ୟ ଓ ଶିକ୍ଷିତ ହୋଇଛି, ଲୋକଙ୍କୁ ବିଚାର ଓ ନ୍ୟାୟ ଦବାଲାଗି ସେ ଦଳ ଗଢ଼ିଛି, ଶାସନ କରୁଛି, ଆଇନ ପ୍ରଣୟନ କରି ଆଇନର ଶାସନ ଜାରି କରିଛି । କିନ୍ତୁ ଏତେ ଯୁଗର ସାଧନା କଅଣ ଏଇ ଗୋଟିଏ ଘଟଣାରେ ନିଷ୍ଫଳ ହୋଇଯିବ ! ଊର୍ଦ୍ଧ୍ୱମୁଖୀ ମଣିଷର ସବୁ ପ୍ରାୟସ କଅଣ ଅସଫଳ ହେବ !

 

ଉପେନ୍ଦ୍ର ଆଗରେ ଗୋଲକ ପ୍ରଧାନ ଠିଆ ହୋଇଛି ଠିକ୍ ବଟଗଛ ଠିଆ ହେବା ପରି । ସେ ଉତ୍ତର ଶୁଣିବାକୁ ଚାହେଁ । ବଟଗଠ ବି ହୁଏତ ତା’ ମୁହିଁରୁ ଶେଷକଥା ଶୁଣିବା ଲାଗି ଚାହୁଁଥିବ । ସେ ସତ କହିବ, କେବଳ ସତ କହିବ ନା ମିଛ କହି ସମୁଦୀର ବାହାବା ନବ, ଜ୍ୱାଇଁର ଭବିଷ୍ୟତ ନିଧି ସୁରକ୍ଷିତ କରିବାରେ ସାହାଯ୍ୟ କରିବ ? ମନକୁ ମନ ପ୍ରଶ୍ନ କରୁଥିଲା ଉପେନ୍ଦ୍ର ।

 

ଉପେନ୍ଦ୍ର ଆଉ ବିଳମ୍ୱ ନ କରି ଗୋଲକ ପ୍ରଧାନର ମୁହଁ ଚାହିଁ କହିଲା, ଈଶ୍ୱରଙ୍କ ନାମର ଶପଥ ନେଇଛି ଗୋଲକ ଭାଇ, ସତ କହିବି, ସତ ଛଡ଼ା ମିଛ କହିବି ନାହିଁ ।

 

ମାମଲା ଚାଲିଲା । ସାକ୍ଷ୍ୟ ପ୍ରମାଣ ନିଆଗଲା । ଜବାନବନ୍ଦି ବି ହେଲା । ଉପେନ୍ଦ୍ର ପ୍ରଧାନ ସତ୍ୟରକ୍ଷା କରିବା ଲାଗି ଯାହା ଜାଣିଥିଲା ସବୁ କହିଲା । ସାହାଣୀ ଆସି ଠାରିଲା, ତା’ ଓକିଲ ବାରମ୍ୱାର ବିଘ୍ନ ସୃଷ୍ଟି କଲେ । କିନ୍ତୁ ଉପେନ୍ଦ୍ର ମିଛ ନ କହି ସତ କହିଲା । କେବଳ ସତ ମୋକଦ୍ଦମାର ଶେଷ ଶୁଣାଣି ବି ଶେଷହେଲା ।

 

ମାଜିଷ୍ଟ୍ରେଟ ଫଏସଲା ଶୁଣାଇବାର ଶେଷ ତାରିଖ ଶୁଣାଇ ଦେଲେ ।

 

ସେହି ନିର୍ଦ୍ଦିଷ୍ଟ ଦିନ ଉପନୀତ ହେଲା । ଅର୍ଜ୍ଜୁନ ସାହାଣୀ ବହୁସଂଖ୍ୟକ ଲୋକଙ୍କୁ ନେଇ ମହାଥାଟରେ ଆସି ପହଞ୍ଚିଲା କୋର୍ଟ ଆଗରେ ।

 

ତା’ପରେ ଏକାକୀ ଆସିଲା ଗୋଲକ ପ୍ରଧାନ । ତା’ପକ୍ଷରେ ଆଜି ସେ ଏକା ଓ ଈଶ୍ୱର-। ଯାହା ହେବାର ଥିବ ହେବ ।

 

ମାଜିଷ୍ଟ୍ରଟ୍ ଆସନରେ ବସିଲାକ୍ଷଣି ଉଭୟପକ୍ଷର ଓକିଲମାନେ ପହଞ୍ଚିଗଲେ ଏବଂ କେସ୍ ନମ୍ୱର ଡକା ହେବାକ୍ଷଣି ମାଜିଷ୍ଟ୍ରେଟ୍ ରାୟ ପଢ଼ିବାକୁ ଆରମ୍ଭ କଲେ !

 

ଦୀର୍ଘ ରାୟରେ ବିଚାରପତି ସବୁ ସାକ୍ଷ୍ୟ ପ୍ରମାଣର ଉଲ୍ଲେଖ କରି ପରିଶେଷରେ ନିଜର ସିଦ୍ଧାନ୍ତ ଘୋଷଣା କରି କହିଲେ ଯେ, ଗୋଲକ ପ୍ରଧାନ ଦୋଷୀ, ଅର୍ଜ୍ଜୁନ ସାହାଣୀ ନିର୍ଦ୍ଦୋଷ । ଗୋଲକ ପ୍ରଧାନର ଫୌଜଦାରୀ ମୋକଦ୍ଦମା ସାହାଣୀ ବିରୁଦ୍ଧରେ ତାର ଆକ୍ରୋଶର ଫଳ । ସେ ଜମିଦବ କହି ଟଙ୍କା ନେଇଥିବା ବିଷୟ ମଧ୍ୟ ପ୍ରମାଣିତ ହେଲା । ନ୍ୟାୟତଃ, ଧର୍ମତଃ ସେଇ ଜମି ଖଣ୍ଡକ ଅର୍ଜ୍ଜୁନ ସାହାଣୀର । ଯଦି ସେଇ ଜମି ଲାଗି ଗୋଲକ ପ୍ରଧାନ ଅନିଚ୍ଛୁକ, ସୁଧ ମୂଳମିଶି ପାଞ୍ଚ ହଜାର ଟଙ୍କା ପରିଶୋଧ କରିବା ଦରକାର ।

 

ଗୋଲକ ଓକିଲର ଅପେକ୍ଷା ନ ରଖି କହିଲା, ପାଞ୍ଚଟଙ୍କାର ମୁଣ୍ଡ ମୁଁ ହଜୁର, ପାଞ୍ଚ ହଜାର କୋଉଠୁ ଆଣିବି ? କଳାଚଳ ଜମି ଖଣ୍ଡକ ସାହାଣୀ ନିଣନ୍ତୁ, ମୁଁ ଋଣମୁକ୍ତ ହୁଏ... ।

 

ଉପେନ୍ଦ୍ର ଆସିବାବେଳେ ସାହାଣୀ ଟ୍ରକରେ ବସି ଆସିଥିଲା । ଫେରିବାବେଳକୁ ତାକୁ ପାସୋରି ଦେଲେ ସମସ୍ତେ । ବାଣ ଫୁଟେଇ, ମିଠେଇ ବାଣ୍ଟି ଅର୍ଜ୍ଜୁନ ସାହାଣୀ ଦଳ ବଳଧରି ଗାଆଁକୁ ଫେରିଲା ।

 

ଉପେନ୍ଦ୍ର ଚାଲି ଚାଲି ଫେରିଲା ।

 

ସେ ଘରେ ପାଦ ଦବା ବେଳକୁ ତା’ ପାଦ ଧରି ବାହୁନି ଉଠିଲା ଝିଅ, ଅର୍ଜ୍ଜୁନ ସାହାଣୀର ପୁତ୍ରବଧୂ ।

 

‘ଶେଷରେ ମୋ କପାଳରେ ଏୟା ଥିଲା ହେ ବାପା… ।’

☆☆☆

 

ଛାଡ଼ପତ୍ର

 

ସୁନୀତି ଗୋଟିଏ ଝୁଙ୍କରେ ସୁବ୍ରତକୁ ଛାଡ଼ି ଚାଲି ଆସିଲା । ଆସିଲାବେଳେ ସୁବ୍ରତ ଯେମିତି ତାକୁ କହିଥିଲା ଯେ ସେ ଆଉ ତାର ମୁଖ ଦର୍ଶନ କରିବାକୁ ଚାହେଁ ନାହିଁ, ତାଙ୍କୁ ଶୁଣେଇ ଶୁଣେଇ ସେ କହିଥିଲା ଯେ ସେ ବି ଆଉ ଏ ଘରେ ରହିବ ନାହିଁ । ତିନିମାସ ହୋଇଗଲାଣି, ସୁବ୍ରତ ତାକୁ ଖୋଜି ଖୋଜି ଆସି ନାହିଁ କି ସୁନୀତି ସ୍ୱାମୀ ପାଖକୁ ଫେରି ଯାଇନି । ଦୁହେଁ ଦୁହିଁଙ୍କର ଜିଦରେ ଅଟଳ ରହି ଅନ୍ୟର ଦୋଷ ସମୀକ୍ଷା କରିବାରେ ସମୟ ଅତିବାହିତ କରିଛନ୍ତି । ସ୍ୱାମୀ ସହିତ ଯଦି ସେ ରହିବାକୁ ନ ଚାହେଁ ଛାଡପତ୍ର ଦେଇ ସ୍ୱାଧୀନ ହୋଇଯିବା ଭଲ ବୋଲି ବନ୍ଧୁମାନେ କହିଛନ୍ତି, କିନ୍ତୁ ସେ ବିଷୟରେ ଅଧିକ ଭାବିବାପାଇଁ ଇଚ୍ଛା ପ୍ରକାଶ କରିନି ସୁନୀତି । ସେ କେବଳ ଭାବୁଛି ଯେ ଯଦି ଛାଡପତ୍ର ଦବାକୁ ହୁଏ ସେ ପ୍ରଥମେ ଆଗେଇବ କାହିଁକି, ସୁବ୍ରତ ଆଗୋଉ । ସେ ପୁରୁଷ, ତାର ସ୍ୱାଧୀକାର ସମ୍ପର୍କରେ ସମାଜ ଯେତିକି ସଚେତନ ନାରୀର ଅଧିକାର ସମ୍ପର୍କରେ ସେତିକି ଉଦାସୀନ । ଆଇନ ଅନୁସାରେ ଯଦି ଚଳିବା ଦରକାର ତା’ହେଲେ ସୁବ୍ରତ କୋର୍ଟକୁ ଯାଇ ଛାଡପତ୍ରପାଇଁ ପ୍ରାର୍ଥନା କରିପାରେ, ସେ ତାର ବିରୋଧ କରିବ ନାହିଁ ।

 

ଗୋଟିଏ ସହରରେ ରହୁଥିଲେ କଥା ନଥାନ୍ତା, ପରସ୍ପର ମଧ୍ୟରେ ଦେଖାଚାହାଁ, କଥାବାର୍ତ୍ତା ନ ହେଲେ ବି ଅନ୍ୟମାନଙ୍କ ଜରିଆରେ ଉଭୟ ଉଭୟଙ୍କ ବିଷୟରେ ଖବର ପାଆନ୍ତେ । କିନ୍ତୁ ସେପରି ସୁବିଧା ନାହିଁ । ସୁବ୍ରତ ପୁରୀରେ ତ ସେ ଭୁବନେଶ୍ୱରରେ; ମଝିରେ ଚାଳିଶ ମାଇଲର ବ୍ୟବଧାନ । ଯେତେବେଳେ ସୁନୀତି ବାହାହୋଇ ଯାଇଥିଲା ସୁବ୍ରତଘରକୁ, ସେତେବେଳେ ବାପା ରହୁଥିଲେ ବାରିପଦାରେ । ବାରିପଦାରୁ ପୁରୀ ତିନି ଶହ ତିରିଶ କିଲୋମିଟର । କିନ୍ତୁ ଦୂରତ୍ୱ ଅତିକ୍ରମ କରିବା ଅତି ସହଜ ମନେ ହୋଇଥିଲା । ବାରିପଦାରୁ ପୁରୀ ଆସି ସେ ତାର କୁମାରୀ ଜୀବନର ଚାରିପାଖରେ ଗଢ଼ି ଉଠିଥିବା ଦୂରତ୍ୱଗୁଡ଼ାକୁ ଭାଙ୍ଗି ଦେଇଥିଲା ଏବଂ ସମୁଦ୍ର କୂଳକୁ ଆଶ୍ରା କଲା ପରି ସୁବ୍ରତର କୋଳରେ ନିଜକୁ ସମର୍ପି ଦେଇ ଅପାର୍ଥିବ ଆନନ୍ଦ ପାଉଥିଲା । ସେଦିନ ଆଉ ଦୂରତ୍ୱ ନୁହେଁ ନିକଟତର ହବାପାଇଁ ମନରେ ଯେଉଁ ଆବେଗ, ପ୍ରାଣରେ ଯେଉଁ ପୁଲକ ଜାଗେ ତାକୁ ସମ୍ବଳ କରି ସ୍ୱାମୀ ହାତରେ ନିଜକୁ ସମର୍ପଣ କରି ଆଖି ବୁଜି ଦେଇଥିଲା ସେ। ସେହି ସ୍ନିଗ୍ଧ ମଧୁର ଦିନଗୁଡ଼ିକ ଆଜି ସ୍ୱପ୍ନ ପରି ଲାଗୁଛି । ସେଦିନ ଯେଉଁ ଦୂରତ୍ୱ ତାକୁ ନିକଟତର କରିବାପାଇଁ ଆହ୍ୱାନ କରୁଥିଲା, ଆଜି ସେଇ ଦୂରତ୍ୱ ବଢିବାରେ ଲାଗିଛି । ମଣିଷ ଓ ମଣିଷ ମଧ୍ୟରେ ସମ୍ପର୍କ ବୋଧହୁଏ ଏହିପରି । ଦୂର ନିକଟକୁ ଆସିଲା କ୍ଷଣି ପୁଣି କେତେବେଳେ ନିକଟ ଦୂର ହୋଇଯାଏ ଜାଣି ହୁଏନି ।

 

ସୁନୀତି ଘର ଛାଡ଼ି ଚାଲି ଆସିଥିଲାବୋଲି କେବେ ଅନୁତାପକରି ନାହିଁ । ଯଦି ସୁବ୍ରତ ଏକା ଏକା ଏତେଦିନ ବିତେଇ ଦେଇପାରେ ସେ ବି ନିଶ୍ଚିନ୍ତ ହୋଇ ରହିପାରିବ । ଝିଅ ହୋଇ ଜନ୍ମ ହେବା ମାତ୍ରେ ସବୁ ଦୁର୍ବଳତାଗୁଡ଼ା ତାକୁ ଘେରି ପକାଏ । ପୁଅ ପାହାଡର ଶିଳା ପରି ଗଡ଼ି ଗଡ଼ି ଯାଉଥିବ, ଦେହରେ ଧୂଳିମଳି ଶିଉଳି ଲାଗିବ ନାହିଁ । ସମାଜର ପକ୍ଷପାତ ବିଚାରପାଇଁ ମନ ବିଦ୍ରୋହ କରେ ସୁନୀତିର । ସେ ପାଖରେ ଯାହା ପାଏ ଫିଙ୍ଗେ ଓ ଭାଙ୍ଗେ ଏବଂ ମନକୁ ମନ କହେ–ସ୍ୱାର୍ଥପର, ସମସ୍ତେ ସ୍ୱାର୍ଥପର !

 

ସୁବ୍ରତ ଯେ ଏଡ଼େ ସ୍ୱାର୍ଥପର ହୋଇପାରିବ ତାହା ତିନିବର୍ଷ ପରେ ଜାଣିଲା ସୁନୀତି । ଏଇ ତିନି ବର୍ଷରେ ଗଢ଼ି ଉଠିଥିବା ଘର ସଂସାର ହଠାତ୍ ଦିନେ କାଚ ପରି ଭାଙ୍ଗିଗଲା । କାରଣ ସାମାନ୍ୟ । ଯେଉଁଦିନ ସ୍ୱାମୀକୁ ଟେଲିଫୋନ କରି ତାକୁ ନପାଇ ମିତାକୁ ଟେଲିଫୋନରେ ପାଇଲା ସୁନୀତି ସେଦିନ ଚମକି ପଡ଼ି କହିଲା, ନା, ନା, ସରି… ମୁଁ ସୁବ୍ରତ ବାବୁଙ୍କୁ ଚାହୁଁଥିଲି… ଭୁଲ ନମ୍ବର ଲାଗି ଯାଇଛି । ମିତା କିନ୍ତୁ ଖିଲ୍ ଖିଲ୍ ହସି ତତ୍‍କ୍ଷଣାତ୍ କହିଥିଲା ଯେ ନମ୍ବର ଭୁଲ୍‍ ନୁହେଁ ଠିକ… । ତା’ପରେ ସେ କଲ୍‍ଟା ଟ୍ରାନ୍ସଫର କରି ଦେଇଥିଲା ସୁବ୍ରତକୁ । କିନ୍ତୁ ସେତେବେଳକୁ ଟେଲିଫୋନ ଛାଡ଼ି ଦେଇଥିଲା ସୁନୀତି ରାଗ ଓ ଅଭିମାନରେ । କାଲି ପର୍ଯ୍ୟନ୍ତ ସେ ସ୍ୱାମୀ ସହିତ ସିଧାସଳଖ କଥା ହୋଇଛି, ଅଥଚ ଆଜି ତାଙ୍କୁ ଟେଲିଫୋନ କଲେ ଜଣେ ଝିଅକୁ ମାଧ୍ୟମ କରି କଥା କହିବାକୁ ହେବ ଏହା ସେ ବିଶ୍ୱାସ କରିପାରୁନି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ମାଧ୍ୟମକୁ ସ୍ୱୀକାର କରି ନପାରି ସେଇ ସନ୍ଧ୍ୟାରେ ସୁବ୍ରତ ଘରକୁ ଫେରିବା ପରେ ତାକୁ ଦୁଇପଦ ଶୁଣାଇଦେଲା ସେ । ସୁବ୍ରତ ପ୍ରଥମେ ସ୍ତ୍ରୀର ଏପରି ଆକ୍ରମଣାତ୍ମକ ଭାବ ଦେଖି ବିବ୍ରତ ହୋଇପଡ଼ିଲା ଏବଂ ପରେ ଏହାର କାରଣ ଜାଣି ଆହୁରି ଆଶ୍ଚର୍ଯ୍ୟ ହେଲା ଯେ ସୁନୀତି ଏପରି ସାମାନ୍ୟ ଘଟଣାକୁ ଅସାମାନ୍ୟ ଗୁରୁତ୍ୱ ଦେଇପାରେ-। ତାକୁ ବୁଝାଇବାକୁ ଚେଷ୍ଟା କଲା ସୁବ୍ରତ, କିନ୍ତୁ ସୁନୀତି ଗୋଖର ସାପ ଫଁ ଫଁ ହୋଇ ଫଣା ଟେକିଲା ଏବଂ ସେଇ ରାଗରେ ଉପଶମ ହେବାବେଳକୁ ଆଉ ଗୋଟେ ଦୁର୍ଘଟଣା ଘଟିଗଲା-

 

ସୁବତ୍ର ଗସ୍ତରେ ଯାଇଥିଲା ଅଫିସ ଗାଡ଼ିରେ । ସେ ଗସ୍ତରେ ଗଲେ ବେଳେବେଳେ ସ୍ତ୍ରୀକୁ ବି ସାଙ୍ଗରେ ନେଇଯାଏ । ଏଥର ଫୁଲବାଣୀ ଯାଉଥିବାରୁ ଏବଂ ସୁନୀତି ଫୁଲବାଣୀ ଦେଖିଥିବାରୁ ତାକୁ ଏକ ଦୂର ଯାତ୍ରାରେ ନ ନେଇ ଏକା ଯାଇଥିଲା ସୁବ୍ରତ । ସେଠାରେ କାମ ଶେଷ କରି ଫେରିଲା ବାଟରେ ଦଶପଲାଠାରେ ଗାଡ଼ି ଖରାପ ହେବାରୁ ଆଉ ସେଦିନ ଫେରି ନପାରି ରାତିରେ ଆଇ.ବି.ରେ ରହିଗଲା । ତା’ ପରଦିନ ସକାଳୁ ବାହାରିବା ବେଳକୁ ଆଇ.ବି.ର ଅନ୍ୟ ଗୋଟିଏ ସୁଟରେ ମଞ୍ଜରୀକୁ ଦେଖିଲା ସେ । ମଞ୍ଜରୀ ପଟ୍ଟନାୟକ ତାର ସହପାଠିନୀ ଏବଂ ସେ ବିକ୍ରିକର ବିଭାଗର ଅଫିସର । ନିଜର ଗାଡ଼ି ନଥିବାରୁ ଏବଂ ଅଫିସ ଗାଡ଼ି ଅଚଳ ହୋଇ ମରାମତି ହେଉଥିବାରୁ ବସରେ ସେ ଆସିଥିଲା ଏବଂ କାମସାରି ସକାଳ ବସରେ ଯିବାପାଇଁ ପ୍ରସ୍ତୁତ ହୋଇ ରିକ୍ସାପାଇଁ ବାରନ୍ଦାରେ ଆରାମ ଚୌକିରେ ଅପେକ୍ଷା କରୁଥିବାବେଳେ ହଠାତ୍ ସୁବ୍ରତ ସହିତ ସାକ୍ଷାତ୍ ହେଲା । ମଞ୍ଜରୀ କଟକ ଯିବାର ଥିଲେ କି ଭଦ୍ରତା ଖାତିରରେ ତାକୁ ବସରେ ଯିବାକୁ ନ ଦେଇ ଭୁବନେଶ୍ୱର ପର୍ଯ୍ୟନ୍ତ ତା’ ସହିତ ଯିବାପାଇଁ ଅନୁରୋଧ କଲ ସୁବ୍ରତ ଏବଂ ସେଥିରେ ସେ ସମ୍ମତ ହୋଇଗଲା । ପ୍ରାୟ ଗୋଟାଏ ବେଳକୁ ଦୁହେଁ ଭୁବନେଶ୍ୱରରେ ପହଞ୍ଚିଲେ । ସେହି ସମୟରେ ମଞ୍ଜରୀକୁ ଛାଡ଼ି ନ ଦେଇ ଏବଂ ଘରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବାପାଇଁ ଆଗରୁ କୌଣସି ସୂଚନା ସୁନୀତି ପାଖକୁ ସେ ପଠାଇ ନଥିବାରୁ ହଠାତ୍‍ ମଞ୍ଜରୀକୁ ନେଇ ଅସମୟରେ ପହଞ୍ଚିଗଲେ କଲେ ସୁନୀତି ବିବ୍ରତ ବୋଧ କରିପାରେ ଏଥିପାଇଁ ସେ ସ୍ୱସ୍ତି ହୋଟେଲକୁ ଚାଲିଗଲା ମଞ୍ଜରୀକୁ ସାଙ୍ଗରେ ନେଇ । କିନ୍ତୁ ଘଟଣାକ୍ରମେ ସେହି ଦିନ ସ୍ୱସ୍ତି ହୋଟେଲେର ମଧ୍ୟାହ୍ନ ଭୋଜନ କରିବାପାଇଁ ସୁନୀତିକୁ ନିମନ୍ତ୍ରଣ କରିଥିଲା ତା’ ପିଲାଦିନର ସାଙ୍ଗ ମାଳବିକା । ମାଳବିକା ଦିଲ୍ଲୀରେ ସ୍ୱାମୀ ସହିତ ରହୁଥିବାରୁ ବହୁବର୍ଷ ଦୁହିଁଙ୍କ ମଧ୍ୟରେ ସାକ୍ଷାତ୍ ହୋଇ ନଥିଲା । ସବୁତ୍ର ଘରେ ନଥିବାରୁ ଏବଂ ବର୍ଷ ଦୁହିଁଙ୍କ ମଧ୍ୟରେ ସାକ୍ଷାତ୍ ହୋଇ ନଥିଲା ସୁବ୍ରତ ଘରେ ନଥିବାରୁ ଏବଂ ସ୍ୱାମୀ ସହିତ ମାଳବିକା ସ୍ୱସ୍ତି ହୋଟେଲରେ ରହୁଥିବାରୁ ସେଦିନ ଅପରାହ୍‍ଣର ଫ୍ଲାଇଟରେ ଦିଲ୍ଲୀ ଫେରିଯିବା ଆଗରୁ ସାଙ୍ଗ ସହିତ କିଛି ସମୟେ କଟେଇବାପାଇଁ ନିମନ୍ତ୍ରଣ କରିଥିଲେ । ଦୁହେଁ ଲଞ୍ଚ ଖାଇଥିବାବେଳେ ମଞ୍ଜରୀ ସାଙ୍ଗରେ ଡାଇନିଂ ହଲ୍‍କୁ ପଶୁଥିବାର ଦେଖି ଅବାକ୍ ହୋଇଗଲା ସୁନୀତି । କିନ୍ତୁ ମାଳବିକା ଆଉ ଜଣେ ମହିଳା ସାଙ୍ଗରେ ସୁବ୍ରତକୁ ଦେଖିଲେ ସେ ଭୁବନେଶ୍ୱରରେ ନଥିବାରୁ ଏବଂ ଗସ୍ତରେ ଯାଇଥିବାର ଯାହା କହିଥିଲା ତାହା ମାଳବିକା ବିଶ୍ୱାସ ନକରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯେ ସୁସମ୍ପର୍କ ନାହିଁ ଏହା ଧରି ନେବ ଏଥିପାଇଁ ଲଜ୍ଜାରେ ମୁହିଁ ଫେରାଇ ନେଲା ସୁନୀତି । ଭାଗ୍ୟକୁ ସୁବ୍ରତ ତାକୁ ଦେଖି ପାରିଲା ନାହିଁ ଏବଂ ସେ ଏକ ଅପ୍ରୀତିକର ଅବସ୍ଥାରୁ ରକ୍ଷା ପାଇଗଲା । ମାଳବିକା ଖାଇଲାବେଳେ ତାକୁ ବାରମ୍ୱାର ସେମାନଙ୍କର ଦାମ୍ପତ୍ୟ ଜୀବନ ସଫଳ ଓ ସୁଖକର ହୋଇଛି କି ନାହିଁ ପଚାରୁଥିଲା ଏବଂ ସୁନୀତି ଅନ୍ୟମନସ୍କ ଭାବରେ ହଁ କିମ୍ୱା ନା କହି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିଲା । ତା’ କଥାରେ ଯେ ଅନୁରାଗ ନ ଥିଲା ଏହା ଜାଣିପାରି ମାଳବିକା କହିଥିଲା ଯେ ତୁ ଇମିତି ଭାଙ୍ଗି ପଡ଼ୁଛୁ କାହିଁକି, ଆଉ ଥରେ ଆସିଲେ ତୋ ଘରେ ନିଶ୍ଚୟ ଖାଇବି । ସୁବ୍ରତ ଓ ମଞ୍ଜରୀ ଇମିତି ପଛ କରି ବସିଥିଲେ ଯେ ସୁନୀତିକୁ ସୁତ ଦେଖି ପାରୁ ନ ଥିଲା, କିନ୍ତୁ ସ୍ୱାମୀକୁ ଏବଂ ସେହି ଅପରିଚିତା ମହିଳାକୁ ସୁନୀତି ଦେଖି ପାରୁଥିଲା ଓ ଦୁହିଁଙ୍କ ମଧ୍ୟରେ ହାସ୍ୟ ପରିହାସ ଲକ୍ଷ୍ୟ କରୁଥିଲା । ଶୀଘ୍ର ଶୀଘ୍ର ଖିଆପିଆ ଶେଷକରି ମାଳବିକାଠାରୁ ବିଦାୟ ନେଇ ଘରକୁ ଫେରିଆସି ନିଜ କୋଠରିର କବାଟ ଝର୍କା ବନ୍ଦ କରି ଶୋଇ ପଡ଼ିଲା ସୁନୀତି । ଆଉ କାହାକୁ ମୁହିଁ ଦେଖାଇବାକୁ ତାର ଇଚ୍ଛା ନ ଥିଲା ଏବଂ ଅପମାନର ଜ୍ୱାଳାରେ ସେ କମ୍ପିତ ପ୍ରଦୀପ ଶିଖା ପରି ଥରିବାକୁ ଲାଗିଲା ।

 

କେତେବେଳେ ସନ୍ଧ୍ୟାହେଲା ଏବଂ ସୁବ୍ରତ ଘରକୁ ଫେରିଲା ତାହା ଜାଣିବାପାଇଁ ଆଉ ଆଗ୍ରହ ନଥିଲା ସୁନୀତିର । ବାରମ୍ୱାର ଏକ କଥା ମନକୁ ଘାଣ୍ଟି ଚକଟି ପକାଉଥିଲା ଯେ ସୁବ୍ରତ ଆଉ ତାର ନିଜସ୍ୱ ଏକାନ୍ତ ଆପଣାର ହୋଇ ରହି ନାହିଁ ଏବଂ ବହୁ ନାରୀ ସମ୍ଭୋଗରେ ଲିପ୍ତ ହୋଇଯାଇଛି । ଏହି କଥା ଭାବିବା କ୍ଷଣି ସେ ଅସହାୟ ବୋଧ କଲା ଏବଂ ଆଉ ସମ୍ଭାଳି ନପାରି କାନ୍ଦିବାକୁ ଲାଗିଲା । ତାର ପ୍ରେମ ଓ ପାତିବ୍ରତ୍ୟ ଯେ ବ୍ୟର୍ଥ ହୋଇଛି ଏବଂ ସୁବ୍ରତକୁ ନିଜର ସର୍ବସ୍ୱ ଦେଇ ମଧ୍ୟ ତାକୁ ଯେ ସୁଖୀ କରିପାରି ନାହିଁ ଏହା ଭାବିଲା କ୍ଷଣି ଏକ କରୁଣ ହାହାକାର ତାର ବକ୍ଷପଞ୍ଜରକୁ ଦୋହଲାଇ ଦେଲା । ଏହାଠାରୁ ବିବାହିତ ନାରୀ ଜୀବନରେ ଆଉ କିଛି ବଡ଼ ଲାଞ୍ଛନା ଓ ଅପମାନ ଥାଇ ନପାରେ ବୋଲି ସେ ବାରମ୍ୱାର କହିଲା ନିଜକୁ ଏବଂ ସାରା ରାତି ନିଜକ ଜ୍ୱାଳାରେ ଦଗ୍ଧ ହେବାକୁ ଲାଗିଲା ।

 

ସୁବ୍ରତ ହୋଟେଲରୁ ଫେରି ମଞ୍ଜରୀକୁ ବସ୍‍ଷ୍ଟାଣ୍ଡରେ ଛାଡ଼ି ଅଫିସକୁ ଗଲା ଏବଂ କେତୋଟି ଜରୁରୀ କାର୍ଯ୍ୟ ସାରି ଘରକୁ ଫେରିଲା ସନ୍ଧ୍ୟାରେ । ସେତେବେଳକୁ ସୁନୀତିର କୋଠରିର ଦରଜା ବନ୍ଦ ଥିଲା ଏବଂ ସେ ଯେତେ ଡାକିଲେ ବି କୌଣସି ପ୍ରତ୍ୟୁତ୍ତର ନପାଇ ସୁନୀତିର କଅଣ ହୋଇଥାଇପାରେ ତାହା ଜାଣିବାପାଇଁ ଚାହିଁଲା । କିନ୍ତୁ ସୁନୀତି କୌଣସି ଉତ୍ତର ଦେଲାନି । ତିନି ଦିନ ପରେ ସେ ଗସ୍ତରୁ ଫେରିଥିଲା ମଧ୍ୟ ସୁନୀତି ତା’ ସହିତ ସାକ୍ଷାତ୍ ନ କରିବା ଏବଂ ତାକୁ ନ ଶଙ୍ଖୋଳିବା ଯୋଗୁଁ ସୁବ୍ରତର ରାଗ ହେଲା ଏବଂ ସେ ଏପାଖରୁ ସ୍ତ୍ରୀକୁ ଶୁଣେଇ ଶୁଣେଇ କହିଲା ଯେ ଯଦି ସେ ତା’ ସହିତ ସ୍ୱାଭାବିକ ସମ୍ପର୍କ ରକ୍ଷା ନ କରେ ସେ ବି ଅନ୍ୟ ବ୍ୟବସ୍ଥା କରିବ ।

 

ତଥାପି ସୁନୀତି ଉତ୍ତର ଦେଲାନି ଏବଂ ରାଗ ଅଭିମାନରେ ସାରା ରାତି ସେହିପରି କଟାଇ ଦେଲା । ସୁବ୍ରତ ଭାବିଥିଲା ଯେ ସେକାଳେ ସବୁ ଠିକ୍‍ ହୋଇଯିବ ଏବଂ ସୁନୀତି ତା’ ସହିତ ସହଜ ଭାବରେ କଥାବାର୍ତ୍ତା କରିବ । କିନ୍ତୁ ସକାଳର ଚା’ ସୁନୀତି ନ ଆଣି ଯେତେବେଳେ ଚାକର ଆଣିଲା ସୁବ୍ରତ ବୁଝିଗଲା ଯେ ସୁନୀତିର ରାଗ କମି ନାହିଁ । ସେ ଏକା ଚା’ ନ ପିଇ ସ୍ତ୍ରୀକୁ ଅନୁନୟ ବିନୟ କରି ଡାକିଲା ଏବଂ କିଛି ସମୟ ତା’ପାଇଁ ଅପେକ୍ଷା କଲା । ସେଥିରେ କିଛି ଫଳ ନ ହେବାରୁ ଓ ସୁନୀତି ଉଠିଥିଲେ ମଧ୍ୟ ତା’ ସହିତ କଥାଭାଷା ନ କରି ଅନ୍ୟ କାର୍ଯ୍ୟ କରୁଥିବାରୁ ସେ ଚିଡ଼ିଗଲା ଏବଂ ସୁନୀତି ଯଦି ଭଲ ବ୍ୟବହାର ନ କରେ ସେ ତାର ମୁହିଁ ଚାହିଁବ ନାହିଁ ବୋଲି କହିଲା ।

 

ସୁନୀତି ଆଉ ସହ୍ୟ କରି ନ ପାରି କହିଲା–ଚରିତ୍ରହୀନ ସାଙ୍ଗରେ ଆଉ ମୁହୂର୍ତ୍ତେ ରହିବାକୁ ମୁଁ ଚାହେଁନି, ଏ ଘରେ ମୁଁ ବି ରହିବାକୁ ଚାହେଁନି ।

 

ଦୁହେଁ କିନ୍ତୁ ଅଭଦ୍ର ପରି ଆଉ ପଡ଼ୋଶୀ ଓ ଚାକରମାନଙ୍କ ଆଗରେ କଳି ନକରି ପରସ୍ପରଠାରୁ ଅଲଗା ରହିବାକୁ ଲାଗିଲେ । ଗୋଟିଏ କୋଠରିରେ, ଗୋଟିଏ ବିଛଣାରେ ଏକତ୍ର ପରସ୍ପରର କଣ୍ଠଲଗ୍ନା ହୋଇ ସମୟ କାଟୁଥିବା ସ୍ୱାମୀ ସ୍ତ୍ରୀର ସମ୍ପର୍କରେ ଯେଉଁ ମୁଖରତା ଓ ମଧୁରତା ଥାଏ ତାହା ହଠାତ ନୀରବ ନିଶ୍ଚଳ ହୋଇଗଲା ଏବଂ ଗୋଟିଏ ଘରେ ଉଭୟ ରହି ମଧ୍ୟ କେହି କାହାର ମୁଖଦର୍ଶନ କଲେ ନାହିଁ, ବରଂ ହଠାତ୍ ଦେଖି ହୋଇଗଲେ ମୁହଁ ବୁଲେଇ ଚାଲିଯିବାର ଦେଖାଗଲା । ଏପରି ଅବସ୍ଥା ଯେ ଅସହ୍ୟ ଏବଂ ସ୍ୱାମୀ ସହିତ ଏକତ୍ର ରହିବା ଯେ ଅସମ୍ଭବ ତାହା ଶୀଘ୍ର ବୁଝି ପାରିଲା ସୁନୀତି । ସେ ଭାବିଥିଲା ଯେ ହୁଏତ ସୁବ୍ରତ ଭୁଲ ବୁଝି ଅନୁତାପ କରିବ, ତା’ର ଅଭିମାନ ଭାଙ୍ଗିବାପାଇଁ ଚେଷ୍ଟା କରିବ ଏବଂ ଜୋର୍ କରି ତା’ ପାଖରୁ ତା’ର ପ୍ରାପ୍ୟ ଆଦାୟ କରି ନବ; କିନ୍ତୁ କାର୍ଯ୍ୟରେ ତାହା କିଛି ହେଲା ନାହିଁ । ସୁବ୍ରତ କ୍ରମଶଃ ଆହୁରି ଦୂରକୁ ଚାଲି ଯାଉଥିବାର ଦେଖି ସେ ଅସହନୀୟ ନିଃସଙ୍ଗ ପରିବେଶ ତ୍ୟାଗ କରିବାପାଇଁ ସିଦ୍ଧାନ୍ତ କରି ଘରଛାଡ଼ି ବାହାରି ଆସିଲା ସୁନୀତି । ଘରେ ଯାହା ଯେଉଁଠି ଥିଲା, ତା’ର ଗୋଟେ ତାଲିକା ରଖି ଆସିଲା, କାଳେ ସୁବ୍ରତ ପରେ ଦୋଷାରୋପ କରିପାରେ ସେଥିରୁ ନିଷ୍କୃତ ପାଇବାପାଇଁ । ବାପଘରୁ ଆଣିଥିବା ଲୁଗାପଟା ଓ କିଛି ଟଙ୍କା ବ୍ୟତୀତ ସେ ଆଉ କିଛି ନନେଇ ଚାଲିଗଲା ବାପ ଘରକୁ । ଆସିବାବେଳେ କାନ୍ଥରେ ଝୁଲୁଥିବା ତା’ର ଫଟୋ ଏବଂ ଟେବୁଲ ଉପରେ ଥୁଆ ହୋଇଥିବା ସେ ଦୁହିଁଙ୍କର ଫଟୋ ଉଠେଇ ଆଣି ଷ୍ଟୋର ଘରେ ବା ପରିତ୍ୟକ୍ତ ଆସବାବ ସହିତ ରଖିଦବ ବୋଲି ଭାବିଥିଲେ ବି ତାହ କରିବାକୁ ଭୁଲିଗଲା । ବାଟରେ ମନେ ପଡ଼ିବାକ୍ଷଣି ସେ ନିଜକୁ ଧିକ୍କାର କଲା ଏବଂ ସୁବ୍ରତକୁ ଅନ୍ୟ ଆଗରେ ନିର୍ମଳ ନିର୍ଦ୍ଦୋଷ ପୁରୁଷ ଭାବରେ ପ୍ରମାଣିତ କରିବାପାଇଁ ସେ ଯଥେଷ୍ଟ ପ୍ରମାଣ ରଖି ଆସିଲା ବୋଲି ନିଜକୁ ନିନ୍ଦିଲା ।

 

ସୁନୀତି ଆଗରୁ କାହାକୁ କିଛି ଜଣାଇ ନଥିଲା । ସେ ହଠାତ୍ ଏକା ପହଞ୍ଚିଯିବାରୁ ବାପା ମା ଧରି ନେଇଥିଲେ ଯେ ଜ୍ୱାଇଁ ହୁଏତ ସମୟ ପାଇଲେ ପରେ ଆସିବେ, ଝିଅ କିଛିଦିନ ବାପା ମା ପାଖରେ ରହିବାପାଇଁ ଆଗରୁ ଚାଲି ଆସିଛି । ଗତ ତିନି ବର୍ଷ ମଧ୍ୟରେ ସୁନୀତି ଯେ କେବେ ଏକା ବାପ ଘରକୁ ଆସି ନଥିଲା ଏଇ ବ୍ୟତିକ୍ରମ ଲକ୍ଷ୍ୟ କରି ମଧ୍ୟ ସେମାନେ ତାକୁ କିଛି ପଚାରିଲେ ନାହିଁ-। କିନ୍ତୁ ଅଳ୍ପଦିନ ପରେ ବାପା ମା ଜାଣିଗଲେ ଯେ ସୁନୀତି ଭଲରେ ଆସିନି, ସ୍ୱାମି ସହିତ ମନାନ୍ତର ଯୋଗୁଁ ଚାଲି ଆସିଛି । ସେ ସବୁ କଥା ଖୋଲିକରି ନକହିଲେ ମଧ୍ୟ ସେମାନଙ୍କର ପୋଖତ ଆଖିରୁ ସୁନୀତିର ଅସ୍ୱାଭାବିକ ନୀରବତା ଏବଂ ସୁବ୍ରତ ସମ୍ପର୍କରେ କୌଣସି କଥା ନ କହିବାର ଦୃଢ଼ତା ଦେଖି ସେମାନେ ସତରେ ଉଦ୍ୱିଗ୍ନ ହୋଇପଡ଼ିଲେ ଏବଂ ନାନାଭାବରେ ଝିଅକୁ ବୁଝାଇବାପାଇଁ ଚେଷ୍ଟା କଲେ । ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଅବହମାନ କାଳରୁ ମତାନ୍ତର ବା ମନାନ୍ତର ଚାଲି ଆସୁଥିବାର ଉଲ୍ଲେଖ କରି ଏସବୁ ସତ୍ତ୍ୱେ କିପରି ସ୍ୱାମୀ ସ୍ତ୍ରୀ ଏକତ୍ର ରହିବା ସ୍ପୃହଣୀୟ ତାହା ମଧ୍ୟ ବୁଝାଇଲେ । ସମୟ ସବୁ ଠିକ୍ କରିଦବ ଏଇ ଆଶାରେ ସେମାନେ ଝିଅକୁ ଫେରିବାପାଇଁ ବାଧ୍ୟ ନକରି ନୀରବ ରହିଲେ ।

 

କିନ୍ତୁ ଦିନ ଦିନ କରି ପ୍ରାୟ ବରଷେ ଅତିବାହିତ ହୋଇଗଲା । ସୁନୀତିର ମନରେ କୌଣସି ପରିବର୍ତ୍ତନ ହେଲା ନାହିଁ କିମ୍ୱା ସୁବ୍ରତ ତାକୁ ନେବାପାଇଁ ଆସିଲା ନାହିଁ । ଦୁହେଁ ଦୁହିଁଙ୍କର ଜିଦରେ ଅଟଳ ରହିଲେ ।

 

ସନୀତ ଯେ କ୍ରମଶଃ ଏକ ଅସହ୍ୟ ଏକାକୀତ୍ୱଆଡ଼କୁ ଟାଣି ହୋଇ ଯାଉଥିଲା ଏହା ସେ ମର୍ମେ ମର୍ମେ ଅନୁଭବ କରିବାକୁ ଲାଗିଲା । ସେ ମୁହଁ ଖୋଲି କିଛି ନ କହିଲେ ମଧ୍ୟ ଏଇ ପ୍ରସଙ୍ଗଟି ମୁଖରୋଚକ କାହାଣୀ ହୋଇ ପ୍ରଚାରିତ ହବାରେ ଲାଗିଲା ଏବଂ ସୁନୀତି ଯାହା ବାହାରକୁ ଯାଉଥିଲା ଆଉ ଗଲା ନାହିଁ । ସେ ଭୟ କରିବାକୁ ଲାଗିଲା ଯେ କାଳେ ତାକୁ ତାର ବୈବାହିକ ଜୀବନ ନେଇ ପ୍ରଶ୍ନ ପଚାରିବେ ଏବଂ ସେ ଯାହା ଏଯାଏ ନ କହି ଏଡ଼ାଇ ଆସୁଛି ସେପରି କଥା ତା’ଠାରୁ ଶୁଣିବାପାଇଁ ଚାହିଁବେ । ଘର ବାହାରକୁ ଯିବା ବନ୍ଦ ହୋଇଗଲା । ଏପରିକି ମନ୍ଦିର ବା ବଜାରକୁ ମଧ୍ୟ ଆଉ ଗଲାନାହିଁ । ସାମାଜିକ ଉତ୍ସବ ବା ପାଖ ପଡ଼ୋଶୀଙ୍କ ଘରକୁ ଯିବା ଆସିବା ଆଗରୁ ବନ୍ଦ ହୋଇ ଯାଇଥିଲା । ନିଜ ପାଖରେ ନିଜକୁ ବନ୍ଦି କରିଦେଲା ସୁନୀତି ।

 

ସେ ନିଜକୁ ସମାଜର ସବୁ କାମରୁ ଗୋଟାଇ ଆଣିଲେ ବି ଅନ୍ୟାମାନେ ଅହେତୁକ ଆଗ୍ରହଯୋଗୁଁ ତା’ ନିକଟକୁ ସମବେଦନା ଜଣାଇବା ବା ସଙ୍ଗ ଦବା ବାହାନା କରି ଅଧିକ କଥା ଜାଣିବାକୁ ଲାଗିଲେ ।

 

ସେମାନଙ୍କ କବଳରୁ ରକ୍ଷା ପାଇବାପାଇଁ ସୁନୀତି ଅନେକଙ୍କୁ ଦେଖା କଲା ନାହିଁ ଏବଂ ଅସୁସ୍ଥ ଅଛି କହି ନିଜ କୋଠରି ଭିତରେ ଶୋଇ ରହିଲା । କିନ୍ତୁ ଏପରି ଯେ ବେଶୀଦିନ ରହିବା ସମ୍ଭବ ନୁହେଁ କ୍ରମଶଃ ସେ ତାହା ଅନୁଭବ କରିବାକୁ ଲାଗିଲା । ସମସ୍ତଙ୍କଠାରୁ ବିଚ୍ଛିନ୍ନ ହୋଇ ଆସୁଥିବାବେଳେ ମନ ନିସ୍ତବ୍ଧ ନ ହୋଇ ବରଂ ଅଧିକ ବିକ୍ଷୁବ୍ଧ ହେବାକୁ ଲାଗିଲା ।

 

ଦିନେ ବିଷଣ୍ଣ ବିକ୍ଷୁବ୍ଧ ସମୁଦ୍ର ପରି ନିଜର ବେଦନାରେ ନିଜେ ଘାରି ହେଉଥିବା ବେଳେ ହଠାତ୍ ତା’ର ମନେ ହେଲା ଯେ ଏହି ଅସହ୍ୟ ଯନ୍ତ୍ରଣାକୁ ନିଷ୍କୃତି ପାଇବାର ଏକମାତ୍ର ପଥ ହେଉଛି ଛାଡ଼ପତ୍ର ବା ସୁବ୍ରତ ସହିତ ବୁଝାମଣା । ବାପା କହିଥିବା କଥାଟି ବାରମ୍ୱାର ମନେ ପଡ଼ିଲା ସେ ହିନ୍ଦୁ ସାମୟିକ ନୁହେଁ, ଚିରନ୍ତନ । ସାତ ପୁରୁଷର ବନ୍ଧନ ରହିଛି ସପ୍ତପଦୀରେ । କିନ୍ତୁ ବହୁନାରୀ ଭୋଗ କରୁଥିବା ଚରିତ୍ରହୀନ ସୁବ୍ରତ ସହିତ ସେ କିପରି ବୁଝାମଣି କରିବ ? କିପରି ଅନ୍ୟାୟ ଓ ଅବିଚାର ଆଗରେ ପୁଣି ଥରେ ନିଃସହାୟ ପରି ସମର୍ପି ଦବ ନିଜକୁ ? ସେ ଶୁଣା କଥାରେ ଏପରି କରି ନାହିଁ, ଆଖିରେ ଯାହା ଦେଖିବି କାନରେ ଯାହା ଶୁଣିଚି ଅବିଶ୍ୱାସ କରିପାରିବ ନାହିଁ । ଜୀବନର ସଂକଟତମ ମୁହୂର୍ତ୍ତଟି କେଡ଼େ ବେଦନାର୍ତ୍ତ, ପୁଣି କେତେ ସମ୍ଭାବନାରେ ପୂର୍ଣ୍ଣ ତାହା ବୋଧହୁଏ ଏଇ ପ୍ରଥମ ଅନୁଭବ କଲା ସୁନୀତି । ବୁଝାମଣା ସମ୍ଭବ ନୁହେଁ, ସମ୍ଭବ ନୁହେଁ ସହାବସ୍ଥାନ… ଶେଷରେ ଛାଡ଼ପତ୍ର ଦେଇ ସିନ୍ଥିରେ ଲଗାଉଥିବା ସିନ୍ଦୂର ଓ ହାତରେ ଥିବା କାଚକୁ ସୁବ୍ରତର ସବୁ ପରିଚୟ ପୋଛିବାପାଇଁ ଚିନ୍ତା କଲା ସେ ।

 

ଛାଡ଼ପତ୍ର !

 

ଏଇ ଶବ୍ଦଟା ଆଉ କେବେ ତାକୁ ଏପରି ଚମକାଇ ଦେଇ ନଥିଲା ।

 

ଛାଡ଼ପତ୍ର !

 

ମୁହଁରେ କହିଦେଇ ବା ଚିଠିରେ ଲେଖିଦେଇ ଛାଡ଼ପତ୍ର ଦେଇହୁଏ ନାହିଁ । ସ୍ୱାମୀ ସହିତ ସହବାସ ଓ ସହାବସ୍ଥାନ କାହିଁକି ସମ୍ଭବ ନୁହେଁ ସେଇ କଥା ଗୋଟି ଗୋଟି କରି ଦର୍ଶାଇବାକୁ ହୁଏ ଅଦାଲତରେ । ଦାମ୍ପତ୍ୟ ଜୀବନର ସବୁ କଥା ଘାଣ୍ଟିବାକୁ ହୁଏ ସମସ୍ତଙ୍କ ଆଗରେ । ଖାଲି ସେତିକିରେ ବି ଯଦ ଏଦୁଇ ସମସ୍ୟାର ସମାଧାନ ହୋଇ ଯାଉଥାଆନ୍ତା ତା’ହେଲେ ବଞ୍ଚି ଯାଆନ୍ତା ସେ । କିନ୍ତୁ ସମସ୍ତଙ୍କ ସାମ୍ନାରେ ନିଜର ଶୂନ୍ୟତା, ଲାଞ୍ଛନା ଓ ରିକ୍ତତାର କାହାଣୀ କହିବାଛାରୁ ମୃତ୍ୟୁ ଆହୁରି ଶ୍ରେୟସ୍କର ।

 

ସୁବ୍ରତର ହାତ ଧରି ସେ ଆସିଥିଲା ସଂସାର କରିବାପାଇଁ । କିନ୍ତୁ ସଂସାର ଯେ ପୁଷ୍ପଶଯ୍ୟା ନୁହେଁ ଏହା ଆଜି ସେ ବୁଝୁଛି । ରାଗ ହେଲା ମନରେ । ସୁବ୍ରତ ଉପରେ ପ୍ରତିଶୋଧ ନବାପାଇଁ ଇଚ୍ଛା ହେଲା, ସୁଯୋଗର ଅପେକ୍ଷା କରିବାପାଇଁ ସ୍ଥିର କଲା । କିନ୍ତୁ ସେ ସୁଯୋଗ ଯଦି ନ ଆସେ ? ଆଉ ତାକୁ ଏକା ଛାଡ଼ି ଦେଇ ସେ ଯଦି ଭୋଗରେ ବୁଡ଼ି ରହେ ?

 

ସୁବ୍ରତ ପୁରୁଷ, ସେ ହୁଏତ ନିଜର ସବୁ ଦୋଷ, ସବୁ ସ୍ଖଳନ ସତ୍ତ୍ୱେ ଅଦାଲତ ଆଗରେ ସଫେଇ ଦେଇ ବର୍ଷାଧୁଆ ବନସ୍ପତି ପରି ନିର୍ମଳତ୍ୱ ପ୍ରମାଣ କରିବ ନିଜର । ସୁନୀତି ଏହା ଭାବିବାକ୍ଷଣି ସମାଜ ବିରୁଦ୍ଧରେ ଯୁଦ୍ଧ ଘୋଷଣା ଲାଗି ଇଚ୍ଛା କଲା । କିନ୍ତୁ ଏହା ଯେ ନିଷ୍ଫଳ କ୍ରୋଧର ପରିଣତି ଏ କଥା ଅଳ୍ପ ସମୟ ପରେ ବୁଝିଗଲା । ତଥାପି ବୁଝମଣା ସମ୍ଭବ ନୁହେଁ । ଯେତେ କଷ୍ଟ ହେଉ ପଛକେ ସେ ଅଦାଲତାର ଆଶ୍ରୟ ନବ ଛାଡ଼ପତ୍ର ଦବାପାଇଁ । ସୁବ୍ରତ ସହିତ ସାଲିସ କରିବା ସମ୍ଭବ ନୁହେଁ ।

 

ପ୍ରାୟ ମାସେ କାଳ ଅନ୍ତର୍ଦ୍ୱନ୍ଦ୍ୱରେ ଘାରିହେଲା ସୁନୀତି । ବୁଝାମଣା ବନାମ ଛାଡ଼ପତ୍ର ମଧ୍ୟରେ ଲଢ଼େଇ ଚାଲିଲା ଦିନ ଦିନ ଧରି । ସେଥିରେ ରକ୍ତାକ୍ତ ହେଲା ସେ ନିଜେ ।

 

ସବାଶେଷରେ ସୁନୀତିର ଓକିଲ ଛାଡ଼ପତ୍ରପାଇଁ ଆବେଦନ କଲେ କୋର୍ଟରେ ।

 

ସୁବ୍ରତ ଡାକରା ପାଇ ହଜାର ହବା ଆଗରୁ ବହୁଦିନର ବ୍ରତ ଭଙ୍ଗ କରି ସୁନୀତି ସହପାଠିନୀ ମାଳବିକାର ପୁଅର ଅନ୍ନପ୍ରାଶନକୁ ଯାଇଥିଲା ତାଙ୍କ ଘରକୁ । କେବଳ ଏଥିପାଇଁ ଦିଲ୍ଲୀରୁ ମାଳବିକା ଓ ତାର ସ୍ୱାମୀ ଆସିଥିଲେ ଭୁବନେଶ୍ୱର । ସୁନୀତିର ଶତମନା ସତ୍ତ୍ୱେ ତାକୁ ବାଧ୍ୟ କରି ଟାଣି ଆଣିଥିଲା ମାଳବିକା ।

 

ଅନ୍ନପ୍ରାଶନର ଅତିଥିମାନଙ୍କୁ ପରିଚୟ କରାଇଦେବାବେଳେ ସୀତାଂଶୁ ପଟ୍ଟନାୟକ ଏବଂ ତାଙ୍କର ସ୍ତ୍ରୀଙ୍କ ସହିତ ପରିଚୟ କରାଇ ଦେଇ କହିଲା ମାଳବିକା, ମୋ ସ୍ୱାମୀଙ୍କ ବାଲ୍ୟବନ୍ଧୁ ସୀତାଂଶୁ ବାବୁ ଆଉ ତାଙ୍କର ସ୍ତ୍ରୀ ମଞ୍ଜରୀ ପଟ୍ଟନାୟକ ବିକ୍ରିକର ବିଭାଗର ଅଫିସର । ତାଙ୍କର ଗୋଟିଏ ପୁଅ, ଗୋଟିଏ ଝିଅ ।

 

ସେଇ ମହିଳା… ସେଇ ମୁହିଁ… । ମଞ୍ଜରୀ ପଟ୍ଟନାୟକଙ୍କୁ ଦେଖି ଚମକି ପଡ଼ିଲା ସୁନୀତି-। ସ୍ୱସ୍ତି ହୋଟେଲେର ଡାଇନିଂ ହଲରେ ତାଙ୍କ ସହିତ ଦେଖିଥିବା ସୁବ୍ରତର ମୁହଁ ବି ଭାସିଲାଉଠିଲା ମେଘମେଦୁର ଆକାଶରେ ବିଜୁଳି ଚମକିବା ପରି ।

 

ମଞ୍ଜରୀ ପଟ୍ଟନାୟକ ତା’ ପାଖକୁ ଲାଗି ଆସି କହିଲେ–କ୍ଷମା କରିବ ଭାଉଜ, ସେଦିନ ତୁମ ଘରକୁ ଯାଇ ତୁମକୁ ଅପ୍ରସ୍ତୁତ କରିଦେଇ ପାରିଲି ନାହିଁ । ସୁବ୍ରତ ଭାଇ ମୋତେ ଖାଲି ଲିଫ୍ଟ ଦେଇ ଅଶେଷ ଉପକାର କରି ନ ଥିଲେ, ସ୍ୱସ୍ତି ହୋଟେଲରେ ଲଞ୍ଚ ଖୁଆଇବା ପରେ ଯାଇ ଛାଡ଼ିଥିଲେ । ଯାଇ ପାରିଲିନି ସିନା, କିନ୍ତୁ ବାଟସାରା ତୁମ ବିଷୟରେ ସେ ମୋତେ ଏତେ କଥା କହିଲେ ଯେ ମୁଁ ତୁମକୁ ନଦେଖି ବି ଯେମିତିଟି ଭାବିଥିଲି ଆଜି ତା’ର ସତ୍ୟତା ପ୍ରମାଣିତ ହେଉଛି…-

 

କାନକୁ ବିଶ୍ୱାସ କରିପାରୁ ନ ଥାଏ ସୁନୀତି । ସୀତାଂଶୁ କହିଲେ–ସୁବ୍ରତ ବାବୁଙ୍କୁ ନେଇ ଚାଲି ଆସିବେ ଆମ ଘରକୁ ଯେ କୈାଣସି ସନ୍ଧ୍ୟାରେ... ।

 

ସୁନୀତିକୁ ଆଉ ଟିକେ ଆଗକୁ ନେଇଯାଇ କହିଲା ମାଳବିକା–ମିତା ! ତୁ ସୁନୀତିର ସାଙ୍ଗରେ ରହ…ମୁଁ ଅନ୍ୟ ଅତିଥିମାନଙ୍କୁ ଦେଖେ… ।

 

ମିତା ସୁନୀତିର ପାଦଧୂଳି ନେଇ କହିଲା–ଆପଣଙ୍କୁ ଦେଖିବାପାଇଁ କେତେ ଥର ଚେଷ୍ଟା କରିଚି, କିନ୍ତୁ ବସ୍ ଏଡ଼ାଇ ଦେଇ କହିଚନ୍ତି ଏତେ ତରତର କାହିଁକି… ସେ ବାପଘରୁ ଫେରନ୍ତୁ…… ତା’ପରେ ଦେଖିବ ନି ?

 

କେଉଁଠାରେ ଏଇ ସ୍ୱର ଶୁଣିଥିବା ପରି ଅନୁମାନ କଲା ସୁନୀତି । ତାକୁ ଆହୁରି ଚମକାଇ ଦେଇ କହିତା ମିତା–ଦିନେ ଆପଣ ମିଷ୍ଟର ମିଶ୍ରଙ୍କ ପାଖକୁ ଟେଲିଫୋନ କରିଥିଲେ ମନେଥିବ… ସେଇଦିନ ପ୍ରଥମ ଜଏନ୍ କରିଥାଏ ମୁଁ… ଆଗରୁ ତ ଜାଣିନଥିଲି… ନହେଲେ ପ୍ରଥମେ ପରିଚୟ ଦେଇଥାଆନ୍ତି… ବିଳମ୍ୱ ହେଲେ ବି କ୍ଷମା ମାଗି ନଉଚି…. ।

 

ସବୁ ମୁହଁଗୁଡ଼ିକ ସୁନ୍ଦର, ସବୁ ହୃଦୟ ନିର୍ମଳ ଦିଶିଲା ସୁନୀତିକୁ… ।

 

ହଠାତ୍ ପରିବେଶଟା ଯେପରି ବଦଳି ଯାଇଛି… ସବୁ ପୁଣି ନୂତନ, ସୁନ୍ଦର ମନେ ହେଉଛି ।

 

ଆଉ ପରମ ବିସ୍ମୟରେ ସେ ଲକ୍ଷ୍ୟ କଲା ଯେ ଭିଡ଼ ଠେଲି ମାଳବିକା ସହିତ ସୁବ୍ରତ ତାହାରି ଆଡ଼କୁ ଆଗେଇ ଆସୁଛି..... ।

☆☆☆

 

ସିମିଳି ଫୁଲ

 

ଶେଷରେ ବହୁ କଷ୍ଟରେ ଚାକିରିଟିଏ ପାଇଗଲା ଶିବାନନ୍ଦ । ତା’ର ଯୋଗ୍ୟତାକୁ ଚାହିଁ ଏହା ଛୋଟ ବିବେଚିତ ହୋଇଥିଲେ ମଧ୍ୟ ସେ ଆଉ ବାଛ ବିଚାର ନକରି ଗ୍ରହଣ କରିନେଲା କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ । ସେ ବି.ଏ. ପାସ୍‍ କରିଛି କୃତିତ୍ୱର ସହିତ । ତେଣୁ ବେଶି କିଛି ନହେଲେ ବି ଶିକ୍ଷକ ବା କିରାଣି ଚାକିରିଟିଏ ମିଳିଥିଲେ ଆହୁରି ଖୁସି ହୋଇଥାନ୍ତେ । କିନ୍ତୁ ଶେଷରେ ମନକୁ ବୁଝାଇ ଦେଇ ଯାହା ମିଳିଛି ତାହା ଗ୍ରହଣ କରିନେଲା ସେ ।

 

ଶିବାନନ୍ଦର ପାଦଠାରୁ ମୁଣ୍ଡପର୍ଯ୍ୟନ୍ତ ଚାହିଁ ଫରେଷ୍ଟ ଅଫିସର୍ କହିଲେ–ସହରିଆ ପିଲା ପରି ଲାଗୁଛ, ଏଇ ବଣ ଜଙ୍ଗଲ ଭିତରେ ରହି ପାରିବତ ? ଶିବାନନ୍ଦ କିଛି କହିଲା ନାହିଁ, କେବଳ ମୁଣ୍ଡ ହଲାଇଲା । ଫରେଷ୍ଟ ଅଫିସର ତାକୁ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦେଇ କହିଲେ ଯେ, ଆଜିଠାରୁ ଶିବାନନ୍ଦ ସେଇ କାଠ ଗୋଦାମ ଏବଂ ଡାକବଙ୍ଗଳାର କେଆରଟେକର୍ । ତାହାରି ଦାୟିତ୍ୱରେ ଏସବୁ ରହିବ ଏବଂ ଆଉ ପାଞ୍ଚଜଣ କର୍ମଚାରୀ ମଧ୍ୟ ତାହାରି ବୋଲହାକ ମାନି ଚଳିବେ-। ଡାକବଙ୍ଗଳା ଓ କାଠଗୋଦାମ ଦେଇ ଯେଉଁ ରାସ୍ତାଟି ଜଙ୍ଗଲର ଅଭ୍ୟନ୍ତରକୁ ଯାଇଛି, ତାହାରି ପାଖରେ ହୋଇଥିବାରୁ ଏବଂ ସେଇ ରାସ୍ତା ଛଡ଼ା ଅନ୍ୟ କୌଣସି ଗାଡ଼ିଚଲା ରାସ୍ତା ନଥିବାରୁ ଡାକବଙ୍ଗଳା ଓ କାଠଗୋଦାମର ଦାୟିତ୍ୱ ସହିତ ସେଇ ରାସ୍ତାଦେଇ ଯିବା ଆସିବା କରୁଥିବା ଯାନବାହାନ ଓ ଲୋକଙ୍କ ଉପରେ ମଧ୍ୟ ନଜର ରଖିବାକୁ ପଡ଼ିବ । ଫରେଷ୍ଟ ଅଫିସର୍ ଗମ୍ଭୀର ହୋଇଯାଇ ବକ୍ତୃତା ଦବା ଭଙ୍ଗୀରେ କହିଲେ ଯେ, ଲୋକମାନଙ୍କର ଅବହେଳା, ଠିକାଦାରମାନଙ୍କୁ ବେଆଇନ କାମ, ତଳିଆ କର୍ମଚାରୀମାନଙ୍କର ଦୁର୍ନୀତିଯୋଗୁଁ ଜଙ୍ଗଲ ସଫା ହୋଇଆସୁଛି-। ପ୍ରତିଦିନ ଚୋରା ବେପାରିମାନେ ଏଇ ରାସ୍ତା ଦେଇ ଚୋରା କାଠ ବିଭିନ୍ନ ସ୍ଥାନକୁ ପଠାନ୍ତି-। ଶିବାନନ୍ଦକୁ ସମୂହ ସ୍ୱାର୍ଥ ଜଗିବାକୁ ପଡ଼ିବ । ଦୁର୍ନୀତିରେ ସାମିଲ ନହୋଇ ଦୁର୍ନୀତି ବିରୁଦ୍ଧରେ ତାକୁ ଛ଼ିଡା ହେବାକୁ ପଡ଼ିବ । ଫରେଷ୍ଟ ଅଫିସର ଆହୁରି ବି କହିଲେ ଯେ, ଦେଶ ଶିବାନନ୍ଦଠାରୁ କର୍ତ୍ତବ୍ୟପରାୟଣତା ଆଶା କରେ ଏବଂ ସେ ତା’ଠାରୁ ନିଷ୍ଠା, ସାଧୁତା, କଠିନ ପରିଶ୍ରମ ଆଶା କରନ୍ତି ।

 

ଦିନଯାକ ତାଙ୍କ ସହିତ ରହି ନିଜ କର୍ତ୍ତର୍ବ୍ୟ ସମ୍ପର୍କରେ ସବୁ ବୁଝିନେଲା ଶିବାନନ୍ଦ ।

 

ସନ୍ଧ୍ୟା ହବା ପୂର୍ବରୁ ଆଉ ଥରେ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିଦେଇ ଏବଂ ଆଉ କିଛି ଉପଦେଶ ଦେଇ ଜିପରେ ବସି ସହର ଆଡ଼କୁ ଯାଉଥିବା ରାସ୍ତାରେ ଧୂଳି ଉଡ଼େଇ ଅଦୃଶ୍ୟ ହୋଇଗଲେ ସେ । ଜିପ୍ ଚାଲିଗଲେ ବି ପେଟ୍ରୋଲର ପୋଡ଼ାଗନ୍ଧ ଲାଗି ରହିଥିଲା ଶିବାନନ୍ଦର ନାକରେ । ସେ ଆଉ ବିଳମ୍ବ ନକରି ସନ୍ଧ୍ୟାପୂର୍ବରୁ କାଠ ଗୋଦାମର ବିଭିନ୍ନ ଅଂଶ ପର୍ଯ୍ୟବେକ୍ଷଣ କଲା ଏବଂ ଡାକବଙ୍ଗଳାର କୋଠରି ଗୁଡ଼ିକୁ ସଫାକରାଇ ଦରଜାରେ ତାଲା ଲଗାଇ ଦେଲା ।

 

ଡାକବଙ୍ଗଳା ପାଖରେ ଆଉ ଗୋଟିଏ ଦୁଇ କୋଠରି ବିଶିଷ୍ଟ ଟାଇଲି ଘରର ଗୋଟିଏ କୋଠରି ତାକୁ ମିଳିଥିଲା । ସେ ସେଠାକୁ ଯାଇ ନିଜର ଜିନିଷ ପତ୍ର ସଜାଡ଼ି ରଖିଲା ।

 

ଡାକବଙ୍ଗଳା ଜଙ୍ଗଲ ଭିତରେ ବୋଲି ଏଯାଏ ବିଜୁଳି ଆଲୁଅ ଆସିନି । ସନ୍ଧ୍ୟା ହବାକ୍ଷଣି ହଠାତ୍ ଯେପରି ସମଗ୍ର ପୃଥିବୀ ଅନ୍ଧାରରେବୁଡ଼ିଗଲା ଏହା ମନେ କଲା ଶିବାନନ୍ଦ । ରାତି ଯେତିକି ବଢ଼ିବାରେ ଲାଗିଲା ସେତିକି ତା’ର ହୃଦବୋଧ ହବାରେ ଲାଗିଲା ଯେ, ଜଙ୍ଗଲରେ ରାତି କେବଳ ଅନିଶ୍ଚିତ ଲୁହେଁ ଭୟଙ୍କର ମଧ୍ୟ । ଚାରିଆଡ଼େ କିଟିକିଟିଆ ପରିବ୍ୟାପ୍ତ ଅନ୍ଧାର, ମୁହଁକୁ ମୁହଁ ଦିଶିବା ଦୂରର କଥା ନିଜର ସ୍ଥିତି ସମ୍ପର୍କରେ ବେଳେବେଳେ ସନ୍ଦେହ ହୁଏ ମନରେ ।

 

ଏହା ପୂର୍ବରୁ ଆଉ କେବେ ଏପରି ସ୍ଥାନରେ ରହିନଥିଲା ଶିବାନନ୍ଦ । କିଛି ସମୟ ପରେ ସେ ଅନୁଭବ କଲା ଯେ, ତା’ ଭିତରେ ଏକ ଅନନୁଭୂତ ଶୀତଳତା ସଞ୍ଚରିବାରେ ଲାଗିଛି । ଏଇ ଶୀତଳତା ଯେ ଭୟ ତାହା ସେ ଜାଣିବାକ୍ଷଣି ଦରଜା ବନ୍ଦ କରିଦେଲା ଏବଂ ଲଣ୍ଠନର ବତିଟିକୁ ତେଜିଦେଲା । ଛୋଟ କୋଠରିଠି ଆଲୁଅରେ ଉଦ୍ଭାସିତ ହୋଇଉଠିଲା । ଝରକା ଖୋଲା ଥିଲା ଏବଂ ଏକ ପ୍ରକାର ଅଦ୍ଭୁତ ଅପରିଚିତ ନୀରବତା ତାକୁ ଆଚ୍ଛନ୍ନ କରିବାକୁ ଲାଗିଲା ।

 

ଶିବାନନ୍ଦ ଏହା ପୂର୍ବରୁ ଅରଣ୍ୟ ଦେଖିଛି, ଅରଣ୍ୟ ସମ୍ପର୍କରେ ଅନେକ କଥା ଶୁଣିଛି; କିନ୍ତୁ ଅରଣ୍ୟ ଭିତରେ ରହି ନାହିଁ । ଡାକବଙ୍ଗଳାଟି ରାସ୍ତା ମଝିରେ ଥିଲେ ମଧ୍ୟ ଅରଣ୍ୟ ଭିତରେ । ସେଇଠୁ ଅରଣ୍ୟ ଆରମ୍ଭ କହିଲେ ଚଳେ । ଟିକେ ଆଗକୁ ଗଲେ ଉଠାଣି, ତା’ପରେ ଉଚ୍ଚରୁ ଉଚ୍ଚକୁ ଉଠିଲେ ପାହାଡ଼ । ସେଇ ପାହାଡ଼ ଉପରେ ଛୋଟ ଉପତ୍ୟକାଟିଏ ଅଛି ଏବଂ ସେଠାରେ ମଧ୍ୟ ଅଛି ଛୋଟ ଡାକବଙ୍ଗଳା । ଜଙ୍ଗଲ ବିଭାଗର ବା ଅନ୍ୟ ବିଭାଗର ଅଫିସରମାନେ ମଝିରେ ମଝିରେ ଅବସର ବିନୋଦନ କରିବା ଲାଗି ସେଠାକୁ ଆସନ୍ତି, କେହି କେହି ଶିକାର ମଧ୍ୟ କରନ୍ତି । ହରିଣୀ, କୁଟୁରା, ବାର୍‍ହା, ଭାଲୁ ଏବଂ ବେଳେବେଳେ ଚିତାବାଘ ଦେଖିବାକୁ ମିଳେ ବୋଲି ଶୁଣିଛି ସେ । ନାନା ଜାତିର ପକ୍ଷୀ ଏବଂ ବିଶେଷ କରି ମୟୂର ପାଇଁ ପ୍ରସିଦ୍ଧ ଏଇ ଜଙ୍ଗଲ ।

 

କାହାର ତୀବ୍ର ସ୍ୱର ଶୁଣି ଚମକିଲା ପରି ଝରକା ଦେଇ ବାହାରକୁ ଚାହିଁଲା ଶିବାନନ୍ଦ ।

 

ଥରେ ନୁହେଁ ଆହୁରି ତିନିଥର ଭାସିଆସିଲା ସେ ତୀବ୍ରସ୍ୱର ।

 

କୌଣସି ପକ୍ଷୀର ଡାକ ହବ ବୋଧହୁଏ; କିନ୍ତୁ କିଛି ସ୍ଥିର କରିପାରିଲା ନାହିଁ ଶିବାନନ୍ଦ ଏବଂ ସକାଳେ କେଉଁ ପକ୍ଷୀର ଡାକ ତାହା ପଚାରିବ ବୋଲି ସ୍ଥିର କରି ଖଟ ଉପରେ ବସି ଟିଫିନ୍ କ୍ୟାରିଅର୍‍ ଖୋଲି ମା’ ଦେଇଥିବା ପରଟା ଏବଂ ଆଳୁଦମ୍ ଖାଇଲା । କାଲିଠାରୁ ରୋଷେଇ କରି ଖାଇବ ବା ଅନ୍ୟ କର୍ମଚାରୀଙ୍କ ସହ କିଛି ବ୍ୟବସ୍ଥା କରିବ । ଆସିବା ବେଳେ ଜଳଖିଆ ଆଣିବା ପାଇଁ ରାଜି ହେଉ ନଥିଲା ଶିବାନନ୍ଦ; କିନ୍ତୁ ମା’ ତା’କଥା ନ ଶୁଣି ନୂଆ କିଣା ହୋଇଥିବା ଆଲୁମିନିୟମ ଟିଫିନ କ୍ୟାରିଅର ଭିତରେ ପାଞ୍ଚଖଣ୍ଡ ପରଟା, କିଛି ଆଳୁଦମ୍ ଏବଂ ଟିକେ ଲେମ୍ବୁ ଆଚାର ଭର୍ତ୍ତିକରି ଦେଇଥିଲେ । ଶିବାନନ୍ଦ ମନେ କଲା ଯେ, ଯଦି ମା’ଏତକ ଦେଇ ନଥାନ୍ତେ ରାତିରେ ହୁଏତ ଉପବାସରେ ଶୋଇଥାନ୍ତା ସେ । ଏଥିପାଇଁ ମା’ ପ୍ରତି ସେ ବଡ଼ ଅନୁରକ୍ତ ଏବଂ ତାକୁ ଭାରି ଭଲପାଏ । ସେ ସାମାନ୍ୟ ଚାକିରି ପାଇ କାଳେ ମନଦୁଃଖ କରୁଥିବ ବୋଲି ମା’ ତା’ ମନ ଜାଣିବା ପରି ଆସିବା ବେଳେ କହିଥିଲେ ଯେ, ଛୋଟ ହେଉ, ସାମାନ୍ୟ ହେଉ ଚାକିରି ମିଳିଛି ଯେତେବେଳେ ଆଉ କିଛି ନଭାବି ଚାଲି ଯା,ବେକାରୀ ଦୋଷ ତ କଟିଯିବ । ନିଜ ଗୋଡ଼ରେ ନିଜେ ଛିଡ଼ା ହବାର ଗର୍ବ ଅନେକ ବେଶୀ ସୁଖକର; କିନ୍ତୁ ମା’ ତାକୁ ସାବଧାନ କରିଦବାପାଇଁ ଆହୁରି କହିଥିଲେ ଯେ, ଚାକିରି, ଚୋରି, ବଣିଜ ମିଛ… । ଯାହାକୁ ଭଲ ଲାଗୁଛି ସେ ଚୋରି କରୁ, କିନ୍ତୁ ସେ ଯେପରି ଚୋରି ନକରେ । ପରର ଧନ ପର ଘରେ ରହୁ ସେଥିରେ ପ୍ରୟୋଜନ ନାହିଁ ।

 

ଶିବାନନ୍ଦ ମାଆଙ୍କ କଥା ବାରମ୍ବାର ମନେ ପକାଇଲା ଏବଂ କାହିଁକି କେଜାଣି ତାହା ଯେତିକି ମନେ ପଡ଼ିଲା ତା ପେଟ ଭିତରର ଶୀତଳତା ସେତିକି କମିବାରେ ଲାଗିଲା ଏବଂ କିଛି ସମୟ ପରେ ସେ ପୁଣି ଉଷ୍ମ ଅନୁଭବ କଲା ସର୍ବାଙ୍ଗରେ । ମନ ଭିତରଟା ଅନେକ ହାଲୁକା ଲାଗିଲା ଏବଂ ଭୟ ଭାବଟା ମନରୁ ଅପସରି ଗଲା।

 

ଖିଆପିଆ ଶେଷକରି ବିଛଣା ଉପରେ ଲମ୍ବ ହୋଇ ଶୋଇପଡ଼ିବାବେଳକୁ ଆଉ ଥରେ ମା’ କଥା ସ୍ମରଣ କରି ସେ କମ୍ବଳ ଘୋଡ଼େଇ ହେଲା ଏବଂ ଜଙ୍ଗଲରେ ଯେ ଶୀତ ବେଶୀ ହୁଏତ ଏ ସମ୍ପର୍କରେ ନିଶ୍ଚିନ୍ତ ହୋଇଗଲା ।

 

କେତେଟା ବାଜିଥିବ କେଜାଣି, ତା’ର କଞ୍ଚା ନିଦ; କିନ୍ତୁ କିଛି ସମୟ ପରେ ଭାଙ୍ଗିଗଲା ଏବଂ ଶିବାନନ୍ଦ କାନଡେରି କେହି କଥାଭାଷା ହେଉଥିବାର ଅନୁମାନ କଲା । ରାତି ଡ୍ୟୁଟିରେ ଥିବା ଚୌକିଦାର ହୁଏତ କାହା ସହିତ କଥା ଭାଷା ହେଉଥିବ ଏୟା ଭାବି ସେ ଆଉ ସେଥି ପ୍ରତି ଧ୍ୟାନ ନଦେଇ ପୁଣି ଶୋଇବାକୁ ଚେଷ୍ଟା କଲା

 

କିନ୍ତୁ ଆଉ କଥା ଭାଷା ନୁହେଁ, ତା’ କୋଠରିର ଦରଜା ଉପରେ କେହି ମୃଦୁ ଆଘାତ କଲା ଯେପରି ।

 

ଜଙ୍ଗଲ ଭିତରେ ଚୋରା କାଠ ବେପାରୀ ପଶିଥିବେ ଏବଂ ଚୌକିଦାର ତାକୁ ଖବର ଦବା ପାଇଁ ଆସିଥିବ ଭାବି ଶିବାନନ୍ଦ ଦରଜା ଖୋଲିଦେଲା ।

 

ଚୌକିଦାର ଦ୍ୱାର ମୁହଁରେ ଛିଡ଼ା ହୋଇ ମୁରୁକି ହସିଲା । ଶିବାନନ୍ଦ କହିଲା–ଏତେ ରାତିରେ କାହିଁକି ଡାକିଲ ଯେ… ।

 

ଚୌକିଦାର କହିଲା–ବାବୁ ପଠେଇଥିଲେ…

 

–କୋଉ ବାବୁ ?

 

–ଠିକାଦାର ବାବୁ....

 

–କାହିଁକି ?

 

–ବାବୁ କହିଲା ତୋ କଥା ବୁଝିବା ପାଇଁ । ନୂଆଲୋକ କାଳେ ଡର ଲାଗୁଥିବ… ଜଙ୍ଗଲ ଜାଗା… ଜନ୍ତୁ ଜାନୁଆର ଅଛନ୍ତି… ଏକାଏକା ଶୋଇବୁ… ?

 

–ନ’ହଲେ ଆଉ କିଏ ଅଛି ଯେ... ।

 

–ମହୁଆକୁ ସାଙ୍ଗରେ ଆଣିଛି... ସେ ତୋ ପାଖରେ... ସକାଳେ ଚାଲିଯିବ ।

 

–ମହୁଆ ?

 

–ହଁ, ସୁନ୍ଦରାର ଝିଅ ଗୋ ବାବୁ... ବେଶ୍ ଡାଗର ହେଇଛି... ମୁହଁର ହସ ଫୁଲ ଫୁଟିବା ପରି... ।

 

ଶିବାନନ୍ଦର ସର୍ବାଙ୍ଗ ସିର୍‍ସିରେଇ ଉଠିଲା ଘୃଣାରେ । ଠିକାଦାର ତାକୁ କ’ଣ ଭାବିଲା କେଜାଣି ତା’ ସାଙ୍ଗରେ ଶୋଇବା ପାଇଁ ପଠେଇ ଦେଇଛି ଗୋଟେ ନିରୀହ ନିଷ୍ପାପ ସାନ୍ତାଳୀ ଝିଅକୁ... ଶଳା…।

 

ସେ ହଠାତ୍ ଉତ୍ତେଜିତ ହୋଇ କହିଲା–ସେ କହିଲା ବୋଲି ତୁମେ ନେଇ ଆସିଲ ?

 

–ମୋର କି ଦୋଷରେ ବାବୁ–ଠିକାଦାର କହିଲା... ବାବୁମାନେ ଆସିଲେ ଏମିତି ହେପାଜତ କରେ ସେ-

 

ଶିବାନନ୍ଦ ରାଗିଯାଇ କହିଲା–ତୁମେ ଯାଇ ତୁମ କାମକର... ମୋ ସାଙ୍ଗରେ କେହି ରହିବା ଦରକାର ନାହିଁ । ଆଉ ଠିକାଦାରକୁ କହିଦବ ଯେ, ସେ ଯେପରି ଅନ୍ୟ କାହା ବିଷୟରେ ମୁଣ୍ଡ ନପୂରାଏ... ।

 

ଚୌକିଦାର ଫେରିଗଲା । ମହୁଆ ବି ଫେରିଗଲା ତା ସହିତ । ଶିବାନନ୍ଦ ଆଶ୍ଚର୍ଯ୍ୟ ହେଲା କି ନାହିଁ କେଜାଣି, କିନ୍ତୁ ମହୁଆ ଓ ଚୌକିଦାର ଯେ ତାର ଆଚରଣ ଦେଖି ଅବାକ୍ ହୋଇଯାଇଥିବେ ଏହା ସେମାନଙ୍କ ମୁହଁ ଦେଖି ଅନୁମାନ କରିନେଲା ସେ ।

 

ଶିବାନନ୍ଦ କାର୍ଯ୍ୟରେ ଯେଉଁଦିନ ପ୍ରଥମ ଯୋଗଦେଲା ସେଦିନ ଅଜଣା ଅପରିଚିତ ଏଇ ଅରଣ୍ୟ ତା’ମନରେ ଉତ୍ସାହ ପରିବର୍ତ୍ତେ ଅବସାଦ ସୃଷ୍ଟି କରିଥିଲା । ପ୍ରଥମରେ ସେ ଏଇ ଚାକିରିଟି ଭଲ ମନରେ ଗ୍ରହଣ ନକରି ପ୍ରାୟ ବାଧ୍ୟ ହୋଇଥିଲା ଗ୍ରହଣ କରିବା ପାଇଁ । ସେଥିପାଇଁ ବୋଧ ହୁଏ କାମରେ ଯୋଗଦେଇ ସେ ନିଜକୁ ଖାପ ଖୁଆଇ ପାରିନଥିଲା ପରିବେଶ ସହିତ । କିନ୍ତୁ ଏଇ ଦିନ ପନ୍ଦରଟା ଭିତରେ ସେ ଅରଣ୍ୟକୁ ଭଲ ପାଇବାକୁ ଆରମ୍ଭ କରିଛି, ଅରଣ୍ୟର ଅସରନ୍ତି ସୌନ୍ଦର୍ଯ୍ୟ ତାକୁ ମନ୍ତ୍ରମୋହିତ କରିଛି । ଅନେକ ପ୍ରକାର ବୃକ୍ଷଲତା, ସେମାନଙ୍କର ଫଳଫୁଲ ଏବଂ ଭିନ୍ନ ଭିନ୍ନ ବାସ୍ନା, ଅନେକ ପ୍ରକାର ପଶୁପକ୍ଷୀ ଏବଂ ସରୀସୃପ ତାକୁ ଆକର୍ଷଣ କରିଛି । ଆଉ ସେ ବଣ କୁକୁଡ଼ାର ଡାକ ଶୁଣି ଚମକି ପଡ଼େ ନାହିଁ, ଅଜଗର ବା ବାଘ ନାମ ଶୁଣିଲେ ଭୟରେ ଥରି ଉଠେନି; ବରଂ ମୟୂରୀର ନୃତ୍ୟ ଦେଖିବା ପାଇଁ ଘୂରି ଘୂରି ବୁଲେ, ହରିଣର ଚଞ୍ଚଳ ଚପଳ ଗତି ଦେଖିବା ପାଇଁ ନୀରବ ନୀଶ୍ଚଳ ହୋଇ ଠିଆହୋଇ ରୁହେ । ରାସ୍ତାର ଏପାଖରୁ ସେପାଖକୁ ତ୍ରସ୍ତ ଭାବରେ ଗତି କରୁଥିବା କୁଟୁରାକୁ ନିର୍ଭୟ, ନିଶ୍ଚିନ୍ତ କରିବା ପାଇଁ ଶୁଷୁରି ମାରେ…। ଯେଉଁମାନେ ଜଙ୍ଗଲର ବୃକ୍ଷଲତା ଚିହ୍ନନ୍ତି, ସେମାନଙ୍କ ସହ ଜଙ୍ଗଲ ଭିତରେ ବୁଲି ବନାନୀର ବନସ୍ପତିମାନଙ୍କ ସହିତ ପରିଚିତ ହୁଏ । ଶୀତଦିନରେ କୋଉ ଗଛର ପତ୍ର ଆଗ ଝଡ଼େ, ବସନ୍ତରେ କେଉଁ ଗଛର ପତ୍ର ଆଗ କଅଁଳେ, କାହାର ଫୁଲ ଫଳ କିପରି ଓ କେଉଁ ସମୟରେ ଦେଖାଯାଏ, ଏସବୁ ଜାଣିଗଲାଣି ଶିବାନନ୍ଦ । ଶୀତ ଶେଷରେ ମହୁଲ ଫୁଲ, ଗ୍ରୀଷ୍ମ ଆରମ୍ଭରେ ଶାଳ ଓ କୁରୁଚି ଫୁଲ, ଗ୍ରୀଷ୍ମକାଳରେ ଜାମୁକୋଳି, କେନ୍ଦୁ, ପଣସର ବାସ୍ନାରେ ବଣ ମହକି ଉଠେ । ଆଉ ବର୍ଷା ପଡ଼ିବା କ୍ଷଣି ଫୁଟେ ଚମ୍ପା… ।

 

ବଣର ଋତୁ ସହରର ଋତୁ ଚିତ୍ର ଭିନ୍ନ । ସ୍କୁଲରେ ପଢିବାବେଳେ ସେ ହରିଣୀ, କୁଟୁରା, ମୟୂରର ଚିତ୍ର ଦେଖିଥିଲା । ଏବେ ସେମାନଙ୍କୁ ଜୀବନ୍ତ ଅବସ୍ଥାରେ ଦେଖୁଛି । ଆଉ କିଛିଦିନ ରହିଲେ ବାର୍‍ହା, ଚିତାବାଘ, ଅଜଗର ଓ ଭାଲୁ ବି ଦେଖିବ… । ଶୀତଦିନର ପତ୍ରଝରା ଜଙ୍ଗଲର ଶୋଭା ଅପେକ୍ଷା ବସନ୍ତର ନବପଲ୍ଲବିତ ବୃକ୍ଷରାଜି, ଗ୍ରୀଷ୍ମର ପୁଷ୍ପ, ଫଳପୂର୍ଣ୍ଣ ବନାନୀର ଶୋଭା ଆହୁରି ଚିତ୍ତାକର୍ଷକ, ଆହୁରି ମଧୁର । ଆଉ ଡମ୍ବରୁ ବଜାଇ କଳାମେଘ ଯେତେବେଳେ ପାହାଡର ଶୀର୍ଷ ଦେଶରେ ନୃତ୍ୟ କରେ ଏବଂ ସେଇ ନୃତ୍ୟର ସାକ୍ଷ୍ୟ ଦବାପାଇଁ ମହା ଉଲ୍ଲାସରେ ଫୁଟେ କଦମ୍ବ ପୃଥିବୀର ଏତେ ଐଶ୍ୱର୍ଯ୍ୟ ମଣିଷର ଏତେ ନିକଟରେ ଅଛି ବୋଲି ବିଶ୍ୱାସ କରିହୁଏନି । ତଥାପି ଯୋଉ ମଣିଷର କଲ୍ୟାଣ ପାଇଁ ପ୍ରକୃତି ସୃଷ୍ଟି କରିଚାଲିଛି ନିଜକୁ ସେଇ ସୃଷ୍ଟି, ସେଇ ଶୋଭାକୁ ନିଃଶେଷ କରିଦବା ଲାଗି ମଣିଷର କି ଅହରହ ପ୍ରଚେଷ୍ଟା ।

 

ଶିବାନନ୍ଦ ଆଦିବାସୀଙ୍କଠାରୁ ଶୁଣିଛି ଏବଂ ନିଜ ଆଖିରେ ଦେଖୁଛି ଜଙ୍ଗଲରୁ ଶେଷ ହୋଇ ଆସୁଥିବା ଶ୍ରୀ । ଆଉ ପୂର୍ବର ସେଇ ନିଘଞ୍ଚ ଅରଣ୍ୟ ନାହିଁ । ରାଜସ୍ୱ ବୃଦ୍ଧି ପାଇଁ ସରକାର ଜଙ୍ଗଲର ଗଛ ନିଲାମ କରିଦିଅନ୍ତି; କିନ୍ତୁ ଶହେ ଜାଗାରେ ହଜାରେ ଗଛ କାଟିନିଅନ୍ତି ବ୍ୟବସାୟୀ ଓ ଠିକାଦାରମାନେ । ଜଙ୍ଗଲ ରକ୍ଷା କରିବା ପାଇଁ ଜଙ୍ଗଲ ବିଭାଗ ଓ ଜଙ୍ଗଲ ନିଗମ ଅଛି; ଅଫିସର ଓ କର୍ମଚାରୀ ଅଛନ୍ତି; ଜଗୁଆଳ ଓ ଜଙ୍ଗଲ ରକ୍ଷକ ଅଛନ୍ତି–କିନ୍ତୁ ସମସ୍ତେ ଶେଷ ହୋଇଆସୁଥିବା ଶ୍ରୀର ବିକାଶ ପାଇଁ ନୁହେଁ ବିନାଶ ପାଇଁ ତତ୍ପର । ଜଙ୍ଗଲ ରକ୍ଷା ପାଇଁ ଯେଉଁ ନୀତି ରହିଛି; ନୂଆ ଜଙ୍ଗଲ ସୃଷ୍ଟି କରିବା ପାଇଁ ଯେଉଁ ବ୍ୟବସ୍ଥା ଅଛି ତାହା କାଗଜ ପତ୍ରରେ... ।

 

ଚିନ୍ତାମଗ୍ନ ଶିବାନନ୍ଦ ସବୁ ଚିନ୍ତାରୁ ମନକୁ ନିଷ୍କୃତି ଦେଇ ମହୁଲ ଗଛମୂଳରେ ଖେଳୁଥିବା ଦୁଇ ଗୁଣ୍ଡୁଚିମୂଷାର ଗତିବିଧିକୁ ଲକ୍ଷ୍ୟ କରିବାକୁ ଲାଗିଲା ।

 

ଏଇ ଗୁଣ୍ଡୁଚିମୂଷା ପରା ସେତୁବନ୍ଧ ବାନ୍ଧିବାରେ ରାମଚନ୍ଦ୍ରକୁ ସାହାଯ୍ୟ କରିଥିଲା ସ୍ୱେଚ୍ଛାରେ, ନିଃସ୍ୱାର୍ଥପର ଭାବରେ ।

 

ସେ ସ୍ୱେଚ୍ଛାରେ, ନିଃସ୍ୱାର୍ଥପର ଭାବରେ ଯଦି କିଛି କରିପାରନ୍ତା... ଯୋଉ ଦାୟିତ୍ୱ ତାକୁ ଦିଆଯାଇଛି, ତାହା ଯଦି ସେ ଭଲ ଭାବରେ ତୁଲାଇ ପାରନ୍ତା, ତା’ର ନାମ ଇତିହାସରେ ଲେଖାଯାଆନ୍ତା ନାହିଁ । ଏହା ଧ୍ରୁବ ସତ୍ୟ । କିନ୍ତୁ ଏଇ ଗଛବୃଛମାନେ ବର୍ତ୍ତି ଯାଆନ୍ତେ, ଅକାଳରେ ସେ ସେମାନଙ୍କର ବିନାଶ ସେ ପ୍ରତ୍ୟକ୍ଷ କରନ୍ତା ନାହିଁ ଏବଂ ଦିନେ କେହି ଅରଣ୍ୟର ପ୍ରକୃତ ରକ୍ଷକ ଓ ପୂଜାରୀ ଭାବରେ କାର୍ଯ୍ୟ କରିଥିବା ତାହାରି ପରି ଅନେକ ଅଜ୍ଞାତ, ସାମାନ୍ୟ ବ୍ୟକ୍ତିଙ୍କୁ ସ୍ମରଣ କରନ୍ତେ, କୃତଜ୍ଞତାରେ... ।

 

ଶିବାନନ୍ଦ ଅନୁଭବ କଲା ଯେ, ସେ ଏଇ ନୂଆ ଜାଗାକୁ ଆସିବା ପରେ କ୍ରମଶଃ ଦାର୍ଶନିକ ହୋଇଉଠୁଚି । ଜଙ୍ଗଲର ଶୋଭା ଦେଖି ସେ ସହର କଥା ଭୁଲି ଯାଉଛି ଏବଂ କେବଳ ମା’ ବ୍ୟତୀତ ଅନ୍ୟମାନଙ୍କ କଥା ଆଉ ମନେ ପଡ଼ୁନାହିଁ ।

 

–ଏକା ଏକା ଠିଆ ହୋଇ କି ଏତେ ଭାବୁଛୁରେ ବାବୁ... ଘରକଥା ମନେପଡୁଛି ? ତାହାରି ଅତି ନିକଟରେ ତାକୁ ଏକଥା କେହି କହୁଥିବାର ଶୁଣି ସେ ଫେରି ଚାହିଁଲା । ମହୁଆ ତା’ ମୁହଁକୁ ସେହିପରି ପ୍ରାୟ ନିଷ୍ପଲକ ଦୁଷ୍ଟିରେ ଚାହିଁ ରହିଥିଲା ଉତ୍ତର ଶୁଣିବାପାଇଁ ।

 

ଶିବାନନ୍ଦ ଅନୁଭବ କରେ ଯେ, ତା’ପଛରେ ଯେପରି କେହି ତାକୁ ଅନୁସରଣ କରି କରି ଚାଲୁଛି । ଏପରି ଅନୁଭବ ସେଇ ଆସିବା ଦିନୁ ତାକୁ ଅଥୟ କରିବାରେ ଲାଗିଛି । ଆସିବା ପୂର୍ବରୁ ସେ ଶୁଣିଥିଲା ଯେ, ଏଇ ଅରଣ୍ୟ ତ ଅନ୍ଧାର; ଗୁଣିଗାରେଡ଼ି, ବେତାଳ ଓ ତନ୍ତ୍ର ସାଧନା ପାଇଁ ଉପଯୁକ୍ତ ସ୍ଥାନ । ଯୁଗ ଯୁଗ ଧରି ଅତୃପ୍ତଆତ୍ମା କୁଆଡ଼େ ଅରଣ୍ୟରେ ବସବାସ କରନ୍ତି ବୋଲି ଅରଣ୍ୟ ରୂପ ଏପରି ଭୟଙ୍କର ।

 

ଶିବାନନ୍ଦର କିନ୍ତୁ ବିଶ୍ୱାସ ହୁଏନି ଏଥିରେ ।

 

ଡାକବଙ୍ଗଳାର ଅନତି ଦୂରରେ ଯେଉଁ ଛୋଟ ମୁଣ୍ଡିଆଟି ଅଛି, ତାହାରି ପାଦ ଦେଶରେ ଶହ ଶହ ଓହଳ ମାଟି ଭିତରକୁ ଚେର ପରି ମାଡ଼ି ଯାଇଥିବା ବଟବୃକ୍ଷର ବୟସ ବୁଢ଼ା ଲୋକେ ବି କହିପାରନ୍ତିନି । କେଉଁ କାଳରୁ ସ୍ଥାନ ମାଡ଼ି ବସିଛି ବଟବୃକ୍ଷ ତାହା ଏଯାଏ ରହସ୍ୟ ହୋଇରହିଛି; କିନ୍ତୁ ମକର ସଂକ୍ରାନ୍ତି ଦିନ ବଟଗଛ ମୂଳେ ବିରାଜମାନ କରୁଥିବା ବନଦେବୀଙ୍କ ପୂଜାବେଳେ ବଳିଦେବା ପାଇଁ ଆଣିଥିବା ମେଣ୍ଢା ଓ ଛେଳିମାନଙ୍କୁ ଏକତ୍ର କରି ଯେତେବେଳେ ଦେହୁରୀ ଟାଙ୍ଗିଆ ପୂଜା କରେ ସେତେବେଳେ ଦେବୀଙ୍କ ସମ୍ମୁଖରେ ବଡ଼ି ଭୋରରୁ ଅଧିଆ ପଡ଼ିଥିବା ସନିଆକୁ ଦାସୀ ଲାଗେ । ସେ ମୁଣ୍ଡରୁଚୂଳ ଟାଣି ଓଟାରି ପକାଏ ନଖରେ ରାମ୍ପୁଡ଼େ, ଆଉ ଜିଭ ବାହାର କରି ଛାତିରେ ଚାପୁଡ଼ା ମାରି ଦାବି କରେ... ରକ୍ତ ଦେ... ରକ୍ତ ଦେ... । ଗୋଟିକ ପରେ ଗୋଟିଏ ବଳିର ବେକ କାଟି ଦେବୀଙ୍କ ପାଦ ତଳେ କଟା ମୁଣ୍ଡ ଓ ଗଣ୍ଡିଗୁଡ଼ାକ ଠୁଳ କଲେ ମାଟି ଉପରେ ପଡ଼ିଥିବା ତାଜାରକ୍ତ ଆଞ୍ଜୁଳ ଆଞ୍ଜୁଳା କରି ପିଆଯାଏ ସନିଆ । ସେତିକିବେଳେ ତା’ ଚାରିପାଖରେ ନାଚି ନାଚି ଗୀତ ଗାଆନ୍ତି ଯୁବକ ଯୁବତୀମାନେ ।

 

ଶିବାନନ୍ଦ ସେଠାରେ ପହଞ୍ଚିଲାବେଳକୁ ବଳି ଦିଆ ଶେଷ ହୋଇ ନାଚ ଚାଲିଥାଏ ଦାସୀ ଲାଗିଥିବା ସନିଆ ଚାରିପାଖରେ । ନିଆଁହୁଳା ପରି ଜଳୁଥିବା ସନିଆର ଆଖି ଦୁଇଟାକୁ ଚାହିଁ ଦେଇ ଶଙ୍କିଗଲା ଶିବାନନ୍ଦ।

 

ଜଙ୍ଗଲର ଗଛ କାଟିବା ପାଇଁ ଠିକା ନେଇ ଥିବା ଚକ୍ରଧର ବାବୁ ପଛରୁ ଆଗକୁ ଆସି ପଚାରିଲେ... ଏବର୍ଷ କେମିତି ଯିବରେ ଦାସୀ ?

 

ସନିଆ ମାଟି ବିଦାରି ପକାଇ ହୁଁ ହୁଁ ହେଲା କିଛିସମୟ, ତା’ପରେ ଆଉ ଥରେ ଠିକାଦାର ସେଇ ପ୍ରଶ୍ନ ପଚାରିବାରୁ କହିଲା–ବଡ଼ ଭୋକ… ଆହୁରି ବଳି ଦେ... ତା’ପରେ କହିବି...-

 

ସଙ୍ଗେ ସଙ୍ଗେ ଠିକାଦାରର ଲୋକ ତିନିଟା ଛେଳି ଓ ପାଞ୍ଚଟା କଳା କୁକୁଡ଼ା ଆଣି ଦେବୀ ଆଗରେ ବଳି ଦେଲେ ଏବଂ ଠିକାଦାର କହିଲା- ନେ, ନେ... ।

 

ସନିଆ କହିଲା ନା, ନା, ମା… ମଣିଷ... ମଣିଷ... ।

 

ଭୟରେ ଦୁଇପାଦ ପଛେଇ ଆସିଲା ଶିବାନନ୍ଦ । ଛି, ଛି… ଏଇ କୁସଂସ୍କାର ଭିତରକୁ ପ୍ରଥମରୁ ସେ ଆସିବ ନାହିଁ କହୁଥିଲା; କିନ୍ତୁ ତାକୁ ପ୍ରାୟ ଜୋର୍‍ କରି ଭିତରକୁ ଟାଣି ଆଣଲା ଚୌକିଦାର । ନୂଆ ହୋଇ ବାବୁ ହୋଇଛି । ଦେବୀ ପୂଜାରେ ନଗଲେ ଦେବୀ ରୁଷ୍ଟ ହେବ ଯେ... ।

 

ଶିବାନନ୍ଦ ମନ ଭିତରେ ଗୁମୁରୁ ଥିବା ଭୟ ଛାତି ତଳକୁ ଏବଂ ତା’ପରେ ସର୍ବାଙ୍ଗରେ ସଞ୍ଚରିତ ହୋଇଗଲା । –ସେଠାରେ ଆଉ ବେଶୀ ସମୟ ରହିବା ପାଇଁ ଇଚ୍ଛା ହେଲାନି ତା’ର । ଧୀରେ ଧୀରେ ସମସ୍ତଙ୍କ ଅଲକ୍ଷ୍ୟରେ ଖସି ଯାଉଥିବା ବେଳେ ତାକୁ ଜୋର୍‍କରି ବଣ ଭିତରକୁ ଟାଣି ନେଲା ମହୁଆ ।

 

ତା’ର ହାତ ମୁଠାରେ ଏତେ ଶକ୍ତି ଥାଇ ପାରେ ତାହା ଆଦୌ ଭାବି ପାରିନଥିଲା ଶିବାନନ୍ଦ ।

 

ଗୋଟେ ଅଶ୍ୱତ୍ଥ ଗଛମୂଳେ ଛିଡ଼ା ହୋଇ ଶିବାନନ୍ଦର ବେକର ଦୁଇ ପାଖରେ ହାତରଖି କହିଲା ମହୁଆ–ତୁ ମତେ ନେ’ରେ ବାବୁ... ।

 

ତା ‘ମୁହଁରୁ ମଦର ଗନ୍ଧ ବାହାରୁ ଥିବା ବେଶ୍ ବାରିପାରିଥିଲା ଶିବାନନ୍ଦ ।

 

ମହୁଆ ଯେ ନିଶାର ଅଧୀନ ଏବଂ ସେ ଆଉ ନିଜ ଅକ୍ତିଆରରେ ନାହିଁ ଏହା ବେଶ୍ ବୁଝିପାରିଲା ଶିବାନନ୍ଦ ।

 

ତା’ ପାଖରୁ ନିଷ୍କୃତି ପାଇବା ପାଇଁ ଯେତେ ନୁହେଁ, ତାକୁ ସଂସ୍କାର କରିବାଲାଗି ତା’ଠାରୁ ଆହୁରି ପ୍ରବଳ ହେଉଥିବା ଇଚ୍ଛା ଯୋଗୁଁ ସେ ମହୁଆର ମଥା ଉପରେ ହାତରଖି କହିଲା–ହଉ ହଉ ସେ ସବୁ ପରେ… କିନ୍ତୁ ଏଇନେ ତୁ ବସ୍... ଚିକେ ବିଶ୍ରାମକର... ।

 

ତା’ କଥାରେ କଅଣ ଥିଲା କେଜାଣି ମହୁଆ ବସି ପଡ଼ିଲା ଏବଂ କହିଲା–ତୁ ବସିବୁନି ବାବୁ ?

 

ଶିବାନନ୍ଦ ବସିଲା ତା’ପାଖରେ । ମହୁଆର ମୁହଁରେ ସେଇ ମହୁଲ ଫୁଲର ଆକର୍ଷଣ ।

 

ମହୁଆ କହିଲା–ତୁ ବଡ଼ ଭଲ ବାବୁ... ।

 

–ତୁ ଖରାପ ହବୁ କାହିଁକି... ଏଇ ମଦ... ଇମିତି ଇତର ଆଚରଣ... ।

 

–ଠିକାଦାର ବାବୁ ତା’ର ଖର୍ଚ୍ଚରେ ଆଜି ମଦ ଖୁଆଇଛି ସମସ୍ତଙ୍କୁ... ମୁଁ ମନା କରୁଥିଲି... ସେ ମାନିଲା ନାହିଁ... ।

 

ସମସ୍ତେ ନାଚ ଗୀତରେ ମାତିଲେ ସେ ଗଛକାଟି ମୋଟର ଗାଡ଼ିରେ ବୋହିନବ... ।

 

ଶିବାନନ୍ଦ ଚମକି ପଡ଼ିଲା ତା’କଥା ଶୁଣି । ସେ କେବଳ ଏକା ଆସି ନାହିଁ ବନଦେବୀଙ୍କ ପୂଜା ଦେଖିବା ପାଇଁ । ଚୌକିଦାର ସମେତ ସମସ୍ତେ ଚାଲି ଆସିଛନ୍ତି । ମହୁଆ ପରି ସେମାନେ ସମସ୍ତେ ଯେ ମଦ ପିଇ ମାତାଲ ପରି ଟଳୁଥିବେ ଏହା ବେଶ୍ ବୁଝିପାରିଲା ଶିବାନନ୍ଦ ।

 

ସନ୍ଧ୍ୟା ନଇଁ ଆସିଥିଲା ସେତେବେଳକୁ ।

 

ବନଦେବୀଙ୍କ ଅନତିଦୂରରେ ହୁତ୍‍ହୁତ୍‍ ହୋଇ ଜଳି ଉଠିଲା ନିଆଁ । ନିଆଁ ଚାରିପାଖରେ ନାରୀ ଓ ପୁରୁଷଙ୍କର ସମବେଦ ନୃତ୍ୟ ।

 

ଶିବାନନ୍ଦ ଉଠି କହିଲା–ବିଳମ୍ବ ନକରି ତାକୁ ଫେରିବାକୁ ପଡ଼ିବ, ହୁଏତ ମହୁଆର କଥା ସତ... ଏତେ ବେଳକୁ ଠିକାଦାରର ଲୋକମାନେ ଜଙ୍ଗଲର ଗଛକାଟି ଅପେକ୍ଷା କରୁଥିବେ ରାତିହେଲେ ଚାଲାଣ କରିବାପାଇଁ ।

 

ହଠାତ୍ ଗୁଳି ଫୁଟିବାର ଶବ୍ଦ ଶୁଣିଲା ସେ । ବନଭୂଇଁ ଗର୍ଜି ଉଠିଲା ଗୁଳି ଫୁଟିବା ଶବ୍ଦରେ । ଥରେ ନୁହେଁ ଅନେକ ଥର ସେ ଶବ୍ଦ ଶୁଣିଲା ଶିବାନନ୍ଦ ।

 

ହୁଏତ ନିୟମ ଲଙ୍ଘନ କରି ବନ୍ୟଜନ୍ତୁ ଶିକାର କରୁଛି କିଏ ।

 

ଶିବାନନ୍ଦ ଆଉକାଳ ବିଳମ୍ବ ନକରି ଉଠିବସିଲା... ସେ ସତର୍କ ନହେଲେ ହୁଏତ ବଡ଼ କିଛି କ୍ଷତି ଘଟିଯିବ ।

 

ତା’ର ଜାମାଟାଣି କହିଲା ମହୁଆ–ଗୋଟେ କଥା ଶୁଣିବୁ ବାବୁ...

 

ଶିବାନନ୍ଦ କହିଲା–ଜଲ୍‍ଦି କହ...

 

–ତୁ ଆଉ ଏଠାରେ ରହନି ବାବୁ… ଗାଁକୁ ଫେରିଯା... ତୋ’ପରି ଭଲଲୋକ ଏମିତି ଜଙ୍ଗଲ ଭିତରେ ।

 

ମହୁଆ ସେ, କରିବା ଆଗରୁ ତା’ର ହାତଧରି ଉଠେଇ ଦେଇ କହିଲା ଶିବାନନ୍ଦ–ତୁ ଆଉ ମଦ ପିଇବୁନି କହ... ଭଲହେବାକୁ ଚେଷ୍ଟା କର... ।

 

ମହୁଆ ତା’ କଥା ବୁଝିଲା କି ନାହିଁ କେଜାଣି କିଛି ଠିକ୍ କରିପାରିଲା ନାହିଁ ଶିବାନନ୍ଦ; ଯେତେବେଳେ ମହୁଆ ଲୁଗା କାନିରେ ମୁହଁ ପୋଛିଲା ଶିବାନନ୍ଦ ଅନୁଭବ କଲା ଯେପରି ମୁହଁ ପୋଛିବା ବାହାନା କରି ମହୁଆ ନିଜର ଦୁଇ ଆଖିର ଲୁହ ପୋଚିଲା ।

 

ଡାକବଙ୍ଗଳା ଆଗରେ ଜଙ୍ଗଲ ଭିତରକୁ ଯାଇଥିବା ରାସ୍ତା ଉପରେ ଯେଉଁ କାଠର ଅର୍ଗଳ ଅଛି, ତାକୁ ଲୋକେ ଚେକଗେଟ କହନ୍ତି ।

 

ଶିବାନନ୍ଦ ସେଦିନ ବନଦେବୀଙ୍କ ପୂଜା ଦେଖିବାପାଇଁ ଯିବାବେଳେ ଅର୍ଗଳ ବନ୍ଦ କରି ଲୁହା ଜଞ୍ଜିରରେ ତାଲା ପକାଇ ଥିଲା ଚୌକିଦାର । କିନ୍ତୁ ସେ ଫେରି ଆସିବାବେଳକୁ ଦେଖିଲା ଯେ, ଅର୍ଗଳ ଖୋଲି ଦିଆହୋଇଛି ।

 

ଚୌକିଦାର କିମ୍ବା ଅନ୍ୟ କୌଣସି କର୍ମଚାରୀ ବହୁତ ରାତି ପର୍ଯ୍ୟନ୍ତ ଯେତେବେଳେ ଫେରିଲେ ନାହିଁ ଶିବାନନ୍ଦ ଧରିନେଲା ଯେ, ସେମାନେ ଆଉ ଫେରିବେ ନାହିଁ ରାତିରେ, ତାକୁ ଏକା ଜଗିରହିବାକୁ ପଡ଼ିବ । ଅର୍ଗଳ ବନ୍ଧା ହୋଇଥିବା ଖୁଣ୍ଟରେ ଲଣ୍ଠନ ରଖିବା ପାଇଁ ଗୋଟେ ଜାଗା ଅଛି । ଲଣ୍ଠନରେ ତେଲ ଭର୍ତ୍ତି କରି, କାଚ ଭଲ କରି ସଫା କରି, ଲଣ୍ଠନ ଜଳେଇ ଟାଙ୍ଗିଦେଲା, ଶିବାନନ୍ଦ । ପକେଟରୁ ହୁଇସିଲ୍ ବାହାର କରି ପରଖି ନେଲା, ଠିକ ଅଛି କି ନାହିଁ । ହାତରେ ଛଅ ପୁଟର ଲାଠି ଆତ୍ମରକ୍ଷାପାଇଁ ।

 

ହଠାତ୍ ତା’ର ମନେ ପଡ଼ିଗଲା ଛାତ୍ରର ଜୀବନର କଥା ।

 

କଲେଜରେ କରାଟେ ଶିଖିଥିଲା ସେ ଆତ୍ମରକ୍ଷାର କୌଶଳ ଆୟତ୍ତ କରିବାପାଇଁ ।

 

ଅର୍ଗଳ ବନ୍ଦକରି ଲଣ୍ଠନର ବତୀ ତେଜିଦେଇ ଲାଠି ହାତରେ ଧରି ଚେକଗେଟ୍‍ଆଗରେ ପଇଁତରା ଦେବାକୁ ଲାଗିଲା ଶିବାନନ୍ଦ । ରାତି ଯେତିକି ବେଶି ହବାକୁ ଲାଗିଲା ସେତିକି ଅନୁଭବ କଲା ଯେ, ଏଇ ବିଶାଳ ବିଶ୍ୱରେ ପ୍ରତ୍ୟକ ଏକକ ଭାବରେ କେଡ଼େ ଏକାକୀ, ପୁଣି ସମବେତ ଭାବରେ ସେମାନଙ୍କର ସମ୍ପର୍କ କେଡ଼େ ମଧୁର ଓ ଶକ୍ତିଶାଳୀ । ତା’ର ଆଖି ଆଗରେ ଶିମିଳିପାଳ ପାହାଡର ପାଦଭୂମି ଉଠିଯାଇଛି ଉଚ୍ଚରୁ ଉଚ୍ଚକୁ... ।

 

ଟିକେ ଆଗରେ ଫରେଷ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଲଗାଇଥିବା ସାଇନ୍ ବୋର୍ଡ–ମଣିଷଟିଏ ତ ଗଛଟିଏ, ଗଛ ହିଁ ମଣିଷର ନିଃସ୍ୱାର୍ଥପର ବନ୍ଧୁ ।

 

ଗଛ ସିନା ନିଃସ୍ୱାର୍ଥପର ଭାବରେ ରକ୍ଷା କରିଆସୁଛି ମଣିଷକୁ;କିନ୍ତୁ ମଣିଷ ତ ସ୍ୱାର୍ଥପର ହୋଇଯାଇଛି... ଯୋଉ ଗଛ ମୂଳେ ଆଶ୍ରାନିଏ ଖରାବର୍ଷାରୁ ରକ୍ଷା ପାଇବାପାଇଁ ଯାହାର ଫୁଲ, ଫଳ ଉପଯୋଗ କରେ ବଞ୍ଚିବା ପାଇଁ, ସେଇ ଗଛକୁ କାଟିବା ପାଇଁ କରତ ଲଗାଉଛି ନିର୍ମମ ଭାବରେ.... ।

 

ମୋଟର ଗାଡ଼ି ହେଡ଼୍‍ ଲାଇଟ୍ ଆଖି ଆଗରେ ଉଭାସିତ ହୋଇ ପୁଣି ଦପ୍‍କରି ନିଭିଗଲା ।

 

ଅଳ୍ପ ସମୟ ପାଇଁ କୌଣସି ଶବ୍ଦ ଶୁଣାଗଲା ନାହିଁ । କିନ୍ତୁ ପରେ ପରେ ପୁଣି ଗାଡ଼ି ଆସୁଥିବାର ଶବ୍ଦ ଭାସି ଆସିଲା କୁଆଡ଼ୁ ଆଗରୁ... ।

 

ଗୋଟେ ନୁହେଁ ଆଗପଛ ହୋଇ ତିନିଟା ଟ୍ରକ୍ ଆସି ଛିଡ଼ା ହେଲା ଫାଟକ ଆଗରେ ।

 

ଶିବାନନ୍ଦଙ୍କୁ ଭୂକ୍ଷେପ ନ କରି ଦୁଇଜଣ ତାଲା ଭାଙ୍ଗିବାପାଇଁ ଚେଷ୍ଟା କଲେ ।

 

ଶିବାନନ୍ଦ ହୁଙ୍କାର ଛାଡ଼ିଲା–ସାବଧାନ ।

 

ମୁହୂର୍ତ୍ତକରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଲାଗିଲା ।

 

ଠିକ୍ ସେତିକିବେଳେ ତାଲା ଭାଙ୍ଗି ଅର୍ଗଳ ଖୋଲି ତିନିଟା ଟ୍ରକ୍ ବାହାରିଗଲେ ଆଗକୁ ।

 

କେହି ଜଣେ ଟ୍ରକ୍ ଆଗରେ ଛିଡ଼ା ହୋଇଯାଇ ଚିତ୍କାର କଲା–ଖବରଦାର୍ ।

 

ଶିବାନନ୍ଦ ଆତ୍ମରକ୍ଷା କରିବା ପାଇଁ ଚେଷ୍ଟା କରୁଥିଲାବେଳେ ହଠାତ୍ ଆଗ ଟ୍ରକର ଧକ୍କା ଖାଇ ଖଣ୍ଡେ ଦୂରକୁ ଛିଟିକି ପଡ଼ିଲା ସେ ମଣିଷ ମୂର୍ତ୍ତି । ପରେ ପରେ ତାର ଆର୍ତ୍ତଚିତ୍କାର ଶୁଣିପାରିଲା ଶିବାନନ୍ଦ ।

 

ସେଇ ସ୍ୱର ପୁରୁଷର ନୁହେଁ ନାରୀର ।

 

ଦୁର୍ବୃତ୍ତମାନେ ସେଇ ସୁଯୋଗରେ ତାକୁ ଛାଡ଼ି ଟ୍ରକ୍ ଉପରକୁ କୁଦିପଡ଼ିଲେ ପଳେଇଯିବା ପାଇଁ ।

 

ଶିବାନନ୍ଦ ଲଣ୍ଠନର ସ୍ତିମିତ ଆଲୋକରେ ଦେଖିପାରିଲା ତଳେ ପଡ଼ିଥିବା ମହୁଆର ରକ୍ତାତ ଶରୀର ।

 

ସେ ବୁଝିନେଲା ଯେ, ତାକୁ ରକ୍ଷା କରିବାପାଇଁ ମହୁଆ ଆସିଥିଲା ତା’ ପଛେ ପଛେ ।

 

ଶିବାନନ୍ଦ ତାର ମୁହଁ ପାଖରେ ନଇଁପଡ଼ି କିଛି କହିବାପୂର୍ବରୁ ଅତି କଷ୍ଟରେ କହିଲା ମହୁଆ–ପଳାବାବୁ ପଳା... ଠିକାଦାର ବନ୍ଧୁକ ନେଇ ନିଜେ ଆସୁଛି... ।

 

ତା’ପରେ ନିଶ୍ଚୁପ ହୋଇଗଲା ମହୁଆ–ଶିକାରୀର ଗୁଳିମାଡ଼ରେ ନିଶ୍ଚୁପ ହୋଇଯାଉଥିବା ବଣର ହରିଣୀପରି ।

☆☆☆

 

ସତ୍ୟମେବ ଜୟତେ

 

ଅଦାଲତରେ ସାକ୍ଷୀଦେଇ ଫେରିବା ପରେ ମନଟା ଅନେକ ହାଲୁକା ଲାଗିଲା ବିଶ୍ୱନାଥର । ଏଇ କେତେ ଦିନ ଧରି ସାକ୍ଷୀ ଦେବକି ନାହିଁ ଅନେକ ଭାବିଛି । ସାକ୍ଷୀ ନ ଦବା ଲାଗି ପ୍ରତିବାଦୀ ପକ୍ଷରୁ ପ୍ରବଳ ଚାପ ବି ପଡ଼ିଛି । କିନ୍ତୁ ଶେଷରେ ସବୁ ପ୍ରତିବାଦ ଏବଂ ପ୍ରତିପକ୍ଷର ପ୍ରବଳ ପ୍ରତିରୋଧ ସତ୍ତ୍ୱେ ଅଦାଲତକୁ ନିଜେ ଯାଇ ସେ ଜର୍ଜ ସାହେବଙ୍କ କୋର୍ଟରେ ସାକ୍ଷୀ ଦେଇ ଆସିଲେ । ମିଛ କହି ନାହାନ୍ତି, ସାକ୍ଷୀ ଦବା ଆଗରୁ ସତ କହିବା ପାଇଁ ସେ ଯେଉଁ ଶପଥ ନେଇଥିଲେ ଭଗବାନଙ୍କ ନାମରେ ସେହି ଶପଥ ଅନୁସାରେ ଯାହା ଦେଖିଥିଲେ, ଯାହା ଶୁଣିଥିଲେ, ତାହା ହିଁ କହିଲେ ବିଚାରପତିଙ୍କ ଆଗରେ । ଜେରା କଲାବେଳେ ତାଙ୍କୁ ବିଭ୍ରାନ୍ତ କରିବା ପାଇଁ ବହୁଚେଷ୍ଟା କରିଥିଲେ ପ୍ରତିବାଦୀଙ୍କ ଓକିଲ ।

 

ବିଶ୍ୱନାଥ ସେ ଦିନ ନିଜ ଭିତରେ ଏକ ଅସ୍ୱାଭାବିକ ଆତ୍ମସନ୍ତୋଷ ଅନୁଭବ କରିଥିଲେ-। ସେଇ ସନ୍ତୋଷର ଚିହ୍ନ ମୁଖମଣ୍ଡଳରେ ପ୍ରଶାନ୍ତିରେ ପ୍ରତିଭାତ ହୋଇଥିଲା । ସେ ଉତଫୁଲ୍ଲିତ ନହେଲେ ମଧ୍ୟ ପ୍ରଫୁଲ୍ଲ ଚିତ୍ତରେ ଘରକୁ ଫେରି ସବୁ କହିଥିଲେ ପତ୍ନୀଙ୍କୁ । ଶାରଦା ଆଗରୁ ସବୁ ଶୁଣିଥିଲେ, କିନ୍ତୁ ସ୍ୱାମୀଙ୍କ ମୁହଁରୁ ସେହି ଶୁଣା କଥାଗୁଡ଼ାକ ଶୁଣିବାବେଳେ ସେ ବି ସ୍ୱାମୀଙ୍କର ଗର୍ବ ଓ ଗୌରବର ଅଂଶୀଦାର ବୋଲି ମନେ କଲେ । ବିଶ୍ୱନାଥ ଯେ ସତ୍ୟ ଓ ନ୍ୟାୟପାଇଁ ତ୍ୟାଗ ସ୍ୱୀକାର କରିବାକୁ ପଛେଇବେ ନାହିଁ ଏହା ସେ ଜାଣନ୍ତି । ସେଥିରୁ ବିଚ୍ୟୁତ ନ ହୋଇ ପ୍ରତିବାଦୀର ପ୍ରଲୋଭନରେ ନ ପଡ଼ି ଏବଂ ବନ୍ଧୁ ଓ ଅନ୍ୟମାନଙ୍କ ଅନୁରୋଧ ଉପ୍ରୋଧ ଏଡ଼ି ଯେ ସେ କେବଳ ପ୍ରତିବାଦୀ ବିପକ୍ଷରେ ସାକ୍ଷୀ ଦେଇପାରିଲେ ଏହା ସମସ୍ତଙ୍କୁ ଚମକାଇ ଦେଲା ।

 

ରାମନାରାୟଣ ଧନାଢ଼୍ୟ ଏବଂ ପ୍ରତିପତ୍ତିଶାଳୀ ବ୍ୟକ୍ତି । ରାଜନୀତି ନିଜେ କରନ୍ତି ନାହିଁ ସତ୍ୟ କିନ୍ତୁ ରାଜନୌତିକ ଦଳ ଓ ନେତାମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରକ୍ଷା କରନ୍ତି । ତାହା ହିଁ ତାଙ୍କର ପ୍ରତିପତ୍ତିର ମୂଳଧାର । ସେଥିପାଇଁ ଲୋକେ ତାଙ୍କୁ ସମ୍ଭ୍ରମ କରନ୍ତି, ଭୟ ବି କରନ୍ତି । କାଳେ ଯଦି ରାମନାରାୟଣଙ୍କ ବାଟ କାଟି କେହି ତାଙ୍କର ଶତ୍ରୁତା ଅର୍ଜନ କରେ ଏଇ ଆଶଙ୍କାରେ ଅନେକ ତାଙ୍କ ବାଟ ପରିତ୍ୟାଗ କରି ଅନ୍ୟ ପଥରେ ଯିବା ଆସିବା କରନ୍ତି ।

 

ସେଥିପାଇଁ ମୁହଁରେ ସିନା ସ୍ତ୍ରୀ କିଛି କହିଲେ ନାହିଁ, କିନ୍ତୁ ମନଭିତରେ ଯେ ସଂଶୟ ଓ ଶଙ୍କା ତାଙ୍କୁ କାବୁ କରିରଖିଛି ଏହା ବିଶ୍ୱନାଥଙ୍କର ଅଗୋଚର ରହିଲା ନାହିଁ । ସେ ନିଜ ଆଡ଼ୁ ସଫେଇ ଦେବାପରି କହିଲେ, ମୁଁ ସାକ୍ଷୀ ଦେଇ ନଥିଲେ ଧର୍ମଦ୍ରୋହୀ ହୋଇଥାଆନ୍ତି । ଯାହାର ବିରୋଧ କରି ଜୀବନସାରା ଦୁଃଖ ସହି ଆସିଲି ଆଜି ଶେଷ ଜୀବନରେ ମିଛ କହି ସେତକ ପୁଣ୍ୟଫଳ ବିସର୍ଜନ ହୋଇଥାଆନ୍ତି ? ଯାହା ହେବାର ହେବ… ଯିଏ ସତ୍ୟ, ପ୍ରତିଷ୍ଠାତା ସିଏ ଦେଖିବେ ସିଏ ବୁଝିବେ... ।

 

ସିଏ ବୁଝିବେ କି ନାହିଁ କେଜାଣି କିନ୍ତୁ ଶାରଦା ଯେ ମନେ ମନେ ଶଙ୍କାରେ ସଙ୍କୁଚିତ ହେବାକୁ ଲାଗିଲେ ଏହା ଅନୁମାନ କଲେ ବିଶ୍ୱନାଥ । ସେ ଭୟ କରନ୍ତି ନାହିଁ । ଭୟକୁ ଘୃଣା କରନ୍ତି କିନ୍ତୁ ନିଜ ସ୍ତ୍ରୀଙ୍କ ଆଖିରେ ଆଶଙ୍କାର ଛାଇ ଦେଖି କହିଲେ–ଡରୁଛ କାହିଁକି ଯେ... ମୁଁ ରାମନାରାୟଣର ଖାଏ ନାହିଁ କି ଧାରେ ନାହିଁ । ମୁଁ ତା’ର ପ୍ରଜା ନୁହେଁ କି ତା’ ଦ୍ୱାରା ଅନୁଗୃହୀତ ନୁହେଁ । ମୁଁ ତାକୁ ଡରି ମିଛ କହିବି ? ଆଉ ମିଛ କହିଥିଲେ ଅନ୍ୟାୟ କରି ନ ଥିବା, ସତ୍ୟ ଧର୍ମରେ ଥିବା ଲୋକଟିଏ ଦଣ୍ଡ ପାଇଥାଆନ୍ତା ।

 

ଶାରଦା ଆଉ କିଛି ନକହି କେବଳ ଏତିକି କହିଲେ, ଲୁଗାପଟା ବଦଳାଇ ଆସ... ଏଇ ଅନ୍ଧାରଟାରେ ଆଉ ନଦୀକୁ ଯାଅନି ବରଂ କୂଅରୁ ପାଣି ଦୁଇ ବାଲ୍‍ତି ମୁଁ କାଢ଼ି ଦଉଛି ଏଇଠି କାମ ସାରି ନିଅ ।

 

ବିଶ୍ୱନାଥ ସ୍ତ୍ରୀଙ୍କ କଥାମାନି ନେଇ ସେୟା କଲେ । ସାଧାରଣତଃ ସେ ସନ୍ଧ୍ୟାବେଳେ ନଦୀକୁ ଯାଇ ସନ୍ଧ୍ୟାକୃତ୍ୟ ଶେଷକରି ଫେରନ୍ତି । ଏହା ବହୁଦିନର ଅଭ୍ୟାସ । ଏହା ଅବସରରେ ସାନ୍ଧ୍ୟଭ୍ରମଣ ବି ହୁଏ ଆଉ କାରଖାନାରୁ କାମସାରି ଫେରୁଥିବା ଶ୍ରମିକମାନଙ୍କ ସହିତ ସୁଖ ଦୁଃଖ ହେବାଲାଗି ଅପ୍ରତ୍ୟାଶିତ ସୁଯୋଗଟିଏ ମିଳିଯାଏ । ଚଟକଳର ଧୂଳିମଳି ଧୋଇଦେଇ ସତେଜ ହେବା ଲାଗି କଳ ପାଣିବା କୂଅ ପାଣିରେ ନଗାଧୋଇ ମହାନଦୀର ପ୍ରବହମାନ ସ୍ରୋତରେ ଗାଧୋଇ ଆସନ୍ତି ଶ୍ରମିକମାନେ । ଶ୍ରମିକ ବସ୍ତିର ଶେଷ ମୁଣ୍ଡରେ ରହୁଥିବା ବିଶ୍ୱନାଥ ମଧ୍ୟ ସେୟାକରନ୍ତି । ଆଜି କିନ୍ତୁ କଅଣ ଭାବି ଯେ ସେ ତହିଁରେ ବ୍ୟତିକ୍ରମ କଲେ, ତାହା ଭାବିବାକୁ ଆଦୌ ସମୟ ପାଇଲେ ନାହିଁ ।

 

ସନ୍ଧ୍ୟାକର୍ମ ଶେଷ କରି ଖିଆପିଆ ସାରି ଶୋଇବାକୁ ଗଲେ ବିଶ୍ୱନାଥ । ଖାଇସାରି ବିଛଣା ଧରିବା ମାତ୍ରେ ଘୁଘୁଂଡି ମାରନ୍ତି ସେ । ଆଜି କିନ୍ତୁ ନିଦ ହେଲାନି । ଶାରଦା ଗୃହକର୍ମ ଶେଷ କରି ଆସିଲାବେଳକୁ ସେ ଶୋଇ ନ ଥିଲେ । କୌଣସି ବାକ୍ୟବ୍ୟୟ ନ କରି ଶୋଇପଡ଼ିବାର ଦେଖିଲେ ଶାରଦାଙ୍କୁ ଆଉ କୌଣସି କଥା କହିବା ପାଇଁ ମଧ୍ୟ ତାଙ୍କର ଇଚ୍ଛା ନଥିଲା ।

 

ବହୁ ସମୟ ଧରି କେବଳ ଭାବି ଚାଲିଲେ ବିଶ୍ୱନାଥ । ସେ ସତ୍ୟ ଓ ନ୍ୟାୟର ପ୍ରତିଷ୍ଠାପାଇଁ ଧର୍ମ ରକ୍ଷା ପାଇଁ ସତ୍ୟ କଥା ହିଁ କହିଛନ୍ତି କୋର୍ଟରେ । ବିଚାରପତିଙ୍କ ଆଗରେ ସେ ଶପଥ ନେଇ କହିଥିଲେ ଯେ ସେ ଯାହା କହିବେ କେବଲ ସତ କହିବେ, ମିଛ କହିବେ ନାହିଁ । ସାକ୍ଷୀ ଦେଲାବେଳେ ଏହି ଶପଥ ସେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି, ଲଘଂନ କରିନାହାନ୍ତି । ତାଙ୍କରି ସାକ୍ଷ୍ୟ ଯେ ରାମନାରାୟଣଙ୍କୁ ଦଣ୍ଡିତ କରିବା ପାଇଁ ଯଥେଷ୍ଟ ଏହା ସେ ଜାଣି ନଥିଲେ । ଜାଣିଲେ ମଧ୍ୟ କିଛି କରିପାରି ନ ଥାନ୍ତେ । ରାମନାରାୟଣଙ୍କ ମୁହଁକୁ ଚାହିଁ ବା ତାଙ୍କ ଅନୁରୋଧ ରକ୍ଷା କରି ସେ ମିଥ୍ୟା ସାକ୍ଷ୍ୟ ଦେଇ ପାରି ନଥାନ୍ତେ ।

 

ରାମନାରାୟଣ ହୁଏତ ରାଗିଛନ୍ତି ତାଙ୍କ ଉପରେ । ସେ ହୁଏତ କେବେ ହେଲେ ତାଙ୍କର ଏହି ଧୃଷ୍ଟତା କ୍ଷମା କରିବେ ନାହିଁ । କିନ୍ତୁ ସାକ୍ଷ୍ୟ ନ ଦେଇ ଘର ଭିତରେ ଚୁପ୍ ହୋଇ ବସି ରହିଥିଲେ ସନୁ ଘଡ଼େଇ ସର୍ବସ୍ୱ ହରାଇ ଥାଆନ୍ତା ଅନ୍ୟାୟରେ । ଶାସ୍ତ୍ର କଥା ମନେ ପଡ଼ିଲା । କେବଳ ଅନ୍ୟାୟ ନ କରିବା ଯଥେଷ୍ଟ ନୁହେଁ ଅନ୍ୟାୟ ସହ୍ୟ କରିବା ମଧ୍ୟ ଅନୁଚିତ, ଅନ୍ୟାୟ ଦେଖି ନିରବ ରହିବା ମଧ୍ୟ ଅଧର୍ମ । ସତ୍ୟ ଓ ଧର୍ମବଳରେ ଆତଯାତ ହେଉଛି ପୃଥିବୀ । ସତ୍ୟ ଓ ଧର୍ମ ଅଛି ବୋଲି ପବନ ବହୁଛି । ବିଶ୍ୱବ୍ରହ୍ମାଣ୍ଡ ସତ୍ୟକୁ ଆଶ୍ରୟ କରି କୋଟି କୋଟି ବର୍ଷ ଚାଲି ଆସିଛି ଏହିପରି । ଅଧର୍ମ ପ୍ରବଳ ହେଲେ, ଅନ୍ୟାୟ ମିଥ୍ୟା, ଅନୀତି ଜନ ଜୀବନକୁ ଅବକ୍ଷୟ ଭିତରକୁ ଟାଣି ନେଲେ; ଦୁଃସ୍ଥ, ଦୁର୍ବଳ ଓ ଅସହାୟ ନିପୀଡ଼ିତ ଓ ନିର୍ଯାତିତ ହେଲେ ଈଶ୍ୱର ସ୍ୱୟଂ ଅବତରଣ କରନ୍ତି ମହୀମଣ୍ଡଳରେ । ସେଥିପାଇଁ ତ ଭାଗବତ କହିଛନ୍ତି, ‘ଦୁଷ୍ଟ ନିବାରି ସନ୍ଥପାଳୁ, ତୁ ନାଥ ପରମ ଦୟାଳୁ ।’ ଦୁଷ୍ଟଙ୍କୁ ଦମନ କରିବା ତାଙ୍କର କାମ, ଧର୍ମ ସଂସ୍ଥାପନ କରିବା ମଧ୍ୟ ତାଙ୍କରି କାର୍ଯ୍ୟ ।

 

ଅନେକ ରାତି ପର୍ଯ୍ୟନ୍ତ ନିଦ ହେଲାନି ବିଶ୍ୱନାଥଙ୍କର । କେବଳ ଭାବି ଭାବି କଡ଼ ଲେଉଟାଇ ଅନେକ ସମୟ କଟାଇ ଦେଲେ ସେ ।

 

ସଂସାର ଜଞ୍ଜାଳ ବଢ଼ିବାରେ ଲାଗିଛି । ଶାରଦା ପୁଣି ଗର୍ଭବତୀ । ସାତ ଓ ପାଞ୍ଚବର୍ଷର ଦୁଇ ପୁଅ ପରେ ତୃତୀୟ ଆସିବ ଏଥର । ପୁଅ ହେବ କି ଝିଅ ହେବ କିଏ ଜାଣେ ? ଏଇ କୁଟୁମ୍ବକୁ କଷ୍ଟେ ମଷ୍ଟେ ଚଳେଇ ଆସିଛନ୍ତି ସେ ! ବେଳେବେଳେ ଥକି ଯାଇଛନ୍ତି, ହାଇ ମାରି ବସି ପଡ଼ି ମୁହଁ ଓ ଦେହର ଝାଳ ପୋଛି ଟିକେ ବିଶ୍ରାମ କରି ପୁଣି ଉଠିଛନ୍ତି ।

 

କାହାରି ସହିତ ଶତ୍ରୁତା ନାହିଁ ତାଙ୍କର । ଏହି ପ୍ରଥମ ଶତ୍ରୁତା ସୃଷ୍ଟିର ସୂତ୍ରପାତ ହେଲା । ରାମନାରାୟଣ ପ୍ରବଳ ପରାକ୍ରମୀ ପ୍ରତିପକ୍ଷ । ତାଙ୍କୁ କ୍ଷମା ଯେ କରିବେ ନାହିଁ ଏହା ସତ୍ୟ, ବରଂ ଦଣ୍ଡଦବା ପାଇଁ ସୁଯୋଗ ଖୋଜିବେ । ସାକ୍ଷ୍ୟ ଦବା ଆଗଦିନ ଭୀମା ବାରିକକୁ ପଠେଇଥିଲେ ସେ-। ଭୀମ ତ ନିଜର ଭାଷାରେ କହିନଥିଲା, ତାହା ଥିଲା ରାମନାରାୟଣଙ୍କର ଭାଷା । ପାଣି ଭିତରେ ଘର କରି କୁମ୍ଭୀର ସଙ୍ଗେ କଳି । ଘର କରି କାହାର ବିପଦ ଆପଦ ନାହିଁ । ସନୁ ଘଡ଼େଇ ବାଉରି ବାପୁଡ଼ା । ତାହାରି କଥାରେ ପଡ଼ି ପଥ ହୁଡ଼ିଲେ ବିଶ୍ୱନାଥଙ୍କୁ ସ୍ୱୟଂ ଭଗବାନ ବି ରକ୍ଷା କରିପାରିବେ ନାହିଁ । ମନ୍ତ୍ରୀ ତାଙ୍କ ପକ୍ଷରେ, ଶାସନ ତାଙ୍କ ସପକ୍ଷରେ । ରାମନାରାୟଣଙ୍କ ସହ ଲଢ଼ୁ ନାହିଁ ଯେ ସନୁ ଘଡ଼େଇ ଶାସନ ଓ ଶାସକ ବିରୁଦ୍ଧରେ ଲଢ଼ୁଛି । ଆଉ ସେହିପରି ଦେଶଦ୍ରୋହୀ ସପକ୍ଷରେ ସାକ୍ଷ୍ୟ ଦେଇ ନିଜର ଧ୍ୱସଂ ଡ଼ାକି ଆଣିବା ବ୍ୟତୀତ ବିଶ୍ୱନାଥ ଆଉ କିଛି କରିପାରିବେ ନାହିଁ ।

 

ତଥାପି ସେ ଅଟଳ ମହାମେରୁ ପରି ନିଜ କଥାରୁ ଟଳିଲେ ନାହିଁ । ସମସ୍ତେ ପଛେଇ ଯିବାରୁ ସନୁ ଘଡ଼େଇ ନ୍ୟାୟ ପାଇବା ଆଶାରେ ତାଙ୍କ ମୁହଁକୁ ଚାହିଁବାରୁ ତିଳେମାତ୍ର ବିଳମ୍ବ ନକରି ତାଙ୍କୁ ସାଫ୍ କହିଦେଲେ ସେ–ଭୟ କଣ ଆଇନ ଅଛି, ଅଦାଲତ ଅଛି । କେହି ସାକ୍ଷୀ ନହେଲେ ମୁଁ ହେବି, କେବଳ ସତ୍ୟ କହିବି ।

 

ସନୁ ଘଡ଼େଇକୁ ଏତକ କହି ପିଲା ଦିନେ ମୁଖସ୍ତ କରିଥିବା କବିତା ପଙ୍‍କ୍ତିଏ ଆବୃତ୍ତି କରିଥିଲେ ବିଶ୍ୱନାଥ । ଆଜି ପୁଣି ସେଇ ପଦକ ଆବୃତ୍ତି କଲେ–“ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି…’’

 

ମୃତ୍ୟୁ ତାଙ୍କୁ କେବେ ଭୟ ଦେଖାଇ ପାରିନି । କିନ୍ତୁ ପରିବାର ସଙ୍କଟର ସମ୍ମୁଖୀନ ହେଲେ ସେ ନିର୍ଲିପ୍ତ ହୋଇ ବସି ପାରିବେ ନାହିଁ । ଶାରଦାଙ୍କର ବା ପିଲାମାନଙ୍କର ଅନିଷ୍ଟ ନହେଲେ ଶୋଚନା କରିବାର କିଛି ନାହିଁ । ନିଜପାଇଁ ସେ ପରୁଆ କରନ୍ତିନି ।

 

ବିଶ୍ୱନାଥଙ୍କୁ ଛାଇ ନିଦ ଲାଗି ଆସୁଥିଲା ବୋଧହୁଏ । କୌଣସି ଶବ୍ଦ ଶୁଣି ନିଦ ଭାଙ୍ଗିଗଲା । ସେ କଡ଼ ଲେଉଟାଇ କାନ ଡେରିଲେ ।

 

ସମଗ୍ର ପୃଥିବୀ ଶୋଇଛି ସେତେବେଳେ । ନିଶାଚର ପକ୍ଷୀମାନେ ବି ନୀରବ । ଜୀବଜଗତ ବୋଧହୁଏ ଦିନଯାକର କ୍ଳାନ୍ତି ଅପନୋଦନ କରୁଛି । ବିଶ୍ୱନାଥ ବିଛଣା ଛାଡ଼ି ଧୀରେ ଧୀରେ ବାହାରକୁ ଆସିଲେ । ଚତୁର୍ଦ୍ଦିଗ ଅନ୍ଧକାର ଦ୍ୱାରା ଆବୃତ । ଆକାଶ ବି ମେଘାଚ୍ଛନ୍ନ । ମ୍ୟୁନିସିପାଲିଟିର ବତୀ ଖୁଣ୍ଟର ଆଲୁଅ କେହି ନିଭାଇ ଦେଇଛି।

 

ଆକାଶକୁ ଅନେଇଲେ ବିଶ୍ୱନାଥ ।

 

ଏହି ବିଶାଳ ବିଶ୍ୱବ୍ରହ୍ମାଣ୍ଡ ଏବେ ବି ରହସ୍ୟ ହୋଇ ରହିଛି ମନୁଷ୍ୟ ପାଖରେ । ମନୁଷ୍ୟର ସବୁ ପରାକ୍ରମ, ରହସ୍ୟ ଭେଦ କରିବାର ସବୁ ଶକ୍ତି ଓ ସମୀକ୍ଷା ପରାସ୍ତ ହୋଇଛି । ବାହାସ୍ପୋଟ ମାରି ତର୍ଜନ ଗର୍ଜନ କରି ନିଜର ଶକ୍ତି ଜାହିର କରୁଥିବା ମନୁଷ୍ୟ ଏକାକୀ ନିର୍ଜନରେ ଏହି ପୃଥିବୀକୁ ନିରୀକ୍ଷଣ କଲେ ନିଜର କ୍ଷୁଦ୍ରତ୍ୱର ଶଙ୍କାରେ ଶିହରି ଉଠେ । ଗୋଟାଏ ନୌର୍ବ୍ୟକ୍ତିକ ଭୟ ତାକୁ ଆଚ୍ଛନ୍ନ କରିଦିଏ ଆତଙ୍କରେ । ସେ ସବୁ ଭୁଲିଯାଇ କେବଳ ଦେଖେ ମୃତ୍ୟୁର ଭୀମ ଭୟଙ୍କର ରୂପ । ମୃତ୍ୟୁ ଯେପରି ସର୍ବତ୍ର ମୁଖ ବ୍ୟାଦାନ କରି ପୃଥିବୀର ଜୀବଜଗତକୁ ଚଳୁ କରି ଦବାପାଇଁ ଆଗେଇ ଆସୁଛି । ନିଜ ଜୀବନର ନଗଣ୍ୟତ୍ୱ ଆଜି ତାଙ୍କୁ ଏକ ଶୁଷ୍କ ନିଷ୍କରୁଣ ଶୂନ୍ୟତା ଭିତରକୁ ଠେଲି ନେଇଯିବା ପରି ଲାଗୁଛି ତାଙ୍କୁ ।

 

ଆହୁରି କେତେବେଳ ପର୍ଯ୍ୟନ୍ତ ସେଠାରେ ସେହିପରି ସେ ଛିଡ଼ା ହୋଇଥାଆନ୍ତେ, କିନ୍ତୁ ପଛରୁ କାହାର ଡାକ ଶୁମି ଚମକି ପଡ଼ି ଚାହିଁଲା ବେଳକୁ ଦେଖିଲେ ଯେ ଶାରଦା କେତେବେଳେ ଆସି ତାଙ୍କ ପଛରେ ଛିଡ଼ା ହୋଇଛନ୍ତି।

 

ଏଇ ଅନ୍ଧାରରେ ଛିଡ଼ା ହୋଇ କଅଣ ଏତେ ଭାବୁଛ ?

 

ପତ୍ନୀଙ୍କର ସ୍ୱର ଶୁଣି ପଛକୁ ଚାହିଁଲେ ବିଶ୍ୱନାଥ, କିନ୍ତୁ ଉତ୍ତର କିଛି ଦେଲେନାହିଁ । ଟିକେ ପରେ ସ୍ତ୍ରୀଙ୍କର ଗୋଟାଏ ହାତ ଉଠାଇ ନେଇ କହିଲେ, ନିର୍ଜନ ରାତିରେ ଏଇ ସୁପ୍ତ ପୃଥିବୀକୁ ନିରୀକ୍ଷଣ କଲେ ମନୁଷ୍ୟ କେଡ଼େ ଏକା, କେଡ଼େ ନିଃସଙ୍ଗ ଓ ନିସହାୟ ଏହା ଖାଲି ଆଖିରେ ପଡ଼େ ଶାରଦା । ତୁମେ ପାଖରେ ଛିଡ଼ା ହୋଇଛି ବୋଲି ମୁଁ ବର୍ତ୍ତମାନ ଆଉ ଏକାକୀତ୍ୱର କ୍ଷୁଦ୍ରତା ଦ୍ୱାରା ନିପୀଡ଼ିତା ନୁହେଁ, ମୋତେ ଲାଗୁଚି ତୁମେ ଆଉ ମୁଁ ଏକାସାଙ୍ଗରେ ଅଛୁ, ଏକାସାଙ୍ଗରେ ରହିଥିବୁ । ପୃଥିବୀ ଏହିଠାରେ ଗୋଟିଏ ବିନ୍ଦୁରେ ଶେଷ ହୋଇଯାଇନି ଆହୁରି ଜାଗା ଅଛି ।

 

ବିଶ୍ୱନାଥ ବେଳେବେଳେ ଏହିପରି ଦାର୍ଶନିକଙ୍କ ପରି କଥା କହନ୍ତି । ସେତେବେଳେ ସେ ଭୁଲିଯାଆନ୍ତି ଯେ ସେ ସାଧାରଣ ଜଣେ ପ୍ରଜା... ।

 

ଶାରଦା ସ୍ୱାମୀଙ୍କୁ ଘରକୁ ଫେରିବା ପାଇଁ କହିଲେ । ବିଶ୍ୱନାଥ ଆଗେ ଆଗେ ଏବଂ ଶାରଦା ପଛେ ପଛେ ଯାଇ ଶୋଇବା ଘର ଭିତରକୁ ପଶିବା ଆଗରୁ କେହି ଯେପରି ଦୂରରୁ ଚାଲିଗଲା । ବିଶ୍ୱନାଥ କାହାକୁ ଦେଖି ପାରିଲେ ନାହିଁ ଅନ୍ଧାରରେ । କିନ୍ତୁ ସେ ଅନୁଭବ କରିବାକୁ ଲାଗିଲେ ଯେ କେହି ଜଣେ ଅନୁପ୍ରବେଶ କରିଛି ଘର ଭିତରେ ।

 

ଶାରଦା କହିଲେ, କିଏ ପଶିବ ଆମ ଘରେ ଏତେ ରାତିରେ ? ଆମ ଘରେ ସୁନା ରୂପା ନାହିଁ ଯେ ଚୋର ପଶିବ !

 

ନା ଚୋର ନୁହେଁ । ହୁଏତ ଆଉ କେହି... କହିଲେ ବିଶ୍ୱନାଥ ।

 

ତଥାପି ନିଃସନ୍ଦେହ ନ ହୋଇ ସୁଇଚ୍ ଟିପିଲେ । ଆଲୁଅ କିନ୍ତୁ ଜଳିଲା ନାହିଁ, ଇଲେକଟ୍ରିକ୍ ସପ୍ଲାଇ କେତେବେଳେ ବନ୍ଦ ହୋଇଯାଇଛି ।

 

ଲଣ୍ଠନ ଲଗାଇବା ପାଇଁ ଦିଆସିଲି ଖୋଜିଲେ ଶାରଦା । ଆଜିକାଲି ବିଜୁଳି ସରବରାହରେ ବିଭ୍ରାଟ ଘଟୁଥିବା ଯୋଗୁଁ ଲଣ୍ଠନରେ ତେଲ ଭର୍ତ୍ତି କରି କାଚ ସଫା କରି ଖଟ ତଳେ ରଖିବାକୁ ଭୁଲନ୍ତି ନାହିଁ ସେ । ଦିଆସିଲି ରଖନ୍ତି ତକିଆ ତଳେ । କେଉଁଠି କିପରି ଭୁଲ ହେଲା କେଜାଣି ଦିଆସିଲି ଖୋଜି ପାଇଲେ ନାହିଁ ।

 

ଆଉ କାଳବିଳମ୍ବ ନକରି ଶୋଇବା ଘରର ଦରଜା ଭିତରୁ ବନ୍ଦକରି ଦେଲେ ବିଶ୍ୱନାଥ । ସେଇ କୋଠରୀର ଏକାଂଶରେ ମାଆର ଖଟରେ ଶୋଇଥିଲା ସାନପୁଅ ଏବଂ ତାଙ୍କ ଖଟରେ ଶୋଇଥିଲା ବଡ଼ପୁଅ । ବିଶ୍ୱନାଥ ହାତ ଅଣ୍ଡାଳି ଜାଣିଗଲେ ଯେ ପୁଅ ନିର୍ବିଘ୍ନରେ ନିଶ୍ଚିନ୍ତରେ ଶୋଇଛି । ସେ ଲମ୍ବ ହୋଇ ଶୋଇପଡ଼ିବା ବେଳକୁ ଚିରିଚିରେଇ ଉଠିଲେ ଶାରଦା, କୁନୁକୁ ଦେଖୁ ନାହିଁ ଯେ, ତୁମ ଖଟ ଉପରକୁ ଚାଲି ଯାଇନାହିଁ ତ ।

 

ବିଶ୍ୱନାଥଙ୍କର ଛାତି ଭିତରଟା ଧଡ଼୍‍କରି ଉଠିଲା । ସାଧାରଣତଃ ଭୟ କରନ୍ତିନି ସେ । କିନ୍ତୁ ଆଜି କାହିଁକି ଆଶଙ୍କାର ଏକ ଶୀତଳ ପ୍ରବାହ ବହିଗଲା ମେରୁଦଣ୍ଡର ଏକ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ । ବିଶ୍ୱନାଥ ଖଟ ସାରା ଅଣ୍ଡାଳି ପକାଇ କହିଲେ, କାହିଁ ଦେଖୁନି ତ ତାକୁ... ସେ ଖଟ ତଳକୁ ଗଡ଼ି ପଡ଼ି ନାହିଁ ତ ?

 

ଦୁଇ ତିନି ଥର ଏମିତି ଖଟତଳକୁ କୁନୁ ଗଡ଼ି ପଡ଼ିଥିଲା ବୋଲି ତାକୁ କାନ୍ଥଆଡ଼କୁ ଶୁଆନ୍ତି ଶାରଦା । ସେଠାରୁ ତଳକୁ ଗଡ଼ି ପଡ଼ିବାର ଆଶଙ୍କା ନାହିଁ । ସେଇ ସୂଚୀଭେଦୀ ଅନ୍ଧକାର ଭିତରେ ଖଟତଳ ଏବଂ କୋଠରୀର ସର୍ବତ୍ର ଅଣ୍ଡାଳି ପକାଇଲେ ସ୍ୱାମୀ ସ୍ତ୍ରୀ, କିନ୍ତୁ ସବୁ ଚେଷ୍ଟା ନିଷ୍ଫଳ ପ୍ରମାଣିତ ହେଲା । ଏତେ ବେଳକୁ ସତରେ ଭୟରେ ଥରି ଉଠି ପ୍ରାୟ ଅସ୍ପଷ୍ଟ ସ୍ୱରରେ କହିଲେ ବିଶ୍ୱନାଥ–ତା’ହେଲେ କୁନୁ ଗଲା କୁଆଡ଼େ ? କବାଟ ଖୋଲି ମୁଁ ବାହାରକୁ ଯିବା ପରେ ସେ ପରିସ୍ରା କରିବାଲାଗି ଉଠି ଯାଇ ନିଦ ପ୍ରକୋପରେ ପିଣ୍ଡାରେ ଶୋଇପଡ଼ି ନାହିଁ ତ ?

 

ଆଉ ସମ୍ବାଳି ନ ପାରି, ଭୋ କିନା କାନ୍ଦି ଉଠିଲେ ଶାରଦା । ଆରେ ମୋ କୁନୁରେ... । ତାଙ୍କୁ ସାନ୍ତ୍ୱନା ଦବା ପାଇଁ ସମୟ ନଥିଲା ହାତରେ । ଏକା କୁଦାକେ ଆଗକୁ ଯାଇ କବାଟ ଖୋଲି ଦେଲେ ବିଶ୍ୱନାଥ ଏବଂ ସଙ୍ଗେ ସଙ୍ଗେ ଥଣ୍ଡା ପବନ ସହିତ କେହି ଯେପରି ଠେଲି ପେଲି ହୋଇ ପଶିଗଲା ଘରଭିତରକୁ । ଉତ୍ତର ଦିଗରେ କଳାମେଘ ଦିହରେ ତରଳ ସୁନାର ଗାର କାଟି ଚମକି ଉଠିଲା ବିଜୁଳି ଏବଂ ସଙ୍ଗେ ସଙ୍ଗେ ପାଖରେ କୋଉଠି ବଜ୍ରପାତ ହେବାର ଶୁଭିଲା ତାଙ୍କୁ ।

 

ଭୟାର୍ତ୍ତ କଣ୍ଠରେ ବଡ଼ପାଟିରେ ଡାକିଲେ ବିଶ୍ୱନାଥ–କୁନୁ... କୁନୁ... କୁନୁରେ... ।

 

ପବନର ଧକ୍କାଖାଇ ଖୋଲାଥିବା ଝର୍କାର ଫାଳେ ବାଡ଼େଇ ହୋଇଗଲା ବନ୍ଧ ଉପରେ ଏବଂ ଠିକ୍ ସେତିକିବେଳେ ଝଣ ଝଣ ଝଣାତ୍ କରି କାଚ ପାତ୍ରଟିଏ ତଳେ ପଡ଼ି ଭାଙ୍ଗି ଚୁର୍‍ମାର ହୋଇଗଲା ।

 

ସାରଦା ଆତଙ୍କରେ ରଡ଼ି ଛାଡ଼ିଥାଆନ୍ତି ସେତେବେଳକୁ–ଆରେ ମୋ କୁନୁ କୁଆଡ଼େ ଗଲୁରେ... ।

 

ବିଶ୍ୱନାଥ ସ୍ତବ୍ଧ ହୋଇ ଛିଡ଼ା ହୋଇ ରହିଲେ ମୁହୂର୍ତ୍ତେ । ତା’ପରେ କେହି ଜଣେ ଦାଣ୍ଡ କବାଟ ଖୋଲି ଦୌଡ଼ି ପଳେଇଯାଉଥିବାର ସନ୍ଦେହ କରି ତା’ର ଅନୁସରଣ କରି ଦୌଡ଼ିଯିବାବେଳେ ହଠାତ୍‍ ଗୋଟିଏ ଧାରୁଆ ବସ୍ତୁର ଆଘାତ ପାଇ ଯନ୍ତ୍ରଣାରେ ଆର୍ତ୍ତନାଦ କରି ଭୂଲୁଣ୍ଠିତ ହେବାବେଳକୁ ଜଳିଉଠିଲା ଆଲୁଅ ।

 

ସେଇ ଆଲୁଅରେ ଅବାକ୍ ବିସ୍ମୟରେ ଶାରଦା ଦେଖିଲେ ଯେ ଶୋଇବା ଘରର ଏକାଂଶରେ ଶପ ଉପରେ ସନ୍ଧ୍ୟା ବେଳେ ଯେମିତି ଶୋଇଥିଲା କୁନୁ ଠିକ୍ ସେମିତି ନିଶ୍ଚିତରେ, ନିର୍ଭୟରେ ଶୋଇ ରହିଛି ।

 

କିନ୍ତୁ ତାକୁ କୋଳକୁ ଉଠାଇନବା ଆଗରୁ ସ୍ୱାମୀଙ୍କର ଆର୍ତ୍ତସ୍ୱର ଶୁଣି ବାହାରକୁ ଧାଇଁ ଯାଇ ଯାହା ଦେଖିଲେ ଶାରଦା ସେଥିରେ ତାଙ୍କର ହାଲୁକ ଶୁଖିଗଲା, ପାଦତଳୁ ପୃଥିବୀ ଚହଲି ଯିବା ପରି ମନେ ହେଲା ।

 

ରକ୍ତାତ ଶରୀରରେ ମାଟି ଉପରେ ପଡ଼ିଥିଲେ ବିଶ୍ୱନାଥ, ଯେମିତି ଝଡ଼ ପରେ ମାଟି ଉପରେ ଅବିନ୍ୟସ୍ତ ଭାବରେ ପଡ଼ିରୁହେ ପେନ୍ଥାଏ କୃଷ୍ଣଚୂଡ଼ା ।

☆☆☆

 

ଜନନୀ

 

ରାମାୟା ନିରୁଦ୍ଦିଷ୍ଟ ହୋଇଯିବାପରେ ଏକା ହୋଇଗଲା ଲକ୍ଷ୍ମୀ । ଦିନେ ଯେ ତାକୁ ଛାଡ଼ି ରାମାୟା ଚାଲିଯିବ ଏହା ସେ ଭାବି ନଥିଲା କେବେ । କିନ୍ତୁ ପୃଥିବୀରେ ଅନେକ ଅଘଟଣ ଘଟିବା ପରି ଏହା ସମ୍ଭବ ହେଲା । ସେ ଦୁହେଁ ଏକତ୍ର ରହିବା ଦିନର ଆକସ୍ମିକତା ପରି ରାମାୟା ତାକୁ ଛାଡ଼ି ଚାଲିଯିବା ବି ଥିଲା ସେହିପରି ଆକସ୍ମିକ ଓ ଅପ୍ରତ୍ୟାଶିତ । ସେ ଦିନର ଘଟଣା ମନେ ପଡ଼ିଗଲା ଲକ୍ଷ୍ମୀର ।

 

ପାଞ୍ଚବର୍ଷ ତଳେ ସେ ଯେଉଁଦିନ ଡାକ୍ତରଖାନା ଛାଡ଼ିଲା ସେଦିନ ତାକୁ ପାଖରେ ବସେଇ ଡାକ୍ତରାଣୀ କହିଥିଲେ ଯେ ଆଉ ମା ହୋଇପାରିବେ ନାହିଁ । କିନ୍ତୁ ଏହା ଛଡ଼ା ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଆଉ କିଛି ବାଧା ବିଘ୍ନ ରହିବ ନାହିଁ । ରାମାୟା ଏସବୁ ଜାଣି ମଧ୍ୟ ଲକ୍ଷ୍ମୀ ସହିତ ଏକାଠି ରହିବ ବୋଲି ସ୍ଥିର କରିଥିଲା । ଏତେ ସ୍ତ୍ରୀ ଲୋକ ଥାଉଁ ଥାଉଁ ସେ ଯେ କାହିଁକି ଲକ୍ଷ୍ମୀକୁ ପସନ୍ଦ କଲା ଏହା ସେ ଆଦୌ ବୁଝିପାରିନଥିଲା । ରାମାୟା ହାତରେ ନିଜକୁ ସମର୍ପି ଦେଇ ନିଃଶେଷ ହେବାର ସୁଖ ସେ ଯେପରି ପାଇଥିଲା, ସେହିପରି ସ୍ତ୍ରୀର ସମ୍ପୂର୍ଣ୍ଣ ଅନୁଗତ ହୋଇ ରାମାୟା ନିଜକୁ ପରିପୂର୍ଣ୍ଣ ଅନୁଭବ କରୁଥିଲା । ଦୁହେଁ ରୋଜଗାର କରୁଥିଲେ, ଯାହା ଉପାର୍ଜନ କରୁଥିଲେ ଏକତ୍ର କରି ଇଚ୍ଛା ଅନୁସାରେ ଖର୍ଚ୍ଚ କରୁଥିଲେ । ରାମାୟା ସୁପୁରୁଷ ଥିଲା କିନ୍ତୁ ତାର ଗୋଟିଏ ଦୁର୍ଗୁଣ ଥିଲା ଏହି ଯେ ସନ୍ଧ୍ୟା ହେଲେ ସେ ମଦ ନପିଇ ରହିପାରୁନଥିଲା । ମଦ ଛଡ଼େଇବାପାଇଁ ଆରମ୍ଭରେ ବହୁ ଚେଷ୍ଟା କରିଥିଲା ଲକ୍ଷ୍ମୀ । କିନ୍ତୁ ଲକ୍ଷ୍ମୀକୁ ଯେପରି ରାତିରେ ସେ ମୁହୂର୍ତ୍ତେ ଛାଡ଼ି ରହିପାରୁନଥିଲା । ସେ ମଦ ପିଉଥିଲେ ବି ତାକୁ କେବେ ମାତାଲ ହେବାର ଦେଖି ନଥିଲା ଲକ୍ଷ୍ମୀ । ସେଥିପାଇଁ ସେ ଅଯଥା ହସ୍ତକ୍ଷପ ନ କରି ବରଂ ତା ବଦଭ୍ୟାସ ସହି ଯାଉଥିଲା । ଲକ୍ଷ୍ମୀ ସୁଯୋଗ ପାଇଲେ ରାମାୟାକୁ ଏହା କହିବାକୁ ଭୁଲୁ ନଥିଲା ଯେ ମଦ ଓ ସ୍ତ୍ରୀର ଜଗତ ଅଲଗା–ଏକା ନୁହେଁ-। ମଦ ନଛାଡ଼ି ସ୍ତ୍ରୀକୁ ଛାଡ଼ିଥିବା ପୁରୁଷଙ୍କ ଅଭାବ ନାହିଁ । ପୃଥିବୀରେ କିନ୍ତୁ ସ୍ତ୍ରୀକୁ ନଛାଡ଼ି ମଦ ଛାଡ଼ିଥିବା ପୁରୁଷଙ୍କ ସଖ୍ୟା ଅନେକ କମ, ହାତ ଆଙ୍ଗୁଳିରେ ଗଣି ହେବାପରି । ସେତେବେଳେ ତା’ ଗାଲରେ ଚୁମା ଦେଇ ରାମାୟା କହୁଥିଲା ଯେ ସେ ସମସ୍ତଙ୍କ ଠାରୁ ଭିନ୍ନ, ମଦ ବି ଛାଡ଼ିବ ନାହିଁ ଆଉ ଲକ୍ଷ୍ମୀକୁ ବି ଛାଡ଼ି ପାରିବ ନାହିଁ । ସେତେବେଳେ ରାମାୟା ଦେହର ଉଷ୍ଣ ଆକର୍ଷଣରେ ନିଜକୁ ଲକ୍ଷ୍ମୀ ହଜେଇ ଦେଉଥିଲା ସତ, କିନ୍ତୁ ବେଳେବେଳେ ସେ ମଦ ଦୋକାନିର ଭଉଣୀର ମାଦକତାଭରା ହସ ମନେ ପଡ଼ିଲେ ସେ ଶିହରି ଉଠୁଥିଲା ଆତଙ୍କରେ । ରାମାୟା ତା’ ଅକ୍ତିଆରକୁ ଯାଇ ନାହିଁ ବୋଲି ମନରେ ଗର୍ବ ହେଉଥିଲେ ବି କାଳେ କେତେବେଳେ କଣ ଘଟି ଯାଇପାରେ ଏଥିନେଇ ନିଆଁ ହାଣ୍ଡି ଖାଇବା ପରି ଆଶଙ୍କା ତାଙ୍କୁ ଦଗ୍ଧ କରୁଥିଲା ସଦାବେଳେ । ସେ ମୁହଁ ଖୋଲି ଦିନେ ହେଲେ ପଚାରି ନଥିଲେ ରାମାୟାକୁ ଏ ବିଷୟରେ ।

 

ରାମାୟା ଅନ୍ତର୍ଦ୍ଧାନ ହୋଇଯିବା ପରେ ପ୍ରଥମେ ସେଇ ମଦ ଦୋକାନର ମଦାଳସୀ ଭଉଣୀ ଅଛି କି ନାହିଁ ଦେଖିବା ପାଇଁ ଦୌଡ଼ି ଯାଇଥିଲା ଲକ୍ଷ୍ମୀ । କିନ୍ତୁ ମଦାଳସୀ ତାକୁ ଦେଖି ବି ନ ଦେଖିବା ପରି ମୁହଁ ଫେରାଇ ନେଲା । ସବୁ ସହିପାରେ ଲକ୍ଷ୍ମୀ, କିନ୍ତୁ କାହାର ଉପେକ୍ଷା ସହିପାରେନା । ସେ ମୁହୂର୍ତ୍ତେ ମାତ୍ର ଅପେକ୍ଷା ନକରି ଫେରି ଆସିବା ବେଳେ ନିଜକୁ ନିଜେ କହିଲା–ରାମାୟା ଯଦି ପାଞ୍ଚବର୍ଷର ସମ୍ପର୍କ ଭାଙ୍ଗି ତାକୁ ନକହି ନବୋଲି ଚାଲିଯାଇ ପାରିଲା ସେ କୋଉ ଦୁଃଖରେ ତାକୁ ଖୋଜୁଛି ? ଭାବିବା କ୍ଷଣି ଗୋଟେ ଅଦ୍ଭୁତ ପ୍ରକାର ନିଶ୍ଚଳତା ତା’ ମନକୁ କେତେକ୍ଷଣ ପାଇଁ ନୀରବ କରିଦେଲା । ଅଳ୍ପକ୍ଷଣପାଇଁ ହେଲେ ବି ସେଇ ନୀରବତା ଭଲ ଲାଗୁଥିଲା ତାକୁ ।

 

ଲକ୍ଷ୍ମୀ ତା’ କାମରେ ଲାଗିଗଲା ପୂର୍ବପରି । ଯେପରି ତାର କିଛି ହୋଇନାହିଁ ସେହିପରି କାମର ନିଶାରେ ସେ ସହିଗଲା ସବୁ । ଘରେ ଟିକେ ସମୟ ଦେଉଥିଲା ଆଗେ, ଏବେ ସେତିକି ବି ଆଉ ନାହିଁ । ଆହୁରି ଦୁଇଘରେ ବାସନ ମାଜିବା, ଲୁଗା ଧୋଇବା କାମ ହାତକୁ ନେଲା ସେ । ରୋଜଗାର ବଢ଼ିବ ଏଥର । ସେ ଯେତିକି ଉପାର୍ଜନ କରୁଥିଲା ସେତିକି କୌଣସି ପ୍ରକାରେ ଚଳିଯିବା ପାଇଁ କମ୍‍ ନ ଥିଲା । କିନ୍ତୁ ବିପଦ ଆପଦବେଳକୁ ପଇସାଟିଏ ହାତରେ ନଥାଏ ବୋଲି ସେ ଆଉ ଦୁଇ ଘରର ଦାୟିତ୍ୱ ନେଲା । ସକାଳେ ପଖାଳ କଂସାଏ ଖାଇ ବାହାରି ଆସେ ଯେ ପୁଣି ରାତି ଆଠଟା ନଅଟାକୁ ଫେରିଲେ ଭାତ ରାନ୍ଧେ । ଦିନେ ଦିନେ ବେଶୀ କାମ ପଡ଼ିଗଲେ ସେତକ ବି କରିବାକୁ ସମୟ ପାଏ ନାହିଁ । କାହା ଘରେ ଚାହା ଗିଲାସେ ତ ଆଉ କେହି ଦେଇ ଥିବା ରୋଟି ଖଣ୍ଡେ ଗିଳି ପାଣି ପିଇ ଶୋଇପଡ଼େ । ଆଉ ରାତିଟା ଗୋଟାଏ କଡ଼ରେ କେମିତି ଶେଷ ହୋଇଯାଏ, ତାହା ଭାବିବାକୁ ବି ସମୟ ପାଏନା ଲକ୍ଷ୍ମୀ ।

 

ଚୌଧୁରୀ ବାବୁଙ୍କ ବଢ଼ନ୍ତି କୁଟୁମ୍ବ ଦେଖି ବେଳେବେଳେ ନିଜ ପେଟକୁ ଚାହେଁ ଲକ୍ଷ୍ମୀ । ନା, କେବେ ମା ହୋଇପାରିବ ନାହିଁ । ତଥାପି କାହିଁକି କେଜାଣି ବେଳେ ବେଳେ ମନ ହୁଏ ଛୁଆ ଗୋଟେ ଆସନ୍ତା କି ଘରକୁ । ତାର ଘୁଅ ମୂତ ସଫା କରିବାକୁ ମନ ଆଉଟ ପାଉଟ ହୁଏ । ଗଳିରେ ଚାଲିଗଲାବେଳେ ଖେଳୁଥିବା ଛୋଟ ଛୋଟ ପିଲା ମାନେ ତାକୁ ଦେଖି ତା’ କୋଳକୁ ଡେଇଁ ନ ପଡ଼ି କାହିଁକି ଦଉଡ଼ି ପଳେଇ ଯାଆନ୍ତି, ତାହା ବୁଝି ପାରେନା ଲକ୍ଷ୍ମୀ । ସରୋଜର ଝିଅ ପୁଚୁକା ଗାଲରେ ବୋକ ଦବାଲାଗି ଇଚ୍ଛା ହୁଏ । ନିଧିବାବୁଙ୍କ ନାତିକୁ ଛାତି ଉପରେ ଜାକି ଧରିବା ପାଇଁ ମନ ଉଚ୍ଚାଟ ହୁଏ । ସେମାନଙ୍କୁ ଦେଖି ସଂସାର କେଡ଼େ ସୁନ୍ଦର ବୋଲି ସେ ଭାବେ । କମି ଆସୁଥିବା ମୁହଁଟା ପୁଣି ବଢ଼ିଯାଏ । ସେ ଘରକୁ ଫେରି ପେଡ଼ି ଖୋଲି ବସିଯାଏ ବେଳ ଅବେଳରେ ପକେଇଥିବା ଦଶ ପଇସି, ପଚିଶ ପଇସି ଗୁଡ଼ିକ ଗଣିବା ପାଇଁ । ରାମାୟା ଥିଲାବେଳେ ସଞ୍ଚୟ କରିବା ପାଇଁ ମନେ ନଥିଲା । ଏବେ ସେ ଏକା ରହୁଥିଲେ ବି, ଆଉ ତା ଗୁଜୁରାଣ ମେଣ୍ଟି ଯାଉଥିଲେ ବି ପାଞ୍ଚ ପଇସା, ଦଶ ପଇସା ଯାହା ବଳେ ପେଡ଼ି ଭିତରେ ପକେଇଦିଏ ଲକ୍ଷ୍ମୀ । ମାଲିକମାନଙ୍କ ଘରକୁ କୁଣିଆ ଆସିଲେ ସେମାନେ ବି ବକ୍‍ସିସ ଦିଅନ୍ତି ମଝିରେ ମଝିରେ । ସେ ସବୁ ଆଦୌ ଖର୍ଚ୍ଚ ନ କରି ପେଡ଼ି ଭିତରେ ରଖିଦିଏ ଲକ୍ଷ୍ମୀ । ସେଦିନ ସହଳ ଫେରିଆସିଲା ବୋଲି ପେଡ଼ି ଖୋଲି ପଇସା ଗଣିବାକୁ ବେଳ ହେଲା । ଅନେକ ବେଳ ଯାଏ ଗଣିବା ପରେ ତା’ ପାଖରେ ପ୍ରାୟ ମାସର ଉପାର୍ଜନ ଠୁଳ ହୋଇଗଲାଣି ଦେଖି ସେ ଅବାକ୍ ହୋଇଗଲା । କଣ କରିବ ଏଇ ପଇସାରେ ? କିଛି ଭାବିପାରିଲା ନାହିଁ ଲକ୍ଷ୍ମୀ ।

 

ସେଦିନ ଚୌଧୁରୀ ଘରେ ବାସନ ମାଜୁଥିବାବେଳେ ତାଙ୍କ ଘରେ ଶାଶୁବୋହୂଙ୍କ ଆଲୋଚନା ଚାଲିଥିଲା ଛୁଆପିଲା କାହିଁକି ହେଉନି ବୋଲି । ଚୌଧୁରୀ ମାଲିକାଣୀଙ୍କ ପାଞ୍ଚପୁଅ, ତିନି ଝିଅ । ସେମାନଙ୍କର ପୁଅଝିଅ ଅନେକ । ମଝିଆପୁଅର ବାହାଘର ସାତବରଷ ହେବ ହେଲାଣି, ବୋହୂ କିନ୍ତୁ ଏଯାଏ ମା ହେଇପାରିନି । ଚେରମୂଳଠାରୁ ଆରମ୍ଭ କରି ବହୁତ ଡାକ୍ତର କବିରାଜଙ୍କୁ ଦେଖାଇଥିଲେ ଚୌଧୁରୀ । ପଇସାବାଲା ଲୋକ । କିନ୍ତୁ ସମସ୍ତଙ୍କଠାରୁ ନାସ୍ତି ବାଣୀ ଶୁଣି ମନ ମରିଯାଇଥିଲା ତାଙ୍କର । ସେଦିନ ତାଙ୍କର ଶଳାର ପୁଅର ଚିଠି ପାଇ କିନ୍ତୁ ନୂଆ ଆଶା ଖେଳିଗଲା ମନରେ । ସେ ବିଲାତରେ ଡାକ୍ତର । ତାହାରି ଚିଠି ପଢ଼ି ଚୌଧୁରୀ ମାଲିକାଣୀ ଜାଣିଲେ ଯେ ବୋହୂ ବି ମା’ ହୋଇପାରେ । ଗୋଟେ ଅପରେସନ୍ କରିବା ପରେ ସେହି ବାଧା ଦୂର ହୋଇଯିବ । ବମ୍ବେ ଓ ମାନ୍ଦ୍ରାଜ୍‍ର ବଡ଼ ବଡ଼ ଡାକ୍ତରଖାନାରେ ବ୍ୟବସ୍ଥା ଅଛି ଏଥିପାଇଁ । ଗୁଡ଼ାଏ ଟଙ୍କା ଯାହା ଖର୍ଚ୍ଚ ହେବ । ଟଙ୍କାରେ ତ ଅଭାବ ନାହିଁ ଚୌଧୁରୀଙ୍କର । ଶାଶୁ ବୋହୂଙ୍କୁ ବୁଝାଉଥାଆନ୍ତି–ତୁ କାହିଁକି ଭାବୁଛୁ କହିଲୁ । ଟଙ୍କା ଲୋକ ରଖିଥାଏ ବିପଦ ଆପଦରେ ଖର୍ଚ୍ଚ କରିବା ପାଇଁ । ହଜାରେ ଟଙ୍କା ଖର୍ଚ୍ଚ କରି ଅପରେସନ୍ କଲେ ଯଦି ସେଇ କଥା ଦୂର ହୁଏ ମୁଁ ଆଜି ଟଙ୍କା ଦେବି । ତୁ ପ୍ରବୀରକୁ କହ, ସେ ତୋତେ ନେଇ ବମ୍ବେ ଯାଉ । ତା’ ବଡ଼ ଭାଇ ଅଛି ସେଠାରେ । ରହିବା ଖାଇବା ଅସୁବିଧା ହେବ ନାହିଁ । ଚିହ୍ନା ଜଣାଥିବେ । ମୁଁ ଆଜି ଚିଠି ଲେଖି ଦେଉଛି ।

 

ଚୌଧୁରୀ ଘରକାମ ଶେଷ କରି ରାସ୍ତା ଉପରକୁ ଆସିଲାବେଳକୁ ମେଘ ଘୋଟିଥିଲା ଆକାଶରେ । ବାୟୁ କୋଣରେ ଇନ୍ଦ୍ରଧନୁ ଛଟକୁ ଥିଲା ପତଳା ମେଘ ଉପରେ । ଏଇ ଦୁର୍ଲଭ ଦୃଶ୍ୟ ଦେଖିବା ପାଇଁ କେତେ ଦଣ୍ଡ ଛିଡ଼ା ହୋଇଗଲା ଲକ୍ଷ୍ମୀ । ସେଇ ଇନ୍ଦ୍ରଧନୁ ଆଡ଼କୁ ମୁହଁ କରି ଦଉଡ଼ି ଯାଉଥିବା ବେଳେ ଝୁଣ୍ଟିପଡ଼ି ରାସ୍ତା ଉପରେ ପଡ଼ିଗଲା ନିଧିବାବୁଙ୍କ ନାତି । ଦଉଡ଼ି ଯାଇ ତାକୁ ଗୋଟେଇ ଦେଇ ଛାତି ଉପରେ ଜାକି ଧରିଲା ଅନେକ ସମୟ । ଛୁଆଟା କିନ୍ତୁ ଛଟପଟ ହେଉଥାଏ ତା’ଠାରୁ ମୁକ୍ତି ପାଇବା ପାଇଁ । ଲକ୍ଷ୍ମୀ ତା’ମୁହଁରେ ବୋକ ଦେଇ ତାକୁ ତଳକୁ ଓହ୍ଲେଇ ଦେଇ କହିଲା–ଯା.. ଯା.. ଘରକୁ ଯା.. ବରଷା ଆସୁଛି । ପିଲାଟା ଆଉ ପଛକୁ ନ ଚାହିଁ ଦୌଡ଼ି ପଳାଇଗଲା ।

 

ଛୁଆଟାଏ ଦେଖିଲେ ଲକ୍ଷ୍ମୀର ମନ ଫୁଲପରି ମହକି ଉଠେ । ସେ ଅନ୍ତର ଭିତରର ଉଚ୍ଚକିତ ଭାବଟିକୁ ଲୁଚାଇପାରେ ନାହିଁ । ତା’ ଖୁସି ତା’ ଓଠ ଉପରେ ଉପୁଡ଼ି ପଡ଼େ । ସେ ଏକଲୟରେ ଚାହିଁ ରହେ ଗୋଲଗାଲ ପିଲାଟିଏ ଦେଖିଲେ । ତା’ ଦୃଷ୍ଟିରେ ରଙ୍କୁଣୀର ଚିହ୍ନ । କେହି କେହି ତା’ ହାତକୁ ଛୁଆ ଟେକି ଦବାକୁ ଡରନ୍ତି । ଏକେତ ବାଞ୍ଝ, ଦ୍ୱିତୀୟରେ ପୁଣି ତା’ ଚାହାଣୀରେ ଡାହାଣୀର ରଙ୍କା । ଦିନେ ହଠାତ୍ ନିଧି ବାବୁଙ୍କ ସ୍ତ୍ରୀ ତାକୁ ଡାହାଣୀ କହିଦେଇଥିଲେ ବୋଲି ଘରକୁ ଫେରିବା ପରେ ସାରାରାତି କାନ୍ଦିଥିଲା ଲକ୍ଷ୍ମୀ । ସେ କଣ ଡାହାଣୀ ? ସେ କଣ ଛୁଆ ଖାଇ ? ଛି.. ଛି.. ଏତେ ବଡ଼ ଅପବାଦ ଦେଇପାରିଲେ ? ଏହାର ଦୁଇଦିନ ପରେ ନିଧିବାବୁଙ୍କ ସ୍ତ୍ରୀ ତାକୁ ସାନ୍ତ୍ୱନା ଦେବାପାଇଁ କହିଲେ–କହୁ କହୁ ତୁଣ୍ଡରୁ ଖସିଗଲା ଲୋ ଲକ୍ଷ୍ମୀ... କିଛି ମନେ କରିବୁ ନାହିଁ । ଲକ୍ଷ୍ମୀ ବି ଭୁଲିଯିବାକୁ ଚେଷ୍ଟା କଲା ଏବଂ କିଛିଦିନ ପରେ ଭୁଲିଗଲା ମଧ୍ୟ । କିନ୍ତୁ ଛୋଟ ଛୋଟ ଛୁଆମାନଙ୍କୁ କିଏ ଶିଖେଇ ଦେଲା କେଜାଣି ସେଇଦିନୁ ତାକୁ କେହି କେହି ଡାହାଣୀ କହି ତା’ ସାମ୍ନାରୁ ହଟିଗଲେ ଆପେ ଆପେ । ପ୍ରଥମେ ପ୍ରଥମେ ଏହାର କାରଣ ଜାଣିପାରିନଥିଲା ଲକ୍ଷ୍ମୀ, କିନ୍ତୁ ପରେ ଜାଣିପାରିଲା । ଏକା ଥିଲେ ସେହି କଥା ମନେ ପଡ଼ିଲେ ବାହୁନି ବାହୁନି କାନ୍ଦେ । ସେ ଯେ ଡାହାଣୀ ନୁହେଁ ଖାଲି ଛୁଆ ରଙ୍କୁଣୀ ଏୟା ବାରମ୍ବାର କହିବାକୁ ଇଚ୍ଛା ହୁଏ କିନ୍ତୁ କିଏ ଶୁଣିବ ତା’ କଥା କାହାକୁ କହିବ ସେ ନିଜର କରୁଣ କାହାଣୀ ?

 

ଲକ୍ଷ୍ମୀ ଲୋଟଣୀ ପାରା ପରି ଚକ୍‍କର କାଟେ । କାମ କରିବାବେଳେ ତା’ ଗୋଡ଼ ପଡ଼େନି ଭୂଇଁରେ... ଦଉଡ଼ିବା ପରି ହେଉଥାଏ, ଚରଖା ପରି ଘୂରୁଥାଏ । ଚୌଧୁରୀବାବୁଙ୍କ ଘର, ନିଧିବାବୁଙ୍କ ଘର, ସର୍ଦ୍ଦାରଜୀର ଘର ଛଡ଼ା ଆହୁରି ସେ କାମ କରେ ଜଣେ ମାରୁଆଡ଼ି ଓ ଆଉ ଜଣେ ମାନ୍ଦ୍ରାଜୀ ଘରେ । ମାନ୍ଦ୍ରାଜୀ ଦମ୍ପତି ଛୁଟିରେ ଯାଇଥିଲେ ଦେଶକୁ । ସର୍ଦ୍ଦାରଜୀ ତୀର୍ଥ କରିବାକୁ ଯାଇଥିଲେ ପରିବାର ସହ ଅମୃତସର । ହାତରେ କାମ ନଥିଲା ବେଶୀ । ଲକ୍ଷ୍ମୀ ନିର୍ଜଞ୍ଜାଳ ମନେ କରୁଥିଲା । ସନ୍ଧ୍ୟା ହେବାଆଗରୁ ଘରକୁ ଫେରି ଆସୁଥିଲା । ସମୟ ପାଇ ସେ ସିନା ଦେହ ଲମ୍ବାଇ ଦିଏ ମସିଣା ଉପରେ, କିନ୍ତୁ ମନ ଅଥୟ ହୁଏ ଚିନ୍ତାରେ, ନାନା କଳ୍ପନାଜଳ୍ପନାରେ । ସେଦିନ ଚୌଧୁରୀଙ୍କ ସ୍ତ୍ରୀ ମୁହଁରୁ ଯାହା ଶୁଣି ଆସିଥିଲା ସେତକ ବାରମ୍ବାର ମନେ ପଡ଼ୁଥିଲା । ବଡ଼ରାସ୍ତାକୁ ବଡ଼ବଡ଼ ଯାନ ବାହାନ ମାଡ଼ି ରହିବା ପରି ତା’ ମନରୁ ସେ କଥା ମୁହୂର୍ତ୍ତେ ବି ଜାଗା ଛାଡ଼ି ନଥିଲା । ଚୌଧୁରୀ ଘର ମଝିଆ ବୋହୂ ଯଦି ସାତବରଷ ପରେ ମା’ ହୋଇପାରିବ, ସେ ତ ମାତ୍ର ପାଞ୍ଚବରଷ ଥିଲା ରାମାୟା ସହିତ, ସେ ବି ତା’ହେଲେ ମା’ ହୋଇପାରିବ । କିନ୍ତୁ ଏତେ ଟଙ୍କା ପାଇବ କେଉଁଠୁ ? ରାମାୟା ବେଶୀ ମନେ ପଡ଼ିଲା । ସତରେ ତାକୁ ଭୁଲି ଆସୁଥିଲା ଲକ୍ଷ୍ମୀ । କିନ୍ତୁ ହାତରେ ଟଙ୍କା ହେଲେ ବି ସେ ତ ଏକା ଏକା ମା’ ହୋଇପାରିବ ନାହିଁ । ପୁରୁଷଗୁଡ଼ା ଏହିପରି । ଦଗାଦିଆ ବିଶ୍ୱାସଘାତକ । ସୁନ୍ଦର ମୁହଁ ଦେଖିଲେ ମୁହୂର୍ତ୍ତେ ଲାଗେନି ଲସର ପସର ହେବା ପାଇଁ । ସବୁ ପୁରୁଷଙ୍କ ଦୃଷ୍ଟିରେ ପର ସ୍ତ୍ରୀ ସୁନ୍ଦରୀ ଆଉ ନିଜ ସ୍ତ୍ରୀ ବାନ୍ଦରୀ । ଲକ୍ଷ୍ମୀର ମନ ଆକ୍ରୋଶରେ ପୂରି ଉଠିଲା । ରାମାୟାକୁ ଶାସ୍ତି ଦେବାପାଇଁ ଇଚ୍ଛା ହେଲା । କିନ୍ତୁ ରାମାୟାର କୌଣସି ଖୋଜ ଖବର ସେ ପାଇଲା ନାହିଁ । ଅନେକ ଲୋକଙ୍କୁ ପଚାରିଲା, ଅନେକ ଜାଗାରେ ଅନୁସନ୍ଧାନ କଲା । କିନ୍ତୁ କୌଣସି ଖବର ମିଳିଲା ନାହିଁ ରାମାୟାର-। ସେ କଣ ତାହାଲେ ଶୂନ୍ୟରେ ମିଳେଇଗଲା, ବରଦାନ କରି ଶୂନ୍ୟରେ ମିଳେଇ ଯାଉଥିବା ଦେବତାଙ୍କ ପରି !

 

ଲକ୍ଷ୍ମୀ ସଞ୍ଚୟ କରିବାକୁ ଲାଗିଲା । ନିଜ ଖାଇବା ଖର୍ଚ୍ଚ ଆହୁରି କମ୍ କଲା । ଲୁଗାପଟା, ଫୁଲକିଣାରେ ଯାହା ଖର୍ଚ୍ଚ କରୁଥିଲା ସେଥିରେ କାଟଛାଟ କଲା । ସିନେମା ଯିବା ଏକାବେଳେ ବନ୍ଦ କରିଦେଲା ଏବଂ ମଝିରେ ମଝିରେ ଠିକାକାମ ନେଇ କିଛି ଅଧିକ ରୋଜଗାର କରିବାକୁ ଲାଗିଲା । ଆଗେ ସେ ଥକି ଯାଉଥିଲା ସତ କିନ୍ତୁ ଅବଶ ଲାଗୁ ନଥିଲା । ଏବେ କାମ କରି ଫେରିଆସିବା ପରେ ଅବଶ ହେଇଯାଉଥିଲା ହାତ ଗୋଡ଼ । ଯେତିକି ଦିନ ଅତିବାହିତ ହେବାକୁ ଲାଗିଲା, ଲକ୍ଷ୍ମୀର ସଞ୍ଚୟ ସେତିକି ବଢ଼ିବାକୁ ଲାଗିଲା । ସେ କେତେଥର ଚେଷ୍ଟା କଲା, କିନ୍ତୁ ତା’ ପାଖରେ ଠୁଳ ହୋଇଥିବା ସବୁ ପଇସା ଗଣି ସର୍ବ ମୋଟ କେତେ ହେଲା ତାହା ସେ ନିର୍ଣ୍ଣୟ କରି ପାରିଲା ନାହିଁ । ବାରମ୍ବାର ଗଣିଲା, ବାରମ୍ବାର ଗଣା ଭୁଲ୍ ହେଲା । କିନ୍ତୁ ଆଉ କାହା ଆଗରେ ପେଡ଼ି ଖୋଲିବା ପାଇଁ ବା ତାକୁ ଏ କାମରେ ସାହାଯ୍ୟ କରିବା ପାଇଁ ଆଉ କାହାକୁ କହିବାକୁ ସାହାସ ହେଲା ନାହିଁ-। ମନେ ମନେ କିନ୍ତୁ ଏତିକି ନିଶ୍ଚୟ ନେଲା ଯେ ଯାହା ଅଛି ସେତକ ଦଶ ହଜାର ନୁହେଁ ସତ କିନ୍ତୁ ହଜାରେ ଟଙ୍କାରୁ ବେଶୀ ହେବ ଏଥିରେ ସନ୍ଦେହ ନାହିଁ । ତା କାନର ରିଂ ଯୋଡ଼ିକ ଗଢ଼ି ଦେଇଥିଲା ରାମାୟା । ସବୁଦିନ ପିନ୍ଧିଲେ ଘଷି ହୋଇ ଓଜନ କମିଯିବ ବୋଲି ପେଡ଼ି ତଳେ ଫରୁଆଭିତରେ ସାଇତି ରଖିଥିଲା ଲକ୍ଷ୍ମୀ । ହଠାତ୍ ମନେ ପଡ଼ିଲା ଯେ ସେହି ରିଂ ଯୋଡ଼ିକ ବିକି ଦେଲେ ସାତ ଶହ ଆଠ ଶହରୁ ତ କମ୍ ହେବନାହିଁ । ଏହା ଭାବିବାକ୍ଷଣି ତା’ ମନରେ ଏକ ଅଦ୍ଭୁତ ସାହସ ଗୁଞ୍ଜରି ଉଠିଲା । ପଦ୍ମ ସାତତଳ ପାଣିରେ ଫୁଟିଛି ସତ, କିନ୍ତୁ ପଦ୍ମ ପାଖରେ ପହଞ୍ଚିବାର ଯେ ବାଟ ଅଛି ତାହା ବି ସତ । କେବଳ ସମୟ ଓ ସାଧନା ଦରକାର । ଲକ୍ଷ୍ମୀର ମୁହଁ ଉପରେ ହଠାତ୍ ଆତ୍ମବିଶ୍ୱାସର ଦୀପ୍ତି ଖେଳିଗଲା । ସେ ଆହୁରି ସୁନ୍ଦର ଦିଶିଲା । ଯେପରି ତାର ବୟସ ଦଶ ବରଷ କମି ଯାଇଛି । ରାମାୟା ଥାଆନ୍ତା କି ପାଖରେ । ହୁଏତ ଦିନେ ଫେରି ଆସିବ । ତା’ପରେ ସେ ମା ହୋଇଯିବ ।

 

ସେଇଦିନ ସନ୍ଧ୍ୟାବେଳେ ଆକାଶର ଚାନ୍ଦକୁ ଅନାଇଥିବା ବେଳେ ସେ କଣ ଭାବୁଥିଲା କେଜାଣି, ସୁରମା ଆସିବାର ଆଦୌ ଜାଣିପାରିଲା ନାହିଁ । ସୁରମା ତା’ ସାହିର ଶେଷ ମୁଣ୍ଡରେ ଥାଏ । ବିଧବା । ବାହାହବା ବୟସର ଝିଅ ସରସୀ ଛଡ଼ା ନିଜର ବୋଲି ତା’ର ଆଉ କେହି ନାହିଁ ସଂସାରରେ ।

 

ସୁରମା ତା’ କାନ୍ଧ ହଲାଇ ଦେଇ କହିଲା–କାହା କଥା ଏତେ ଭାବୁଛୁଲୋ ସଙ୍ଗାତ ?

 

ଲକ୍ଷ୍ମୀ ଲାଜେଇଗଲା । ସେ ଯେ ଆଉ କାହା ବିଷୟ ନଭାବି ନିଜ ପାଖରେ ହଜି ଯାଇଥିଲା ଏହା କହିଲେ କଣ ବିଶ୍ୱାସ କରିବ ସୁରମା ?

 

ବହୁ ସମୟ ସୁଖ ଦୁଃଖ ହେଲେ ଦୁହେଁ । ବୟସରେ ସାନ ହେଲେ ମଧ୍ୟ ଲକ୍ଷ୍ମୀ ସୁରମାକୁ ସଙ୍ଗାତ ଡାକେ । ସୁରମା ଶେଷରେ କହିଲା ଝିଅଟା ମୁହଁକୁ ଆଉ ଅନେଇ ପାରୁନି ଲୋ ସଙ୍ଗାତ । ପନ୍ଦର ପୁରି ଷୋହଳରେ ପଶିଚି । ଦାଣ୍ଡରେ ଚାଲିଗଲେ ଛାତିର ଅତଡ଼ା ଖସୁଛି ଲୋକଙ୍କର । ନିଧି ସାହୁର ନାତି ନାତୁଣୀ ପଲେ । ବୁଢ଼ା ହେଲାଣି । ସେ ସରସୀକୁ ସେଦିନ କଣ କହି ଦେଲା ବୋଲି ଝିଅ କାନ୍ଦିଲା ବହେ । ଆଉ କାହା ମୁହଁରେ ବାଡ଼ବତା ଦବୁ ସଙ୍ଗାତ । ଏଇ ଟୋକାମାନଙ୍କ କଥା ତୁ ଜାଣୁ । ସୂର୍ଯ୍ୟ ଉଇଁଲେ ଘର ଆଗରେ ଲଫଙ୍ଗା ଟୋକାମାନଙ୍କର ମେଳା ବସେ ଯେ ରାତି ବାରଟାଯାଏ ଚାଲିଥାଏ । ବେକାର ସବୁ । କାମଧନ୍ଦା ନାହିଁ । ଝିଅ ବୋହୂ ଶାନ୍ତିରେ ନିଃଶ୍ୱାସ ମାରିବାକୁ ସମୟ ନାହିଁ । ଗୋଟେ ପ୍ରସ୍ତାବ ଆସିଚି ଲୋ ସଙ୍ଗାତ । ବୟସ ଟିକେ ବେଶୀ । ଯାହା ହେଲେ ବି ପୁରୁଷ ପୁଅ ତ । ଲାଉ କି କଖାରୁ ନୁହେଁ ଯେ ବୁଢ଼ା ହୋଇଯିବ... କଣ କହୁନୁ ?

 

ଲକ୍ଷ୍ମୀ ଖୁସି ହୋଇ କହିଲା–ହଁ ସେୟା ନୁହେଁ ତ କଣ । ଆମେ ଗରିବ... ସେଥିପାଇଁ ସମସ୍ତଙ୍କ ଶାଳୀ... ଏଇ ସୁଯୋଗ ଛାଡ଼େନା ସଙ୍ଗାତ ।

 

ସୁରମା ସାହସ ପାଇଲା ଏଥର । ଝିଅକୁ ଷୋହଳ ଚାଲିଛି । ପୁଅର ବୟସ ଏକତିରିଶ ବତିଶ ହେବ । କଣ ଆଉ ବେଶୀ ଯେ....ଗୋଟେ ଛୁଆ ହେବା ପରେ ରୂପ ଯଉବନ ଫିକା ପଡ଼ିଯାଏ ଝିଅମାନଙ୍କର । ମରଦମାନେ ତ ବୁଢ଼ା ହେଲାଯାଏ, ବାଉଁଶ ଗଜା ପରି ସିଧାସଳଖ ।

 

ସୁରମା ଉଠିବାବେଳେ କହିଲା–ଦବା ନବା କଥା ପଚାରିଥେଲି । କିଛି ନବ ନି ମନାକଲା । କନ୍ୟା ସୁନା । ଘରକୁ ଲକ୍ଷ୍ମୀଟିଏ ଦରକାର ବୋଲି କହିଲା । ହେଲେ ମୋ ମନ ମାନୁନି... ।

 

ଲକ୍ଷ୍ମୀ ଦୃଷ୍ଟି ମିଶି ଯାଇଥିଲା ଜହ୍ନ ଆଲୁଅରେ । ସେ ଖୋଜୁଥିଲା ଜହ୍ନମାମୁଁ ପାଖରେ ରହି ଯାଇଥିବା ଠେକୁଆକୁ... ଅଣ୍ଡାଳି ହେଉଥିଲା ମନ... ହଠାତ୍ କାହିଁକି କେଜାଣି ସରସୀର କନିଆ ବେଶ ଝଲସି ଉଠିଲା ଆଖି ଆଗରେ.... । ସେ କହିଲା–ତୁ ମନ ଊଣା ନ କରି ହାତକୁ ଦି ହାତ କରିଦେ ସଙ୍ଗାତ... ।

 

ସୁରମା ଆସିଥିଲା ମନ ଊଣା କରି, କିନ୍ତୁ ଉଠି କହିଲା ସାହସ ନେଇ । ବାପ ନାହିଁ କନ୍ୟାଦାନ କରିବା ପାଇଁ । ସେ ବିଧବା ଏପରି ଶୁଭକାର୍ଯ୍ୟରେ ଝିଅକୁ ଜ୍ୱାଇଁ ହାତକୁ ଟେକି ଦେଇ ପାରିବନାହିଁ । ଭାଇ ତ ଭଗାରୀ । ଆଉ କେହି ନାହିଁ କନ୍ୟାଦାନ ପୁଣ୍ୟ ଅର୍ଜନ କରିବା ପାଇଁ । ରାତି ହେଲାଣି । ଘର ଆଡ଼କୁ ପାଦ ବଢ଼ାଇବା ପୂର୍ବରୁ କହିଲା–ସାହସ ଦେଇଛୁ ଯେତେବେଳେ କହୁଚି ଲୋ ସଙ୍ଗାତ, ମନା କରିବୁ ନାହିଁଟି... ବାପ ଛେଉଣ୍ଡ ଝିଅ... ମୋର ତ କପାଳଫଟା ଲୋ ସଙ୍ଗାତ.... ତାଙ୍କ ଭାଇ ତ ଭଗାରି... ଆଉ କିଏ ଅଛି ତୋ ଛଡ଼ା କହ... ମହାପ୍ରସାଦ ଦେଇ ସଙ୍ଗାତ ହେଇଥିଲି । ତୁ ବେଦୀରେ ବସି ଉଠେଇ ଦବୁନି ସରସୀକୁ ।

 

ଲକ୍ଷ୍ମୀ ଆଗରେ ହଠାତ୍ କିଏ ରୋଷଣୀ ଛାଡ଼ିଲା ଯେପରି । ଚାରିଆଡ଼ ଆଲୁଅ ଦିଶିଲା-। ବନ୍ଧ ଭାଙ୍ଗିଗଲେ ଶୁଖିଲା ନଇ ଯେପରି ଫୁଲି ଉଠିବ, ସେହିପରି ସଙ୍ଗାତର ସେଇ ପଦକ କଥାରେ ଫୁଲି ଉଠିଲା ଲକ୍ଷ୍ମୀ । ସେ ବାଞ୍ଝ । ତଥାପି ତାର ଏତେ ବଡ଼ ଭାଗ୍ୟ ହେବ... । ତାର ଆଉ ମନେ ପଡ଼ିଲାନି ଚୌଧୁରୀବାବୁ ସ୍ତ୍ରୀଙ୍କ କଥା । ଅପରେସନ କଲେ ସେ ବି ମା ହୋଇପାରିବ.... ଦିନେ ତା ପେଟରୁ ପୁଅ କି ଝିଅ ଜନ୍ମ ହେବ... ଏଇ ସମ୍ଭାବନା ସବୁ ଲୁଚି ଯାଉଥିଲା ବର୍ତ୍ତମାନ ପ୍ରତିଶ୍ରୁତିର ମଧୁରତା ଓ ଔଜଲ୍ୟ ଭିତରେ । ସେ ହଠାତ୍ କହି ପକାଇଲା, ଏହାଠାରୁ ଆଉ ବଡ଼ ଭାଗ୍ୟ କଣ ହେବ ସଙ୍ଗାତ ! ଜନ୍ମକରି ତୁ ପର ହୋଇଯିବୁ ଆଉ ଜନ୍ମ ନକରି ମୁଁ ମା ହୋଇ କନ୍ୟାଦାନ କରିବି... ।

 

କଥା ପକ୍କା ହୋଇଗଲା । ବାଜା ବଜେଇ ବାଣ ଫୁଟେଇ ଆସିଲା ଗଦାଧର ସରସୀକୁ ବାହାହବା ପାଇଁ । ବାହାଘର ହୋଇଗଲା । ଲକ୍ଷ୍ମୀ ନିଜ ହାତରେ କନ୍ୟାଦାନ କରି ପୁଣ୍ୟ ଅର୍ଜନ କଲା ।

 

କିନ୍ତୁ ସରସୀକୁ ସେ କିଛି ଦେଇପାରିନି ବୋଲି ହଠାତ୍ ତା’ ମନ ବିଳପି ଉଠିଲା । ତା’ ନିଜ ଝିଅ ହୋଇଥିଲେ ସେ କଣ ସୁନା ଚୁଡ଼ି ଦି’ପଟ ନ ଦେଇ ବିଦା କରିଥାନ୍ତା ? ବରକନ୍ୟା ବିଦାହେବାର ବେଳ ହେଲାଣି । ସୁରମା ଗୋଟେ ଟିଣ ବାକ୍ସରେ ସବୁ ଲୁଗାପଟା ସଜାଡ଼ି ଦେଇଥିଲା । ଆଉ ଗୋଟେ ପେଡ଼ିରେ ଅଳ୍ପ ବହୁତ ଯାହା ସଞ୍ଚିଥିଲା ଜୀବନଯାକ ସେତକ ଭର୍ତ୍ତି କରିଦେଇ ଦୁଇଟା ଚାବିକାଠି ବଢ଼େଇ ଦେଲା ଜ୍ୱାଇଁ ହାତକୁ । ଝିଅ ଜ୍ୱାଇଁ ବିଦାହେବା ବେଳକୁ ଦେଖିଲେ ଯେ ଲକ୍ଷ୍ମୀ ନାହିଁ । ଯେ କନ୍ୟାଦାନ କରିଥିଲା ତାକୁ ନମସ୍କାର ନ କରିପାରି ବିଦାୟ ନ ନେଇ ଅପେକ୍ଷା କଲେ ଝିଅ ଜ୍ୱାଇଁ ।

 

କିଛି ସମୟ ପରେ ଦଉଡ଼ି ଦଉଡ଼ି ଆସି ପହଞ୍ଚିଲା ଲକ୍ଷ୍ମୀ ଗୋଟେ ନାଲି କନାର ପୁଟୁଳା ହାତରେ ନେଇ ।

 

ତୋ ଠାରୁ ବିଦାୟ ନବାପାଇଁ ଅପେକ୍ଷା କରିଛନ୍ତି ଲୋ ସଙ୍ଗାତ... ।

 

ମୋ ଝିଅ ଜ୍ୱାଇଁଙ୍କୁ ଖାଲି ହାତରେ ଛାଡ଼ିଦେବି ସଙ୍ଗାତ ? କଣ ଭାବିଲୁ ମତେ... ।

 

ଲକ୍ଷ୍ମୀର ଆଖି ଓଦା ହୋଇ ଆସିଲା । ଛାତି ତଳର କୋହ ଚାପି ସେ ନାଲି କନାର ପୁଟୁଳି ଜ୍ୱାଇଁ ହାତକୁ ବଢ଼ାଇ ଦେଇ କହିଲା–କେତେ ଅଛି ଜାଣେନି ପୁଅ... ଗଣିଲି ଯେ ଠିକ୍ କରି ପାରିଲିନି... ପାଠ ତ ପଢ଼ିନି ପୁଅ ତେବେ ହଜାରରୁ କମ୍ ହେବ ନାହିଁ... ।

 

ସୁରମା ତାକୁ କୁଣ୍ଢେଇ ପକେଇ ଭୋ ଭୋ କରି କାନ୍ଦି ଉଠିଲା... ତୁ ମୋ ପେଟ ଭାଇଠାରୁ ବଳିଗଲୁ ସଙ୍ଗାତ... ।

 

ସୁରମାକୁ ଛାତି ଉପରେ ଜାକିଧରି କାନ୍ଦୁଥିଲା ଲକ୍ଷ୍ମୀ... ହଠାତ୍ ମା ହେବାର ଆନନ୍ଦରେ ତା’ ପାଦ ଭୂଇଁରେ ଲାଗୁ ନଥିଲା ।

☆☆☆

 

ବିଜୟିନୀ

 

ଏବେ ଦେହସୁହା ହୋଇଗଲାଣି ବୋଲି ସେ ଆଉ ନିଜର ବିପର୍ଯ୍ୟୟ ବିଷୟ ଭାବି ଝାଉଁଳି ପଡ଼େ ନାହିଁ କି ଅସହାୟ ମନେକରେ ନାହିଁ । ଏଇ ପୃଥିବୀର ଏତେ ଆଲୁଅ, ଏତେ ବର୍ଣ୍ଣ, ଏତେ ମୁହଁ ସେ ଆଉ ଦେଖିପାରୁନି ସତ, କିନ୍ତୁ ଦିନେ ସେ ଏସବୁ ଦେଖୁଥିଲା, ସେଥିରୁ କିଛି କିଛି ତା’ ମସ୍ତିଷ୍କରେ ଛାପିହୋଇ ରହି ଯାଇଥିଲା । ଅନ୍ଧ ହୋଇଯିବା ପରେ ସେଇ ସ୍ମୃତି ମନେ ପକାଇ ନିଜକୁ ଆଶ୍ୱାସନା ଦିଏ ଅପରାଜିତା । ମହାଭାରତର ଗାନ୍ଧାରୀଙ୍କ ସମ୍ବନ୍ଧରେ ସେ ବାପାଙ୍କଠାରୁ ଶୁଣିଥିଲା । ଚକ୍ଷୁ ଥାଇ ବି ସେ ଅନ୍ଧୁଣୀ ଥିଲେ ବ୍ୟବହାରିକ ଜୀବନରେ । ସ୍ୱାମୀ ଧୃତରାଷ୍ଟ୍ର ଥିଲେ ଜନ୍ମାନ୍ଧ । ନିଜ ଆଖି ଉପରେ ପଟି ବାନ୍ଧି ଗାନ୍ଧାରୀ ସ୍ୱାମୀ ପରି ଚଳୁଥିଲେ । ଏହା ପଛରେ ତ୍ୟାଗ ଯେତେ ନଥିଲା ତା’ଠାରୁ ବେଶୀ ଥିଲା ସାହସ ଓ ଆତ୍ମବିଶ୍ୱାସ । ସ୍ୱାମୀଙ୍କରଠାରୁ ତାଙ୍କ ସୁଯୋଗ ଓ ସୁବିଧା ଅଧିକ ହେଲେ କାଳେ ତାଙ୍କ ପ୍ରତି ମନରେ ଅବଜ୍ଞାଭାବ ସୃଷ୍ଟି ହୋଇପାରେ ଏଥିପାଇଁ ସମାସ୍କନ୍ଧ ହୋଇ ରହିବା ପାଇଁ ଆଖି ଥାଉଁ ଥାଉଁ ଦୃଷ୍ଟିଶକ୍ତିକୁ ଅବରୋଧ କରି ଦେଇଥିଲେ ଅନ୍ଧପୁଟୁଳି ବାନ୍ଧି । ସେଥିପାଇଁ ଗାନ୍ଧାରୀ ସହଧର୍ମିଣୀ, ସତୀ ସାଧ୍ୱୀ ଅସାଧାରଣ । ପ୍ରଚଣ୍ଡ ଆତ୍ମବିଶ୍ୱାସ ଓ ବିପୁଳ ସାହସ ନଥିଲେ କେହି ଏପରି କରି ପାରିବ ନାହିଁ । ତାଙ୍କର ଜୀବନୀ ପଢ଼ି ସେଥିରୁ ପ୍ରେରଣା ପାଏ ଅପରାଜିତା । ଯେତେବେଳେ ଅନ୍ଧାର ଘୋଟିଆସେ, ଅସହାୟବୋଧ ତିଳ ତିଳ କରି ଜୀବନର ସବୁ ରସ ନିଗାଡ଼ି ନେବା ପାଇଁ ତା’ ମନକୁ କବଳିତ କରେ ବଣର ଅଜଗର ମୃଗଶାବକକୁ କବଳିତ ପରି, ସେତେବେଳେ ସେ ରସାତଳକୁ ଚାଲି ଯାଉଥିବା ପାଦ ଦୁଇଟିକୁ ଠାବ ଦବାପାଇଁ ମନେ ପକାଏ ପାଞ୍ଚ ବର୍ଷ ତଳର ସେହି ଜଗତକୁ ଯାହା ଝଲମଲ କରୁଥିଲା ତା ଆଖି ଆଗରେ । ପ୍ରତ୍ୟୁଷର ସେହି ପ୍ରତିଶ୍ରୁତିକୁ ଯାହା ସକାଳେ ଚମକି ଉଠୁଥିଲା ଦୁବଘାସ ଉପରେ ଲୀଳା କରୁଥିବା ଶିଶିର ବିନ୍ଦୁ ଉପରେ । ପକ୍ଷୀମାନଙ୍କର ସେହି ମଧୁର ଧ୍ୱନି, ମଣିଷମାନଙ୍କର ସେଇ ପରିଚିତ ସ୍ୱର, ପଶୁମାନଙ୍କର ନିଜ ଜଗତର ସଂଳାପ, ଗଛର ଶାଖାମାନଙ୍କର ସନ ସନ ହେଉଥିବା ପବନର ସଙ୍ଗୀତ ସବୁ ମନଭିତରେ ସାଇତି ରଖିଛି ଅପରାଜିତା । ମନ ଝାଉଁଳି ଗଲେ, ହାରି ଯାଇଥିବାର ଅବସନ୍ନତା ମାଡ଼ି ଆସିଲେ ଦୀପଶିଖାକୁ ତେଜିଦବା ଲାଗି ସଳିତାକୁ ଯେପରି ଉପରକୁ ଠେଲି ଦିଆଯାଏ, ସେହିପରି ମନର ସେଇ ଅସରନ୍ତି ଭଣ୍ଡାରରୁ ସେ ଶକ୍ତି ପ୍ରେରଣ କରେ ନିଜକୁ ଚଳଚଞ୍ଚଳ କରିବାପାଇଁ ।

 

ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଖବର ପାଇ ସେ ଆନନ୍ଦରେ ନାଚି ଉଠିବା ପରେ ହଠାତ୍ ଆଖିର ଦୃଷ୍ଟି ଝାପସା ହୋଇ ଆସିଥିଲା ଏବଂ କେତେ ଘଣ୍ଟା ମଧ୍ୟରେ ସେ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଇଥିଲା । ଡାକ୍ତର କହିଲେ ରେଟିନା ଅକସ୍ମାତ୍ ଛିନ୍ନ ହୋଇଗଲେ ଏପରି ହୁଏ । ଏହାର ଚିକିତ୍ସା କରାଯାଇପାରେ, କିନ୍ତୁ ତାହା ଅତି ବ୍ୟୟସାପେକ୍ଷ । ସେଇ ଅର୍ଥ ସଂଗ୍ରହ କରି ଝିଅର ଚିକିତ୍ସା କରାଇବା ପାଇଁ ଏପରି କେହି ନାହିଁ ଯାହାର ସେ ଦ୍ୱାରସ୍ଥ ହୋଇନାହାନ୍ତି ବା ଝିଅକୁ ଚକ୍ଷୁଦାନ କରିବା ଲାଗି ଅଳି କରି ନାହାଁନ୍ତି; କିନ୍ତୁ ସେ ସବୁ ଯଥେଷ୍ଟ ହେଲା ନାହିଁ । କେହି କେହି ସାନ୍ତ୍ୱନା ଦେଲେ, ଆଉ କେହି ବି କିଛି କିଛି ଅର୍ଥ ଦାନ କଲେ, କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ପଣାପରି । ପଚାଶହଜାର ଟଙ୍କା ନିହାତି ଦରକାର, କିନ୍ତୁ ସବୁ ସଂଗୃହୀତ ଅର୍ଥ ପାଞ୍ଚହଜାରରୁ ବେଶୀ ନୁହେଁ । ମୃତ୍ୟୁଞ୍ଜୟ ହତାଶାରେ ଭାଙ୍ଗି ପଡ଼ୁଥିବାବେଳେ ତାଙ୍କୁ ସାହସ ଦେଇଥିଲା ଅପରାଜିତା–ଏମିତି ଭାଙ୍ଗିପଡ଼ିଲେ ଚଳିବ ବାପା ! ମୁଁ ଅନ୍ଧ ହୋଇଯାଇଛି ବୋଲି କଣ ସର୍ବସ୍ୱ ହରାଇ ବସିଛି ? ତମେ ତ ଗାନ୍ଧାରୀଙ୍କ କଥା କହୁଥିଲ । ଆହୁରି ତମେ ବି କହୁଥିଲ କେମିତି ଅନ୍ଧ ହୋଇ ବି ସବୁ ବାଧାବିଘ୍ନ ଅତିକ୍ରମ କରି କେତେଜଣ ଶୀର୍ଷ ସ୍ଥାନକୁ ଉଠିଛନ୍ତି । ମୃତ୍ୟୁଞ୍ଜୟ କାନ୍ଦି ପକାନ୍ତି ଝିଅର କଥା ଶୁଣି । ସେ କଣ ଝିଅକୁ ସାନ୍ତ୍ୱନା ଦେବେ, ଓଲଟା ସେ ତାଙ୍କୁ ସାନ୍ତ୍ୱନା ଦିଏ, ସାହସ ଦିଏ । ଆଉ ମାଆର ହାତ ଧରି ଚାଲିଲାବେଳେ ଅପରାଜିତା କହେ–ତୁ ମୋ ପାଖେ ପାଖେ ଥିଲେ ପରବାୟ କଣ... ତୁ ମୋ ପାଇଁ ଚିନ୍ତା କରେନା ମା’... ଦେଖିବୁ ଅନ୍ଧହୋଇ ବି ମୁଁ ବଳିଯିବି ଅନେକଙ୍କୁ । ଝିଅର ଅଲକ୍ଷ୍ୟରେ ଆଖି ପୋଛନ୍ତି ପ୍ରେମଲତା, ଉଠିଆସୁଥିବା କୋହ କାଳେ ବାହାରି ଆସିବ ବୋଲି କିଛି କରି ସଂଯତ କରି ନିଅନ୍ତି ନିଜକୁ ।

 

ଚର୍ଚ୍ଚିଲଙ୍କ ଲିଖିତ ଦ୍ୱିତୀୟ ବିଶ୍ୱଯୁଦ୍ଧର କାହାଣୀ ଶୁଣିଥିଲା ଅପରାଜିତା ବାପାଙ୍କ ମୁହଁରୁ । ଇଂରେଜମାନେ ହାରି ଯାଉଥିବାବେଳେ ସେମାନଙ୍କର ମନୋବଳ ଉଚ୍ଚ ରଖିବା ପାଇଁ ଚର୍ଚ୍ଚିଲ ସେନାବାହିନୀ ତଥା ଦେଶବାସୀଙ୍କୁ ଆହ୍ୱାନ କରି କହିଥିଲେ ଯେ ସଙ୍କଟର ମୁକାବିଲା କରିବା ହିଁ ମଣିଷପଣିଆ । ଯୁଦ୍ଧରେ ସେତିକି ବେଳେ ପରାଜୟ ହୁଏ ଯେତେବେଳେ ଦେଶବାସୀଙ୍କ ମନରୁ ଲଢ଼ିବାର ସଂକଳ୍ପ ଓ ସାହସ ଚାଲିଯାଏ । ସେଇ ଜାତି ଜିତେ ଯିଏ ସଂକଳ୍ପବଦ୍ଧ ଭାବେ ଶେଷ ନିଃଶ୍ୱାସ ଥିବାପର୍ଯ୍ୟନ୍ତ ମାତୃଭୂମିର ମହାନତା ରକ୍ଷା କରିବା ପାଇଁ ଲଢ଼ିଯାଏ ଅବିଚଳିତ ମନରେ । ଇଂରେଜମାନଙ୍କୁ ଅବିଚଳିତ ଆତ୍ମବିଶ୍ୱାସର ସହିତ ସର୍ବସ୍ୱ ତ୍ୟାଗ କରିବାପାଇଁ ଉଦବୋଧନ ଦେଇ ଚର୍ଚ୍ଚିଲ ଆହୁରି କହିଥିଲେ ଗୋଟେ ବା ଦୁଇଟା ଋଣାଙ୍ଗନରେ ହାରିଗଲେ ହାରିଯାଏନା କେହି, ଶେଷ ଯୁଦ୍ଧ ଯିଏ ଜୟ କରେ ସେହି ବିଜୟୀ । ସେଇ ଶେଷ ଯୁଦ୍ଧରେ ଏଯାଏ ଲଢ଼ି ନାହିଁ ଅପରାଜିତା । ସାହସ, ସଂକଳ୍ପ, ଦମ୍ଭର ସହିତ ସେ ଲଢିବ ନିଜର ଅକ୍ଷମତା ବିରୁଦ୍ଧରେ । ଭାଗ୍ୟ ବିରୁଦ୍ଧରେ ଚାଲିବ ଏ ଲଢ଼େଇ । ନିୟତିକୁ ସେ ଅସ୍ୱୀକାର କରିବ । ନିଜ ହାତରେ ନିଜର ଅବଶିଷ୍ଟ ଭବିଷ୍ୟତକୁ ଗଢ଼ିବ ସେ ।

 

ଆଉ ବିଳମ୍ବ ନକରି ଅନ୍ଧ ସ୍କୁଲରେ ନାମ ଲେଖାଇଲା ଅପରାଜିତା । ବ୍ରେଲଯନ୍ତ୍ର ଚଳାଇ ଶିଖିଲା । ଅନ୍ଧ ମାନଙ୍କ ପାଇଁ ବାହାରିଥିବା ନୂତନ ଟେକନିକ୍ ଶିଖିଲା । ତିନିବର୍ଷ ତାକୁ ଲାଗିଲା ତାକୁ ଆଇ.ଏ. ପରୀକ୍ଷା ଦେବାପାଇଁ । ପୁଣି ପ୍ରଥମ ଡିଭିଜନରେ ପାସ୍ କରିବା ଦେଖି ସମସ୍ତେ ଚମକି ଉଠିଲେ । ସବୁ ସୁବିଧା ପାଇ ପିଲାମାନେ ଫେଲ୍ ହେଉଥିବା ବେଳେ ଅନ୍ଧୁଣୀ ଝିଅଟା ପ୍ରଥମ ଶ୍ରେଣୀ ପାଇଲା । ଏଇ ବାସ୍ତବତାକୁ କେହି ଗ୍ରହଣ କରି ପାରୁ ନଥିଲେ ସ୍ୱତଃସ୍ଫୂର୍ତ୍ତଭାବରେ । ମୃତ୍ୟୁଞ୍ଜୟ ବାବୁ ଯେତେବେଳେ ଝିଅର ପରୀକ୍ଷା ଶୁଣି ଉତଫୁଲ୍ଲିତ ହୋଇ କହି ବୁଲିଲେ ତା’ କଥା ଧନେଶ୍ୱର ବାବୁ ସହି ନ ପାରି କହି ପକାଇଲେ ପ୍ରଥମ ଶ୍ରେଣୀ, ତୃତୀୟ ଶ୍ରେଣୀ ସମାନ ଅନ୍ଧ ପକ୍ଷରେ । ପ୍ରଥମ ଶ୍ରେଣୀରେ ପାସ୍ କରି ସେ ତ ଆଇ.ଏ.ଏସ୍. ହେବ ନାହିଁ । ମୃତ୍ୟୁଞ୍ଜୟ ଭାଗ୍ୟକୁ ଦୋଷ ଦେଇ ହଜମ କରିନେଲେ ଧନେଶ୍ୱର ବାବୁଙ୍କ ମନ୍ତବ୍ୟ । ମନ ଦୁଃଖ ମନରେ ମାରି ଆଖି ପୋଛିଲେ ଅଲକ୍ଷ୍ୟରେ । କିନ୍ତୁ ଅପରାଜିତା ଯେତେବେଳେ ଆଉ କାହା ମୁହଁରୁ ଏକଥା ଶୁଣିଲା ବାରୁଦରେ ନିଆଁ ଲାଗିଲେ ତାହା ଯେପରି ଶବ୍ଦକରି ଫାଟେ ସେହିପରି ଫାଟିପଡ଼ି କହିଲା–ଚକ୍ଷୁଷ୍ମାନ୍‍ମାନଙ୍କପାଇଁ ସବୁ ସୁବିଧା ସୁଯୋଗଗୁଡ଼ା ଭଗବାନ ସଂରକ୍ଷିତ କରି ରଖିଥାଇ ପାରନ୍ତି, କିନ୍ତୁ ମୁଁ ଚାହେଁ ସେମାନଙ୍କଠାରୁ ବିଦ୍ୟାରେ ବା ଉତ୍କର୍ଷତାରେ ନ୍ୟୁନ ନୁହେଁ ଏହା ପ୍ରମାଣ କରିବାକୁ ଚାହେଁ । କାହାରି ଦୟା ବା ଦକ୍ଷିଣା ନେଇ ମୁଁ ବଞ୍ଚିବାକୁ ଚାହେଁନା, ମୁଁ ବଞ୍ଚିବି ନିଜ ଶକ୍ତିବଳରେ... ।

 

ଗୋଟିଏ ସୁଯୋଗ ଆସିଲା ଶୀଘ୍ର । ବମ୍ବେ ଅନ୍ଧ ବିଦ୍ୟାଳୟର ଅଧ୍ୟକ୍ଷ ଗୋୱାଲକର ସାହେବ ଆସିଲେ ଭୁବନେଶ୍ୱର ଅନ୍ଧ ବିଦ୍ୟାଳୟର ଉତ୍ସବର ମୁଖ୍ୟ ଅତିଥି ଭାବରେ । ଅପରାଜିତା ସହିତ ତାଙ୍କର ପରିଚୟ ହେଲା ସେଠାରେ । ତାର ସଙ୍ଗୀତରେ ମୁଗ୍ଧ ହୋଇ ସେ ଡାକିଲେ ତାକୁ । ସେ ପ୍ରଥମ ଶ୍ରେଣୀରେ ଆଇ.ଏ. ପାସ୍ କରିଥିବା ଶୁଣି ଆହୁରି ଆହ୍ଲାଦିତ ହେଲେ । ଗୋୱାଲକର ସାହେବ ନିଜେ ଅନ୍ଧ । ଲଣ୍ଡନରେ ସାତବର୍ଷ ଥିଲେ ଉଚ୍ଚଶିକ୍ଷା ପାଇଁ । ବାରିଷ୍ଟରୀ ପାସ୍ କରିଥିଲେ, କିନ୍ତୁ ଓକିଲାତି ନକରି ସେ ଅନ୍ଧମାନଙ୍କ ଭାଗ୍ୟ ପରିବର୍ତ୍ତନରେ ସହାୟକ ଭୂମିକା ଗ୍ରହଣ କରିବା ସକାଶେ ସଂକଳ୍ପ କରିଥଲେ । ଅପରାଜିତାକୁ କିଛି ପ୍ରଶ୍ନ ପଚାରିଥିଲେ ଗୋୱାଲକର ସାହେବ । ତାର ପ୍ରତ୍ୟୁତ୍ପନ୍ନମତିତାରେ ଖୁସି ହୋଇ ସେ ତାକୁ ବମ୍ବେ ନେଇଯିବା ପାଇଁ ପ୍ରସ୍ତାବ କଲେ । ଅପରାଜିତା ରାଜି ହେଲା ଏବଂ ମୃତ୍ୟୁଞ୍ଜୟ ଅନିଚ୍ଛା ସତ୍ତ୍ୱେ ଝିଅକୁ ପଠାଇଦେଲେ ଗୋୱାଲକର ସାହେବଙ୍କ ସହିତ ।

 

ବମ୍ବେରେ ସବୁ ବ୍ୟବସ୍ଥା କରିଦେଲେ ଗୋୱାଲକର । ଛାତ୍ରୀ ନିବାସରେ ରହିଲା ଅପରାଜିତା । ଟାଟା ଟ୍ରଷ୍ଟରୁ ତା’ ପାଇଁ ବୃତ୍ତିଟିଏ ବି ତାଙ୍କରି ଚେଷ୍ଟାରୁ ମଞ୍ଜୁରୀ ହେଲା । କିନ୍ତୁ ଗୋୱାଲକର ଅପରାଜିତାକୁ ପାଖକୁ ଡାକି କହିଲେ–ତୋ ପାଇଁ ଏ ଯାହା କିଛି ବି କଲି ଏଥିରେ ମୋର କୃତିତ୍ୱ ଆଦୌ ନାହିଁ, ଏସବୁ ତୋର ପ୍ରାପ୍ୟ । ତୋ’ଠାରେ ମୋର ଅନେକ ଆଶା । ତୁ ଯେ ସେଇ ଆଶା ପୂର୍ଣ୍ଣ କରିପାରିବୁ ଏହାର ଉଜ୍ଜ୍ୱଳ ସମ୍ଭାବନା ରହିଛି ତୋଠାରେ । ତୋତେ କିନ୍ତୁ ନିଷ୍ଠାର ସହିତ କଠିନ ପରିଶ୍ରମ କରିବାକୁ ପଡ଼ିବ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସବୁ ସମାନ ତୋ ପକ୍ଷରେ । କିନ୍ତୁ ତୋର ସୂର୍ଯ୍ୟୋଦୟ ହେବ ସେହିଦିନ ଯେଉଁଦିନ ତୁ ଅନ୍ଧ ଆଗରେ ଥିବା ସବୁ ବାଧାବିଘ୍ନ ଅତିକ୍ରମ କରି ଚକ୍ଷୁଷ୍ମାନମାନଙ୍କ ଆଖି ଝଲସାଇଦବୁ । ପାରିବୁ ? ତାଙ୍କ ପାଦଧୂଳି ନେଇ ଅପରାଜିତା କହିଲା–‘ପା...ରି...ବି... ।’

 

ଗୋୱାଲକର ନିଜେ ଦାୟିତ୍ୱ ନେଲେ ଅପରାଜିତାର । କଠିନ ପରିଶ୍ରମ କଲା ଅପରାଜିତା । ଦିନରାତି ତା’ ପକ୍ଷରେ ସମାନ । ତଥାପି ସେ ଦିନେ ଦିନେ ଅଧରାତିରେ ନିଦ ଭାଙ୍ଗିଗଲେ ସେ କାନ୍ଥଧରି ବାଲକୁନି ଉପରକୁ ଚାଲିଯାଇ ଉପରକୁ ଅନାଏ । ପିଲାବେଳେ ମା କୋଳରେ ବସି ଜହ୍ନମାମୁଁକୁ ଧରିବାପାଇଁ ହାତ ବଢ଼ାଇବା କଥା ସ୍ମୃତିରେ ଭାସିଉଠେ । କୁଆଁର ପୁନେଇ ଦିନ କୁଆଁର କୁଆଁରୀ ମାନେ ନୂଆଲୁଗା ପିନ୍ଧି, କପାଳରେ ଚନ୍ଦନ ଚିତା ଲଗାଇ ପିଠାପଣା ଖାଇ ଗୀତ ଗାଇ, ନାଚି କୁଦି କିପରି ସମୟ କଟାଉଥିଲେ ତାହା ଭାସିଉଠେ ମନର ପରଦାରେ । ସେଇ ଆକାଶ ଏବେ ବି ଅଛି, କିନ୍ତୁ ସେଇ ଆଲୁଅ, ସେଇ ଉଜ୍ଜ୍ୱଳତା ଆଉ ଦେଖିପାରେନା ଅପରାଜିତା । ଛାତିତଳୁ ଉଠି ଆସୁଥିବା ଦାର୍ଘଶ୍ୱାସକୁ ଚାପିଦେଇ ସମୁଦ୍ରଆଡ଼ୁ ବହି ଆସୁଥିବା ଶୀତଳ ପବନ ଦେହରେ ମାଖି ମନେ ମନେ କହେ ନିଜକୁ–“ଯନ୍ତ୍ରଣାରୁ ତ ଜନ୍ମ ନିଏ ନୂତନ... ମୁଁ ଭାଗ୍ୟର ବିଡ଼ମ୍ବନାପାଇଁ କାହା ଉପରେ ଦୋଷ ଦେବି ନାହିଁ କି ଭାଗ୍ୟର କ୍ରୂର ପରିହାସ ଆଗରେ ମଥା ନୁଆଁଇ ଦେବି ନାହିଁ । ବରଂ ଲଢ଼ିବି... ଭାଗ୍ୟ ବିରୁଦ୍ଧରେ... ଭଗବାନଙ୍କ ଅବିଚାର ବିରୁଦ୍ଧରେ... ।’’

 

ବାଲକୋନିରୁ ଫେରିଆସେ ଅପରାଜିତା, କିନ୍ତୁ ନିଦ ହୁଏନା ଆଉ । ଟେବୁଲ ପାଖରେ ବସି ବ୍ରେଲ ଯନ୍ତ୍ରଟା ଚଳାଏ । ଏବେ ଗୋୱାଲକର ସାହେବ ତାକୁ କମ୍ପ୍ୟୁଟର ଶିକ୍ଷା ଦେଉଛନ୍ତି । କମ୍ପ୍ୟୁଟରର ଥିଓରିଗୁଡ଼ାକୁ ମନେ ପକାଇବାକୁ ଚେଷ୍ଟା କରେ । ସେ ସିନା ଅନ୍ଧ ହୋଇଯାଇଛି, କିନ୍ତୁ ତା’ ସହିତ ତାର ବୁଦ୍ଧି ଓ ସ୍ମରଣ ଶକ୍ତି ପ୍ରଖର ହେବାରେ ଲାଗିଛି । ସେଦିନ ଦୂରଦର୍ଶନରେ ଯେଉଁ ଗୀତ ସେ ଦୁହେଁ ଗାଇଥିଲେ ମନେ ପଡ଼ିଯାଏ । ଅନୁଭବକୁ, ବିଶ୍ୱାସକୁ ଜାରି ରଖ । ନିଜ କଥା ମନେରଖ, ତା’ କଥା ବି ମନେରଖ । ହୁଏତ କେହି ଆସିଯାଇପାରେ ସେଥିପାଇଁ ଦ୍ୱାର ବି ଖୋଲା ରଖ । କିଏ ସେ ଦ୍ୱିତୀୟ ବ୍ୟକ୍ତି ? କାହା କଥା ମନେ ରଖିବାକୁ କହିଲା ସେ ? କାହା ପାଇଁ ଦ୍ୱାର ଖୋଲା ରଖିବ ସେ ? ସେ ହଜି ଯାଉଥିଲା ନିଜ ଜଗତର ଇନ୍ଦ୍ରଜାଲରେ । ହଠାତ୍ କେଉଁ ଯାଦୁଗରର କାଉଁରୀ ପରଶରେ ସର୍ବାଙ୍ଗ ତାର ଫୁଟୁଥିବା ଫୁଲପରି ଶିହରି ଉଠିଲା । ସମୁଦ୍ରଆଡ଼ୁ ଭାସି ଆସୁଥିବା ସେଇ ମୂର୍ଚ୍ଛନା ବାରମ୍ବାର ତାକୁ ରୋମାଞ୍ଚିତ କଲା ଏବଂ ସେ ଆଉ ନ ଶୋଇ ସେଇ ଆଡ଼କୁ ମୁହଁ କରି ଅପେକ୍ଷା କଲା ନୂତନର... । ହଠାତ୍ ତାର ମନେହେଲା ଯଦି ସେ ଚୁପ୍ ଚୁପ୍ ଆସି ଫେରିଯାଏ । କାହାକୁ ସ୍ୱାଗତ କରିବ ଅପରାଜିତା ? କାହାକୁ ଅଭିନନ୍ଦନ ଜଣାଇବ ପ୍ରଥମ ଫୁଲର ସୁବାସ ଦେଇ ?

 

ବି.ଏ. ପରୀକ୍ଷାରେ ପ୍ରଥମଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ପାସ୍ କଲା ଅପରାଜିତା । ଗୋୱାଲକର ତାକୁ ଆର୍ଶୀବାଦ ଦେଇ କହିଲେ–ତୋ’ ପରି ଝିଅଟିଏ ପାଇ ମୁଁ ଧନ୍ୟ-। ତୋ ବାପାଙ୍କୁ ଜଣାଇ ଦେଇଛି । ସେ ଆନନ୍ଦରେ ଆତ୍ମହରା ।

 

ଅପରାଜିତା କ’ଣ କହିବ ବୋଲି ହେଉଥିଲା, କିନ୍ତୁ କିଛି କହିପାରିଲା ନାହିଁ । ଗୋୱାଲକର ରହି ନଯାଇ କହିଲେ–“କିନ୍ତୁ ମା’, ଏବେ ତ ଆଉ ଏ ବିଦ୍ୟାଳୟରେ ଶିଖିବା ପାଇଁ ତୋର କିଛି ବାକି ନାହିଁ । କଣ କରିବୁ ଭାବିଛୁ ?’’

 

ଅପରାଜିତା ସେଇକଥା କହିବା ପାଇଁ ଅପେକ୍ଷା କରୁଥିଲା । ସୁଯୋଗ ପାଇ ଭାବପ୍ରବଣତାକୁ ରୋକିନେଇ ସଂଯତ ସ୍ୱରରେ କହିଲା–“ଆହୁରି କିଛି କରିବାକୁ ଇଚ୍ଛା, ଯାହା ଏ ଯାଏ କେହି କରି ପାରିନାହାଁନ୍ତି । ମୁଁ ଯେପରି ନୂତନ କିଛି କରିବି, ମତେ ସେହି ବାଟ ଦେଖାନ୍ତୁ ।’’

 

ଗୋୱାଲକର ଖୁସି ହେଲେ ଅପରାଜିତା ମୁହଁରୁ ଏୟା ଶୁଣି । ସେ ତା’ ଉପରେ କିଛି ଲଦି ଦେବାକୁ ଚାହାଁନ୍ତି ନାହିଁ । ତା’ ଆତ୍ମସମ୍ମାନରେ, ଆତ୍ମବିଶ୍ୱାସରେ ବାଧା ଦବାଭଳି କିଛି ନକରି ବରଂ ତାର ଆତ୍ମନିର୍ମାଣରେ ସହାୟକ ହେବାଭଳି କିଛି କରିବାକୁ ଶ୍ରେୟସ୍କର ମନେ କରନ୍ତି । ସେଥିପାଇଁ ସେ ନିଜ ଇଚ୍ଛା ବ୍ୟକ୍ତ ନକରି ଅପରାଜିତାକୁ ସୁଯୋଗ ଦେଇଥିଲେ ନିଜ ଇଚ୍ଛା ବ୍ୟକ୍ତ କରିବା ପାଇଁ । ସେ ଆହୁରି ଉପରକୁ ଯିବାକୁ ଚାହେଁ । ଅନନ୍ତ ପ୍ରକାଶ ଖୋଲିଯାଏ ଉଡ଼ନ୍ତା ପକ୍ଷୀ ଆଗରେ... ଉଡ଼ିବାର ବନ୍ଧନ ନାହିଁ, ଆଉ ଆକାଶର ବି ସୀମା ନାହିଁ । ସୀମା ସରହଦ ଭାଙ୍ଗି ଆଗକୁ ଯାଉଥିବା ଆଲୋକ, ପବନ ସେଥିପାଇଁ ସ୍ୱାଗତ ଯୋଗ୍ୟ, ସବୁ ସୀମା ଅତିକ୍ରମ କରି ଦୁର୍ମଦ ପରି ଆଗୋଉଥିବା ମଣଷ ସେଥିପାଇଁ ନମସ୍ୟ ।

 

ଟାଟା ଟ୍ରଷ୍ଟର ଆନୁକୂଲ୍ୟରୁ ଲଣ୍ଡନ୍ ସ୍କୁଲ ଅଫ୍ ଇକୋନାମିକ୍ସରେ ଉପାଧ୍ୟୁତ୍ତର ଶିକ୍ଷାଲାଭ କରିବା ପାଇଁ ସବୁ ବ୍ୟବସ୍ଥା ହୋଇଗଲା । ଦିନେ ଏୟାର ଇଣ୍ଡିଆ ବିମାନରେ ବସି ଦରିଆ ସେପାରି ବିଲାତରେ ଯେତେବେଳେ ପାଦ ଦେଲା ଅପରାଜିତା ତା’ ରକ୍ତ ପ୍ରବାହରେ କୁଳୁ କୁଳୁ କରୁଥିଲା ସେଇ ଦୁର୍ବାର ଚେତନା ଯାହା ମଣିଷ ମନର ଅପ୍ରତିହତ ଶକ୍ତିକୁ ସଞ୍ଜୀବିତ କରି ରଖିଛି ଯୁଗ ଯୁଗ ଧରି । ସେଥିପାଇଁ ନୂତନର ସ୍ୱପ୍ନ ଦେଖେ ମଣିଷ, ସଭ୍ୟତା ଗଢ଼ିଉଠେ ସେହି ନୂତନ ଆଗମନଦ୍ୱାରା । ନିର୍ମାଣର ଏହି ରୀତି ଚାଲି ଆସିଛି ସଭ୍ୟତାର ଉନ୍ମେଷ କାଳରୁ । ନବନବ ଉଦ୍ଭାବନ, ନବନବ ଆବିଷ୍କାର କରିଚାଲିଛି ମଣିଷ, ଅର୍ଜନ କରି ଚାଲିଛି ଅଭିନବ ଉତ୍କର୍ଷତା । ସ୍ୱୟଂ ବିଶ୍ୱକର୍ମା ଯେପରି ତାକୁ ମାଧ୍ୟମ କରି ରଚନା କରି ଚାଲିଛନ୍ତି ତାଙ୍କର ଐଶ୍ୱର୍ଯ୍ୟଶାଳୀ ସାମ୍ରାଜ୍ୟ ।

 

ଲଣ୍ଡନ୍ ସ୍କୁଲ ଅଫ୍ ଇକୋନାମିକ୍ସରେ ଯୋଗଦେଇ ଉତଫୁଲ୍ଲିତ ହେଲା ଅପରାଜିତା । ପୃଥିବୀର କେତେ ଗଣ୍ୟମାନ୍ୟ ବିଶେଷଜ୍ଞ, ବିଦ୍ୱାନ୍ ଓ ପଣ୍ଡିତ ଏଠାରେ ଅଧ୍ୟୟନ କରି ଜଗତ ବିଖ୍ୟାତ ହୋଇଛନ୍ତି । ଭାରତରୁ ଆସିଥିବା ଅନ୍ଧ ଛାତ୍ରଙ୍କ ମଧ୍ୟରେ ଅର୍ଥନୀତି ପଢ଼ିବାରେ ସେ ପ୍ରଥମ-। ଏଠାରେ ଶାରୀରିକ ଅକ୍ଷମ ଥିବା ବିକଳାଙ୍ଗମାନଙ୍କୁ କେହି ହୀନଚକ୍ଷୁରେ ଦେଖନ୍ତି ନାହିଁ, ବରଂ ସୁଯୋଗ ପାଇଲେ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି । ଛାତ୍ରାବାସର ଗୋଟିଏ କୋଠରୀରେ ସେ ରହେ ନିଜର ସ୍ୱାଧୀନତାରେ । କିନ୍ତୁ ଅଧ୍ୟୟନ ବିଷୟ ଏତେ ବିଶାଳ ଯେ ଦିନରାତି ଷୋହଳ ସତର ଘଣ୍ଟା ପରିଶ୍ରମ କରି ମଧ୍ୟ ସେ ବେଳେବେଳେ ପଛରେ ପଡ଼ିଯାଏ-। କିନ୍ତୁ ଶିକ୍ଷକ ଓ ସହପାଠୀମାନଙ୍କର ଉଦାରତାରୁ ସେ ପାଏ ଆଶାତୀତ ସାହାଯ୍ୟ । ସାଧାରଣ ଛାତ୍ର ବହି ପଢ଼ି, ନୋଟ୍ ଲେଖି, ଟିଭି ଦେଖି, ଟେପ୍ ଶୁଣି ନିଜକୁ ପ୍ରସ୍ତୁତ କରେ, କିନ୍ତୁ ସେ ପାଠ ପଢ଼ିପାରେ ନାହିଁ, ଦେଖିପାରେ ନାହିଁ, କାହାର ନୋଟ୍ ମାଗି ଆଣିପାରେ ନାହିଁ । ସବୁ ବ୍ରେଲ ଯନ୍ତ୍ର ସାହାଯ୍ୟରେ ରୂପାନ୍ତରିତ କରି ବୁଝିବାକୁ ହୁଏ । ଗଦା ଗଦା ନୋଟ୍ ଏହି ଢଙ୍ଗରେ ତିଆରି ହୁଏ । କିନ୍ତୁ ଯେତେ ଅଧିକ ପରିଶ୍ରମ କଲେ ମଧ୍ୟ କ୍ଲାନ୍ତି ଅନୁଭବ କରେନି ଅପରାଜିତା । ତା’ ଶିରା ପ୍ରଶିରାରେ କର୍ମପ୍ରବଣତା ଢେଉରେ ସେ ଭାସିବୁଲେ ସମୁଦ୍ରକୁ ଫିଙ୍ଗି ଦେଇଥିବା ଗୋଟେ ବଲ୍ ପରି-। ତା’ର ଚେତନାରେ ଅନୁସନ୍ଧାନର ଦୀପ୍ତି ଦୀପ ଶିଖାଠାରୁ ଆହୁରି ଉଜ୍ଜ୍ୱଳ ଦେଖାଯାଏ ।

 

ସେଦିନ ରବିବାର । ଛୁଟିଦିନରେ କାମ ନ କରି ଫୁର୍ତ୍ତି କରିବାପାଇଁ ସମୁଦ୍ରକୂଳକୁ, ପାହାଡ଼ ତଳକୁ ବା ସବୁଜ ସୁଷମାରେ ପୂର୍ଣ୍ଣ ଗ୍ରାମକୁ ଚାଲିଯାଆନ୍ତି ସାହେବମାନେ । ଥେମସ୍ ନଦୀରେ ଡଙ୍ଗା ଭସାଇ ନଦୀ ଉପରର ଛାଡନି ଆସିଥିବା ବାସ୍ତବତାକୁ ଭୁଲିଯାଆନ୍ତି କିଛି ସମୟ ପାଇଁ । ଦେଖି ତ ପାରେ ନାହିଁ, ସେମାନଙ୍କର ଉଲ୍ଲାସ କେବଳ ଅନୁଭବ କରିପାରେ । ସେଦିନ ବ୍ରେଲଯନ୍ତ୍ର ସାହାଯ୍ୟରେ ଟେପ୍ କରିଥିବା ବାକି ନୋଟ୍ ଗୁଡ଼ାକ ଉଦ୍ଧାର କରୁଥିଲା ଅପରାଜିତା । ଦିନ ବାରଟା ହେବ ବୋଧହୁଏ, କବାଟରେ ନକ୍ କଲା କିଏ । ଚୌକିରୁ ଉଠି ନଯାଇ ସେ ଉଚ୍ଚ ସ୍ୱରରେ କହିଲା–କମ୍ ଇନ୍ ପ୍ଲିଜ୍... ।

 

ପର ମୁହୂର୍ତ୍ତରେ କବାଟ ଠେଲି ପଶି ଆସିଲା ଆଉ ଜଣେ ଭାରତୀୟ ଛାତ୍ର ଅନୁପମ ଦେଶାଇ । ଗୁଜୁରାଟରେ ଘର । ବାପା ମା ଥାଆନ୍ତି ଉଗାଣ୍ଡାରେ । ବଡ଼ ବ୍ୟବସାୟ । ବମ୍ବେ ଓ ଅହମ୍ମଦାବାଦରେ ମଧ୍ୟ ବ୍ୟବସାୟ ଅଛି ସେମାନଙ୍କର । କିନ୍ତୁ ବ୍ୟବସାୟରେ ମନ ନଦେଇ ଅର୍ଥଶାସ୍ତ୍ର ପଢ଼ିବାପାଇଁ ଲଣ୍ଡନକୁ ଚାଲି ଆସିଛି ଅନୁପମ । ଦେହର ରଙ୍ଗ ଗହମ ପରି । ଉଚ୍ଚତା ପାଞ୍ଚଫୁଟ ସାତଇଞ୍ଚ । ମୁହଁ ଉପରେ ସ୍ନିଗ୍ଧ ମଧୁରତା । ନାକ ତଳେ ମହାତ୍ମା ଗାନ୍ଧୀଙ୍କ ନିଶ ।

 

ଭିତରକୁ ପଶିଆସି କହିଲା ଅନୁପମ–“କ୍ଷମା କରିବ, ତମେ କାମ କରୁଥିବାବେଳେ ବାଧା ଦେଲି... ।’’

 

“ନା, ନା, କାମ ତ ସବୁବେଳେ ଚାଲିଥିବ... କାମର ସିନା ଅନ୍ତ ନାହିଁ, କିନ୍ତୁ ବନ୍ଧୁତ୍ୱର ଦାବି ଅନେକ ବେଶୀ ମୂଲ୍ୟବାନ ।’’

 

ଅନୁପମ ତାର ସହପାଠୀ । ବୟସରେ ଅପରାଜିତାଠାରୁ ପ୍ରାୟ ବରଷେ ବଡ଼ ହେବ । ବୁଦ୍ଧିଦୀପ୍ତ ଆଖି । କ୍ଲାସ୍ ରେ ଲେଖିଥିବା ନୋଟ୍ ଗୁଡ଼ାକ ଅବସର ସମୟରେ ଅପରାଜିତା ଆଗରେ ପଢ଼େ ସେ । ତା’ପରେ ସେ ବ୍ରେଲ୍ ଭାଷାରେ ଉଦ୍ଧାର କରିନିଏ ସେ ସବୁକୁ । ଏମିତି ଆଦାନ ପ୍ରଦାନ କରୁ କରୁ ଦୁହିଁଙ୍କ ମଧ୍ୟରେ ଗଢି ଉଠିଥିଲା ଅନ୍ତରଙ୍ଗତା, ଅମଳିନ ବନ୍ଧୁତ୍ୱ । ଅନୁପମ କହିଲା–କାଲି ପ୍ରଫେସର ମାର୍ଶାଲ୍ କେନସଙ୍କ ଥିଓରି ଉପରେ ଯେଉଁ ଟିପ୍ପଣୀ ଦେଲେ, ତାହା ସହିତ ପ୍ରଫେସର ଥାଚର ଏକମତ ନୁହଁନ୍ତି । କିନ୍ତୁ ମାର୍ଶାଲଙ୍କ ମତ ଅଧିକ ଉପଯୋଗୀ ଓ ବାସ୍ତବ ବୋଲି ମନେହୁଏ ମୋର... ତମେ କଣ ଭାବିଛ ଏ ବିଷୟରେ ?

 

ଅପରାଜିତା କହିଲା ନିଜସ୍ୱ ମତ । ସେ ଆହୁରି ତଳେଇ କରି ଯାଞ୍ଚ କରିବାକୁ ଚାହେଁ ନିଜର ଶେଷ ମତାମତ ଦବା ପୂର୍ବରୁ ।

 

ଗପୁ ଗପୁ ମଧ୍ୟାହ୍ନଭୋଜନ ସମୟ ହେଲା । ଅନୁପମ କହିଲା–“ଆପତ୍ତି ନଥିଲେ ଚାଲ ବାହାରେ ଖାଇ ଆସିବା । ଆଜି ତ ଛୁଟି ଦିନ ।’’

 

ମନା କଲା ନାହିଁ ଅପରାଜିତା ।

 

ତା’ ହାତ ଧରି ସିଡ଼ି ଓହ୍ଲାଇଗଲା ବେଳେ ଅନୁପମ କହିଲା–“ତମକୁ ଦେଖିଲେ ମୁଁ ଭାବେ ଯେ ମୁଁ ଗୋଟେ ହ୍ୟୁମେନ୍ ଡ୍ୟାନେମୋ ଦେଖୁଛି । ଉପରେ ସିନା ଉଦାସ ଉଦାସ ଭାବ, ଭିତରେ କିନ୍ତୁ ଅନୁସନ୍ଧାନର ବହ୍ନି ଜଳୁଛି, ପର୍ବତ ତଳୁ ବାହାରି ଆସିବା ପାଇଁ ପଥ ଖୋଜୁଥିବା ଆଗ୍ନେୟଗିରିର ଲାଭା ପରି ।

 

“ହସି ପକାଇଲା ଅପରାଜିତା । ହସିଲେ ତା ଦୁଇଗାଲରେ ଭଉଁରୀ ପଡ଼େ । ସେ ଆଡ଼କୁ ଅପଲକ ନୟନରେ ଚାହିଁ ରହିଲା ଅନୁପମ । ତା’ପରେ କହିଲା–‘‘ହସିଲ ଯେ... ?”

 

“ତମେ ଇକୋନୋମିକ୍ସ ପରି ଶୁଖିଲା ସବଜେକ୍ଟ ନ ନେଇ ସାହିତ୍ୟ ପଢ଼ିଥିଲେ ଭଲ କରିଥାଆନ୍ତ ।’’

 

ଉତ୍ସାହିତ ହୋଇ କହିଲା ଅନୁପମ–“କିନ୍ତୁ ମୁଁ ଯେ କବିତା ଲେଖେ ତମେ ଜାଣିନ ବୋଧହୁଏ... ।’’

 

“–କହିନ ତ କେବେ... ।’’

 

“–କହିବାକୁ ସାହସ ହୁଏନା... ଯଦି ଟ୍ରାସ୍ ବୋଲି ଉଡ଼େଇ ଦିଅ... ।’’

 

“–ନା, ନା... କବିତା ଶୁଣିବାକୁ ଭାରି ଭଲ ଲାଗେ ମତେ । ଦୁଇଥର ପଢ଼ିଦିଅ ମନେ ରହିଯିବ... ।’’

 

ଗାଡ଼ି ଛିଡ଼ା ହୋଇଥିଲା ତଳେ । ଦୁହେଁ ଚାଲିଗଲେ ଗୋଟେ ଇଣ୍ଡିଆନ୍ ରେସ୍ତୋଁରାକୁ ଭାରତୀୟ ଖାଦ୍ୟ ଖାଇବା ପାଇଁ ।

 

ସେଇଠି ମୁହାଁ ମୁହିଁ କରିଥିବା ବେଳେ କହିଲା ଅନୁପମ–“ତମର ପ୍ଲାନ୍ କଣ ଜିତା... ?”

 

“–କିଛି ଗୋଟେ କରିବାକୁ ଚାହେଁ ଯାହା କେହି କରିନଥିବେ... ନୂଆ... ।’’

 

“–ତମକୁ ଦେଖିଲେ ମୋର କଣ ମନ ହୁଏ ଜାଣ ?”

 

“–କୁହ...”

 

“–ତମେ କହୁଥାନ୍ତ ମୁଁ ଶୁଣୁଥାନ୍ତି, ମୁଁ କହୁଥାନ୍ତି ତମେ ଶୁଣୁଥାନ୍ତ... ।’’

 

“–ତା’ ହେଲେ ତ କଥା କହିବା ଓ ଶୁଣିବାରେ ଶତାବ୍ଦୀ ଶତାବ୍ଦୀ ଅତିବାହିତ ହୋଇଯାଆନ୍ତା... ।’’

 

କହିସାରି ପ୍ରବଳ ବେଗରେ ହସି ଉଠିଲା ଅପରାଜିତା ।

 

ତା’ର ଗୋଟେ ହାତ ଉପରେ ପାପୁଲି ରଖି କଣ କହିବାକୁ ଯାଇ ଅଟକିଗଲା ଅନୁପମ-

 

“ତମେ କଣ କହିବାକୁ ଚାହୁଁଥିଲ, କହିଲ ନାହିଁ ଯେ... ।’’

 

ସେ ମୁହଁ ନଦେଖି ବି କିପରି ତାର ଭାବ ଜାଣିପାରିଲା ତାହା ଭାବି ଆଶ୍ଚର୍ଯ୍ୟ ହୋଇଗଲା ଅନୁପମ । ଗାଡ଼ି ପାର୍କ କରି ରେସ୍ତୋଁରା ଭିତରକୁ ଯିବାବେଳେ କହିଲା ଅନୁପମ–“ପରେ କହିବି ।’’

 

ବହୁଦିନ ପରେ ସୁଆଦିଆ ସ୍ୱଦେଶୀ ଖାଦ୍ୟ ଖାଇ ତୃପ୍ତିରେ ପରିପୂର୍ଣ୍ଣ ଦିଶିଲା ଅପରାଜିତା ।

 

ଅନୁପମ ଭାବୁଥିଲା କହିବ କି ନାହିଁ...

 

“–ଚୁପ୍ ହେଇ ବସି ରହିଲ ଯେ... କଣ ଭାବୁଛ ଏତେ ?”

 

“–ଅଭୟ ଦେଲେ କହିବି...’’

 

ଚମକି ପଡ଼ିଲା ଅପରାଜିତା । ସେଦିନ ବମ୍ବେରେ ସମୁଦ୍ରଆଡ଼କୁ ମୁହଁ କରି ଠିଆ ହୋଇଥିଲାବେଳେ ତାର ଚେତନାରେ ଯେଉଁ ଆବେଗ ଶିର୍ଶିରେଇ ଉଠିଥିଲା ସେଇପରି ଗୋଟେ କମ୍ପନ ସର୍ବାଙ୍ଗ ଥରାଇ ବହିଗଲା ।

 

ଆଖିର କଳା ଚଷମାଟା ଉପରେ ହାତ ରଖି କହିଲା ଅପରାଜିତା–“ଏଇ ଚଷମା ଦେଖି ତମେ ଭୟ କରନା ?”

 

“ଭୟ ନୁହେଁ, ମୁଁ ତୁମକୁ ଭଲପାଏ ଜିତା... ।’’

 

ଅପରାଜିତା ଜୀବନ୍ୟାସ ଦିଆଯାଇଥିବା ମୃଣ୍ମୟୀ ମୂର୍ତ୍ତି ପରି ବାଙ୍ମୟ ହୋଇଉଠିଲା, କିନ୍ତୁ ତାହା ଲକ୍ଷ୍ୟ କରିପାରିଲା ନାହିଁ ଅନୁପମ ।

 

“–ମୁଁ ତୁମଠାରେ ଋଣୀ... କିନ୍ତୁ ଋଣ ପରିଶୋଧ କରିବାର ସମ୍ବଳ ନାହିଁ ଯେ ମୋ ପାଖରେ...”

 

“–ଅଛି...ଅଛି...ଅଛି ।’’

 

ଅନୁପମ ଏତେ ଜୋରରେ କହିଲା ଯେ ସେ ନିଜ ସ୍ୱରର ଶବ୍ଦରେ ନିଜେ ଚମକି ପଡ଼ି କହିଲା–ଆଇ ଏମ୍ ସରି...ମୁଁ ଦୁଃଖିତ ।

 

ଦୁହେଁ ଫେରି ଆସିଲେ ଛାତ୍ରାବାସକୁ । ଅପରାଜିତାକୁ ତା’ କୋଠରୀରେ ପହଞ୍ଚାଇ ଦେଇ ବିଦାୟ ନେଲାବେଳେ କହିଲା ଅନୁପମ–“ତମେ କୁହ ବା ନକୁହ ମୁଁ ଯାହା କହିବାର କହି ସାରିଛି...ଏହା କହିପାରୁନଥିଲି ବୋଲି ଦଗ୍ଧ ହେଉଥିଲି ନିଜ ଭିତରେ... ଏବେ ତମ ଇଚ୍ଛା... ।’’

 

ସେଇ ରାତିରେ ବହୁଦିନ ପରେ ବାହୁନି ବାହୁନି କାନ୍ଦିଲା ଅପରାଜିତା ।

 

ଅନୁପମ ସହିତ ସେଇ ମଧୁର ମଧ୍ୟାହ୍ନର ସ୍ମୃତି ମନ ତଳେ ସାଇତି ରଖି ପୁଣି ନବୀନ ଉତ୍ସାହରେ ପଢ଼ାରେ ମନଦେଲା ଅପରାଜିତା । ଦିନକୁ ଷୋହଳ ସତର ଘଣ୍ଟା ପରିଶ୍ରମ କରି ମଧ୍ୟ ସବୁ ପାଠ ଉଦ୍ଧାର କରିପାରେନି ବ୍ରେଲରେ । କ୍ଲାସ୍ ରେ କିଛି ସମୟ ପାଏ ପ୍ରତିଦିନ, ଆଉ କିଛି ସମୟ ଖର୍ଚ୍ଚ ହୁଏ ଗ୍ରୁପ୍ ଆଲୋଚନାରେ । ଲାଇବ୍ରେରୀରେ ଦୁଇତିନି ଘଣ୍ଟା ବହି ଘାଣ୍ଟିବାକୁ ହୁଏ ଏବଂ ବେଳେ ବେଳେ ପ୍ରଫେସରଙ୍କ ପାଖକୁ ଯାଇ ଜଟିଳ ସମସ୍ୟା ଗୁଡ଼ାର ସମାଧାନ କରିଆସେ-। ପାଶ୍ଚାତ୍ୟର ହେତୁବାଦୀ ଲୋକମାନଙ୍କର ମନରେ ଜାଣିବା ଲାଗି ପ୍ରବଳ ଅନୁସନ୍ଧିତ୍ସା-। ପାରମ୍ପରିକ ସମାଜରେ ପ୍ରଶ୍ନ ପଚାରି ବା ତର୍ଜମା ନ କରି ଯେପରି ଅନେକ କିଛି ଗତାନୁଗତିକ ଢଙ୍ଗରେ ଗ୍ରହଣ କରି ନିଆହୁଏ, ପାଶ୍ଚାତ୍ୟ ସମାଜରେ ତାହା ଅଚଳ । ପରମ୍ପରା ସହିତ ସେମାନେ ଯୋଗସୂତ୍ର ଛିନ୍ନ ନ କରି ମଧ୍ୟ ଅଜ୍ଞତା, କୁସଂସ୍କାର, ମୂଢ଼ତାକୁ ବର୍ଜନ କରି ନୂତନକୁ ଗ୍ରହଣ କରି ନିଅନ୍ତି ବୋଲି ଆଧୁନିକ । ସେଇ ନୂତନ ପୁଣି ପୁରୁଣା ହେଲେ ତା’ ସ୍ଥାନରେ ଆହୁରି ନୂତନ ତଥ୍ୟ, ନୂତନ ଆବିଷ୍କାର ସ୍ଥାନପାଏ ସ୍ୱାଭାବିକ ରୀତିରେ । ସେଥିପାଇଁ ଆଧୁନିକତା ଉପରେ ପୁରୁଣାର ପ୍ରତିବିମ୍ବ ପଡ଼ିଥିଲା ବେଳେ ପାଶ୍ଚାତ୍ୟର ପ୍ରୟୋଗଶାଳାର କଷଟିରେ ପରୀକ୍ଷିତ ହୋଇ ଚାଲିଥାଏ ନବ ନବ ଆଧୁନିକତା, ନୂତନ ଢଙ୍ଗ, ନୂତନ ରୀତିନିତି, ନୂତନ ଉଦ୍ଭାବନ ଓ ଆବିଷ୍କାର । ସେଠାରେ ଚଳଣୀ ଓ ଜୀବନ ସମୟଧର୍ମୀ ପରମ୍ପରା ଶିକୁଳିରେ ଆବଦ୍ଧ ନୁହେଁ ।

 

ପରମ୍ପରାକୁ ସମ୍ପୂର୍ଣ୍ଣ ପରିତ୍ୟାଗ ନ କରି ସମାଜରେ ଆଧୁନିକତାର ଚାରାରୋପଣ କରିବାପାଇଁ ପ୍ରୟାସ କରୁଥିଲା ଅପରାଜିତା । ସେଥିପାଇଁ ସ୍ୱଦେଶର ପାଣି, ପବନ, ମାଟି ଓ ପ୍ରକୃତି ଚାହିଁ ସମାଧାନର ସୂତ୍ର ବାହାର କରିବା ପାଇଁ ବ୍ୟାକୁଳ ହେଉଥିଲା ସେ । ସମୟ ବହି ଯାଉଥାଏ ଥେମସ ନଦୀର ସୁଅପରି । ପ୍ରତି ମୁହୂର୍ତ୍ତକୁ ସଚେତନ ଭାବେ ଉପଯୋଗ କରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲା ଅପରାଜିତା । ଦିନ ଓ ରାତିର ପାର୍ଥକ୍ୟ ସେ ଜାଣିପାରିନି । ଅନୁପମ ଯେତେବେଳେ କହେ ଯେ ଏତେ ପରିଶ୍ରମ କଲେ ଅସୁସ୍ଥ ହୋଇ ପଡ଼ିବାର ଆଶଙ୍କା ଅଛି ସେତେବେଳେ ମୁହଁ ଉପରେ ସେଇ ପରିଚିତ ସ୍ନିଗ୍ଧ ହସ ଖେଳାଇ କହିଲା–ସେ, “ତମେ କ୍ଲାନ୍ତ ହୋଇ ପଡ଼ୁନ ତ ! ବରଂ ଏଇ ଆର୍ମଚେୟାର ଉପରେ ଲମ୍ବାଇ ଦିଅ ଦେହକୁ...କିଛି ସମୟ ମୁଁ ଏକା ଏକା କାମ କରେ...ତା’ପରେ ଦୁହେଁ ପୁଣି ଆଲୋଚନା କରିବା ।’’ ଅନୁପମକୁ ପୁଣି ପାଖରେ ବସିଥିବା ଦେଖି ପୁଣି କହିଲା–ଅପରାଜିତା–“ତମେ ବୁଦ୍ଧିମାନ, ବିଚକ୍ଷଣ,... ପ୍ରଫେସରଙ୍କ ପ୍ରିୟଛାତ୍ର... ପ୍ରଥମ ଆସନ ତ ଥୁଆହୋଇ ରହିଛି ତମପାଇଁ, ତମର ଚିନ୍ତା କଣ ଯେ...” କିନ୍ତୁ ଚିନ୍ତିତ ସ୍ୱରରେ କହିଲା ଅନୁପମ–“କୌଣସି ସ୍ଥାନ କେହି କେହି ଚିରସ୍ଥାୟୀ ଭାବେ ଦଖଲ କରିପାରେନି ଜିତା । ତମେ ପିଟରକୁ ଜାଣନି ଭଲଭାବେ । ସେ ଉଠିପଡ଼ି ଯେମିତି ଲାଗିଛି ଦିନରାତି... ।’’ ଦଣ୍ଡେ ରହିଯାଇ କହିଲା ଅପରାଜିତା–“ଲାଗୁ, ଲାଗୁ... କମ୍ପିଟିସନ୍ ନଥିଲେ ସାର୍ଥକତାର ସ୍ୱାଦ ବି ଅଚଖା ରହିଯାଏ ଯେ... କିନ୍ତୁ ମୁଁ କହି ରଖୁଛି ଯେ ତୁମେ ହିଁ ଶେଷରେ ଶୀର୍ଷସ୍ଥାନ ଅଧିକାର କରିବ...”

 

ଅନୁପମ ଆଉ କିଛି ନ କହି ଆର୍ମଚେୟାର ଉପରେ ଲମ୍ବେଇ ଦେଲା ଦେହକୁ... ।

 

ତାରିଖଗୁଡ଼ା ବଦଳି ଚାଲିଥାଏ କ୍ୟାଲେଣ୍ଡରରେ । ଯେଉଁଦିନ ପରୀକ୍ଷା ଶେଷ ହେଲା ସ୍ୱସ୍ତିରେ ନିଃଶ୍ୱାସ ମାରି ମନକୁ ମନ କହିଲା ଅପରାଜିତା–“ଲଢ଼େଇ କରିବା ସୈନିକର କାମ । ସେଥିରେ ମୁଁ ହଟିଯାଇନି... ଏବେ ଯାହା ହେବାର ଥିବ ହେବ... ସେଥିପାଇଁ ଉଦ୍‍ବିଘ୍ନ ହେବା ବିଜ୍ଞତାର କାର୍ଯ୍ୟ ହେବ ନାହିଁ ।’’

 

ଦିନେ ସେ ସ୍କଟଲାଣ୍ଡ ଚାଲିଗଲା ଛୁଟି କଟାଇବାପାଇଁ । ଅନୁପମ ବି ଯିବାର ଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ତାକୁ ରହିଯିବାକୁ ପଡ଼ିଲା । ଏକା ଏକା ନୀରବରେ ବଞ୍ଚିପାରେ ନା କଥାକୁହା ମଣିଷ । ସେଥିପାଇଁ ଗ୍ରୀନଭେଲି କଟେଜରେ ପାଦ ଦେବାକ୍ଷଣି ସେ କୋମଳ ସ୍ନେହସ୍ନିଗ୍ଧ ନାରୀକଣ୍ଠ ଶୁଣି ପୁଲକିତ ହେଲା । ଗ୍ରୀନଭେଲି କଟେଜର ଲ୍ୟାଣ୍ଡଲେଡ଼ି । ସ୍ୱାମୀ ଦିବଂଗତ ହେବାପରେ ବାସସ୍ଥାନକୁ ପର୍ଯ୍ୟଟକମାନଙ୍କ ପାଇଁ ଭଡ଼ାରେ ଦେଇ ଯାହା ଉପାର୍ଜନ କରନ୍ତି, ସେଥରେ ସଂସାର ଖର୍ଚ୍ଚ ନିର୍ବାହ ହୁଏ ମିସେସ୍ କେଲିଙ୍କର । ପୁତ୍ରକନ୍ୟା ନ ଥିବା ସେହି ବୃଦ୍ଧା ଅପରାଜିତାକୁ ଆଲିଙ୍ଗନ କରି ଆର୍ଶୀବାଦ କଲେ । ତାଙ୍କର ମାତୃତୁଲ୍ୟ ସ୍ନେହପାଇ ମା’ କଥା ବାରମ୍ବାର ମନେ ପଡ଼ିଲା ଅପରାଜିତାର । ଅଧ୍ୟାପକ ମାର୍ଶାଲ ତାକୁ କେତେଥର କହିଛନ୍ତି ଇଂଲଣ୍ଡରେ ରହିଯିବାପାଇଁ । ଏଠାରେ ଅନେକ ସୁଯୋଗ, ବିଶେଷକରି ତା’ପରି ଦୃଷ୍ଟିହୀନାଙ୍କ ପାଇଁ-। କିନ୍ତୁ ସେ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ଶେଷ ନିଷ୍ପତ୍ତି ନେଇ ପାରିନି ସେ । ବରଂ ସ୍ୱଦେଶକୁ ଫେରିଯିବା ପାଇଁ ମନ ବ୍ୟାକୁଳ ହେଉଛି । ମା’ ବାପାଙ୍କ କୋଳକୁ ଫେରିଯିବା ହିଁ ସ୍ୱାଭାବିକ-। ବାପା ସେଇ ବିଷୟ ଲେଖିଥିଲେ ତାଙ୍କ ଚିଠିରେ । ସେ ଯଦି ଏଠାରେ ସୁଖରେ ରହେ, ସେଥିରେ ତାଙ୍କର କୌଣସି ଆପତ୍ତି ନାହିଁ ସତ, କିନ୍ତୁ ତାଙ୍କ ଅନ୍ତଃସ୍ୱରର ବାଣୀ ତାକୁ କହୁଥିଲା ବାପା ମା’ଙ୍କ ପାଖକୁ ଫେରିଯିବା ପାଇଁ ।

 

ଝରଣା ସଙ୍ଗୀତ ଶୁଣି, ପକ୍ଷୀମାନଙ୍କ କାକଳି ଶୁଣି, ମିସେସ୍ କେଲିଙ୍କ ବିଚକ୍ଷଣ ଗପ ଶୁଣି କେମିତି ଦଶଟା ଦିନ କଟିଗଲା ଜାଣି ପାରିଲାନି ଅପରାଜିତା । ସପ୍ତାହାନ୍ତ କଟାଇବା ପାଇ ଶୁକ୍ରବାର ରାତିରେ ଆସିବ ବୋଲି ଟେଲିଫୋନ କରିଥିଲା ଅନୁପମ । ସେତେବେଳକୁ ପରୀକ୍ଷାର ଫଳ ବି ହୁଏତ ବାହାରି ସାରିଥିବ । ପରୀକ୍ଷା କଥା ମନେପଡ଼ି ଯିବାରୁ ପୁଣି ଛାତି ଭିତରଟା ଧଡ଼୍ କରି ଉଠିଲା । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସମ୍ବନ୍ଧରେ ସେ ନିଶ୍ଚିତ ଥିଲେ ବି ଉଦବିଗ୍ନ ହେଉଥିଲା ଅନୁପମର ରେଜଲ୍‍ଟ ଜାଣିବାପାଇଁ । ସେ ପ୍ରଥମ ନ ହେଲେ ସେଇ ଦାରୁଣ ଧକ୍କା ସହ୍ୟ କରିପାରିବ ନାହିଁ ।

 

ଆଜି ସବୁ ମନେ ପଡ଼ିଯାଉଛି ଅପରାଜିତାର । ବମ୍ବେରେ ଥିବାବେଳେ ସମୁଦ୍ରଆଡ଼କୁ ଚାହିଁ ବସିଥିବାବେଳେ ସମୁଦ୍ର ଲହରୀରୁ ଝାଉଁ ଗଛର ଶାଖା ପ୍ରଶାଖାରେ ଖେଳେଇ ହୋଇ ଆପଣେଇ ନବା ଯେଉଁ ମଧୁର ସ୍ୱର ଶୁଣି ସେ ବିହ୍ୱଳ ହୋଇଯାଉଥିଲା ସେଇ ସ୍ୱର ପୁଣି ସାତ ସମୁଦ୍ର ପାରି ହୋଇ ଭାସିଆସୁଛି ତା’ ଆଡ଼କୁ । ପବନର ଆଲିଙ୍ଗନରେ ଦେହ ପୁଲକି ଉଠୁଛି । ତା ଭିତରେ ଗୋଟେ ନୂତନ ଚେତନା କଡ଼ ଲେଉଟାଇବା ପରି ଲାଗୁଛି ।

 

ଆଜି ଅନୁପମ ଆସିବାର କଥା । ହାତଘଣ୍ଟାରେ ହାତ ମାରି ସମୟ ଜାଣି ବଗିଚାରେ ବସି ବସି ପକ୍ଷୀମାନଙ୍କର ଭାଷାର ମର୍ମାର୍ଥ ବୁଝିବାପାଇଁ ଚେଷ୍ଟା କରୁଥିଲା ସେ । ଏବେ ସିନା ସେ ଫୁଲମାନଙ୍କୁ ଦେଖିପାରୁନି, କିନ୍ତୁ ଯେତେବେଳେ ସେ ଦେଖି ପାରୁଥିଲା ସେତେବେଳେ ବି ସେ ଅନୁଭବ କରୁଥିଲା ଯେ ଫୁଲମାନଙ୍କର ଓ ଗଛ ମାନଙ୍କର ବି ଭାବ ବିନିମୟର ଭାଷା ଅଛି, ଆବେଗ ପ୍ରକାଶ କରିବାର ବି ପ୍ରତୀକ ଅଛି । ଅନୁପମ ହୁଏତ ବୁଝୁଥିବ ତାର ନିଃସହାୟତା, ନ ପାରିବାପଣ । କିନ୍ତୁ କଣ କରିବ ସେ ? ନିଜର ଅନ୍ତହୀନ ଦୁଃଖକୁ ସେ କେମିତି ବାଢ଼ିଦେବ ଆଉ ଜଣକୁ । ଭାଗ୍ୟ ଯାହା ଭାଙ୍ଗିଦେଇଛି ତାହା ଗଢ଼ିବା ତା’ ଆୟତ୍ତରେ ନୁହେଁ । କିନ୍ତୁ ଏହା ସତ୍ତ୍ୱେ ବିଶ୍ୱାମିତ୍ର ପରି ଗୋଟିଏ ତୃତୀୟ ପୃଥିବୀ ଗଢ଼ିବାକୁ ଚାହେଁ, ଯେଉଠାରେ ତ୍ରିଶଙ୍କୁ ପରି ସେ ଏକା ଘୂରିବ ନାହିଁ । ଆଉ କେହି ବି ରହିବେ ନାହିଁ ସେଠାରେ, ତା’ ଦ୍ୱାର ଖୋଲା ରହିବ ସଦାବେଳେ, କାଳେ କେହି ଆସିଯାଇପାରେ ।

 

ସତକୁ ସତ ସେହି ସମୟରେ ଫାଟକ ଡେଇଁ ପୋର୍ଟିକ ଆଡ଼କୁ ଆସୁଥିବା ଗୋଟେ ଗାଡ଼ିର ପରିଚିତ ଶବ୍ଦ ଶୁଣିଲା ଅପରାଜିତା । ଅନୁପମ ଆସୁଥିବା ଭାବି ତାକୁ ସ୍ୱାଗତ କରିବା ପାଇଁ ସେ ଚଞ୍ଚଳ ହୋଇପଡ଼ିଲା ।

 

ସେ ହାତ ବଢ଼ାଇଲା ବେଳକୁ ଅନୁପମ ଲମ୍ଫଦେଇ ଉଠାଇ ନେଲା ତାକୁ ଛୋଟ ଶିଶୁଟି ପରି, ଆଉ ନାଚିଗଲା ବହେ ହିପ୍ ହିପ୍ ହୁରରେ କହି କହି । ଅଭିଭୂତ ଅପରାଜିତା ଏତେ ଆନନ୍ଦର କାରଣ ପଚାରିବା ଆଗରୁ କହିଲା ଅନୁପମ–“ୱାରମ୍ କଙ୍ଗ୍ରାଚୁଲେସନ୍ସ... ଶତ ଶତ ଉଷ୍ଣ ଅଭିନନ୍ଦନ... ।’’

 

“କିନ୍ତୁ କ’ଣ ପାଇଁ କହିଲ ନାହିଁ ଯେ... ।”

 

“ସେଇଥିପାଇଁ ତ ନିଜ ମୁହଁରେ କହିବା ପାଇଁ ଧାଇଁ ଆସିଛି ପାଞ୍ଚଶହ ମାଇଲ । ତମେ ସେ ଅଧିକାର ମତେ ଦବା ଆଗରୁ ମୁଁ ତାହା ତମ ହାତରୁ ଛଡ଼େଇ ନେଇଛି... ।’’

 

ବିଜୁଳି ଚମକିଲା ଅପରାଜିତାର ନିରନ୍ଧ୍ର ଅନ୍ଧକାର ଭିତରେ... ।

 

ପରୀକ୍ଷାଫଳ ବାହାରି ଗଲା ବୋଧେ...ସେ ଗୁଣୁ ଗୁଣୁ ହେଲା ମନେ ମନେ ।

 

“–ତମେ ଫାଷ୍ଟକ୍ଲାସ ଫାଷ୍ଟ...ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ନୂଆ ରେକର୍ଡ଼୍ ସୃଷ୍ଟି କରିଛ ତମେ... ମାଇ ଡାର୍ଲିଂ... ।’’

 

ପୁଣି ତାକୁ ଟାଣି ନେଇ ବହେ ନାଚିଗଲା ଅନୁପମ । ସେ ଆନନ୍ଦରେ ଆତ୍ମହରା ପାହାଡର ପଥର ଫଟେଇ ପ୍ରଥମ ଝରିପଡ଼ୁଥିବା ଜଳପ୍ରବାହ ପରି । ଉଚ୍ଛଳ, ଉନ୍ମାଦ, ଅବାରିତ... ।

 

ଚମକି ପଡ଼ିଲା ଅପରାଜିତା । ବିଶ୍ୱାସ କରିପାରୁ ନାହିଁ କାନକୁ । ସବୁଠାରୁ କୀର୍ତ୍ତିମାନ ଛାତ୍ରକୁ ପଛରେ ପକେଇ ସେ ଆଗରେ ଯାଇଛି... ନା, ନା, ଅନୁପମର ଦୟା ବିନା ଏହା ସମ୍ଭବ ନୁହେଁ... ସମ୍ଭବ ନୁହେଁ ଅନୁପମକୁ ଅତିକ୍ରମ କରିବା... ତାର ସମଗ୍ର ସତ୍ତା ଥରାଇ କୋହ ଉଠିଲା ଅନ୍ତସ୍ଥଳରୁ... ଇଏ ଆନନ୍ଦ ନା ଯନ୍ତ୍ରଣାର ତାହା ବୁଝିବା ଆଗରୁ ଛୋଟ ଶିଶୁଟିପରି ଅନୁପମର ଛାତି ଉପରେ ଲୋଟିପଡ଼ି କହିଲା ସେ ଅସ୍ପଷ୍ଟ ଭାଷାରେ ଏତେ ଦୟାର ଯୋଗ୍ୟା ନୁହେଁ ମୁଁ... ଯାହା ତମର, ସେ ସ୍ଥାନ ସ୍ୱେଚ୍ଛାରେ ଛାଡ଼ିଦେଲ କାହିଁକି... ?”

 

ଅନୁପମ ତାର ଦୁଇ ଆଖିଉପରେ ଚୁମ୍ବନ କରି କହିଲା–“ନା, ମୋର ଦୟା ନୁହେଁ, ତମର ଯାହା ପ୍ରାପ୍ୟ ତମେ ପାଇଛ... ଏତେ ଆନନ୍ଦ ମୁଁ ଧରି ରଖି ପାରୁନି... ସମଗ୍ର ବିଶ୍ୱ ମୋ ଭିତରେ ଲୀନ ହୋଇଯାଇଛି... ।’’

☆☆☆

 

Unknown

କଳଙ୍କ

 

ଯେଉଁଦିନ ବାବୁଙ୍କର ବଦଳି ଅର୍ଡ଼ର ଆସିଲା ସେଦିନ ତାଙ୍କ ପରିବାରରେ ସ୍ୱତଃସ୍ଫୁର୍ତ୍ତ ଆନନ୍ଦର ଢେଉ ଖେଳି ଯାଇଥିଲା । ନିଜେ ବାବୁ ଶୁଭ ବର ଶୁଣିବା ପରେ ଜିତୁକୁ ଦୁଇ ଟଙ୍କା ବକ୍ସିସ୍ ଦେଇଥିଲେ । ଜିତୁ ଉପରେ ଉପରେ ସେମାନଙ୍କ ସହିତ ଆନନ୍ଦ ଉଲ୍ଲାସରେ ଯୋଗ ଦେଉଥିଲା ସତ, ମାତ୍ର ଭିତରେ ଭିତରେ ସେ ଝାଉଁଳି ପଡ଼ୁଥିଲା । ଜୀବନର ଏଇ କେତେ ବର୍ଷର ଅଭିଜ୍ଞତାରୁ ସେ ଭଲଭାବେ ଜାଣି ଯାଇଥିଲା ଯେ ବାବୁମାନେ ବଦଳି ହୋଇ ଆଉ ଗୋଟିଏ ନୂଆ ଜାଗାକୁ ଗଲେ କେବଳ ସ୍ଥାନ ପରିବର୍ତ୍ତନ ହୁଏ ନାହିଁ ଘର ଓ ଚାକର ମଧ୍ୟ ବଦଳେ । ଯାହା ପୁରୁଣା ଓ ପରିତ୍ୟକ୍ତ ମନେ ହୁଏ ସେ ସବୁକୁ କେହି ସାଙ୍ଗରେ ନେଇ ଯାଆନ୍ତି ନାହିଁ । ସେ ଦୀର୍ଘ ପାଞ୍ଚବର୍ଷ ତାଙ୍କ ଘରେ କାମ କରିବା ପରେ ମନରୁ ଚାକର ଭାବନା କଟିଯାଇ ସେ ବି ସେଇ ପରିବାରର ଜଣେ ସଦସ୍ୟ ଏବଂ ସେମାନଙ୍କର ସୁଖ ଦୁଃଖର ଅଧିକାରୀ ଏଇ ଭାବଟା ଅନିଚ୍ଛାକୃତ ଭାବରେ ମନକୁ ଦଖଲ କରିନେଇଛି । ଅଥଚ ସେ ସ୍ପଷ୍ଟ ଭାବରେ ବୁଝେ ଯେ ବାବୁଙ୍କର ଗୋଷ୍ଠୀ ସ୍ୱତନ୍ତ୍ର, ତାଙ୍କର ଚଳଣି ଅଲଗା ଏବଂ ସେ ଏ ଜନ୍ମରେ ତ ନୁହେଁ ଆହୁରି ସାତଜନ୍ମରେ ବି ବାବୁ ହୋଇ ଜନ୍ମ ଗ୍ରହଣ କରିବ ନାହିଁ । ଜିତୁର ହେତୁ ହେଲା ଦିନୁ ପରିବାରରେ ଯେଉଁମାନଙ୍କୁ ଦେଖି ଆସିଛି ସେମାନେ ସମସ୍ତେ ପର ଘରେ କାମ କରି ଚଳୁଥିଲେ । ସେଇ ପରମ୍ପରା ରକ୍ଷା କରି ସେ ବି ବାର ବର୍ଷ ବୟସରୁ ବାବୁମାନଙ୍କ ଘରେ ଚାକିରି କରିବା ଆରମ୍ଭ କରିଛି । ସେ ଏଇ ଅଳ୍ପବୟସରୁ ଚାକିରି କରୁ ବୋଲି ତାର ମା’ ଚାହୁଁ ନ ଥିଲା । ସେ ବୋଧହୁଏ ଭାବୁଥିଲା ପୁଅକୁ ପାଠ ପଢ଼େଇଲେ ସେ ବି ଦିନେ ବାବୁ ହୋଇଯିବ । ମନ ଭିତରେ ଏଇ ଗୋପନ ଆଶା ଲାଳନ କରି ସେ ଜିତୁକୁ ସରକାରୀ ସ୍କୁଲ୍‍କୁ ପଠେଇଥିଲା ପାଠ ପଢ଼ିବା ପାଇଁ। କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ତାର ଆହାର ଆବଶ୍ୟକତା ଯେତିକି ବଢ଼ିଲା ପରିବାରର ଆୟ ସେଇ ଅନୁପାତରେ ବଢ଼ିଲା ନାହିଁ । ଦିନେ ସେ ସ୍କୁଲ୍ ବାହାରିଲା ବେଳେ ବାପା ତାକୁ ଜୋର୍ କରି ନେଇଯାଇଥିଲା ସହରକୁ । ସେଇଦିନୁ ସେ ପାଠ ପଢ଼ିବାର ସୁଯୋଗ ହରେଇ ଚାକିରି କରୁଛି । ଦୁଇ ବର୍ଷ ଜଣେ ବାବୁଙ୍କ ପାଖରେ ରହି କାମ ଶିଖି ଆସିଲା ବେଳକୁ ତାଙ୍କର ଯେଉଁଦିନ ବଦଳି ହୋଇଗଲା ସେଦିନ ତାଙ୍କ ସହିତ ଯିବାକୁ ଜିତୁର ଇଚ୍ଛା ହୋଇଥିଲେ ବି ସେ ତାକୁ ସାଙ୍ଗରେ ଯିବା ପାଇଁ ଥରେ ହେଲେ କହିନଥିଲେ । ତା’ପରେ ଯାହାଙ୍କ ଘରେ ସେ ଚାକିରି କଲା ସେ ମାତ୍ର ଆଠ ମାସ ରହି ବଦଳି ହୋଇ ଚାଲିଗଲେ । ସେ ବି ତାକୁ ସାଙ୍ଗରେ ଯିବା ପାଇଁ କହିଲେ ନାହିଁ । ତାଙ୍କ ପରେ ଏଇ ମାଧବ ବାବୁଙ୍କ ଘରେ କାମ କରୁଛି ସେ ଏପର୍ଯ୍ୟନ୍ତ । ମାଧବାନନ୍ଦ ବାବୁ ଚାଲିଗଲେ ତାକୁ ପୁଣି ଆଉ ଜଣେ ନୂଆ ମୁନିବଙ୍କର ଅପେକ୍ଷା କରିବାକୁ ପଡିବ । ଏକଥା ଭାବିଲା ବେଳକୁ ଜିତୁର କଷ୍ଟ ହେଉଥିଲା ମନରେ । ବାବୁ ଓ ମାଆ, ତାଙ୍କର ପୁଅ ଗୁଲୁ ଓ ଝିଅ ସୁଲି ସହିତ ସେ ଏମିତି ମିଶି ଯାଇଥିଲା ଯେ ସେ ଭାବୁଥିଲା ସେ ବି ପରିବାରର ଆଉ ଜଣେ ଲୋକ, ତାର ଭାଗ୍ୟ ସେମାନଙ୍କଠାରୁ ଭିନ୍ନ ନୁହେଁ, ତାର ବି ଗୋଟିଏ ଠିକଣା ଅଛି ।

କିନ୍ତୁ ମାଧବାନନ୍ଦ ବାବୁ ଯେଉଁ ଦିନ ବଦଳି ଅର୍ଡର ପାଇଲେ ସେଦିନ ଉପରେ ସମସ୍ତଙ୍କ ଭଳି ସେ ଖୁସି ହେବାର ଚିହ୍ନ ଦେଖେଇଥିଲେ ବି ଭିତରେ ଭିତରେ ମୁହଁ ମାଡି ପଡି ରହିଥିଲା । ବାବୁ ଯେ ତାକୁ ସାଙ୍ଗରେ ନେବେ ନାହିଁ ଏ କଥା ସେ ବିଶ୍ୱାସ କରି ପାରୁ ନ ଥିଲେ ବି ଯେତେବେଳେ ସେ ତାକୁ କହିଲେ କଟକ ଯିବା ପରେ ସେ ଯିବ କି ନ ଯିବ ତାକୁ ଖବର ଦେବେ, ସେତେବେଳେ ଜିତୁ ବୁଝିଗଲା ଯେ ତାର ଆବଶ୍ୟକତା ଶେଷ ହୋଇ ଆସିଛି । ଘରଛାଡ଼ି ବାବୁମାନେ ନୂଆ ଘରକୁ, ନୂଆଜାଗାକୁ ଚାଲିଗଲା ପରେ ପୁରୁଣା ପରିତ୍ୟକ୍ତ କାଗଜ ପତ୍ର ପରି ସେ ବି ପଡ଼ି ରହିବ ମାଟି କାମୁଡ଼ି । ଜିତୁର ଅନ୍ତର ଭିତରଟା ମନ୍ଥି ହୋଇଗଲା, ସେ ଚେଷ୍ଟା କରି ବି ମନରୁ ଏକୁଟିଆ ଭାବଟିକୁ ଅନ୍ତର କରି ପାରିଲା ନାହିଁ । ତାର ମୁହଁ ଦେଖି ସମସ୍ତେ ଏମିତି ହସଖୁସିରେ ଫାଟି ପଡ଼ୁଥିବା ବେଳେ ସେ କାହିଁକି ମୁହଁ ଶୁଖାଇଛି ପଚାରିଲେ । କିନ୍ତୁ ସହସା ତାଙ୍କୁ ଉତ୍ତର ଦେଇପାରିଲା ନାହିଁ ସେ । ବରଂ ତର ତର ହୋଇ ବାକି କାମଗୁଡ଼ାକ ସାରିନବା ପାଇଁ ଚାଲିଗଲା ସେଠାରୁ ।

ଜିତୁକୁ ଆଉ ସମୟ ମିଳୁନି ବିଶ୍ରାମ କରିବା ପାଇଁ । ସମସ୍ତେ ଖାଇ ପିଇ ସାରିବା ପରେ ବାସନ ଧୋଇ ସାରି ରୋଷେଇ ଘର ପରିଷ୍କାର କରି ସେ ଘଣ୍ଟାଏ ବିଶ୍ରାମ ନିଏ । ବଦଳି ଅର୍ଡ଼ର ଆସିଲା ଦିନୁ ଆଉ ସମୟ ମିଳୁ ନାହିଁ । ମା ତାକୁ ବନ୍ଧାବନ୍ଧି କାମ ଆରମ୍ଭ କରିବାକୁ କହିଲାବେଳୁ ଅନ୍ୟ କାମ ନଥିଲେ ସେଇ କାମ କରେ ସେ । ଦି ପହର ସମୟରେ ପୁରୁଣା ବର କାଗଜ ଓ ଦଉଡ଼ି ଆଣି ବନ୍ଧାବନ୍ଧି କାମ ସେ କରେ । ଚୌକି, ରାକ୍, ଆଲମାରି ଉପରେ କାଗଜ ଦେଇ ଦଉଡିରେ ବାନ୍ଧି ସାରିଲାଣି । ଡ୍ରେସିଂ ଟେବୁଲ୍, ପଲଙ୍କ ଏବଂ ଆଉ କେତୋଟି ଆସବାବ ପତ୍ରର ବନ୍ଧାବନ୍ଧି ସରିନି ଆହୁରି । କେତେବେଳେ କେମିତି ଅଫିସରୁ ଜଣେ ଦୁଇଜଣ ପିଅନ ଆସି କାମ କରନ୍ତି । ଜିତୁ ନଥିଲେ ସବୁ ଅଚଳ । ସେ ଏକା ଜାଣେ କେଉଁଠି କଣ ଅଛି । ତାକୁ କାମ ବରାଦ କରି ଦେଇ ନିଶ୍ଚିନ୍ତ ହୋଇ ମା ଗଡ଼ପଡ଼ କରନ୍ତି ମଧ୍ୟାହ୍ନରେ । ଜିତୁ ଜିନିଷ ପତ୍ର ଠୁଳ କରେ, ବହୁ ଦିନରୁ ଜମିଥିବା ଧୁଳି ଅଳନ୍ଧୁ ସଫା କରି ଯଥା ସ୍ଥାନରେ ଯତ୍ନର ସହିତ ରଖେ । କାଚ ଓ ବାସନ, ଖେଳନା ସବୁକୁ କାଗଜରେ ଗୁଡ଼ାଇ ପ୍ୟାକିଙ୍ଗ ଦେଇ ସାବଧାନତାର ସହିତ ବାକ୍ସ ଭିତରେ ଭର୍ତ୍ତି କରେ । ଅଫିସରୁ ଆସୁଥିବା ପିଅନ ଦୁଇଜଣ ଅଫିସ୍‍ବାବୁଙ୍କ ପରି ଅର୍ଡ଼ର ଦେଇ ବଗିଚାରେ ଥିବା ପିଜୁଳି ଗଛ ମୂଳରେ ବସି ବିଡ଼ି ଟାଣନ୍ତି ଗଳ୍ପ କରନ୍ତି । ଜିତୁର ଇଚ୍ଛା ହୁଏ ସେମାନଙ୍କ ବିରୁଦ୍ଧରେ ବାବୁଙ୍କ ପାଖରେ ନାଲିସ୍ କରିବା ପାଇଁ । କିନ୍ତୁ ପର ମୁହୂର୍ତ୍ତରେ ମନକୁ ସଂଯତ କରେ ସେ । କି ଦରକାର ଅନ୍ୟ ବିରୁଦ୍ଧରେ କହିବା । ବାବୁ ଆପେ ଆପେ ଜାଣିବେ ସବୁ କଥା । ସେ ଚାଲିଗଲା ପରେ ଏ ପିଅନମାନେ ରହିବେ । ଆଉ ସେ ବି ଅପେକ୍ଷା କରିବ ନୂଆ ଅଫିସରଙ୍କୁ । ଯଦି ତାଙ୍କର ମନ ହୁଏ ତାକୁ ରଖିବେ, ସେତେବେଳେ ତାର ଚରିତ୍ର, ଆଚାର ବ୍ୟବହାର ସମ୍ପର୍କରେ ଯେଉଁ ସାର୍ଟିଫିକେଟ୍ ଦରକାର ହେବ ଏଇ ପିଅନମାନେ ଦେବେ ସେସବୁ । ଆଜି ଅଳି କରିଥିଲେ କାଲି ଯେ ସେମାନେ ନୂଆ ଅଫିସର ଆଗରେ ତା ବିରୁଦ୍ଧରେ ଚୁଗୁଲି କରିବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ତା’ପରେ ସେମାନେ ସରକାରୀ ଚାକର ଓ ସେମାନେ ଘରୋଇ ଚାକର । ସେମାନଙ୍କ ସହିତ ତା’ର ତୁଳନା ଅବାସ୍ତବ, ଅସମ୍ଭବ । କାହିଁ ରାଣୀ, କାହିଁ ଚନ୍ଦରକାଣୀ । ସରକାର ମୁଣ୍ଡ ଉପରର ଛତା ପରି, ଖରା ବର୍ଷା ସବୁ ସମୟରେ ସେମାନଙ୍କ ସ୍ୱାର୍ଥ ସଂରକ୍ଷିତ । ଆଉ ଜିତୁର ସ୍ୱାର୍ଥବାବୁମାନଙ୍କ ମର୍ଜି ଉପରେ, ମା’ମାନଙ୍କର ଇଚ୍ଛା ଅନିଚ୍ଛା ଉପରେ । ବାବୁ ବଦଳିଲେ ଚାକର ବି ବଦଳେ । ତାର ପରମ ଭାଗ୍ୟ ଯେ ସେ ଗୋଟିଏ ଜାଗାରେ ରହିଯାଇଛି ଆଠବର୍ଷ ହେବ, ବାବୁ ବଦଳିଛନ୍ତି କିନ୍ତୁ ସେ ବଦଳି ନାହିଁ । କିନ୍ତୁ ନୂଆ ଅଫିସର ଆସିଲେ ତାକୁ ରଖିବେ ବୋଲି କିଛି ନିଶ୍ଚୟତା ନାହିଁ । ସେ ପୁଣି ଅପେକ୍ଷା କରିବ, ମୁହାଁମୁହିଁ ହେବ ଅନିଶ୍ଚୟତାର । ଏ ସବୁ ସତ୍ତ୍ୱେ ଯେଉଁମାନଙ୍କ ସହିତ ଚଳି ଆସିଛି, ଯେଉଁମାନଙ୍କର ଦୁଃଖ ସୁଖର ଚିତ୍ର ଦେଖି ଆସିଛି ସେମାନଙ୍କର ମୁହଁ ଛାପି ହୋଇଯାଇଛି ମାନସ ପଟରେ । ଜିତୁ ସେମାନଙ୍କୁ ଭୁଲି ନାହିଁ । ପ୍ରଥମ ମୁନିବଙ୍କ ପାଖରେ ବାରବର୍ଷ ବୟସରେ ଚାକିରି କରି ମାଡ଼ ଗାଳି ଖାଇ ବି ଅଭିଯୋଗ କରିନି ସେ, ଏବେ ତାଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ଅଟଳ । ବାପାର କଥା ଅମାନ୍ୟ କରିନି, ଚାକର ହେଲେ ନିଜର ସବୁ ଅସୁବିଧା ଭୁଲି ସେ ମାଲିକର ସୁବିଧା କରିବାକୁ ହୁଏ, ଏହା ସେ ପାସୋରି ଯାଇନି ।

ସେଥିପାଇଁ ଏଇ କେତେ ଦିନ ହେଲା ଅବସର ସମୟରେ ବି କାମ କରୁଛି ଜିତୁ । ଯେତିକି ଘରର ବିଭିନ୍ନ ସ୍ଥାନରେ ଥିବା ଜିନିଷ ଗୁଡ଼ାକ ଏକତ୍ର କରି ବନ୍ଧା ବନ୍ଧି କରୁଛି ସେତିକି ଅଦରକାରୀ ଅଲୋଡ଼ା ଜିନିଷ ଗୁଡ଼ାକ ବାରି ହୋଇପଡ଼ୁଛି । ପୁରୁଣା କ୍ୟାଲେଣ୍ଡର, ତେଲ ବା ମସଲା ସରି ଯାଇଥିବା ପୁରୁଣା ଡିବା, ପରିତ୍ୟକ୍ତ ଟୁଥ୍ ବ୍ରସ୍, ଶୁଭ କାର୍ଯ୍ୟରେ ବ୍ୟବହୃତ ହେବାପରେ ଭାଙ୍ଗି ବା ଫିଙ୍ଗି ନଥିବା ଚିତ୍ରିତ କଳସୀ, ଭଙ୍ଗା ଚୌକି ପ୍ରଭୃତି ଅବ୍ୟବହୃତ ଅଦରକାରୀ ଜିନିଷ ଗୁଡ଼ାକ ଏତେ ପରିମାଣରେ ଏଇ ଘରେ ଦରକାରୀ ବ୍ୟବହୃତ ଜିନିଷ ଗୁଡ଼ାକ କିପରି ଏକାଠି ଏକ ସ୍ଥାନରେ ରହିଥିଲା ତାହା ଦେଖି ଆଶ୍ଚର୍ଯ୍ୟ ହୋଇଯାଏ ସେ ।

ମଣିଷ ମେଳରେ ମଣିଷ ବି ଦିନେ ଏମିତି ଅଦରକାରୀ, ଅଖୋଜା ଅଲୋଡ଼ା ରହିଯାଏ-

ଜିତୁର କାମ କରୁଥିବା ହାତ ଓ ପାଦ ହଠାତ୍ ସ୍ଥିର ହୋଇଯାଏ । ଗୋଟିଏ ଅବଶ ଭାବ ତାକୁ ବିଷଣ୍ଣ, ମ୍ରିୟମାଣ କରିଦିଏ ।

ଘର ଭିତରୁ ମା କହିଲେ ଉଚ୍ଚସ୍ୱରରେ କାନଫୁଲ ହଳକ ଡ୍ରେସିଂ ଟେବୁଲ ଡ୍ରୟାର ଭିତରେ ରଖିଥିଲେ, କିନ୍ତୁ ଅନେକ ଖୋଜିଲେ ବି ମିଳୁନାହିଁ । କୁଆଡ଼େ ଗଲା ? କିଏ ନେଲା ? ଏ ଘର ଭିତରକୁ ଜିତୁ ବ୍ୟତୀତ ଦ୍ୱିତୀୟ ବ୍ୟକ୍ତିର ପ୍ରବେଶ ନିଷେଧ । ଗତ ପାଞ୍ଚ ବରଷ ମଧ୍ୟରେ ଅନ୍ୟ କାହାକୁ ଶୋଇବା ଘର ଭିତରକୁ ପଶିବା ପାଇଁ ଅନୁମତି ଦେଇ ନାହାଁନ୍ତି ସେ । ପିଲାଗୁଡ଼ାଙ୍କୁ ମଧ୍ୟ ବାରଣ କରିଛନ୍ତି ଡ୍ରେସିଂ ଟେବୁଲର ଡ୍ରୟାରରେ ହାତ ନ ଦବାପାଇଁ । ଏହା ସତ୍ତ୍ୱେ ସୁନା କାନଫୁଲ ହଳକ ମିଳୁନି । ନୂଆ ପୁରୁଣା ଜିନିଷ ଗୁଡ଼ାକ ସାଇତି ରଖିବା ବେଳେ ହଠାତ୍ କାନ ଫୁଲ କଥା ମନେପଡ଼ିଲା ।

ଜିତୁ ଟାଣି ହୋଇ ଦୌଡ଼ିଗଲା ମାଆଙ୍କ ନିକଟକୁ । ଏଇ ଘରକୁ ଚାକର ହୋଇଆସିବା ଦିନୁ ସେ ମାଲିକଙ୍କର ବିଶ୍ୱାସକୁ ସମ୍ବଳ କରି କାମ କରି ଆସିଛି । କେବେ କେହି ତାକୁ ସନ୍ଦେହ କରିନାହାଁନ୍ତି କି ଟଙ୍କା ପଇସା ଚୋରି କରିବାର ଲୋଭ କେବେ ତାକୁ ଗ୍ରାସ କରି ନାହିଁ । ବରଂ ଅସାବଧାନତାବଶତଃ ଆଲମାରି ଉପରେ ବା ତକିଆ ତଳେ ବାବୁ ଛାଡ଼ି ଯାଇଥିବା ଟଙ୍କା ଦେଖିଲା କ୍ଷଣି ସେ ମାଆଙ୍କୁ କହିଛି, ତାଙ୍କ ହାତକୁ ଟେକିଦେଇ ଏକ ଅନୁପମ ସନ୍ତୋଷ ଅର୍ଜନ କରିଛି । ଆଜି ହଠାତ୍ ଇମିତି କାହିଁକି ହେଲା ? ଏତେଦିନର ବିଶ୍ୱାସ ହଠାତ୍ କଣ ଭାଙ୍ଗିଯିବ ଇମିତି ?

ଜିତୁ ଅଣନିଃଶ୍ୱାସୀ ହୋଇ ଦୌଡ଼ି ଆସି ମାଆଙ୍କ ଆଗରେ ଛିଡ଼ା ହୋଇଗଲା । ଛାତି ଭିତରେ କିଏ ଯେପରି ହାତୁଡ଼ି ପିଟୁଥାଏ ଉତ୍କଣ୍ଠାରେ । ତା’ ମୁହଁକୁ ଚାହିଁ ଦେଇ ମାଆ କହିଲେ “ତୋତେ ଚୋରି କରିଛୁ କହିବାକୁ ମନ କହୁନି ଜିତୁ । ପାଞ୍ଚବରଷ ଗୋଟିଏ ଘରେ ଚଳି ଆସିଛୁ ପିଲାପରି । ତୋ ଉପରେ କେବେ ଅବିଶ୍ୱାସ କରିନି । ଆଜି ଯିବା ଆସିବା ବେଳରେ ଇମିତି ନିମକହରାମ କିଏ ହେଲା କହି ପାରିବୁ ?’’

 

ଜିତୁ ଥରୁଥାଏ ଆତଙ୍କରେ । ଯୋଡାଏ ସୁନା କାନ ଫୁଲ । ସାନ ବାବୁଙ୍କ ଜନ୍ମ ଦିନରେ ମା ସେଇ ସୁନ୍ଦର କାନ ଫୁଲଯୋଡ଼ିକ ପିନ୍ଧିଥିଲେ ବୋଲି ଦେବୀପ୍ରତିମା ପରି ଝଟକୁ ଥିଲା ମୁହଁ । ଆହା ! ସେଇ ଦୃଶ୍ୟ, ସେଇ ଜନନୀ ସର୍ବସ୍ୱରୂପ ପାଶୋରି ଯାଇନି ସେ । ହଠାତ୍ ସେଇ ମାଆଙ୍କର ସେଇ କାନ ଫୁଲ ଯୋଡ଼ିକ କିଏ ଚୋରେଇ ନେଲା ?

 

ମନକୁ ମନ ପାଞ୍ଚଥର ପ୍ରଶ୍ନ କଲା ଜିତୁ । ତରତର ହୋଇ ଡ୍ରେସିଂ ଟେବୁଲର ଡ୍ରୟାର ଭିତରେ ହାତ ପୂରେଇ ଆଉ ଥରେ ଭଲ କରି ଖୋଜିଲା । ଡ୍ରୟାରଟାକୁ ବାହାର କରି ଆଣି ଜିନିଷଗୁଡ଼ାକୁ ଢାଳିଦେଲା ଭୂଇଁ ଉପରେ । ସ୍ନୋ ଶିଶି, ସିନ୍ଦୁର ଫରୁଆ କଜଳପାତି, ମୁଣ୍ଡ କଣ୍ଟା, କେତୋଟି ପୁରୁଣା ଅଚଳ ପଇସା, ପ୍ଲା୍ଷ୍ଟିକ୍ ବିନ୍ଦି, ମଝିରେ ଦାନ୍ତ ଭାଙ୍ଗି ଯାଇଥିବା ଦୁଇଟା ପାନିଆ, ନେଲ୍ ପଲିସ୍, ଅମୃତା ଅଞ୍ଜନ ଶିଶିସବୁକୁ ଗୋଟି ଗୋଟି କରି ଦେଖିଲା ଜିତୁ । ଡ୍ରେସିଂ ଟେବୁଲ୍‍ଟାକୁ ଅଲଗା ଜାଗାକୁ ଟାଣି ନେଇ ସର୍ବତ୍ର ଖୋଜିଲା, କାଳେ ଆଲମାରି କିମ୍ବା ହାତ ବାକ୍ସ ଭିତରେ ଭୁଲରେ ରଖିଦେଇ ପାରନ୍ତି ଏଥିପାଇଁ ମାଆଙ୍କ ମହିତ ଦୁହେଁ ଆଉ ଥରେ ତନ୍ନ ତନ୍ନ କରି ସବୁ ସ୍ଥାନରେ ଖୋଜିଲେ–କିନ୍ତୁ କାନଫୁଲ ହଳକ ଆଉ ମିଳିଲା ନାହିଁ ।

 

ଦେହରୁ ଝାଳ ବୋହିଗଲା ଜିତୁର । ଜିଭ ଶୁଖିଗଲା, ପାଟି ଅଠା ଅଠା ହୋଇଗଲା । ଚାକିରି କରିବା ଦିନ ବାପା କହିଥିଲେ ଯେ ନିମକହାରାମ ହେବୁ ନାହିଁରେ ପୁଅ । ହାତ ଟେକି ଦେଲେ ନବୁ, ନିଜ ହାତରେ ଖାଇବା ଜିନିଷ ବି ଉଠାଇବୁ ନାହିଁ । ବାପାଙ୍କର ଉପଦେଶକୁ ଆଦେଶ ପରି ପାଳନ କରିଛି ସେ । ପର୍ବପର୍ବାଣୀ ବା ଅନ୍ୟ କୌଣସି ଶୁଭକାର୍ଯ୍ୟରେ ଘରକୁ କୁଣିଆ ମଇତ୍ର ଆସିଲେ ଧୁମ୍‍ଧାମରେ ଖିଆପିଆ ଚାଲେ । କାମ କରୁ କରୁ ରାତି ଅଧ ହୋଇଯାଏ, କିନ୍ତୁ କୌଣସି ଦିନ ମା’ କ୍ଲାନ୍ତ ହୋଇଯାଇ ତାକୁ ଖାଇବାକୁ ନ ଦେଇ ଶୋଇପଡ଼ିଲେ ସେ ଅଭୁକ୍ତ ରହିଯାଏ ସିନା ହାତରେ ନିଜ ଆହାର ବାଢ଼ିନିଏ ନାହିଁ । ଚୋରି କରିନି ସେ ଜୀବନରେ, ମୁନିବଙ୍କର ସମ୍ପଦ ଓ ସ୍ୱାର୍ଥ ରକ୍ଷା କରି ଆସିଛି କେବଳ ।

 

ମା’ କହିଲେ–“ତୁ ନିଜେ କହ ହଠାତ୍ ଶୂନ୍ୟରେ ତ କାନଫୁଲ ହଳକ ମିଳେଇ ଯିବନି । ପାଞ୍ଚବରଷରେ ପାଞ୍ଚପଇସା ହଜିନି ଏ ଘରୁ, ତୁ ବି ନିମକହାରାମ ହୋଇନୁ । କିନ୍ତୁ ଆଜି ଯିବାବେଳରେ ଇମିତି ଘଟିଲା କାହିଁକି ? ହଳେ କାନଫୁଲର ଦାମ୍ ହଜାରେ ଟଙ୍କାରୁ କମ୍ ହେବ ନାହିଁ । କାହାର ନଜର ପଡ଼ିଲା ପର ଧନ ଉପରେ ?”

 

ଜିତୁ ଜବାବ ଦେଇ ନପାରି କେବଳ ବାରମ୍ବାର ଅଣ୍ଡାଳି ବୁଲିଲା ଅନ୍ଧୁଣୀ ଆଶାବାଡ଼ି ଅଣ୍ଡାଳିବା ପରି । ପାଞ୍ଚବରଷର ତପସ୍ୟା ହଠାତ୍ ଶୂନ୍ୟରେ ବାଷ୍ପ ହୋଇ ଉଭେଇ ଯିବ ଏହା ସେ ସହ୍ୟ କରି ନପାରି ଖନେଇ ଖନେଇ କହିଲା–“ଆଉ ସବୁ ଜାଗା ଦେଖିଲେ ହୁଅନ୍ତା ମା’... ।’’

 

ମା’ ରାଗି ଉଠି କହିଲେ–“ସବୁ ତ ଖୋଜିଲି–ତୁ ନିଜେ ତ ଖୋଜିଲୁ–ଆହୁରି କହୁଛୁ ଖୋଜିବା ପାଇଁ । ବନ୍ଧା ହୋଇଯାଇଥିବା ଆଲମାରୀ ଭିତରୁ ସବୁଜିନିଷ ମୁଁ ନିଜ ହାତରେ ବାହାର କରିଛି, ଅନ୍ୟ ସବୁ ବାକ୍ସରେ ତ ଲୁଗା ପଟା ଭର୍ତ୍ତି, ଗହଣା ଭୁଲ୍ ରେ ରଖେ ନାହିଁ ସେଥିରେ ।’’

 

ଜିତୁ ଅନ୍ଧାର ଦେଖିଲା ସାମ୍ନାରେ । ଏତେ ବଡ଼ କଳଙ୍କ ଶେଷରେ ତାହାରି ଭାଗ୍ୟରେ ଥିଲା । ସେ ନିରୁପାୟ ହୋଇ କାନ୍ଦି ପକେଇ କହିଲା–“ସତ କହୁଛି ମା’, ମୁଁ ଚୋରି କରିନି।’’

 

ମା’ ଗର୍ଜି ଉଠି କହିଲେ–“ତା’ ହେଲେ ମୁଁ ଚୋରି କରିଛି, ମୁଁ ମିଛ କହୁଛି ? ଶୋଇବା ଘରକୁ ଭୁଲ୍ ରେ ବି କେହି ଆସନ୍ତିନି ତୋ ବ୍ୟତୀତ । ତୁ ଯଦି ନେଇନୁ କାନଫୁଲ ଯୋଡ଼ାକ ଶୂନ୍ୟରେ ମିଳେଇଗଲା ?”

 

ପାଦତଳର ପୃଥିବୀ କମ୍ପୁଥିଲା ଯେପରି । କିନ୍ତୁ ନିଜକୁ ସମ୍ଭାଳି ନେଲା ସିନା କିନ୍ତୁ ସହ୍ୟ କରିପାରିଲା ନାହିଁ । ମାଆଙ୍କ ପାଦଧରି ମୁଣ୍ଡ କୋଡ଼ି ବାରମ୍ବାର କହିବାକୁ ଲାଗିଲା–“ମୁଁ ଚୋରି କରିନି ମା ମୁଁ ଚୋରି କରିନି ।’’

 

ଆହୁରି ରାଗିଗଲେ ମା । ପାଦ ଯୋଡ଼ିକ ଚଉକି ଉପରକୁ ଟେକି ନେଇ କହିଲେ–“ଅତି ଭକ୍ତି ଚୋରର ଲକ୍ଷଣରେ ଜିତୁ–ଏତେଦିନ ଦୁଧ ପିଆଇ ସାପ ପୋଷିଥିଲି ବୋଲି ଜାଣିନଥିଲି । ମାଗିଥିଲେ ଦଶଟଙ୍କା ଦେଇଥାନ୍ତି–ଶେଷରେ ବିଶ୍ୱାସରେ ବିଷ ଦେଲୁ ଛି... ଛି... ।’’

 

ଥରି ଥରି ମୁହଁ ଉପରେ ହାତ ଜାକି ଧୀରେ ଧୀରେ ଶୋଇବା ଘରୁ ବାହାରି ଗଲା ଜିତୁ-। କୁଆଡ଼େ ଯିବ, କୋଉଠି ଲୁଚିବ କିଛି ଠିକ୍ କରି ନପାରି ଘର ପଛରେ ଥିବା ଆମ୍ବଗଛ ମୂଳରେ ବସି ସମସ୍ତଙ୍କ ଅଲକ୍ଷ୍ୟରେ କେବଳ କାନ୍ଦିବାକୁ ଲାଗିଲା । କେତେବେଳେ ସଞ୍ଜହୋଇ ରାତି ହେଲା ସେ ଜାଣିପାରିଲା ନାହିଁ । କିନ୍ତୁ ଯେତେବେଳେ ତା’ ମୁହଁ ଉପରେ ଟର୍ଚ୍ଚ ଆଲୁଅ ପକେଇ ବାବୁ ଡାକିଲେ ସେ ଧଡ଼ପଡ଼ ହୋଇ ଉଠି ବସି ଭୟ ବିହ୍ୱଳ ଦୃଷ୍ଟିରେ ତାଙ୍କ ମୁହଁକୁ ଅନାଇ ଦେଇ ଆଉ ଥରେ କାନ୍ଦି ଉଠି କହିଲା–“ମୁଁ ଚୋରି କରିନି ଆଜ୍ଞା ।’’

ତା ପିଠି ଉପରେ ହାତ ବୁଲେଇ ଅଭୟ ଦେଲା ପରି କହିଲେ ବାବୁ “ସେ କଥାପରେ ବୁଝିବା ଜିତୁ–ଏଇନେ ଘରକୁ ଚାଲ, ରାତି ହେଲାଣି–ରୋଷେଇ ଆରମ୍ଭ ହୋଇନି ଏଯାଏ–କାଲି ପୁଣି ସକାଳୁ ନ ବାହାରିଲେ ବାଲେଶ୍ୱରରୁ ଗାଡ଼ି ଧରି ହେବ ନାହିଁ ।’’

ସାହସ ନୁହେଁ, ସାନ୍ତ୍ୱନା ନୁହେଁ, ତଥାପି କୋହ ସମ୍ଭାଳିବା ପାଇଁ ଟିକେ ଜୋର୍ ପାଇଲା ଜିତୁ । ବାବୁଙ୍କ ପଛେ ପଛେ ଚାଲିଲା ସେ ଘରଆଡ଼କୁ । ବାବୁ ଅନ୍ନଦାତା । ସେ ପ୍ରଭୁ ପାଳନକର୍ତ୍ତା । ତାଙ୍କର ଲୁଣ ଖାଇ କେବଳ ଗୁଣ ଗାଇ ଆସିଛି ଜିତୁ । ବାର ବର୍ଷରେ ଚାକିରି କରିବା ପାଇଁ ଗୋଡ଼ ବଢ଼େଇଥିଲା ଗାଆଁରୁ, ଏବେ କୋଡ଼ିଏ ହେଲାଣି । ଏଇ ଆଠ ବର୍ଷ ଭିତରେ କେତେବେଳେ କୈଶୋର ଯାଇ ତା ମୁହଁରେ ନିଶ ଦାଢ଼ି ଉଠି ସେ ଯୁବକ ହୋଇଯାଇଛି ତାହା ଭାବିବା ଲାଗି ସମୟ ପାଇନି । ସମୟ ସ୍ରୋତରେ ସେ ଭାସି ଭାସି ଚାଲିଛି କେଉଁ ଅଜ୍ଞାତ ଶକ୍ତିର ନିର୍ଦ୍ଦେଶରେ ଯେମିତି ବର୍ଷା ସ୍ରୋତରେ ଗାଁ ଦାଣ୍ଡରେ ଭାସିଯାଏ କାଗଜ ଡଙ୍ଗା ।

କାଲି ସକାଳେ ବାବୁ, ମା’ ଚାଲିଯିବେ । ଚାଲିଯିବେ ପିଲାମାନେ ସେମାନଙ୍କ ସହିତ । ଖୁସି ଆନନ୍ଦରେ ଫାଟି ପଡ଼ୁଥିବା ଘରଟି ପୁଣି ନିଶୂନ୍ ନିଶବ୍ଦ ହୋଇଯିବ ଆଉ ଜଣେ କର୍ତ୍ତା ଆସିବା ପର୍ଯ୍ୟନ୍ତ । ସମୟର ଗଳି ଉପଗଳି ନାହିଁ–ସମୟ ପ୍ରବାହିତ ହୁଏ ଲମ୍ବାଚୌଡ଼ା ରାଜପଥ ଉପରେ । ସେଇ ପଥ ଉପରେ ପକ୍ଷୀରାଜ ଘୋଡ଼ା ଉପରେ ବସି ଯିଏ ଆଗେଇ ଯାଏ ସମୟ ସହିତ ତାଳ ରଖି ସେ ଜିତେ, ଯିଏ ପଛରେ ପଡ଼େ ସେ ହାରିଯାଏ । ସକାଳ ସାତଟାରେ ଘର ଆଗରେ ଟ୍ରକ୍ ଲାଗିଲା । ଜିନିଷପତ୍ର ଲଦା ହେଲା ଟ୍ରକ୍ ଉପରେ । ବାବୁ ନିଜେ ସବୁ ତଦାରଖ କଲେ । ମା’ କାଲିଠାରୁ ମନମାରି ଘର ଭତରେ ବସିଛନ୍ତି ଯେ ଏଯାଏ ତାଙ୍କର ଦର୍ଶନ ପାଇନି ଜିତୁ । ବାବୁ, ମା’ ଚାଲିଗଲା ପରେ ତା’ ପିଠିରେ ପଡ଼ିବା ପାଇଁ ଆଉ କେହି ରହିବେ ନାହିଁ ଏଇ ସହରରେ । ସେମାନଙ୍କୁ ନେଇ ତାର ସବୁ ଦମ୍ଭ, ସବୁ ସାହସ । ସବୁ ଆଜି ଶେଷ ହୋଇଯିବ । ସେ ବେକାର ହୋଇଯିବ ଆଉ ଅଳ୍ପ ସମୟ ପରେ ।

ଘର ଛାଡ଼ି ଚାକିରି କରିବାକୁ ଆସିବା ପୂର୍ବରୁ ଖାଇବା ପିନ୍ଧିବାକୁ ଅଣ୍ଟୁ ନଥିଲା ବୋଲି ତାକୁ ସ୍କୁଲରୁ ଉଠେଇ ଆଣି ଚାକିରି କରିଦେଇଥିଲା ତା’ ବାପା । ସେଇ ଘଟଣା ଅଲିଭାସ୍ମୃତି ହୋଇ ରହିଛି ମନରେ । ଏ ଭିତରେ ବାପାଙ୍କର କାଳ ହୋଇଛି, ମା କିନ୍ତୁ ଏବେ ବି ଗାଆଁରେ । ମାସକୁ ମାସ ଆସି ବାବୁଙ୍କ ହାତରୁ ଦରମା ଟଙ୍କା ନେଇଯାଏ, ତା ଭଲମନ୍ଦ ବୁଝିଯାଏ । ସେ ମାଆର ଆଖି ଆଗରେ ଦିନକୁ ଦିନ କଦଳୀ ଗଛ ପରି ବଢ଼ୁଥିଲେ ବି ତାହାରି ଆଖିଆଗରେ ତା’ ମାଆର ଶରୀର ଦିନକୁ ଦିନ ଶୀର୍ଣ୍ଣ ହୋଇଆସୁଛି । ଗତଥର ଆସିଲା ବେଳେ କହୁଥିଲା ଯେ ଆଖିକୁ ଆଉ ଭଲକରି ଦିଶେନି ରାତିରେ, ମଝିରେ ଜ୍ୱର ହୁଏ । ଆଉ ବେଶୀଦିନ ବଞ୍ଚିବ ନାହିଁ ବୋଲି ମା ସେଦିନ ତାକୁ ଡରେଇ ଦେଇଥିଲା । ବହୁଦିନ ପରେ ମାଆର ମୁହଁକୁ ସେ ଅନେଇଥିଲା ଭଲ କରି । ଆଉ ସେଦିନ ରାତିରେ ସମସ୍ତେ ଶୋଇପଡ଼ିବା ପରେ, ଘରର ସବୁ ଆଲୁଅ ଲିଭାଇ ଦେଇ ରୋଷେଇ ଘର ବାରନ୍ଦାରେ ବସି ସେ ଅନେକ ବେଳ ଯାଏ କାନ୍ଦିଥିଲା ନୀରବରେ । ମା’ ମରିଗଲେ ସବୁ ସରିଯିବ, ସେ ନିଃସ୍ୱ ହୋଇଯିବ ଭାବି ଠାକୁରଙ୍କୁ ପ୍ରାର୍ଥନା କରିଥିଲା ମା’କୁ ବଞ୍ଚେଇ ରଖିବାପାଇଁ ।

ଆଜି ପୁଣି ମାଆର ମୁହଁ ବେଶୀ ମନେ ପଡ଼ୁଛି । ବାବୁ, ମା’ ଯିବାର ବେଳ ଯେତେ ପାଖେଇ ଆସୁଛି ତା’ ମନରେ ଅସହାୟତାବୋଧ ସେତିକି ତୀବ୍ର ହେଉଛି । ଆଉ ତା’ ସହିତ ଚୋରପରି ଅଜ୍ଞାତରେ ତା’ ମନକୁ ପଶି ଆସିଛି ଏକ ଅପରାଧବୋଧ ଯାହାକି ତାର ସର୍ବାଙ୍ଗକୁ ଦୋହଲାଇ ଦେଇଛି ଏକ ଅଜଣା ଆଶଙ୍କାରେ । କିନ୍ତୁ ସେ ତ ଚୋରି କରିନି, ଚୋରି କରିବାର ଲୋଭ ତାକୁ ଦିନେ ହେଲେ ଆୟତ୍ତ କରିନି; ତଥାପି ବାବୁ, ମା ଯିବାବେଳେ ଏଇ ଧାରଣା ନେଇଯିବେ ଯେ ସେ ଚୋର, ସେ ଚୋରିକରି ନେଇଛି ସୁନାର କାନଫୁଲ ।

ମା’ ଆଗେ ତାକୁ ବି ସାଙ୍ଗରେ ନବାପାଇଁ କହୁଥିଲେ । ଆଉ ତା’ ନାମ ତୁଣ୍ଡରେ ବି ଧରୁନାହାଁନ୍ତି କାଲିଠୁ । ବାବୁଙ୍କର ବ୍ୟବହାରରେ ବି ପରିବର୍ତ୍ତନ ଲକ୍ଷ୍ୟ କରୁଛି ଜିତୁ ।

ଟ୍ରକରେ ଜିନିଷ ପତ୍ର ପଠେଇ ଦେଇ ଟାକସିରେ ବାବୁ, ମା’ ଆଉ ପିଲାମାନେ ବାହାରିଗଲେ ବାଲେଶ୍ୱର ଅଭିମୁଖେ । ବାଲେଶ୍ୱରରୁ କଟକ ଯିବେ ନୀଳାଚଳ ଏକ୍ସପ୍ରେସ୍ ରେ ।

ଟାକସିଟା ଆଖି ଆଗରୁ ଅଦୃଶ୍ୟ ହୋଇଯିବା ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ଗୋଟିଏ ଲୟରେ ଛିଡ଼ା ହୋଇ ରହିଲା ଜିତୁ ।

ଭଗବାନ ଅଛନ୍ତି ବୋଲି ଶୁଣିଥିଲା ସେ । ଶେଷରେ ସତ୍ୟ ଓ ନ୍ୟାୟର ଜୟ ହୁଏ ବୋଲି ମଧ୍ୟ କେତେ ଥର ଶୁଣିଥିଲା ଜିତୁ । ଆଜି କିନ୍ତୁ ଆଜନ୍ମ ବିଶ୍ୱାସ ଭାଙ୍ଗିଯାଉଛି । ତାହାରି ଆଖିଆଗରେ ସେ କେବଳ ଦେଖୁଛି ଖଣ୍ଡ ବିଖଣ୍ଡ ହୋଇଯାଉଥିବା ପୃଥିବୀର ରୂପ ।

☆☆☆

 

ବିଷଣ୍ଣ ଶରତ

 

ଅତସୀ ତାମ୍ର ପତ୍ର ଫେରାଇ ଦେଲେ ଏବଂ ସେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ଜେଲ୍ ଯାଇଥିବାରୁ ତାଙ୍କୁ ସରକାରଙ୍କ ପକ୍ଷରୁ ଯେଉଁ ଆଜୀବନ ମାସିକ ପାଞ୍ଚଶହ ଟଙ୍କା ପେନସନ ପଠା ଯାଇଥିଲା ତାହା ମଧ୍ୟ ଗ୍ରହଣ କଲେ ନାହିଁ । ଜିଲ୍ଲାପାଳ ସରକାରଙ୍କ ସିଦ୍ଧାନ୍ତ ଜଣାଇବା ପାଇଁ ନିଜେ ଆସିଥିଲେ ତାଙ୍କ ପାଖକୁ ଏବଂ ଘର ଭିତରେ ତାଙ୍କୁ ବସେଇବା ପାଇଁ ଉପଯୁକ୍ତ ସ୍ଥାନ ନଥିବାରୁ ସେଇ ବାହାରେ ଛିଡ଼ା ହୋଇ ତାଙ୍କର ସୌଜନ୍ୟତା ଲାଗି ଧନ୍ୟବାଦ ଜଣାଇ ନିଜର ସିଦ୍ଧାନ୍ତ ପ୍ରକାଶ କରିଦେଲେ । ଯୁବକ ଜିଲ୍ଲାପାଳ ଆଶ୍ଚର୍ଯ୍ୟ ହୋଇ ତାଙ୍କର ମୁହଁକୁ ଅନେଇଲେ କେଇ ମୁହୂର୍ତ୍ତ, ତା’ପରେ ତାଙ୍କ ପାଖରୁ ବିଦାୟ ନେଇଗଲା ବେଳେ କଅଣ ଭାବି କେଜାଣି କହିଲେ, ମାଉସୀ, ଆପଣଙ୍କ ସିଦ୍ଧାନ୍ତ ସରକାରଙ୍କୁ ମୁଁ ଜଣାଇଦେବି କିନ୍ତୁ ମୋର ଜାଣିବାକୁ ଭାରି ଇଚ୍ଛା ହେଉଛି ଆପଣ କାହିଁକି ଏପରି କଲେ । ସ୍ୱାଧୀନତା ସଂଗ୍ରାମୀ ପେନସନ ପାଇବାଲାଗି, ବିନା ପଇସାରେ ରେଳରେ ବୁଲିବା ପାଇଁ, ଆଜି ତାମ୍ର ପତ୍ର ପାଇବା ଆଶାରେ ଆନେକ ଧାଡ଼ି ଲଗାଉଥିବା ବେଳେ ଆପଣ ଦୁଇମିନିଟ୍ ମଧ୍ୟ ଭାବିଲେ ନାହିଁ, ସିଧା ସିଧା ମୋ ମୁହଁ ଉପରେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ଯୋଗୁଁ କୌଣସୀ ସରକାରୀ ସମ୍ମାନ ବା ଅନୁଗ୍ରହ ଗ୍ରହଣ କରିବେ ନାହିଁ କହିଦେଲେ । କାହିଁକି ଇମିତି କଲେ ?

 

ଅତସୀ ସେଇ ତରୁଣ ଜିଲ୍ଲାପାଳଙ୍କ ମୁହଁକୁ ଅନେଇ କଅଣ ଅନ୍ୱେଷଣ କଲେ ମୁହୂର୍ତ୍ତେ, ତା’ପରେ କହିଲେ–ଯେତେବେଳେ ଆମେ ସବୁ ସର୍ବସ୍ୱ ତ୍ୟାଗ କରି ଲଢ଼ୁଥିଲୁ ଇଂରେଜ ଶାସନ ବିରୁଦ୍ଧରେ, ଦେଶକୁ ସ୍ୱାଧୀନ କରିବାଲାଗି ଲାଠିମାଡ଼ ଓ ଲାଞ୍ଛନା ସହୁଥିଲୁ ସେତେବେଳେ ସ୍ୱପ୍ନ ଦେଖୁଥିଲୁ ସ୍ୱରାଜର, ଯେଉଁଠି ସବୁଲୋକ କେବଳ ସ୍ୱାଧୀନ ହେବେ ନାହିଁ, ସ୍ୱାଧୀନତା ସହିତ ଆସିବ ସାମାଜିକ ନ୍ୟାୟ, ଦୂର କରାଯିବ ଅର୍ଥନୈତିକ ବୈଷମ୍ୟ ଏବଂ ସମାଜର ସର୍ବାପେକ୍ଷା ଦୁର୍ବଳତମ ଲୋକଟି କି ଅନୁଭବ କରିବ ଯେ ସେ ସବୁ ପ୍ରକାର ଶୋଷଣରୁ ମୁକ୍ତ, ତା’ର ଭଲ ମନ୍ଦ ବୁଝିବା ପାଇଁ ଶାସନ ଅଛି, ଶାସକ ବି ତତ୍ପର ଅଛନ୍ତି । କିନ୍ତୁ ବାପା ! ସବୁ ସ୍ୱପ୍ନରେ ରହିଗଲା.. ଯେଉଁ ଲକ୍ଷ୍ୟ ନେଇ ସବୁ ତ୍ୟାଗ କରି ମାତିଥିଲୁ ଗୋଟିଏ ନିଶାରେ ତାହା ଆଉ ପୂର୍ଣ୍ଣ ହେଲାନି । ଭଗବାନ କରନ୍ତୁ... ତୁମେ ସବୁ ପିଲାମାନେ ସେଇ ବାକି କାମ ପୂର୍ଣ୍ଣ କର... ଆମ ଜୀବନ କାଳରେ ଯାହା ସମ୍ଭବ ନ ହେଲା ତୁମ ଜୀବନ କାଳରେ ତାହା ରୂପାନ୍ତରିତ ହେଉ ବାସ୍ତବରେ । ଆଉ ଗୋଟିଏ କଥା ମନେ ରଖିବ ଯେ ସ୍ୱାଧୀନତା ସଂଗ୍ରାମର ବ୍ୟାଜ୍ ବାନ୍ଧି, ନେତାର ପଦକ ଓହଳାଇ ଦଳେ ଯେମିତି ଶୋଷୁଛନ୍ତି ଏହି ଦେଶକୁ, ଜନତା ଜନାର୍ଦ୍ଦନଙ୍କ ସେବା କରିବା ବାହାନାରେ ତୁମେ ସବୁ ସେଥିରେ ଯେପରି ସାମିଲ୍ ନ ହୁଅ... । ଯଦି ମୋର ଏଇ ଶେଷ ଜୀବନରେ ଏତିକି ଦେଖିଯାଏ, ମରିବାକୁ ଦୁଃଖ ଲାଗିବ ନାହିଁ, କୁଣ୍ଠା ରହିବନି ମନରେ... ।

 

ଜିଲ୍ଲାପାଳ ନମସ୍କାର କରି କହିଲେ–ଶାସନର ଗୁଲାମ ମୁଁ ମାଉସୀ... ତଥାପି ଆପଣଙ୍କ କଥା ମନେ ରଖିବି... ।

 

ଅତସୀ କହିଲେ–ବହୁତ ଭଲ ଭଲ ବକ୍ତୃତା ଶୁଣୁଥିବ ପ୍ରତିଦିନ ନେତାମାନଙ୍କ ମୁହଁରୁ, ମୁଁ ତ ନେତା ନୁହେଁ... ମନର କଥା କହି ପକେଇଲି ତମପରି ଶ୍ରୋତାଟିଏ ପାଇ, କିଛି ମନେ କରିବ ନାଇଁ ।

 

ଜିଲ୍ଲାପାଳ ଚାଲିଗଲେ ।

 

ଅତସୀ ସେହିପରି ଏକ ଲୟରେ ଛିଡ଼ା ହୋଇରହିଲେ ।

 

ସେ କେତେବେଳ ପର୍ଯ୍ୟନ୍ତ ସେହିପରି ଛିଡ଼ା ହୋଇଥାଆନ୍ତେ କେଜାଣି ତାଙ୍କର ଧ୍ୟାନ ଭାଙ୍ଗିଲା ନାତିର ଡାକ ଶୁଣି ।

 

ସେ ଫେରି ପଡ଼ିବା କ୍ଷଣି ବିପ୍ଲବ କହିଲା–ତମେ ମୋତେ ଖାଲି ଠକୁଥିବ ନା ଅଙ୍ଗେ ନିଭାଇଥିବା କାହାଣୀଟା କହିବ ଆଉ ? କାଲିପରା ସ୍ୱାଧୀନତା ଦିବସ... ମୁଁ ନ ଜାଣିଲେ ନୂଆ କାହାଣୀ କହି ମୋ ସାଙ୍ଗମାନଙ୍କୁ ଚମକାଇ ହେବି କିପରି ?

 

ଅତସୀ ହଠାତ୍ ଅନୁଭବ କଲେ ଯେ ଯେଉଁ ଛୋଟ ଶିଶୁଟିକୁ ସେ ଚଉଦବର୍ଷ ତଳେ ନିଜର ଅନ୍ତର ଭିତରେ ଜଳୁଥିବା ବହ୍ନିକୁ ଗୋଟାଏ ନାମ ଦେବା ପାଇଁ ନାତିର ନାମ ରଖିଥିଲେ ବିପ୍ଲବ, ସେଇ ଶିଶୁ ହୁହୁ ହୋଇ ବଢ଼ିବାରେ ଲାଗିଛି... ତାକୁ ଆଉ ମିଛ କାହାଣୀ କହି, କୁହୁକ ଦେଖେଇ ସେ ସନ୍ତୁଷ୍ଟ କରିପାରିବେ ନାହିଁ, ଖାଣ୍ଟି ଅଙ୍ଗେ ନିଭେଇଥିବା ସତକଥା ଗୁଡ଼ାକୁ କହିବେ । ହୁଏତ ସେ ବାଟବଣା ନ ହୋଇ ଠିକ୍ ବାଟରେ ଯିବା ପାଇଁ କିଛି ପ୍ରେରଣା ପାଇବ, ସେଥିରୁ ସାହସ ବାନ୍ଧିବ ମନରେ... ।

 

ବିପ୍ଲବର ମଥା ଉପରେ ହାତ ବୁଲାଇ ଆଣି କହିଲେ ଅତସୀ, କାଲି କ’ଣ ସବୁ କରିବରେ ବିପୁ... ?

 

ବିପ୍ଲବର ଆସନ୍ତାକାଲିର କାର୍ଯ୍ୟସୂଚୀ ସମ୍ପର୍କରେ ଗୋଟି ଗୋଟି କରି କହିଗଲା । ସକାଳ ଛଅଟାରେ ପ୍ରଭାତ ଫେରି, ଆଠଟାରେ ପତାକା ଉତ୍ତୋଳନ ଓ ମାର୍ଚ୍ଚ ପାଷ୍ଟ, ନେତାଙ୍କ ଭାଷଣ, ତା’ପରେ ମିଷ୍ଟାନ୍ନ ବଣ୍ଟନ, ସନ୍ଧ୍ୟାରେ ଦେଶାତ୍ମବୋଧକ ସଙ୍ଗୀତ ଏବଂ ସବାଶେଷରେ ଆତସବାଜି ।

 

ଗୋଟାଏ ଝଲକରେ ଅତୀତର ସବୁ କଥା ସ୍ମୃତିଟିକୁ ଆସିଗଲା ତାଙ୍କର । ୧୯୪୨ ଅଗଷ୍ଟ ନଅତାରିଖ । କଲେକ୍ଟରଙ୍କ ଅଫିସ୍ ଉପରେ ତ୍ରିରଙ୍ଗା ପତାକା ଉଡ଼େଇବାର ଦାୟିତ୍ୱ ପଡ଼ିଥିଲା ତାଙ୍କରି ହାତରେ । ସଶସ୍ତ୍ର ବାହିନୀ ଦ୍ୱାରା ସୁରକ୍ଷିତ କଲେକ୍ଟରେଟ୍ କୋଠାକୁ ପ୍ରବେଶ କରିବାର ସବୁ ପଥରେ ସଶସ୍ତ୍ର ପୋଲିସ୍ କିନ୍ତୁ ସେଇ ଅଭେଦ୍ୟ ବ୍ୟୁହ ବି ସେ ଦିନ ଭେଦ କରିଥିଲେ ସେ ପ୍ରାଣକୁ ଜଳାଞ୍ଜଳି ଦେଇ । କିନ୍ତୁ ଆଜି ମନରେ ପ୍ରଶ୍ନ ଉଠୁଛି କାହାପାଇଁ ସେ କରିଥିଲେ, କେଉଁ ଉଦ୍ଦେଶ୍ୟ ପାଇଁ ଜୀବନ ପଣ କରି ଡେଇଁ ପଡ଼ିଥିଲେ ଶାର୍ଦ୍ଦୁଳର ଗୁମ୍ଫା ଭିତରେ ?

 

ବିପ୍ଲବ ତାଙ୍କ ହାତ ଧରି ଟାଣିଲା ଭିତରକୁ । ସେ ଆଜି ନିଶ୍ଚୟ ଆଇ ମୁହଁରୁ ଅଙ୍ଗେ ନିଭାଇବା କାହାଣୀ ଶୁଣିବ ।

 

ଅତସୀ ତା ପଛେ ପଛେ ଚାଲିଲେ । ସେ କହିବେ କହିବେ ବୋଲି ଯାହା ଏତେ ଦିନ କହିପାରି ନାହାନ୍ତି ଆଜି ନାତିକୁ କହିବା ପାଇଁ ଇଚ୍ଛା ହେଉଛି ତାଙ୍କର । କିନ୍ତୁ ସେଇ ଅଙ୍ଗେ ନିଭାଇବା କଥା କହିଲେ ଅନ୍ତରର ସବୁ ଆକୁଳତା, ସବୁ ବ୍ୟାକୁଳତା ଏବଂ ଶୂନ୍ୟତା ବି ପ୍ରକାଶ ପାଇଯିବ । ଏହା ଜାଣି କିଛି ସମୟ ଉଦାସ ହୋଇଗଲେ ଅତସୀ । ସମୟ ପାଣିର ସୁଅ ପରି ବହିଯାଉଛି । ସେତେବେଳେ ସେ ଷୋହଳବର୍ଷର ତରୁଣୀ, ବାଟରେ ଚାଲିଗଲେ ଶତ୍ରୁ ବି ମୁହଁ ଟେକି ଅନାଉଥିଲା ତାଙ୍କୁ ଦେଖିବା ପାଇଁ ।

 

ଘର ଭିତରକୁ ଆସି ନାତିକୁ ପାଖରେ ବସେଇ କହିଲେ ଅତସୀ–ଆଜି ନ କହିଲେ ହେବନି ?

 

–ନା, ନା, ଆଈ... ଆଉ ମନା କରନି ।

 

ଅତସୀଙ୍କୁ ଆଜି ସବୁ କହିବାକୁ ପଡ଼ିବ । ଅତୀତର ସେଇ ରକ୍ତଝରା କାହାଣୀ କହୁ କହୁ କହି ହୋଇଯିବ ଫୁଲ ଫୁଟିବା ମୁହୂର୍ତ୍ତର ମଧୁରତା, କହି ହୋଇଯିବ ଯେଉଁ ସ୍ୱପ୍ନ ସେଦିନ ସେ ଦେଖିଥିଲେ ତାକୁ ସାକାର କରିବା ଲାଗି ଦୁସ୍ତର, ଦୁର୍ଗମ ପଥ ଲଙ୍ଘିବାର ଦୁଃସାହସ, ଆଉ ଜୀବନର ଯେଉଁ ଅକୁହା କଥାଗୁଡ଼ା କାହା ପାଖରେ ଆଜି ଯାଏ କୁହାହୋଇନି, ଯାହା ଆଜି ଯାଏ ଖାଲି ସ୍ୱପ୍ନ ହୋଇ ରହିଗଲା, ଶୂନ୍ୟତା ହୋଇ ଯାହା ତାଙ୍କୁ ଦଗ୍ଧ କରେ, ନିଷ୍ପୀଡ଼ିତ କରେ ବାରମ୍ବାର, ସେଇ ସବୁ କଥା ଆଜି ତାଙ୍କୁ କହିବାକୁ ପଡ଼ିବ ।

 

ନାତିର ମୁହଁକୁ ଅନାଇଲେ ଅତସୀ ।

 

ମଧ୍ୟାହ୍ନର ଖରା ପଶି ଆସିଥାଏ ଝରକା ଭିତର ଦେଇ । ଚେନାଏ ଆଲୁଅ ଛାପି ହୋଇଯାଇଛି ବିପ୍ଲବର ମୁହଁରେ... ।

 

ଅପାତ୍ର ନୁହେଁ ବିପ୍ଲବ, ସୁପାତ୍ର । ତାକୁ ହିଁ ସେ କହିବେ । ତାହାରି ଜୀବନ ମାର୍ଗରେ ସେ ନିଜକୁ ପ୍ରସ୍ଫୁଟିତ କରିବେ, ହଜି ଯାଇଥିବା ସ୍ୱପ୍ନ ଗୁଡ଼ାକୁ ପୁଣି ଗୋଟାଇ ଆଣି ତାହା ସାକାର ହେଉଥିବାର ସୁସମୟକୁ ପ୍ରତ୍ୟକ୍ଷ କରିବେ... । ସବୁ ନୈରାଶ୍ୟ ଓ ଦୀର୍ଘଶ୍ୱାସ ସର୍ତ୍ତ୍ୱେ ସେ ଏବେ ବି ବିଶ୍ୱାସ କରନ୍ତି ଯେ ସେଇ ଶୁଭଦିନ ନିଶ୍ଚୟ ଆସିବ... ତାର ଆସିବା ହିଁ ଅବଧାରିତ, ପୂର୍ବ ନିର୍ଦ୍ଧାରିତ-। କେବଳ ସ୍ୱପ୍ନକୁ ସଂକଳ୍ପରେ ପରିଣତ କରି ତାକୁ କାର୍ଯ୍ୟରେ ପରିଣତ କରିବା ଲାଗି ଯେଉଁ ଆଚରଣଗତ ଶୁଦ୍ଧତା, ପ୍ରବଳ କର୍ମପ୍ରବଣତା ଓ ଶୃଙ୍ଖଳା ଲୋଡ଼ା ତାହା ଚରିତ୍ରଗତ ନ ହୋଇ ଜନଜୀବନକୁ ସହଜିଆ, ଲୋଭ ଓ କାମ ପ୍ରମତ୍ତ କରିଦେଲା ବୋଲି ସିନା ଆଜିର ସଂକଟ ତାହାରି ପରିଣତି । କିନ୍ତୁ ଏ ସମୟ ବଦଳିବ... ଯେଉଁ ପରିବର୍ତ୍ତନ ଆଣିବାପାଇଁ କୋଟି କୋଟି ଲୋକ ଆସନ୍ତାକାଲି ପାଇଁ ବର୍ତ୍ତମାନକୁ ବଳି ଦେଇଥିଲେ କୁଣ୍ଠାକରି ତାହା ବ୍ୟର୍ଥ ହେବ ନାହିଁ ।

 

ବିପ୍ଲବ ତାଙ୍କ ମୁହଁକୁ ଅନେଇଲା ।

 

ଅତସୀ କହିଲେ–କହିବି, ତୋତେ ସବୁ କହିବି, କିନ୍ତୁ ଗୋଟିଏ ସର୍ତ୍ତରେ... । ଯୋଉ ସ୍ୱପ୍ନ ମୁଁ ଦେଖିଥିଲି ସେଇ ସ୍ୱପ୍ନ ବାସ୍ତବରେ ପରିଣତ କରିବା ପାଇଁ ଜୀବନ ପଣ କରି ଲଢ଼ିବୁ, ଦରକାର ହେଲେ ସର୍ବସ୍ୱ ଏପରିକି ପ୍ରାଣ ପର୍ଯ୍ୟନ୍ତ ତ୍ୟାଗ କରିବାକୁ ପଛେଇବୁ ନାହିଁ ।

 

ସେଇ ସର୍ତ୍ତ ଗ୍ରହଣ କରିନେଲା ବିପ୍ଲବ ।

 

ଅତସୀ ଆରମ୍ଭ କଲେ–କଟକ ଜିଲ୍ଲାର ସୁହାସପୁର ଗୋଟିଏ ଗାଁ, ଧବଳେଶ୍ୱର ପାଖରେ, ମହାନଦୀ କୂଳରେ । ପ୍ରତିଦିନ ନଦୀ କୂଳରେ ଛିଡ଼ା ହୁଅନ୍ତି ଛୋଟ ଓ ବଡ଼, ଶିଶୁ, ଯୁବା ଓ ବୃଦ୍ଧା ମହାନଦୀକୁ ଦେଖିବା ପାଇଁ, ତାର ଚିର ପ୍ରବହମାନ ସ୍ରୋତର କଳକଳ ଧ୍ୱନି ଶୁଣିବା ପାଇଁ, ଆଉ ନଦୀର ଅବାରିତ ଗତି ସହିତ ନିଜର ଗତି ମିଶେଇ ଦେଇ ଲକ୍ଷ୍ୟ ଆଡ଼କୁ ଆଗେଇବା ପାଇଁ । ଗୋଟିଏ କଥା ମନେ ରଖିବୁ ବିପ୍ଲବ–ନଦୀପରି ଜୀବନ ବି ଚିରନ୍ତନ, ଏହାର ମୃତ୍ୟୁ ନାହିଁ, ବ୍ୟକ୍ତି ମରେ, ହରି ରାମ ଶ୍ୟାମ ମରି ଯାଆନ୍ତି, କିନ୍ତୁ ଜୀବନ ସରିଯାଏ ନାହିଁ ।

 

ସେଇ ସୁହସପୁର ଗାଁର ମଧ୍ୟଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଙ୍କର୍ଷଣ ମଙ୍ଗରାଜ ଥାଆନ୍ତି ସେତେବେଳେ ।

 

-ଏଇନେ ଅଛନ୍ତି ସେ ? ପଚାରିଲା ବିପ୍ଲବ ।

 

-ନା, ଇଏ ବହୁଦିନ ତଳର କଥା... ୧୯୪୨ ମସିହା...

 

-ତୁମେ ସେତେବେଳେ କଣ କରୁଥିଲ ଆଈ ? ପୁଣି ପଚାରେ ବିପ୍ଲବ ।

 

-ତୁ ଖାଲି ଶୁଣିଯା ମୁଁ କହି ଯାଉଛି... ମୋ କଥା ପରେ କହିବି... ।

 

ସେଇ ସୁହାସପୁର ଗାଁଆର ମଧୁ ମହାନ୍ତି, ଛକଡ଼ି ସାମଲ, ରାଧୁ ଜେନାକୁ ଦିନେ ପୋଲିସ୍ ଧରିନେଲା ଜମିଦାର ବଟକୃଷ୍ଣ ପଟ୍ଟନାୟକଙ୍କର ପୋଖରୀରୁ ମାଛ ଚୋରି କରିଥିବା ଅଭିଯୋଗରେ । ସେମାନେ ଏଇ ମିଥ୍ୟା ଅଭିଯୋଗର ପ୍ରତିବାଦ କଲେ, ପୋଲିସ୍ ଅଫିସରଙ୍କ ପାଖରେ କାକୁତି ମିନତି କଲେ ସେମାନଙ୍କୁ ଛାଡ଼ି ଦେବାପାଇଁ । କିନ୍ତୁ ପୋଲିସ୍ ସେମାନଙ୍କ କଥା ଶୁଣିଲା ନାହିଁ । ସେଇ ନିରୀହ ନିର୍ଦ୍ଦୋଷ ପ୍ରଜାଙ୍କ ଅନୁନୟ ବିନୟ ପ୍ରତି କର୍ଣ୍ଣପାତ କଲା ନାହିଁ । ସାତଦିନ ବିତିଗଲା, ତଥାପି ସେମାନେ ଆଉ ଫେରିଲେ ନାହିଁ । ଆଠଦିନ ସକାଳେ ସୁହାସପୁର ଗାଆଁରୁ ଚାରିକୋଶ ଦୂରରେ ତିନୋଟି ଶବ ମହାନଦୀ ସୁଅରେ ଭାସି ଭାସି ଗୋଟାଏ ଜାଗାରେ ଦେଖିଲେ ଲୋକମାନେ । ଗ୍ରାମବାସୀ ଜାଣିଲେ, ପୋଲିସ୍ ଆସିଲା, ସେଇ ତିନୋଟି ଶବ... ଯେ ମଧୁ, ଛକଡ଼ି ଆଉ ରାଧୁର ତାହା ପ୍ରମାଣିତ ହେଲା । କିନ୍ତୁ ତଥାପି ଶବଗୁଡ଼ାକୁ ସେମାନଙ୍କର ପରିବାର ହାତରେ ନଦେଇ ପୋଲିସ ହେଫାଜତରେ ଦାହ କରାଗଲା ନଦୀ କୂଳରେ... । ତାପରେ ସେମାନଙ୍କର ଦଶାହ କ୍ରିୟା ଦିନ ଜମିଦାର ଯେଉଁ ଭୋଜି ଦେଲେ ସରକାରୀ ଅଫିସର ଓ ପୋଲିସ୍ ମାନଙ୍କୁ, ସେଦିନ ରାତିରେ ଯେପରି ବାଈ ନାଚ ଓ ଆତସବାଜି ହେଲା ତାହା ଦେଖି ଲୋକ ଜାଣିଗଲେ ଯେ ଏଇ ହୀନ କାର୍ଯ୍ୟ ଜମିଦାର ଓ ପୋଲିସ୍ ର କୀର୍ତ୍ତି ।

 

ବିପ୍ଳବର ଆଖିରେ ଟଳମଳ ହେଉଥିବା ଦୁଇ ବିନ୍ଦୁ ଲୁହ ପୋଛି ନେଇ କହିଲେ ଅତସୀ–ସେହିଦିନ ପ୍ରଧାନଶିକ୍ଷକ ସଙ୍କର୍ଷଣ ମଙ୍ଗରାଜ ଚାକିରି ଛାଡ଼ି କଂଗ୍ରେସରେ ଯୋଗ ଦେଲେ ସ୍ୱେଚ୍ଛାଚାରୀ ଇଂରେଜ୍ ଶାସନ ବିରୁଦ୍ଧରେ ଲଢ଼ିବା ପାଇଁ ସେତେବେଳେ ଦେଶକୁ ସ୍ୱାଧୀନ କରିବା ପାଇଁ ପ୍ରବଳ ଆନ୍ଦୋଳନ ଚାଲିଥାଏ । ମହାତ୍ମା ଗାନ୍ଧୀ ଡାକ ଦେଲେ–ଇଂରେଜମାନେ ଭାରତ ଛାଡ଼... ଆଉ ଲୋକମାନଙ୍କୁ କହିଲେ–କର ବା ମର । ଅଗଷ୍ଟ ନଅ ତାରିଖରୁ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ କରିବା ପାଇଁ ଘୋଷଣା କରାଗଲା ।

 

ସେ ଡାକ ଶୁଣି ହଜାର ହଜାର ଲୋକ ଯୋଗଦେଲେ ସ୍ୱାଧୀନତା ସଂଗ୍ରାମରେ ।

 

ସେଇ ଅଗଷ୍ଟ ଆଠତାରିଖ ଦିନ ଗୋଟିଏ ବିଚିତ୍ର ଘଟଣା ଘଟିଗଲା ଉମାର ଜୀବନରେ-

 

କଅଣ ହେଲା ? ପ୍ରଶ୍ନ କଲା ବିପ୍ଲବ ।

 

ଶଙ୍କର୍ଷଣ ମଙ୍ଗରାଜଙ୍କର ଘର ନଦୀକୂଳରେ । ରାତି ଗୋଟାଏ ହେବ ବୋଧ ହୁଏ । ସମସ୍ତ ଗାଆଁ ନିଦ୍ରାମଗ୍ନ, ଚାରିଆଡ଼େ ନିସ୍ତବ୍ଧତା । ଉମାର ଶୋଇଥିବା କୋଠରୀର ଦରଜା ଉପରେ ଆଘାତ କଲା କିଏ ।

 

ଉମା ସ୍ୱପ୍ନ ଦେଖୁଥିଲା ସେତେବେଳେ । ଏକ ବିଚିତ୍ର ଅପାସୋରା ସ୍ୱପ୍ନ... ।

 

ତାହାରି ହାତକୁ ତ୍ରିରଙ୍ଗା ପତାକା ବଢ଼ାଇ ଦେଇ ଦିବ୍ୟପୁରୁଷ କହୁଛନ୍ତି ମାଟ୍ରିକ୍ ପାସ୍ କଲୁ... ଆଉ କଲେଜକୁ ନ ଯାଇ ଦେଶର ନାମ କର... ଜନନୀ ଜନ୍ମଭୂମିର ସେବାରେ ନିଜକୁ ସମର୍ପଣ କରିଦେ... ।

 

ଉମା ସେଇ ପତାକା ହାତକୁ ନେଇ ଆଉ କ’ଣ କରିବ ପ୍ରଶ୍ନ ପଚାରିବା ପୂର୍ବରୁ ସ୍ୱପ୍ନ ତୁଟିଗଲା ଶବ୍ଦ ଶୁଣି... ଦିବ୍ୟପୁରୁଷ ଅନ୍ତର୍ଦ୍ଧାନ ହୋଇଗଲେ ।

 

ଖୋଲ... କବାଟ ଖୋଲ... ଫିସ୍ ଫିସ୍ କରି କବାଟ ସେପାଖରୁ କହିଲା କିଏ । ସେଇ ସ୍ୱର ଅପରିଚିତ ଉମାର, କିନ୍ତୁ କିଛି ଭାବିବାର ଅବକାଶ ନ ପାଇ ସେ ଖୋଲିଦେଲା କବାଟ । ଘର ଭିତରକୁ ଦ୍ରୁତଗତିରେ ପ୍ରବେଶ କରି ଆଗନ୍ତୁକ ଭିତରୁ କବାଟ ବନ୍ଦ କରିଦେଇ କହିଲା, ଆଲୁଅ ଲିଭାଇ ଦିଅ... ସେମାନେ ମୋତେ ଖୋଜି ଖୋଜି ହୁଏତ ଯେକୌଣସି ସମୟରେ ପହଞ୍ଚିଯାଇ ପାରନ୍ତି ।

 

ଉମା ଜଣେ ଅପରିଚିତ ଯୁବକଙ୍କୁ ନିଜର କୋଠରୀ ଭିତରେ ଦେଖି ବିସ୍ମୟ ବିମୂଢ଼ ହୋଇଛିଡ଼ା ହୋଇଥିଲା ସେତେବେଳ ଯାଏ । ଆଲୁଅ ଲିଭାଇବାରେ ଉମାର ଡେରି ହେଉଥିବା ଦେଖି ଯୁବକ ନିଜେ ଲଣ୍ଠନର ବତି ତଳକୁ କରି ପଲକ ମଧ୍ୟରେ ଲିଭାଇ ଦେଲା ଆଲୋକ । ଆଲୁଅର ଶେଷ ଝଲକରେ କିନ୍ତୁ ଉମା ଦେଖି ନେଇଥିଲା ଆଗନ୍ତୁକକୁ । ତାର ପୋଷାକ ମଇଳା, ଠାଏ ଠାଏ ରକ୍ତର ଛିଟା... ।

 

ରକ୍ତ ! ଶବ୍ଦଟା ଉଚ୍ଚାରିତ ହେବାକୁ ଯାଇ ଅବ୍ୟକ୍ତ ରହିଗଲା କଣ୍ଠରେ ।

 

ଆଗନ୍ତୁକ କହିଲା, ପରେ ସୁଯୋଗ ଆସିଲେ ସବୁ ପ୍ରଶ୍ନର ଉତ୍ତର ଦେବି । ବର୍ତ୍ତମାନ ମୁଁ କ୍ଲାନ୍ତ । ମୋତେ ଟିକେ ବିଶ୍ରାମ କରିବାକୁ ଦିଅ... ଆଉ ଯଦି ସେମାନେ ଆସନ୍ତି, କୋଉ ପଥ ଦେଇ ନିରାପଦରେ ଚାଲିଯାଇ ପାରିବି କହିଦିଅ ।

 

କିନ୍ତୁ ଆପଣ କିଏ... ହଠାତ୍ ଇମିତି ପଶି ଆସିଲେ କାହିଁକି ? ମୁଁ ଏକାକିନୀ ଏ ଘରେ...

 

-ନିର୍ଭୟ ହୁଅ, ତୁମର କୌଣସି ଅନିଷ୍ଟ କରିବି ନାହିଁ ମୁଁ । ବରଂ ମୋତେ ସାହାଯ୍ୟ କର । କେବଳ ଏତିକି ଜାଣିରଖ ଯେ ମୁଁ ସ୍ୱାଧୀନତା ସଂଗ୍ରାମୀ... ଦେଶକୁ ପରାଧୀନତାରୁ ମୁକ୍ତ କରିବା ପାଇଁ ଶପଥ ନେଇଛି ।

 

ଉମା ଅବାକ୍ ହୋଇ ଶୁଣୁଥିଲା ତାଙ୍କ କଥା । ଆଉ ବିଳମ୍ବ ନ କରି ତାଙ୍କୁ ବିଶ୍ରାମ କରିବା ପାଇଁ ନିଜର ବିଛଣା ଆଡ଼କୁ ଅନ୍ଧାରରେ ପଥ କଢ଼େଇ ନେଲା ସେ ।

 

ସଙ୍ଗେ ସଙ୍ଗେ ନିଦରେ ଶୋଇପଡ଼ିଲେ ଆଗନ୍ତୁକ ।

 

ରାତି ଦୁଇଟା କି ଅଢ଼େଇଟା ହେବ ବୋଧ ହୁଏ, ପୁଣି କବାଟର କଡ଼ ନାଡ଼ିବା ଶବ୍ଦ ଶୁଣି ଚମକି ପଡ଼ିଲା ଉମା । ସେ ଶୋଇନଥିଲେ ବି ନିଦ ଲାଗି ଆସୁଥିବା ଆଖିପତାକୁ ବାସ୍ଫାରିତ କରି ଖଟ ଉପରକୁ ହାତ ବଢ଼େଇ ଆଗନ୍ତୁକ ହଲେଇ ଦେଇ କାନ ପାଖରେ କହିଲା ସେମାନେ ବୋଧ ହୁଏ ଆସିଗଲେଣି... ଏଇ ବାଡ଼ିଦୁଆର ଦେଇ ଗୁହାଳ ଭିତରକୁ ଚାଲି ଯାଆନ୍ତୁ । ଗୁହାଳ ପାର ହେଲେ ଖଳା, ତା’ପରେ ଧାନ ଖେତ ।

 

ଆଗନ୍ତୁକ ମୁହୂର୍ତ୍ତକରେ ଉଠିବସି ଆଉ ତିଳେ ମାତ୍ର ବିଳମ୍ବ ନକରି ବାଡ଼ି ଦୁଆର ଦେଇ ବାହାରି ଗଲାବେଳେ କହିଗଲା–ମୋ ନାମ ଅଜୟ... ସୁଯୋଗ ପାଇଲେ ଦେଖାହେବ... କିନ୍ତୁ ପାଖରେ ଏଇ ପତାକାଟି ରଖିଥାଅ, କାଲି ଯେପରି ହେଉ କଲେକ୍ଟରେଟ୍ ଉପରେ ତ୍ରିରଙ୍ଗା ପତାକା ଉଡ଼ାଇଦେବ । ସକାଳୁ କଟକ ଚାଲିଯାଅ ଯେପରି । ଅନ୍ୟମାନେ ବି ଯିବେ, ଅସୁବିଧା ହେବ ନାହିଁ-

 

ଉମାର ପ୍ରତିକ୍ରିୟା ବା ତା’ର କୌଣସି କଥା ଶୁଣିବା ପାଇଁ ସମୟ ନଥିଲା ଆଗନ୍ତୁକର । ଆଖି ପିଛୁଳାକେ ସେ କୋଠରି ଭିତରୁ ନିଷ୍କ୍ରାନ୍ତ ହୋଇଯିବାର ଦେଖି ଉମା ବାଡ଼ି କବାଟ ବନ୍ଦ କରିଦେଇ ଆସିଲାବେଳକୁ ଦାଣ୍ଡ ଦୁଆରେ ଗୁଡ଼ାଏ ଲୋକଙ୍କର ଡାକ ହାକ ଶୁଣି ଖୋଲି ଦେଲା କବାଟ... ।

 

ଟର୍ଚ୍ଚ ଆଲୁଅ ତା’ ମୁହଁ ଉପରେ ପକେଇ ପୋଲିସ ଇନ୍ସପେକ୍ଟର କହିଲେ–ବାପା କାହାନ୍ତି, ଅନ୍ୟମାନେ କେଉଁଠି ? ଟିକେ ଆଗରୁ ଏଇ ଘରକୁ ଆସିଥିବା ଅତିଥି ଗଲେ କୁଆଡ଼େ ?

 

ଉମା ବୁଦ୍ଧିମତୀ, ବୁଝି ପାରିଲା ସବୁ । ସେଇ ଯୁବକକୁ ଧରିବାପାଇଁ ଯେ ସେମାନଙ୍କର ଅଭିଯାନ, ଏଥିରେ ସନ୍ଦେହ ନ ଥିଲା ତାର । ତଥାପି ଆଖି ମଳି ଚକିତ ସ୍ୱରରେ କହିଲା, କିଏ... କାହିଁ ? କେହି ଆମ ଘରକୁ ଆସିବାର ଦେଖିନି ତ ମୁଁ–ବାପାଙ୍କୁ ଉଠେଇବି ?

 

ଇନ୍ସପେକ୍ଟର ତା’ କଥା ଶୁଣିବାପାଇଁ ଅପେକ୍ଷା ନ କରି ସହକର୍ମୀମାନଙ୍କୁ ଆଦେଶ ଦେଲେ ଘର ସର୍ଚ୍ଚ କରିବା ପାଇଁ । ବିଛଣା ଉପରେ ପଡ଼ିଥିବା ଚାଦର ଉପରେ ରକ୍ତର ଦାଗ ଦେଖି ଏଇନେ ସେ ମିଛ କହୁଥିବା ଧରା ପଡ଼ିଯାଇପାରେ ଏଇ ଭୟରେ ବିଛଣାଚାକୁ ଗୋଟେଇ ନବାପାଇଁ ହାତ ବଢ଼ାଇ କହିଲା ସେ... ମୁଁ ଶୋଇଥିଲି । ଏ ବିଛଣା ଛୁଇଁବା ଉଚିତ ହେବ ନାହିଁ ।

 

ପୋଲିସ ଇନ୍ସପେକ୍ଟର ସଙ୍କୁଚିତ ହୋଇ ପଛେଇ ଆସିଲେ ଟିକେ, ତା’ପରେ କହିଲେ–ନା, ମା’, କେହି ଛୁଇଁବେ ନାହିଁ, ବାପାଙ୍କୁ ଡାକି ଆଣ... ।

 

ସେତେବେଳକୁ ଘର ଭିତରକୁ ଆସି ସାରିଥାନ୍ତି ଶଙ୍କର୍ଷଣ ମଙ୍ଗରାଜ ।

 

ତାଙ୍କୁ ନମସ୍କାର କରି କହିଲେ ଇନ୍ସପେକ୍ଟର–ସାର୍ ଆପଣ ?

 

ଶଙ୍କର୍ଷଣ କହିଲେ–ହଁ ଏଇ ମୋ ଘର । ମୁଁ ଇସ୍ତଫା ଦେବାପରେ ସରକାରୀ ଘର ଛାଡ଼ି ଦେଇ ନିଜ ଘରେ ରହୁଛି ।

 

ରାତି ତିନିଟାରେ ତାଙ୍କ ଘର ଖାନତଲାସ କରିବାପାଇଁ ଉପରୁ ଆଦେଶ ଆସିଥିବାରୁ ବାଧ୍ୟ ହୋଇ ସେଇ କାମ କରୁଥିବା ପ୍ରକାଶ କରି କହିଲେ ଇନ୍ସପେକ୍ଟର, କ୍ଷମା କରିବେ ସାର୍... । ସରକାରଙ୍କ ଗୁଲାମ ମୁଁ–ଆଦେଶ ଅମାନ୍ୟ କରିବାର ଉପାୟ ନାହିଁ ।

 

ଖାନତଲାସ ଚାଲିଲା ଅଧଘଣ୍ଟାଏ । ଘରର ସବୁ କୋଠରି, ଏପରିକି ଠାକୁର ଘର ଭିତରେ ପଶି ସନ୍ତ୍ରାସବାଦୀର ସନ୍ଧାନ କଲେ ପୋଲିସବାହିନୀ । କିନ୍ତୁ କୌଣସି ସୂତ୍ର ପାଇଲେ ନାହିଁ । ସେଇ ବ୍ୟକ୍ତିର ସନ୍ଧାନ ମିଳିଲା ନାହିଁ । ପ୍ରାୟ ରାତି ଚାରିଟାରେ ସେମାନେ ଫେରିଗଲା ପରେ କୋଠରିର କବାଟ ବନ୍ଦକରି ନିଜର ଶାଢ଼ି ଭିତରୁ ସେଇ ତ୍ରିରଙ୍ଗା ପତାକା ବାହାର କରି ମଥାରେ ଲଗାଇଲା ଉମା । ସଙ୍ଗେ ସଙ୍ଗେ ସ୍ୱପ୍ନ ବୃତ୍ତାନ୍ତ ବିଜୁଳି ପରି ଖେଳିଗଲା ମାନସପଟରେ ।

 

ହଠାତ୍ କୋଠରି ଭିତରେ ସକାଳର ଚେନାଏ ଆଲୁଅର ସ୍ପର୍ଶ ପାଇ ଛାଇ ନିଦ ଭାଙ୍ଗିଗଲା ଉମାର । ସେତେବେଳକୁ ଦୂରରୁ ଭାସି ଆସୁଥାଏ ଅନେକ ଲୋକଙ୍କର ସମବେତ କଣ୍ଠ ଧ୍ୱନି । ଅଳ୍ପ ସମୟ ଭିତରେ ପ୍ରସ୍ତୁତ ହୋଇଗଲା ସେ ।

 

କ୍ୟାଲେଣ୍ଡର ପୃଷ୍ଠାରେ ତାର ଦୃଷ୍ଟି ପଡ଼ିବାକ୍ଷଣି ଅଗଷ୍ଟ ନଅ ତାରିଖ ଚହଟି ଉଠିଲା ।

 

ଇଂରେଜ ସରକାର ଭାରତ ଛାଡ଼...

 

କର ବା ମର... ଇନକିଲାବ ଜିନ୍ଦାବାଦ ।

 

ଅତି ପାଖରେ ସ୍ଲୋଗାନ ଶୁଣି କବାଟ ଖୋଲି ବାହାରକୁ ଆସିଲା ଉମା ।

 

ସେତେବେଳକୁ ଶୋଭାଯାତ୍ରାକାରୀମାନେ ଆସି ପହଞ୍ଚି ଯାଇଥାଆନ୍ତି ତା’ ଘର ଆଗରେ । କିଏ ସେମାନଙ୍କୁ ତା’ କଥା କହିଲା କେଜାଣି, ସେମାନେ ତାକୁ ଦେଖିବାକ୍ଷଣି ଆହୁରି ଜୋରେ ଆୱାଜ୍ କଲେ... ଇନକିଲାବ ଜିନ୍ଦାବାଦ... ।

 

ସେଇ ଧ୍ୱନି ଶୁଣିବା କ୍ଷଣି ଆଖି ଆଗରେ, ମନ ଭିତରେ ଓ ଚାରିପାଖରେ ଥିବା ବାଧା ଓ ପ୍ରତିବନ୍ଧକ ଗୁଡ଼ାକ ଝରି ପଡ଼ିଲେ ଶୀତଦିନର ପାଚିଲା ପତ୍ର ପରି । ଆଉ ବିଳମ୍ବ ନକରି ଘରୁ ବାହାରି ପଡ଼ିଲା ଉମା... । ସବା ଆଗରେ ଚାଲିଲା ସେ । ତା’ ଆଗରେ ବିସ୍ତାରିତ ହୋଇଗଲା ଏକ ସ୍ନିଗ୍ଧ ଆଲୋକିତ ସୁନ୍ଦର ପ୍ରତିଶ୍ରୁତିଭରା ଶରତର ଶୁଦ୍ଧ ସକାଳ ।

 

ଶୋଭାଯାତ୍ରା ଚାଲିଲା କଟକ ଅଭିମୁଖରେ ।

 

ଧବଳେଶ୍ୱରରୁ ଗଡ଼ଗଡ଼ିଆ ଘାଟକୁ ଡଙ୍ଗାରେ ଆସି ସେଠାରୁ ପାଦରେ ଚାଲି କିଲଟରୀ ପହଞ୍ଚିଲାବେଳକୁ ଶୋଭାଯାତ୍ରା ଲମ୍ବି ଯାଇଥାଏ ମାଇଲିଏ ।

 

କିଲଟରୀ ଅଫିସର ସବୁ ଫାଟକ ବନ୍ଦ କରି ପଇଁତରା ମାରୁଥାନ୍ତି ସଶସ୍ତ୍ର ପୋଲିସ୍ ।

 

ଉମା ସମସ୍ତଙ୍କୁ ସାମ୍ନା ଫାଟକ ଆଗରେ ଛାଡ଼ି ଚାଲିଗଲା ପଛ ପଟକୁ ।

 

ତାକୁ ଜଣେ ପୋଲିସ୍ କନଷ୍ଟେବଲ୍ ଅନୁସରଣ କରୁଥିବାର ଦେଖି ସେ ଆମ୍ବଗଛକୁ ଆଢ଼ୁଆଳ କରି ବସି ପଡ଼ିଲା ପରିଶ୍ରା କରିବା ଭଙ୍ଗୀରେ । କନଷ୍ଟେବଳ ମୁହଁ ଫେରାଇ ଚାଲିଗଲା । କିନ୍ତୁ ସେଇ ମୁହୂର୍ତ୍ତରେ ଗଛ ଉପରକୁ ଉଠିଯାଇ କିଲଟରୀ ଅଫିସର ପଛପଟ ଛାତ ଉପରେ ଲାଗୁଥିବା ଡାଳ ସାହାଯ୍ୟରେ ଛାତ ଉପରକୁ ଯାଇ ଆତ୍ମଗୋପନ କରିବା ପାଇଁ ପେଟେଇ ପଡ଼ିଲା ଉମା । ତା’ପରେ ଆଣ୍ଠେଇ ଆଣ୍ଠେଇ ସେ ଅଗ୍ରସର ହେଲା ପତାକାସ୍ତମ୍ଭ ଆଡ଼କୁ । ୟୁନିଅନ ଜ୍ୟାକ୍ ଶ୍ରାବଣ ମାସର ଓଦା ପବନରେ ଫରଫର ହୋଇ ଉଡ଼ୁଥାଏ ଆଖି ଆଗରେ । ତ୍ରିରଙ୍ଗା ପତାକା ସେଇ ସ୍ତମ୍ଭରେ ଉଡ଼େଇ ଦେଇ ୟୁନିଅନ୍ ଜ୍ୟାକ ଝୁଲୁଥିବା ଦଉଡ଼ିଟାକୁ କାଟିଦବାରୁ ପତାକା ତଳକୁ ଖସି ଆସିବାବେଳେ ଛାତ ଉପରେ ଛିଡ଼ା ହୋଇ ଗର୍ବର ସହିତ ଧ୍ୱନି ଦେଲା ଉମା–ବନ୍ଦେ ମାତରଂ.... ଇନକିଲାବ ଜିନ୍ଦାବାଦ.... ବ୍ରିଟିଶ୍ ଶାସନ ମୁର୍ଦ୍ଦାବାଦ.... ।

 

ହଇଚଇ ଖେଳିଗଲା ମୁହୂର୍ତ୍ତକରେ । ବିଗୁଲ ବାଜି ଉଠିବା ସଙ୍ଗେ ସଙ୍ଗେ ସଶସ୍ତ୍ର ପୋଲିସ ବାହିନୀର କେତେଜଣ ଛାତ ଉପରକୁ ଉଠିବା ପାଇଁ ମାଡ଼ି ଆସିଲେ ଚାରିଦିଗରୁ । କିନ୍ତୁ ନିର୍ଭୟ ଓ ଅବିଚଳିତ ଭାବରେ ସ୍ଲୋଗାନ ଦଉଥାଏ ଉମା–ବନ୍ଦେ ମାତରଂ... ଭାରତମାତାକୀ ଜୟ... ଇନକିଲାବ ଜିନ୍ଦାବାଦ... ବ୍ରିଟିଶ୍ ଶାସନ ମୁର୍ଦ୍ଦାବାଦ... ।

 

ଅଳ୍ପ ସମୟ ପରେ ତାକୁ ଘୋଷାରି ନେଇ ପୋଲିସ ଭ୍ୟାନରେ ଭର୍ତ୍ତି କଲାବେଳେ ଶୋଭାଯାତ୍ରାକାରୀମାନେ ଘେରିଯିବାରୁ ସେମାନଙ୍କୁ ଘଉଡ଼େଇ ଦବାପାଇଁ ଲାଠିଚାଳନା କଲେ ପୋଲିସ । କିନ୍ତୁ କି ଆଶ୍ଚର୍ଯ୍ୟ... ଲାଠିମାଡ଼, ବନ୍ଧୁକ ଢିଅରେ ଲାଛି ହେବା ପାଇଁ ବୀରଦର୍ପରେ ଆଗେଇ ଆସିଲେ ସେମାନେ । କିଛି ସମୟ ପୋଲିସ ନିର୍ଯାତନା ଚାଲିବା ପରେ ନିରସ୍ତ୍ର ନିରୀହ ଲୋକଗୁଡ଼ିଙ୍କୁ ରକ୍ତାକ୍ତ ଓ ଆହତ ଅବସ୍ଥାରେ ଟ୍ରକରେ ବୋହିନେଇ କାଳିଆବୋଦା ପାଖରେ ଛାଡ଼ି ଦିଆଗଲା ।

 

ଉମା ଛଅମାସ ଜେଲ ଭିତରେ ରହି ଖଲାସ ହେବା ଦିନ ପ୍ରଧାନ ଫାଟକରେ ଫୁଲତୋଡ଼ା ଦେଇ ତାକୁ ଅଭିନନ୍ଦନ ଜଣାଇବାକୁ ଆସିଥିଲେ ସେମାନଙ୍କ ସବା ଆଗରେ ଥିଲେ ଅଜୟ ମହାପାତ୍ର ।

 

ସେଇ ମୁହଁ ଭୁଲି ନ ଥିଲା ଉମା । ସେଦିନ ରାତିର ସବୁ କଥା ମନେ ପଡ଼ିଗଲା ତାର ।

 

ଅଜୟ ଗମ୍ଭୀର ଜଣା ପଡ଼ୁଥିଲେ ବି ଓଠ କୋଣରେ ଗଡ଼ଜିଣିବାର ପ୍ରସନ୍ନତା ନେଇ ପୁଷ୍ପଗୁଚ୍ଛ ତା’ ହାତକୁ ବଢ଼େଇ ଦବାବେଳେ ଅନ୍ୟମାନେ ଧ୍ୱନି ଦେଲେ–ବନ୍ଦେ ମାତରଂ... ଭାରତମାତାକୀ ଜୟ... ଇନକିଲାବ ଜିନ୍ଦାବାଦ... ।

 

ତା’ପରେ ଉମା ପୂରାପୂରି ନିଜକୁ ଉତ୍ସର୍ଗ କରିଦେଲା ଦେଶର ମୁକ୍ତି ସଂଗ୍ରାମରେ । ବିଭିନ୍ନ ଆଇନଭଙ୍ଗ ଅପରାଧରେ ଆହୁରି ତିନିଥର କାରାବରଣ କରି ଅଢ଼େଇ ବର୍ଷ ରହିଗଲା ଜେଲ୍ ଭିତରେ । ଶେଷରେ ଅନ୍ୟାନ୍ୟ ହଜାର ହଜାର ରାଜନୈତିକ ବନ୍ଦୀମାନଙ୍କ ସହିତ ଅଗଷ୍ଟ ମାସ ଏକ ତାରିଖ ୧୯୪୫ ମସିହାରେ ସେ ବି ଖଲାସ ହେଲା ଜେଲରୁ ।

 

ଜେଲରୁ ଫେରିବା ପରେ ଅଜୟ ସହିତ ପୁଣି ଦେଖାହୁଏ । ଦୁହିଁଙ୍କ ମଧ୍ୟରେ ସେତେବେଳକୁ ଗଢ଼ି ଉଠିଥାଏ ଏକ ନିର୍ମଳ ବନ୍ଧୁତ୍ୱ ।

 

ଦେଶରେ ଗଣ ଆନ୍ଦୋଳନର ସ୍ୱରୂପ ଦେଖି ଦେଶ ଯେ ଶୀଘ୍ର ସ୍ୱାଧୀନତା ଅର୍ଜନ କରିବ, ତାହା ଅନୁମାନ କରି ଦିନେ ଅଜୟ କହିଲା ଉମାକୁ–ଯେଉଁ ସ୍ୱପ୍ନ ଆମେ ଦେଖିଥିଲୁ ତାହା ସାକାର ହେବାକୁ ଯାଉଛି । ଦେଶ ଯେ ସ୍ୱାଧୀନ ହେବ, ଏହା ନିଶ୍ଚିତ ହୋଇଗଲାଣି । ତୁମେ ସମ୍ମତ ହେଲେ ମୁଁ ଗୋଟେ ପ୍ରସ୍ତାବ କରନ୍ତି... ।

 

ଉମା ତା’ ମୁହଁକୁ ଚାହିଁ ବୁଝିନେଲା ଅଜୟ କଣ କହିବାକୁ ଚାହେଁ । ଦୀର୍ଘଦିନର ସଂଗ୍ରାମ ଓ ଅନେକ ଦିନ ଜେଲ୍ ରେ କଟାଇ ଅନେକ କ୍ଲାନ୍ତ ହୋଇପଡ଼ିଥିଲା ଉମା । ସେ ଚାହିଁଥିଲା ବନ୍ଧୁ ହେବାପାଇଁ ଏବଂ ପରିବାରର କର୍ତ୍ତବ୍ୟ କରିସାରି ସମାଜ କଲ୍ୟାଣ କାର୍ଯ୍ୟରେ ଅବଶିଷ୍ଟ ସମୟ ଓ ଶକ୍ତି ବିନିଯୋଗ କରିବା ପାଇଁ । ଅଜୟର ପ୍ରସ୍ତାବ ଶୁଣି ସେ ପୁଲକିତ ହେଲା ଏବଂ ତା’ପରେ ଦିନେ ଶୁଭଦିନରେ ଦୁହିଁଙ୍କର ବିବାହ ହୋଇଗଲା । ଠିକ୍ ସ୍ୱାଧୀନତା ଦିବସରେ ଉମା ଜନ୍ମ ଦେଲା ଶୋଭାକୁ । ତା’ପରେ ମରିଗଲା ଉମା... ।

 

-ମରିଗଲା ? ଦୀର୍ଘଶ୍ୱାସ ଛାଡ଼ି ପଚାରିଲା ବିପ୍ଲବ ।

 

-ହଁ ମରିଗଲା ନୁହେଁ ତ ଆଉ କଅଣ ?

 

ବଞ୍ଚିଥାଇ ବି ଯଦି ସେ ଘରୁ ବାହାରି ନପାରିଲା, ମଥା ଟେକି ଚାଲି ନପାରିଲା ଏବଂ ଆଖି ଆଗରେ ତାହାରି ହାତରେ ତିଆରି ସାମ୍ରାଜ୍ୟ ଭୁଶୁଡ଼ି ପଡ଼ିଲା, ତାହାହେଲେ ସେ ବଞ୍ଚିଲା କିପରି ?

 

ଅତସୀ ନୀରବରେ ବସି ରହିଲେ କିଛି ସମୟ, ତା’ପରେ ନାତିର ମଥା ଉପରେ ଆର୍ଶୀବାଦ କଲାପରି ହାତ ବୁଲେଇ ଆଣି କହିଲେ ସଂକ୍ଷେପରେ... ୟା ପରେ କଅଣ ହେଲା ଆଉ ଦିନେ ଶୁଣିବୁ ।

 

ବିପ୍ଲବ ଉଠପଡ଼ି ଚାଲିଯିବା ବେଳକୁ ତା’ ହାତଧରି ପକେଇ କହିଲେ ଅତସୀ, ତୁ କହୁଥିଲୁ ଯେ କାଲି ନେତା ଆସିବ... ।

 

–ହଁ-ଆଈ । ମାନ୍ୟବର ନେତା କାଲି ମୁଖ୍ୟଅତିଥି ଭାବରେ ଭାବରେ ପ୍ୟାରେଡ଼୍ ପରିଦର୍ଶନ କରିବେ ପତାକା ଉତ୍ତୋଳନ କରିବେ... ।

 

–ତୁ ରହିବୁ ସେଠାରେ ?

 

–ହଁ, ନିଶ୍ଚୟ । ମୁଁ ତ ଆମ ଏନ୍.ସି.ସି.ର କ୍ୟାପଟେନ୍ । ମୁଁ ଆଗରେ ଚାଲିବି ମାର୍ଚ୍ଚପାଷ୍ଟ କଲାବେଳେ ।

 

–ସତେ ।

 

ବିପ୍ଲବ ଚାଲିଗଲା କାଲିପାଇଁ ପ୍ରସ୍ତୁତ ହେବାପାଇଁ । ଅତସୀ ବସି ରହିଲେ ଏକାକୀ । ତାଙ୍କରି ଆଗରେ ମଧ୍ୟାହ୍ନର ସୂର୍ଯ୍ୟ କେତେବେଳେ ଅସ୍ତ ହୋଇଗଲା ଆଠଗଡର ପାହାଡ଼ ତଳେ ସେ ଜାଣିପାରିଲେ ନାହିଁ । ରାସ୍ତାବାଡର ବିଜୁଳି ଜଳି ଉଠିଲାଣି କେତେବେଳୁ ଖିଆଲ ନଥିଲା ତାଙ୍କର । କିଛି ସରକାରୀ ଜିପ୍ ଭିତରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଯେତେବେଳେ ଜଣେ କେହି ପ୍ରଚାରକ ଘୋଷଣା କଲା ଯେ କାଲି ସ୍ୱାଧୀନତା ଦିବସ... ସକାଳ ଆଠଟାରେ ଜିଲ୍ଲା ମଇଦାନରେ ପତାକା ଉତ୍ତୋଳନ, ଚିତ୍ତାକର୍ଷକ ପ୍ୟାରେଡ଼୍ ଏବଂ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଆତସବାଜି ପ୍ରଦର୍ଶନ କରାଯିବ, ହଠାତ୍ ଧ୍ୟାନ ଭାଙ୍ଗିଗଲା ତାଙ୍କର । ସେ କାନ ଡେରି ଶୁଣିଲେ–ମାନ୍ୟବର ନେତା ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିବେ ।

 

କିଏ ଏଇ ନେତା, ଅଜୟ ମହାପାତ୍ର ନୁହେଁ ତ ? ଅତସୀଙ୍କର ସମଗ୍ର ସତ୍ତାକୁ ଆଲୋଡ଼ିତ କରି ବାରମ୍ବାର ଏଇ ପ୍ରଶ୍ନ ପ୍ରତିଧ୍ୱନିତ ହେବାକୁ ଲାଗିଲା ।

 

ଆଉ ସେ ମନକୁ ମନ ବ୍ୟଙ୍ଗକରି କହିଲେ–ନେତା, ନେତା !!

 

ଅତସୀ ଏକାନ୍ତରେ ରହିବାକୁ ପସନ୍ଦ କରନ୍ତି । ତାଙ୍କୁ ଭଲ ଲାଗେନି ସାମାଜିକତା, ସଂଗସୁଖର ପ୍ରଗଲ୍‍ଭତା ବା ଗଳ୍ପ ଗୁଜବ କରି ସମୟ କଟେଇବା । ନିଜର ସମୟକୁ କାର୍ଯ୍ୟସୂଚୀ ଭିତରେ ବାଣ୍ଟି ଦେଇଛନ୍ତି ସେ । ସକାଳ ନିତ୍ୟକର୍ମ ପରେ କିଛି ସମୟ ପ୍ରାର୍ଥନା କରନ୍ତି, ତା’ପରେ ଘଣ୍ଟାଏ ସୂତା କାଟନ୍ତି, ତା’ପରେ ଛୋଟ ସାଂସାରିକ କାର୍ଯ୍ୟ । ସମସ୍ତେ ଯେ ଯାହାର କାର୍ଯ୍ୟରେ ବାହାରିଗଲେ ସେ ବସି ବସି ଗୀତା ପଢ଼ନ୍ତି, ପଢ଼ନ୍ତି ଋଷି ଅରବିନ୍ଦଙ୍କ ସାହିତ୍ୟ ଓ ଦର୍ଶନ, ପଢ଼ନ୍ତି ବିଭିନ୍ନ ଦେଶର ଇତିହାସ ଓ ବିପ୍ଳବର କାହାଣୀ ।

 

ସେଦିନ ଷୋହଳ ବର୍ଷରେ ଫୁଲ ଫୁଟିବା ମୁହୂର୍ତ୍ତରେ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ସ୍ୱପ୍ନରେ ହିଁ ରହିଯାଇଛି । ଆତ୍ମସମୀକ୍ଷା କରନ୍ତି ଅତସୀ । କେଉଁ ଦୋଷରୁ, କାହାର ପାପରୁ ଏପରି ଶାସ୍ତି ମିଳୁଛି, ଜନସାଧାରଣଙ୍କ ଜୀବନରେ ଏପରି ନୈତିକ ସ୍ଖଳନ ଦେଖାଦେଉଛି ତାହା ଜାଣିବାପାଇଁ ଅନ୍ତର ନିରୀକ୍ଷଣ କରନ୍ତି ।

 

ନିଜପାଇଁ କେବେ ଚିନ୍ତା କରିନାହାନ୍ତି ଅତସୀ । ଶିକ୍ଷୟିତ୍ରୀ ହୋଇ ଯାହା ଉପାର୍ଜନ କରିଥିଲେ ସେଥିରେ ଚଳି ଯାଉଛି ଛୋଟ ସଂସାର । ଝିଅଜ୍ୱାଇଁ ଉଭୟ ରାଉରକେଲାରେ ଡାକ୍ତର । କେବଳ ବିପ୍ଲବକୁ ମଣିଷ କରିବାପାଇଁ ପାଖରେ ରଖିନେଇଛନ୍ତି ସେ ।

 

ଅହ୍ୟ ସ୍ତ୍ରୀ ହୋଇ ମଧ୍ୟ ଅଳଙ୍କାର ପିନ୍ଧନ୍ତିନି ଅତସୀ, ମୁଣ୍ଡରେ ସିନ୍ଦୂର ଲଗାନ୍ତିନି, ପାଦରେ ଅଳତା ଲଗେଇବାର ତାଙ୍କୁ କେହି କେବେ ଦେଖିନି । ହାତରେ କେବଳ ପଟେ ପଟେ ଚୁଡ଼ି । ଦେହରେ ସାଧାରଣ ତନ୍ତବୁଣା ଶାଢ଼ି ।

 

ଅଜୟ କିନ୍ତୁ ବେଶ୍ ଅଏସ୍ କରନ୍ତି । ବିଧାୟକ ହୋଇ ନିର୍ବାଚିତ ହେବାପରେ ତାଙ୍କୁ ତ୍ୟାଗ କରି ସେ ମାତିଲେ ସୁରା ଓ ସାକୀ ପଛରେ । ଏବେ ବହୁ ରମଣୀ ଭୋଗ କରୁଥିବା ସ୍ୱନାମଧନ୍ୟ ନେତା ସେ । ବହୁ ବଡ଼ ବଡ଼ କୋଠା ତୋଳିଛନ୍ତି ରାଜଧାନୀରେ, କଟକ ସହରରେ, ଇସ୍ପାତନଗରୀ ରାଉରକେଲାରେ । ଏବେ ଶୁଣାଯାଉଛି ସେ ଲକ୍ଷ ଲକ୍ଷ ଟଙ୍କା ଜମା ରଖିଛନ୍ତି ନେପାଳର କେଉଁ ଏକ ବ୍ୟାଙ୍କରେ ।

 

ବେଶ୍ ଅଛନ୍ତି ଅଜୟ । ଅଥଚ ତାଙ୍କରି ଆଗରେ ଓଳିଏ ପେଟ ପୁରାଇ ଖାଇବାକୁ ପାଉ ନ ଥିବା ଲୋକଙ୍କ ସଂଖ୍ୟା ଏବେ ବି ଶତକଡ଼ା ଚାଳିଶ । ଏବେ ବି ତାଙ୍କରି ପରି ଲୋକଙ୍କ କାମନା ଚରିତାର୍ଥ କରିବାପାଇଁ ଝିଅ, ବୋହୂଙ୍କୁ ଦାନ କରି ପେଟ ପୋଷିବାର ଦାୟିତ୍ୱ ତୁଲାନ୍ତି ଅନେକ ଲୋକ ।

 

ଅଥଚ ସେଇ ଅଜୟ ଥିଲେ ଅଗ୍ନି ପରି ଶୁଦ୍ଧ ଓ ଉଜ୍ଜ୍ୱଳ । ବ୍ରିଟିଶ୍ ସରକାରଙ୍କୁ ତଡ଼ି ଦେଶକୁ ସ୍ୱାଧୀନ କରିବା ପାଇଁ ଅଶେଷ ତ୍ୟାଗ ସ୍ୱୀକାର କରିଥିଲେ ସେ । ସେତେବେଳର ଅଜୟ ଓ ଆଜିର ଅଜୟ ମଧ୍ୟରେ ଦୁଇଟି ଗୋଲାର୍ଦ୍ଧର ପାର୍ଥକ୍ୟ ଓ ଦୂରତ୍ୱ ।

 

ତାଙ୍କୁ ସତ କଥା କହି ଦେଇଥିଲେ ସେ ପ୍ରତିବାଦ ନ କରି ଚାଲି ଆସିଥାଆନ୍ତେ । କିନ୍ତୁ ଲୁଚେଇ ଲୁଚେଇ କାମିନୀ କାଞ୍ଚନ ଭୋଗ କରି ତାଙ୍କ ନାମରେ ମିଥ୍ୟା ଅପବାଦ ଦେଇ ସେ ଅଲଗା ହୋଇଗଲେ । ଏଇ ରିକ୍ତ ଜୀବନର କାହାଣୀ କାହାକୁ କହିପାରିଲେ ନାହିଁ ଅତସୀ, ଏକଥା କାହାକୁ କୁହାଯାଏନି । ସେଥିପାଇଁ ପୂର୍ବର ଜୀବନ କେବଳ ରହି ଯାଇଛି ନିଜର ଅନ୍ତରାଳରେ, ଅନ୍ୟ ଆଗରେ ତାହା ପ୍ରକଟ ହବାରେ ଗର୍ବ ନାହିଁ । କେବଳ ଗ୍ଲାନି ।

 

ଆଜି ବି ସେ କହି ପାରିବେନି ଏ କଥା । ଝିଅ ଅନେକଥର ଜାଣିବାକୁ ଚାହିଁଛି, ସେ କିନ୍ତୁ କହି ନାହାନ୍ତି । ନାତି ଜାଣିବାକୁ ଚାହିଁଛି, ସେ ନାମ କହିପାରି ନାହାନ୍ତି । ଜୀବନଯାକ ସତ୍ୟନିଷ୍ଠ ଏବଂ ନିର୍ଭୀକ ହୋଇ ବଞ୍ଚିବାପାଇଁ ଶପଥ କରିଥିଲେ ସେ । ସେଥିପାଇଁ ମିଛ ପ୍ରାୟ କହନ୍ତି ନାହିଁ ସେ । ଆଜି କିନ୍ତୁ ତାଙ୍କରି ଜୀବନର ସବୁ ଆଶା, ଆକାଂକ୍ଷା ଯେପରି ମିଛ, ନିରର୍ଥକ ପାଲଟି ଯାଇଛି । ବେଳେ ବେଳେ ଅତୀତର ଅତସୀ ବିପ୍ଲବ କରିବା ପାଇଁ ଝୁଙ୍କ୍ ଧରେ, ପ୍ରତିଶୋଧ ନବାପାଇଁ ଜିଦ୍ କରନ୍ତି; କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅତୀତର ଉତ୍ତାପ ହ୍ରାସ ପାଇଛି ଶୋଣିତ ପ୍ରବାହରୁ, ଶୀତଳ ହୋଇଯାଇଛି ଭିତରର ପ୍ରଜ୍ୱଳନ । କିନ୍ତୁ ଆଉ ମିଥ୍ୟାଚାର, ଶଠତା, ଭ୍ରଷ୍ଟାଚାର ଓ ଅନ୍ୟାୟକୁ ସହ୍ୟ କରିପାରିବେ ନାହିଁ ସେ । ଏସବୁ ସହ୍ୟ କରିବା ବ୍ୟର୍ଥ ଏଗୁଡ଼ିକ ସାଲିସ କରିବା । ଭବିଷ୍ୟତକୁ ଉଦ୍ଧାର କରିବାପାଇଁ ବର୍ତ୍ତମାନକୁ ବଳିଦବାକୁ ହେବ ଆଉଥରେ । ଏଇ ବିଷଣ୍ଣ ଶରତରେ ଆଉ ଥରେ ସେ ଏକଲା ଚାଲିବେ ବିପ୍ଲବର ଗୀତ ଗାଇ ଗାଇ ।

 

ଅତସୀ ଧୀରେ ଧୀରେ ଭିତରକୁ ଯାଇ ଆଲମାରୀ ଖୋଲିଲେ ଏବଂ ଲକର ଭିତରୁ ଜଙ୍କ ଲାଗି ଯାଇଥିବା ସେଇ ପୁରୁଣା ଅସ୍ତ୍ରଟିକୁ ବାହାର କଲେ । ବିପ୍ଲବ କରିବାକୁ ବାହାରି ଗଲାବେଳେ ଆତ୍ମରକ୍ଷାପାଇଁ ପ୍ରୟୋଗ କରିବାକୁ ସ୍ୱଦେଶରେ ତିଆରି ଏଇ ପିସ୍ତଲଟିକୁ ତାଙ୍କୁ ଉପହାର ଦେଇଥିଲେ ଅଜୟ । ଆଜି ଆଉ ତାଙ୍କର କୌଣସି ସ୍ମୃତିର ଅର୍ଥ ନାହିଁ ତାଙ୍କ ପାଖରେ, କିନ୍ତୁ ଏଇ ପିସ୍ତଲ୍ଟା ରହିଯାଇଛି । ଯୌବନର ଆରମ୍ଭରେ ଭୋଗର ସ୍ୱପ୍ନ ନ ଦେଖି ତ୍ୟାଗକୁ ବରଣ କରି ନେଇଥିଲେ ସେ । ଆଜି ବି ସେଇ ପଥରୁ ବିଚ୍ୟୁତ ହୋଇନାହାନ୍ତି ସେ । ଯିଏ ସ୍ୱଧର୍ମ ତ୍ୟାଗ କରେ ସେ ତ୍ୟଜ୍ୟ ଓ ବଧ୍ୟ ଶାସ୍ତ୍ର ଅନୁସାରେ । ଅତସୀ ୮୪-ମନକୁ ଦୃଢ଼ କଲେ ଏବଂ ପିସ୍ତଲ ଭିତରେ ଗୁଳି ଭର୍ତ୍ତି କରି ପୁଣି ଯଥା ସ୍ଥାନରେ ରଖିଦେଲେ ।

 

ସ୍ୱାଧୀନତା ଦିବସ ପାଇଁ ବିରାଟ ଆୟୋଜନ ହୋଇଥାଏ ମଇଦାନରେ । ହଜାର ହଜାର ଦର୍ଶକ ଠୁଳ ହୋଇଥାନ୍ତି ମାର୍ଚ୍ଚପାଷ୍ଟ ଦେଖିବାପାଇଁ ।

ଅତସୀ ମଞ୍ଚର ଟିକେ ଦୂରରେ ତାଙ୍କୁ କେହି ନଦେଖି ପାରିବା ଭଳି ସ୍ଥାନରେ ଛିଡ଼ା ହେଲେ ।

ଆଠଟାରେ ପତକା ଉତ୍ତୋଳନ ।

ଆହୁରି ଅଧଘଣ୍ଟାଏ ବାକି ଅଛି ଆଠଟା ବାଜିବା ପାଇଁ । ଏତେ ଆଗରୁ ନ ଆସିଥିଲେ ବି ଚଳି ଥାଆନ୍ତା ବିପ୍ଲବ ଜାତୀୟ ସମର ଶିକ୍ଷାର୍ଥୀମାନଙ୍କ ଅଗ୍ରଭାଗରେ ଛିଡ଼ା ହୋଇଛି ସୈନିକ ପୋଷାକରେ । ତାର ବ୍ୟକ୍ତିତ୍ୱ ହୋଇ ଉଠିଛି ଆହୁରି ସତେଜ ଏବଂ ସ୍ଫୁର୍ତ୍ତିବନ୍ତ ।

ସମୟ ହୋଇ ନ ଥାଏ ବୋଲି ଦେଶାତ୍ମକ ବୋଧ ସଙ୍ଗୀତ ବୋଲା ହେଉଥାଏ ।

ଆଉ ପାଞ୍ଚମିନିଟ୍ ବାକି । ନେତାଙ୍କୁ ଅଭ୍ୟର୍ଥନା କରି ଆଣିବା ଲାଗି କଲେକ୍ଟର ଓ ଏସ୍.ପି. ଛିଡ଼ା ହୋଇଥାଆନ୍ତି ମଞ୍ଚ ପଛରେ । ପୋଲିସ୍ ଗାଡ଼ି ବାଟ କଢ଼େଇ ନେଇ ଆସିବ ମହାମାନ୍ୟ ଅତିଥିଙ୍କୁ । ତାଙ୍କୁ ସଲାମ ଦବାପାଇଁ ଛିଡ଼ା ହୋଇ ରହିଛନ୍ତି ସଶସ୍ତ୍ର ବାହିନୀ, ଏନ୍.ସି.ସି., ସ୍କାଉଟ ଏବଂ ଗାଇଡ଼, ଅଗ୍ନି ପ୍ରଶମନ ଦଳ ଓ ଛାତ୍ରଛାତ୍ରୀ ।

ଠିକ୍ ଆଠଟା ବାଜିବା କ୍ଷଣି ବିଗୁଲ ବାଜି ଉଠିଲା । ବେଶ୍ ନର୍ଭସ ଦେଖା ଯାଉଥାନ୍ତି ଜିଲ୍ଲାପାଳ ଓ ପୋଲିସ ସାହେବ । ମନ୍ତ୍ରୀ ଏଯାଏ ପହଞ୍ଚିଲେ ନାହିଁ । ନିୟମ ଅନୁସାରେ ରାଷ୍ଟ୍ରୀୟ ପତାକା ନିର୍ଦ୍ଧିଷ୍ଟ ସମୟରେ ଉପରକୁ ଉଠାଇବାର କଥା ।

ଜିଲ୍ଲାପାଳ ଓ ପୋଲିସ ସାହେବ କଅଣ ପରାମର୍ଶ କରୁଥିବାର ଦେଖାଗଲା ।

ଆଠଟା ବାଜି ସାରି ସେକେଣ୍ଡ କଣ୍ଟା ଦଉଡ଼ୁଛି ମିନିଟିଏ ସମୟ ପୂରା କରିବା ପାଇଁ । ଆଖି ପିଛୁଳାକେ ଏକ ନାଟକୀୟ ଘଟଣା ଘଟିଗଲା ।

ବିପ୍ଳବ ଦୌଡ଼ିଯାଇ ପତାକା ଉତ୍ତୋଳନ କରି ସଲାମ କଲାକ୍ଷଣି ପୋଲିସ ବ୍ୟାଣ୍ଡରେ ଜନଗଣମନ ବାଜି ଉଠିଲା ଏବଂ ତା’ପରେ ରାଷ୍ଟ୍ରୀୟ ସଲାମି ଦେଲେ ସମସ୍ତେ ।

ସ୍ତବ୍ଧ ହୋଇ ସେଇ ଦୃଶ୍ୟ ଦେଖୁଥିଲେ ଅତସୀ ।

ହଠାତ୍ ପଇଁଚାଳିଶ ବର୍ଷ ତଳର ଅଗଷ୍ଟ ନଅ ତାରିଖ ଦିନ କିଲଟରୀ ଉପରେ ପୋଲିସର ଗୁଳିଗୁଳାକୁ ଖାତିର ନକରି ସେ ତ୍ରିରଙ୍ଗ ପତାକା ଉଡ଼ାଇ ଥିବାର ଘଟଣା ସ୍ମୃତି ପଟରେ ଜୀବନ୍ତ ହୋଇଉଠିଲା ।

ଏତିକିବେଳେ ପାଇଲଟ ଗାଡ଼ି ପଛେ ପଛେ ମନ୍ତ୍ରୀଙ୍କ ଗାଡ଼ି ଆସି ଛିଡ଼ା ହେଲା ମଞ୍ଚର ଅନତିଦୂରରେ ।

ଅତସୀ କେତେବେଳେ ଆଗକୁ ଚାଲି ଆସିଥିଲେ କେଜାଣି ସେଇ ଜଙ୍କ ଲାଗି ଯାଇଥିବା ପୁରୁଣା ପିସ୍ତଲଟା ବାହାର କରିବାକୁ ଯାଇ ପୁଣି କଅଣ ଭାବି ରଖିଦେଲେ ଏବଂ ମନେ ମନେ କହିଲେ ବୋଧହୁଏ ମତେ ପ୍ରଲୋଭନ ଦେଖାଇବା ପାଇଁ ଏଇ ଲୋକଟା ଚକ୍ରାନ୍ତ କରି ପେନ୍‍ସନ୍ଏବଂ ତାମ୍ରପତ୍ର ପଠାଇଥିଲା ଜିଲ୍ଲାପାଳଙ୍କ ଜରିଆରେ ।

 

ଅତସୀ ଭାବିଲେ ମୁହୂର୍ତ୍ତେ ଏବଂ ଆଉ ଥରେ ନିଜକୁ ସଂଶୋଧନ କରିବାପାଇଁ ଅଜୟ ମହାପାତ୍ରଙ୍କୁ ସୁଯୋଗ ଦେଇ ତାଙ୍କରି ହାତକୁ ପିସ୍ତଲଟା ବଢ଼ାଇ ଦେଇ କହିଲେ, ଏହାର ପ୍ରୟୋଜନ ମୋ ପାଖରେ ଶେଷ ହୋଇ ଯାଇଛି । କିନ୍ତୁ ଜାତି ଓ ଦେଶର ସେବା କରିବା ନାମରେ ଆତ୍ମସେବା କରୁଥିବା ବ୍ୟକ୍ତି କ୍ଷମାର ଯୋଗ୍ୟ ନୁହେଁ । ପତାକା ଉଠିସାରିଛି… ତୁମେ ଫେରିଯାଇପାର... ପ୍ରାୟଶ୍ଚିତ କରିବାକୁ ଏବେ ବି ସମୟ ଅଛି–ସେଥିପାଇଁ ଏଇ ଗୁଳିଭରା ପିସ୍ତଲଟା ଦେଲି । ଆତ୍ମସ୍ଵାର୍ଥୀ ନିଜେ ହିଁ ନିଜର ଲକ୍ଷ୍ୟ... ।

 

ହତବାକ୍ ନେତା ଅଜୟ ମହାପାତ୍ର ପଥ ପାଉ ନଥିଲେ ପଳେଇବା ପାଇଁ । ଆଦୌ ଆସି ନଥିଲେ ବରଂ ଭଲ ହୋଇଥାଆନ୍ତା ।

 

ଲୋକମାନଙ୍କର ବ୍ୟଙ୍ଗହାସ୍ୟ ଭାସି ଆସୁଥିଲା ଚତୁର୍ଦ୍ଦିଗରୁ... । ନେତାଙ୍କୁ ରକ୍ଷା କରିବା ଲାଗି ସେତେବେଳକୁ ପୋଲିସ ଘେରି ଯାଇଥାଆନ୍ତି ତାଙ୍କୁ । ବିପ୍ଳବ ଦେଖିଲା ସେଇ ଘର ଭିତରେ ବନ୍ଦୀ ହୋଇଯାଇଛି ଭାରତବର୍ଷ । ଭିଡ଼ ଠେଲି ତାଙ୍କ ପାଖକୁ ଆସି କହିଲା ବିପ୍ଳବ, ୟାଙ୍କୁ ତୁମେ ଚିହ୍ନ ଆଈ ?

 

–ହଁ, ଉମାକୁ ତିଳ ତିଳ କରି ପ୍ରତି ମୁହୂର୍ତ୍ତରେ ହତ୍ୟା କରୁଥିବା ଏଇ ସେଇ ବିପ୍ଳବୀ ଆଗନ୍ତୁକ ।

 

–ଉମା ବି ଆସିଛନ୍ତି ପ୍ୟାରେଡ଼୍ ଦେଖିବା ପାଇଁ ?

 

–ହଁ, ତାର ନାମ ଉମା ନୁହେଁ... ଅତସୀ ।

 

ଆଉ କ୍ଷଣେମାତ୍ର ଅପେକ୍ଷା ନକରି ଏକମୁହାଁ ଚାଲିଲେ ଅତସୀ । ବିପ୍ଳବ ତାଙ୍କର ଗୋଟେ ହାତକୁ କାନ୍ଧ ଉପରେ ରଖି କହିଲେ–ତୁମେ ପିସ୍ତଲଟା ତାଙ୍କୁ ନଦେଇ ମତେ ଦେଇଥିଲେ ତାହା ପ୍ରୟୋଗ କରିବା ପାଇଁ ମୁଁ ତିଳେ ହେଲେ କୁଣ୍ଠାବୋଧ କରିନଥାନ୍ତି ଆଈ ! ଆଜି ଶଇତାନଟା ଖସି ଗଲା ହାତରୁ ।

☆☆☆

 

ନୂଆ ଲଗ୍ନ

 

କାନ୍ଦି କାନ୍ଦି ଆଖିର ପାଣି ଶୁଖିଗଲାଣି ସରସୀର । ଝିଅ ଜନମ କାନ୍ଦିବାପାଇଁ ବୋଲି ମନକୁ ଯେତେ ବୁଝେଇଲେ ବି ମନ ବୁଝିନି, ବାରମ୍ବାର ଯେପରି କିଏ ପ୍ରତିବାଦ କରି କହିଚି କାନ୍ଦିବାକୁ ଯଦି ହୁଏ ସମସ୍ତେ କାନ୍ଦିବେ, ସେ ଏକା କାନ୍ଦିବ କାହିଁକି ! ସେ କୌଣସି ପାପ କରିନି ଯେ ପ୍ରାୟଶ୍ଚିତ କରିବ । ପୃଥିବୀରେ କେତେଲୋକ କେତେ କଅଣ ପାଇବା ଲାଗି ଅଭିଳାଷ କରନ୍ତି, ସେ ବି ମନଲାଖି ପୁରୁଷର ହାତଧରି ଘର ସଂସାର କରିବାକୁ ଚାହିଁଥିଲା । ଆଉ ସେହି ମନର ମଣିଷଟି ଯଦି ମଧୁପର୍କ ହେଲା ତ ସେଥିରେ କାହାର କିଛି କ୍ଷତି ବୃଦ୍ଧି ତ ହୋଇନଥାନ୍ତା । ମଧୁପର୍କ ସହିତ ତାର ସମ୍ପର୍କ ଦିନକର କିମ୍ବା ମାସକର ନୁହେଁ, ବର୍ଷ ବର୍ଷର, ଯୁଗ ଯୁଗର । ହେତୁ ହେଲାଦିନୁ ସେ ମଧୁପର୍କକୁ ଭଲପାଏ, ତାହାରି କଥା ପଦେ ଶୁଣିବା ପାଇଁ ଉତ୍କଣ୍ଠାରେ ଅପେକ୍ଷା କରି ରହେ; ଆଉ ସୁଯୋଗ ପାଇଲେ ମଧୁପର୍କକୁ ଥିରି ଥିରି ସ୍ୱରରେ କହେ, ତୁମେ ମତେ ଭଲପାଅ କି ନା ଆଜି କହିଦିଅ... । ମଧୁପର୍କ ତାର କଥା ଶୁଣି, ତାର ବ୍ୟଗ୍ରତା ଦେଖି ହସି ପକାଏ, ଉତ୍ତର ଦିଏନି । ତାକୁ କହେ ଉତ୍ତର ଶୁଣିବା ପରେ ଯଦି ତୋର ଆଗ୍ରହ ଭାଙ୍ଗିଯାଏ, ତୁ ଆଉ ମୁହଁ ଉପରେ ଅବିରବୋଳି ଏପରି ମିଠା ସ୍ୱରରେ ଇମିତି ସୁନ୍ଦର ପଦେ କଥା ନ ପଚାରୁ ମୁଁ କଅଣ କରିବି ସରସୀ... । ସରସୀ ଅଭିମାନ କରି ଚାଲିଯାଏ, ମୁହଁ ଶୁଖାଇ ଦିନେ ଦୁଇ ଦିନ ରହିଯାଏ, କଥା ହୁଏନି ମଧୁପର୍କ ସହିତ । ମଧୁପର୍କ ହଠାତ୍ ତାକୁ ଏକା ପାଇଲେ ଭିଡ଼ି ନେଇ ତାର କାନ ପାଖରେ ଫିସ୍ ଫିସ୍ କରି କହେ କେତେ କଥା । କିନ୍ତୁ କିଛି ବୁଝିପାରେନି ସରସୀ । ତାକୁ ଲାଗେ ଯେପରି ଏତେ ବଡ଼ ଦୁନିଆର ଗୋଟିଏ ରଙ୍ଗ... କେବଳ ସବୁଜ… କେବଳ ସବୁଜ... ।

 

ସେହି ମଧୁପର୍କ ସହିତ ବାହାଘର ପ୍ରସ୍ତାବ ଭାଙ୍ଗିଗଲା ଦିନୁ ସେ ନୀରବରେ କେତେ କାନ୍ଦିଛି... ଆକାଶର ଖୋଲା ବୁକୁକୁ ଅନାଇ କେତେ ଦୀର୍ଘଶ୍ୱାସ ଛାଡ଼ିଛି... । କେବେ କେମିତି ତା’ ମୁହଁରୁ ଓଟାରି ହୋଇ ପଦେକଥା ଖସି ଆସିଛି–ଶେଷରେ ଏୟା କଲ ତମେ ? ମଧୁପର୍କ କିନ୍ତୁ ଉତ୍ତର ନଦେଇ କିଛି ନଶୁଣିବା ପରି ଖସି ଯାଇଛି ସେଠାରୁ । କଅଣ ବାମ ଉତ୍ତର ଦବ ମଧୁପର୍କ...-। ବାପା ବୋଉ ଆଦୌ ରାଜି ହେଲେନି ସରସୀକୁ ବୋହୂ କରି ଘରକୁ ନବା ପାଇଁ । ବୋଉକୁ ହୁଏତ ସେ ମଙ୍ଗେଇ ପାରିଥାନ୍ତା ଆଉ ଟିକେ ଚେଷ୍ଟା କଲେ, କିନ୍ତୁ ବାପା ତାଙ୍କ କଥାରେ ଅଟଳ ରହିଲେ ଶେଷ ପର୍ଯ୍ୟନ୍ତ । ମଧୁପର୍କ ପରି ପୁଅ ନୂଆ ଗାଡ଼ି ନନେଇ ଫେରିବ ଶ୍ୱଶୁର ଘରୁ-? ସେ ତାକୁ ଏତେ ଖର୍ଚ୍ଚ କରି ମିଚଟାରେ ଛଅବର୍ଷ କାଳ କଟକରେ ପଢ଼େଇ ଆଇ.ଏ.ଏସ୍. କରେଇଥିଲେ-। ସଦାବ୍ରତ କରିବା ପାଇଁ ପୁଅ ଜନ୍ମ କରିନାହାନ୍ତି ସେ... ତିନି ପୁଅଙ୍କ ପଛରେ ଯାହା ଖର୍ଚ୍ଚ କରିଛନ୍ତି ସୁଧମୂଳ ତିନି ଗୁଣ ଯଦି ଆଦାୟ ନ କରନ୍ତି ପିତା ହବା ଅପେକ୍ଷା ମାଇଚିଆ ହବା ଭଲ । ମଧୁପର୍କ ବାପାଙ୍କୁ ଆଉ କିଛି ଭରସି କରି କହି ନପାରି ଶେଷରେ ସରସୀକୁ କହିଥିଲା ଯେ ସେ ତା’ ବାପାଙ୍କ ସହିତ ଏକମତ ନ ହେଲେ ମଧ୍ୟ ତାଙ୍କୁ ଅମାନ୍ୟ କରିବା ତା’ ପକ୍ଷରେ ସମ୍ଭବ ହେଉ ନଥିବାରୁ ସେ ଦୁଃଖିତ । ମଧୁପର୍କର କଥା ଶୁଣି ସେ ଦିନ ହସିଥିଲା ସରସୀ । ତା’ର ହସରେ ମଧୁରତା ଜାଗାରେ ଥିଲା କରୁଣତା ।

 

ସେଇଦିନୁ ସମସ୍ତଙ୍କ ଅଲକ୍ଷ୍ୟରେ କାନ୍ଦୁଛି ସରସୀ । ଆଜି ସକାଳଠାରୁ ବାଧା ନ ମାନି ଲୁହ ବୋହି ବୋହି ଆଖିପତା ଶୁଖିଗଲାଣି । ନଦୀର ଧାର ଶୁଖିଗଲେ ଯେମିତି ବିକଳ ଦିଶେ ନଦୀର ଶଯ୍ୟା ସେମିତି ଦିଶୁଛି ତାର ମୁହଁ । ନିସ୍ତେଜ, ନିର୍ବଳ, ନୀରସ । ସରସୀର ମୁହଁରେ ବାରମ୍ବାର ପାଉଡ଼ର୍ ବୋଳି ଦେଇ ଭାଉଜ କହୁଛନ୍ତି ଯେ ଇମିତି ମୁହଁ ଶୁଖେଇ ବସିଲେ ବାହାଘର ମଉଜ ଫିକା ପଡ଼ିଯିବ । ଟିକେ ହସ, ମନକୁ ଟିକେ ସରସ କର । ବାପଘର ସୁଖ ଆଜି ସରିଯିବ ସତ, କିନ୍ତୁ ସ୍ୱାମୀ ପାଖରେ ରହିବାର ସୁଖ ଭିନ୍ନପ୍ରକାର, ତାର ଆକର୍ଷଣ କିଛି କମ୍ ନୁହେଁ ।

 

ସରସୀକୁ କେତେଥର ସଜାଇ ଦେଲେଣି ସାଙ୍ଗମାନେ, ବର ଆସି ନାହିଁ ବୋଲି ବେଦି କାମ ଆରମ୍ଭ ହୋଇନି ।

 

ଘର ଭର୍ତ୍ତି ଲୋକ ଚାରିଆଡ଼େ କୋଳାହଳ, ଧାଁ ଧପଡ଼ । କାହାକୁ ଫୁରୁସତ ନାହିଁ ତା’ ପାଖରେ ଦଣ୍ଡେ ବସି ତାର ମନକଥା ବୁଝିବା ପାଇଁ, ଶୁଖିଯାଇଥିବା ଆଖିପତାରୁ ଧୋଇ ହୋଇ ଯାଇଥିବା କଜ୍ୱଳରେଖାକୁ ଆଉ ଥରେ ସତେଜ କରି ଦବା ପାଇଁ । ସାଙ୍ଗମାନେ ଦଳ ଦଳ ହୋଇ ସ୍ଥାନ ବଦଳ କରୁଛନ୍ତି । ଦଳେ ଗଲେ ସେମାନଙ୍କ ସ୍ଥାନ ଦଖଲ କରୁଛନ୍ତି ଆଉ ଦଳେ । ସରସୀ ନିରୋଳାରେ ଟିକେ ଏକା ବସିବା ଲାଗି କେତେ ବ୍ୟାକୁଳ ହେଲେ ବି ସେହି ସୁଯୋଗ ତାକୁ ମିଳୁନି, ମିଳିବାର ଆଶା ବି ନାହିଁ । ମଙ୍ଗୁଳା କନ୍ୟା କୁଆଡ଼େ ଏକା ବସିବାର ନିୟମ ନାହିଁ ।

 

ଦେହ ମଙ୍ଗୁଳା ସମୟରେ ତା’ କାଖତଳେ ଟିପମାରି ଭାଉଜ ଗେହ୍ଲେଇ ହୋଇ କହିଥିଲେ କେତେ କଥା । ସେଇକଥା ଶୁଣି ଅନ୍ୟ ସମୟ ହୋଇଥିଲେ ସେ ହୁଏତ ଉଲ୍ଲସିତ ହୋଇଥାଆନ୍ତା, କିନ୍ତୁ ଉଲ୍ଲସିତ ନ ହୋଇ ବରଂ ଅବସାଦରେ ଝାଉଁଳି ପଡ଼ିଥିଲା ।

 

ଏଇ ମନ ପରି ଦେହଟା ବି ନିରୁତ୍ତର ନିର୍ବାକ ହୋଇପଡ଼ିଛି, ଯେମିତି ପଡ଼ି ରହେ ଗଛରୁ କଟା ହୋଇଥିବା ଶାଖାଟିଏ । ଯାହା ସହିତ ତାର ଭାଗ୍ୟ ଆଜି ଯୋଡ଼ି ହୋଇଯିବ, ତାକୁ ଆଦୌ ଦେଖିନି ସରସୀ । ବାପା ଭାଇ ଦେଖିଛନ୍ତି, ସେମାନେ ପସନ୍ଦ କରିଛନ୍ତି ଯେତେବେଳେ ତାର ପସନ୍ଦ ଅପସନ୍ଦର ମୂଲ୍ୟ ନାହିଁ ମଧୁପର୍କକୁ ଦେଖିଥିଲା ସେ, ତାକୁ ପସନ୍ଦ କରିଥିଲା; କିନ୍ତୁ ତା’ ସହିତ ସମ୍ପର୍କ ହେଲାନାହିଁ । ତାକୁ ବାଦ୍ ଦେଇ ଆଉ କାହାକୁ ଦେଖିବା ନଦେଖିବା ସବୁ ସମାନ । କଣ୍ଢେଇ ବାହାଘର ତ ସେ କେତେଥର ନିଜ ହାତରେ କରିଛି ପିଲାଦିନେ । ସେମିତି ଆଜି ସେ ବି କଣ୍ଢେଇ ସାଜି ବେଦୀରେ ବସିବା ଲାଗି ଅପେକ୍ଷା କରି ରହିଛି । ତାକୁ ଯେମିତି କହିବ ସେମିତି କରିବ ସେ । କଣ୍ଢେଇ ନାଚରେ ସୂତ୍ରଧର କଣ୍ଢେଇକୁ ଯେମିତି ନଚାଏ କଣ୍ଢେଇ ସେମିତି ନାଚେ । ନିଜର ସବୁ ଆଶା ଓ ଅଭିଳାଷ, ମନର ସବୁ ସରାଗ ଓ ଅନୁରାଗ ବିସର୍ଜନ ଦେଇ ସେ ନିର୍ଲିପ୍ତ ପରି ବସି ରହିଛି, ତାକୁ ଯେମିତି କରିବାକୁ କୁହାଯିବ ସେମିତି କରିବ ସେ ସେମାନେ ତା ହାତକୁ ଯୋଡ଼ି ଦେବେ... । ମନଟା ଯୋଡ଼ି ହେଲା କି ନାହିଁ ସେ ଖବର କେହି ରଖନ୍ତି ନାହିଁ ।

 

ସୋମନାଥକୁ ଆଦୌ ଦେଖିନି ସରସୀ । ସେ କୁଆଡ଼େ ତାକୁ ଦେଖିଛି । କେଉଁଠି ସେ ତାକୁ ଦେଖିଛି ତାହା ଜାଣେନି ସରସୀ । କଲେଜରେ କିମ୍ବା ବାଲିଯାତ୍ରାରେ ହୁଏତ ଦେଖିଥିବ ସେ ସେଥିପାଇଁ ଆଉ ଥରେ ଦେଖିବା ପାଇଁ ଆସି ନଥିଲା ସେ । ତାର ବାପା, ବୋଉ, ଭାଉଜ, ଖୁଡ଼ି, ମାମୁଁ ଓ ମାଉସି ଆସିଥିଲେ । ସେ କିପରି ଚାଲେ । କିପରି କଥା କୁହେ, ତାର ଦାନ୍ତ କିପରି, କେଶ କେତେ ଲମ୍ବା, ଅଣ୍ଟାରେ ଓ କାଖତଳେ କୁତୁକୁତୁ ଅଛି କି ନାହିଁ, ରନ୍ଧା ବଢ଼ା ସେବା ଶୁଶ୍ରୂଷାରେ ଅଭିଜ୍ଞତା କେତେଦୂର, ବୁଣାବୁଣି, ଗାଇବା ଓ ହାତ କାମରେ ନିପୁଣତା, ଶାଶୁ ଶ୍ୱଶୁର ଯା ନଣନ୍ଦଙ୍କୁ ଭଲ ପାଇବାପାଇଁ ତା ମନର ଗଭୀରତା ସବୁ କଳନା କରିଗଲେ । ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା । ବାହାଘର ଠିକ୍ ହୋଇଗଲା ।

 

ଆଜି ରାତି ଦୁଇଟାରେ ବାହାଘର ।

 

ବର ଏଯାଏ ଆସିନି ।

 

ଘନ ଘନ ଲୋକ ଦୌଡ଼ୁଛନ୍ତି ଗାଁ ମୁଣ୍ଡକୁ, ସଡ଼କ ଧାରକୁ । ବାଣ ଫୁଟିବାର ଶବ୍ଦ ଶୁଣାଯାଉନି । ଆଲୁଅ ମାଳ ଦେଖା ଯାଉନି, ବାରିକ ଫେରି ଆସିନି ।

 

ରାତି ଗୋଟାଏ ହେଲାଣି । ବନ୍ଧୁ ବାନ୍ଧବ ସବୁ ଖାଇପିଇ କେତେବେଳୁ ଅପେକ୍ଷା କରୁଛନ୍ତି । କେହି କେହି ଶୋଇ ଗଲେଣି, ବର ଆସିଲେ ବାଜା ବାଜିଲେ ଉଠିବେ ।

 

ସରସୀର ଆଖିକୁ ନିଦ ନାହିଁ ।

 

ଗୋଟେ, ଦୁଇଟା, ତିନିଟା ବାଜିଲା ।

 

ଉଦବେଗ ଓ ଆଶଙ୍କାରେ ମୁହଁ କଳା ପଡ଼ିଗଲା ବାପାଙ୍କର । କଅଣ ହେଲା, କୋଉଠି ଅଟକି ଗଲା ଗାଡ଼ି, ଯନ୍ତ୍ର ଖରାପ ହେଲା, କେଉଁଠି କଣ ତ୍ରୁଟି ହେଲା ? କେତେ ପ୍ରଶ୍ନ ଉଠୁଚି ମନରେ, ସମାଧାନ ହେଉନାହିଁ । ପ୍ରତ୍ୟେକ କେବଳ ପ୍ରଶ୍ନ ପଚାରି ଚାଲିଚନ୍ତି । ଉତ୍ତର ମିଳୁନାହିଁ ।

 

ବାପା ବୋଉକୁ କେତେଥର କହିଗଲେଣି ଯେ ସେ ଦବା ନବା ବିଷୟରେ ଆଗରୁ ସବୁ ସମାଧାନ ହୋଇଯାଇଛି । ବାକି ନାହିଁ କିଛି କରିବାକୁ ପଚିଶ ହଜାର ଟଙ୍କା ସେ ନିଜ ହାତରେ ସମୁଦୀଙ୍କୁ ଦେଇ ଆସିଛନ୍ତି । କନ୍ୟା ସହିତ ଆଉ ସବୁ ସାମଗ୍ରୀ ଯିବା କଥା । ଅଳଙ୍କାର ଯାହା କହିଥିଲେ ତା’ଠାରୁ ତିନିଭରି ଅଧିକ ଗଢ଼େଇଛନ୍ତି ସେ । ଯେଉଁ ସବୁ ଜିନିଷ ମୂଳ ତାଲିକାରେ ଥିଲା ସବୁ ଆଣିଛନ୍ତି ସେ । ଜୁହାରୀ ଲୁଗା ତ ସେ ନିଜେ କିଣିଛନ୍ତି ।

 

କାହିଁକି ତା’ହେଲେ ଅଟକିଛନ୍ତି ? ଲଗ୍ନ ଗଡ଼ିଗଲାଣି... । ମଙ୍ଗୁଳା ଝିଅ ଅପେକ୍ଷା କରି ବସିଛି ।

 

ପାହାନ୍ତାର ଶୀତଳ ପବନ ଶୁଆଇ ଦେଇଛି ଅନେକଙ୍କୁ ।

 

ସରସୀର ଆଖିପତା ମୁଜି ହୋଇଯାଉଥିଲା ବେଳେ ହଠାତ୍ ବାପାଙ୍କ କଥା ଶୁଣି ପାରିଲା ସେ... ଉଠ… ଉଠ ବର ଆସୁଛି ।

 

ବର ଆସୁଛି... ।

 

ବାଣ ଫୁଟିବାର ଶବ୍ଦ ଶୁଭୁଛି ।

 

ବାଜା ବାଜିବାର ଶବ୍ଦ ଭାସି ଆସୁଛି ।

 

ପୁଣି ଗହଳ ଚହଳ ଲାଗିଗଲା । ଧାଁ ଧପଡ଼ ବୃଦ୍ଧିପାଇଲା । ବର ବିଳମ୍ବରେ ଆସୁଥିବାର କାରଣ ପଚାରିବା ପାଇଁ ଭୁଲିଗଲେ ସମସ୍ତେ ।

 

ହଠାତ୍ କେହି ଜଣେ ଆସି ଖବର ଦେଲା ଯେ ବରଯାତ୍ରୀ ଅଟକି ରହିଛନ୍ତି ଗାଁ ମୁଣ୍ଡରେ... ଏଠାରୁ ଖବର ଗଲେ ଆସିବେ... ।

 

ସରସୀର ବାପା ବ୍ୟସ୍ତ ହୋଇ କହିଲେ–ସମସ୍ତେ ଏଇଠି ବସିଛ କାହିଁକି... ବର ଅଟକି ରହିଛି ଗାଁ ମୁଣ୍ଡରେ... ଏଠାରୁ ଖବର ଗଲେ ଆସିବେ... ।

 

ମଧ୍ୟସ୍ଥ ପହଞ୍ଚିଯାଇ କହିଲେ, ହଁ ସେମାନେ ସମସ୍ତେ ଯିବେ ଯେ, କିନ୍ତୁ ଆଉ ଟିକେ କଥା ଅଛି... ମୁଁ ଭାବିଥିଲି ସବୁକଥା ସମାଧାନ ହୋଇଯାଇଛି ଦୁଇ ସମୁଦୀଙ୍କ ମଧ୍ୟରେ, କିନ୍ତୁ ଅସଲ କଥା ତୁଟି ନାହିଁ ବୋଲି ମୁଁ ଯଦି ଆଗରୁ ଜାଣିଥାଆନ୍ତି... ।

 

ସରସୀର କାନକୁ ସବୁ ଶୁଭୁଥାଏ ।

 

ବାପା ବ୍ୟସ୍ତ ହୋଇ କହିଲେ–ଗୌରିଚନ୍ଦ୍ରିକା ନ କରି କଅଣ ବାକି ରହିଛି... କୋଉ କଥା ତୁଟିନି ?

 

ମଧ୍ୟସ୍ଥ କହିଲେ, ବୁଲେଟ ଦବାପାଇଁ ଖବର ପଠେଇଥିଲେ ବରପକ୍ଷ । ଉପଯୁକ୍ତ ପିଲା ନୂଆ ହୋଇ ମୁନଫସ୍ ଚାକିରି ପାଇଛି । ହାଇକୋର୍ଟ ଜଜ୍ ହେବା ପାଇଁ ରାସ୍ତା ସଫା । ବୁଲେଟରୁ ଆରମ୍ଭ ହେଉ... ପରେ ସେ ନିଜ ପଇସାରେ ଗାଡ଼ି କିଣିବେନି... ।

 

ହଠାତ୍ ଯେପରି ଶହ ଶହ ବୁଲେଟ ବନ୍ଧୁକ ନଳୀରୁ ବାହାରି ବିଦ୍ଧକଲା ଲକ୍ଷ୍ୟସ୍ଥଳୀ... ।

 

ଚମକି ପଡ଼ିଲେ ସରସୀର ପିତା ।

 

ଦମ୍ଭ ଧର... ଦମ୍ଭ ଧର… ଏ ସମୟରେ ସାହାସ ଏ ଧର୍ଯ୍ୟ ହରାଇଲେ ସର୍ବନାଶ ହୋଇଯିବ... ।

 

ଗାଆଁର ଦଳେ ଟୋକା ପ୍ରତିବାଦ କରି ଚାଲିଗଲେ ଗାଁ ମୁଣ୍ଡକୁ ।

 

ବୁଲେଟଟିଏ ଦବାପାଇଁ ଆଗରୁ କେହି ତାଙ୍କୁ ପରସ୍କାର ଭାବରେ କହି ନ ଥିଲେ; ନ ହେଲେ ସେ ମତାମତ ଜଣାଇ ଥାଆନ୍ତେ । ଘର ପୋଚି ସବୁ ଖର୍ଚ୍ଚ କରିଦେଇଛନ୍ତି ଏଇ ମୂହୂର୍ତ୍ତରେ ତାଙ୍କ ମୁହଂ ଦେଖି କେହି ପନ୍ଦର ହଜାର ଟଙ୍କା ଟେକିଦେବେନି ତାଙ୍କ ହାତକୁ ଯେ ସେ ବୁଲେଟଟିଏ ଦେଇ ପାରିବେ ଜ୍ୱାଇଁକୁ । ତଣ୍ଟି ଶୁଖିଗଲା ତାଙ୍କର ସେ ଖଟ ଉପରେ ବସିପଡ଼ିଲେ ଅବସାଦରେ । ମୁଣ୍ଡ ଘୂରିଗଲା।

 

ସରସୀ ଉଠି ଯାଇ ବାପାଙ୍କ ପାଖରେ ବସି ଆଉଁଶି ଦେଲା ଦେହମୁଣ୍ଡ । ତାହାରିପାଇଁ ବାପାଙ୍କର ଏତେ କଷ୍ଟ, ଏତେ ଯନ୍ତ୍ରଣା ! ଯୁଗ ଯୁଗ ଧରି ଏହିପରି ପିତାଙ୍କର ଛତ୍ରଛାୟା ତଳେ ଜନ୍ମିବା ପାଇଁ ମନହୁଏ ସରସୀର । କିନ୍ତୁ ଆହୁରି ବି ଆଶଙ୍କା ହୁଏ ଯେ ହୁଏତ ତାହାରି ପାଇଁ ଶେଷରେ ଏହି ପରିବାରର ସୁଖ ଧୂଳିସାତ୍ ହୋଇଯିବ ।

 

ଆଉ ଜଣେ କହିଲା–ଭାବିବା ପାଇଁ ବେଳ ଆଉନାହିଁ, ରାତି ସରିଆସୁଛି ବର ଅଟକି ରହିଛି ଅଧା ବାଟରେ... ରାଜି ହୋଇଯାଅ... ମଧ୍ୟସ୍ଥିଙ୍କୁ କହିଦିଅ ଶେଷ କଥା ।

 

ତୁଣ୍ଡ ଅଠା ଅଠା ହୋଇଯାଉଛି । କଥା ଅଟକି ଯାଉଛି ତଣ୍ଟିରେ ।

 

ସରସୀ ମଥା ରଖିଲା ବାପାଙ୍କ ଛାତି ଉପରେ । ଏ ବାହାଘର ପାଇଁ ରାଜି ହୋଇନଥିଲେ ହୋଇଥାଆନ୍ତା । ନିଜର ସୁଖ, ପରିବାରର ମର୍ଯ୍ୟାଦା ପାଇଁ ବାହା ହୁଏ ଜଣେ । କିନ୍ତୁ ପରିବାରର ସର୍ବନାଶ କରି କେହି ସୁଖୀ ହୋଇନି କି ହେବାର ସମ୍ଭାବନା ମଧ୍ୟ ନାହିଁ ।

 

ଆଉ ଏଇ ସୋମନାଥ ବା କେମିତି ମଣିଷ, ବିଦ୍ୟାବୁଦ୍ଧି ବିବେକ ସବୁ ତାର ଅଛି ବୋଲି ଶୁଣିଥିଲା ସରସୀ । କିନ୍ତୁ ତାହା ସତ୍ତ୍ୱେ ସେ କିପରି ବାଧା ଦେଲାନି ତାର ବାପାଙ୍କୁ । ସେ କାହିଁକି ଏପରି ସର୍ତ୍ତ ନ ରଖିବାପାଇଁ ବାରଣ କଲାନି ବାପାଙ୍କୁ ।

 

ଏମିତି ହୁଏ । ଆଜିକାଲିର ଅବକ୍ଷୟ ତ ଖାଲି ମଣିଷ ଆଚାର ବିଚାରକୁ କ୍ଷୁର୍ଣ୍ଣ କରିନି ଏହା ତାର ନୀତି ଓ ଆଦେଶ; ଆଭିମୁଖ୍ୟ ଏବଂ ଆସ୍ପୃହାକୁ ମଧ୍ୟ ଅସ୍ପଷ୍ଟ ଏବଂ କଳଙ୍କିତ କରିଛି ।

 

ମଧୁପର୍କ ବି ଶେଷରେ ବଦଳିଗଲା । ସୋମନାତ ଓ ମଧୁପର୍କ ଭିତରେ ପାର୍ଥକ୍ୟ ଖୋଜି ପାଇଲା ନାହିଁ ସରସୀ । ଜଣକ ଆଗରେ ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯିବା ପାଇଁ ଲାଲକାର୍ପେଟ ପଡ଼ିଛି ତ ଅନ୍ୟ ଜଣକ ଆଗରେ ସଚିବାଳୟର ଶୀର୍ଷବିନ୍ଦୁରେ ପହଞ୍ଚିବାର ରାଜପଥ ଖାଲି ପଡ଼ିଛି ।

 

କିନ୍ତୁ ଯେତେ ଚେଷ୍ଟା କଲେ ମଧୁପର୍କ ମମନରୁ ପୋଛି ହୋଇଯାଏ ନାହିଁ । ସେ ଅଚଳାୟତ ପରି ହୃଦୟର ସବୁତକ ଜାଗା ମାଡ଼ି ବସିଛି । ସେଇ ଜାଗାରୁ ତାଙ୍କୁ ବେଦଖଲ କରି ସୋମନାଥପାଇଁ ଟିକେ ସ୍ଥାନ କରିଦବା ଲାଗି କେତେ ପ୍ରୟାସ କରିଛି ସରସୀ କିନ୍ତୁ ପାରି ନାହିଁ-। ମଧୁପର୍କ ଯେପରି ଏକା ସେଇ ଦୁର୍ଗର ଦୁର୍ଗପତି ।

 

ମଧ୍ୟସ୍ଥି ଉଠି ଠିଆ ହେଲେ ।

 

ସରସୀର ଛାତିତଳର ସ୍ପନ୍ଦନ ଦୃଢ଼ତର ହେଲା । ବୋଉ କହିଲେ, କଳାଚକ ଖଣ୍ଡକ ବିକିଦେଇ କାମ ଉଠେଇ ନିଅ । ମଙ୍ଗୁଳା ଝିଅ ଘରେ ବସିଛି... । ବାପା କହିଲେ, ହଉ ସେଇ କଥା ହେବ ।

 

ମଧ୍ୟସ୍ଥି କହିଲେ ସବୁ ବ୍ୟବସ୍ଥା ଶେଷ କରିବା ପାଇଁ । କହିବା ମାତ୍ରେ ବୁଲେଟ ଖଣ୍ଡେ ତ ମିଳିବ ନାହିଁ ବଜାରରୁ । କିନ୍ତୁ ଟଙ୍କା ଯୋଗାଡ଼ କରିହେବ । କଳାଚକ ଉପରେ ସାଆନ୍ତଙ୍କ ବହୁ ଦିନରୁ ଶ୍ୱେନ ଦୃଷ୍ଟି ପଡ଼ିଲା, କିନ୍ତୁ ସଫଳ ହୋଇନଥିଲେ ସେ । ଆଜି ଅପ୍ରତ୍ୟାଶିତ ଭାବରେ କଳାଚକ ତାଙ୍କ ହାତକୁ ଚାଲିଯାଉଛି । କୋଡ଼ିଏ ହଜାର ଜାଗାରେ ସେ ହୁଏତ ପନ୍ଦର ହଜାରରୁ ବେଶୀ ଦେବେ ନାହିଁ । ଯାଚିଲା ତିଅଣର ସୁଆଦ କମ୍ ।

 

ଦୀର୍ଘନିଃଶ୍ୱାସ ଛାଡ଼ିଲେ ସରସୀର ବାପା ବୋଉ ।

 

ମଧ୍ୟସ୍ଥ ଚାଲିଗଲେ ।

 

ସାହାନାଇ ସ୍ୱାଗତିକା ରାଗ ଗାଇବାକୁ ଆରମ୍ଭ କଲା ପୁଣି ।

 

ଶିଥିଳ ପଡ଼ିଯାଇଥିବା ଉତ୍ସାହ ଉଦ୍ଧୀପନା ପୁଣି ସଜାଗ ହୋଇଉଠିଲା । ବାହାଘରର ହଇହଲ୍ଲା ବଢ଼ିଲା ପୁଣି ।

 

ସରସୀର ମୁହଁ ଉପରେ ଠୁଳ ହୋଇଥିବା ଅବସାଦକୁ ଦୂର କରିବା ପାଇଁ ଆଉ ଥରେ ପାଉଡର ବୋଳିଦେଲେ ଭାଉଜ, ଅଲରା ବାଳ ଗୁଡ଼ାକୁ ପୁଣି ଥରେ ସଜାଡ଼ି ଦେଲେ, ଶେତା ହୋଇଯାଇଥିବା ଓଠର ଉପରେ ରଙ୍ଗର ପ୍ରଲେପ ଦେଲେ ଆଉ ଥରେ, ନିଭି ଆସୁଥିବା ଚନ୍ଦନ ବିନ୍ଦୁ ଗୁଡ଼ିକୁ ଆଉ ଥରେ ଉଜ୍ଜ୍ୱଳ କରିଦେଲେ ।

 

କିନ୍ତୁ ସରସୀରମନ ଉଲ୍ଲସିତ ହେଲାନାହିଁ । କୋଇଲିର କୁହୁତାନ ସେଠାରେ ଶୁଣାଗଲା ନାହିଁ । ଲଗ୍ନ ଗଡ଼ିଗଲାଣି, କିନ୍ତୁ ସେଥିରେ ଯାଏ ଆସେ ନାହିଁ । ଅମୃତ ଲଗ୍ନ ରହିଛି । ପାଣିଗ୍ରହଣ ପାଇଁ ସଂକଳ୍ପ ହୋଇସାରିଛି ।

 

ସରସୀ କେବଳ ଭାବୁଛି ମଧୁପର୍କ, ସୋମନାଥ ଏବଂ ସେହିପରି ଯୁବକମାନଙ୍କ; କଥା ଯେଉଁମାନେ ନିଜର ଗୌରବରେ ପ୍ରତିଷ୍ଠିତ ନ ହୋଇ ଉଧାରକରା ସମ୍ପଦ ନେଇ ପ୍ରତିଷ୍ଠିତ ହେବାକୁ ଚାହାଁନ୍ତି । କିନ୍ତୁ ଏମାନଙ୍କ କବଳରୁ ତ୍ରାହୀ ପାଇବାର କଅଣ କୌଣସ ବାଟ ନାହିଁ । ସରସୀର ମନ ହଠାତ୍ ବିପ୍ଳବ କରି ଉଠିଲା । ସୋମନାଥ ଫେରିଗଲେ କ୍ଷତି କଅଣ ? ବିବାହ ବାଞ୍ଛନୀୟ କିନ୍ତୁ ଅନିର୍ବାର୍ଯ୍ୟ ନୁହେଁ । ବିବାହ ନକରି ମଧ୍ୟ ଯୌବନକୁ ଆଉ କୌଣସି ମହତ କାର୍ଯ୍ୟରେ ନିବେଦିତ କରାଯାଇପାରେ । ଜଣକର ପାଦ ସେବା ନକରି ସେ ଯଦି ଅନେକଙ୍କର ସେବାରେ ସମର୍ପଣ କରେ ନିଜକୁ ?

 

ଏହାର ଉତ୍ତର ପାଇବା ପୂର୍ବରୁ ଭୟଙ୍କର ସମ୍ବାଦ ପହଞ୍ଚିଲା ଆସି ।

 

ଜଣେ କେହି ଖବର ଦେଲେ ଯେ ଗାଁର ଟୋକାମାନେ ଅଟକେଇ ଦେଇଛନ୍ତି ବରଯାତ୍ରୀଙ୍କୁ । ବୁଲେଟ ଦାବି ପ୍ରତ୍ୟାହାର ନ କଲେ ବରକୁ ଫେରିଯିବା ପାଇଁ କହୁଛନ୍ତି ସେମାନେ ।

 

ଆଉ ଏକ ବିପଦର ସମ୍ମୁଖୀନ ହୋଇ ସରସୀର ପିତା ମ୍ରିୟମାଣ ହୋଇଗଲେ ।

 

କନ୍ୟାପିତା ବୁଲେଟ ଦବା ପାଇଁ ରାଜି ହୋଇଗଲେଣି ବୋଲି ଯେତେ କହିଲେ ବି ଗାଆଁର ଟୋକାମାନେ ହଟିଲେ ନାହିଁ, ବର ଅଟକି ରହିଲା ଗାଁ ମୁଣ୍ଡରେ ।

 

ବରର ବାପା ଏବଂ ବରଯାତ୍ରୀମାନଙ୍କର ସବୁ ଚେଷ୍ଟା ବିଫଳ ହେଲା । ଦାବି ପ୍ରତ୍ୟାହାର କରିନବା ପାଇଁ ରାଜି ହେଲେନି ବରପକ୍ଷ ।

 

ଯୁବକମାନଙ୍କ ପକ୍ଷରୁ କେହି ଜଣେ କହିଲା ଯୌତୁକ ଦବା ଓ ନବା ଆଇନ ବିରୋଧୀ, ଅଦାଲତର ଆଶ୍ରୟ ନିଆଯାଇପାରେ ।

 

ଯାହାର ପୁଅ ମୁନସଫ୍ ସେ ଆଇନ ଅଦାଲତକୁ ଭୟ କରେନାହିଁ । ବୁଲେଟ ନ ଦେଲେ ବର ଫେରିଯିବ ବୋଲି ଜିଦ୍ କଲେ ସୋମନାଥର ବାପା ।

 

ସେୟା ହେଲା ।

 

ଗ୍ରାମ ବିକାଶ ପରିଷଦର ତରୁଣ ସଭ୍ୟମାନେ ଗାଁ ମୁଣ୍ଡରୁ ଫେରାଇ ଦେଲେ ବର ଓ ବରଯାତ୍ରୀମାନଙ୍କୁ ।

 

ଖବର ଶୁଣି ଚେତା ବୁଡ଼ିଗଲା ସରସୀ ବାପାଙ୍କର । ବାପାଙ୍କ ମୁହଁରେ ପାଣି ଛିଞ୍ଚି ପଙ୍ଖା କରିବାକୁ ଲାଗିଲା ସରସୀ ।

 

ହଠାତ୍ କାହାର ସ୍ୱର ଶୁଣି ଅନେଇଲେ ସରସୀର ପିତା ।

 

ମଧୁପର୍କ କହୁଥିଲା ତମେ ଟିକେ ଧର୍ଯ୍ୟ ଧର ମଉସା, ସବୁ ଠିକ୍ ହୋଇଯିବ... ।

 

ଗୁଣନିଧୀ କହିଲା–ବର ଆସିଛି, ବାହାଘର ପାଇଁ ଆୟୋଜନ କର କକେଇ । ଆଶଙ୍କାର କୌଣସି କାରଣ ନାହିଁ । ବରଂ ଆଇ.ଏ.ଏସ୍. ବର ପାଇ ଖୁସି ହେବ ସରସୀ ।

 

ସରସୀକୁ ସେଠାରୁ ନେଇ ଯିବାବେଳେ କହିଲେ ଭାଉଜ, ଆସ ଆସ, ମଧୁପର୍କ ଏଠାରେ ଅଛନ୍ତି, ତମେ ଭିତରକୁ ଚାଲ... ସେ ବର ଯେ... ।

 

ଚମକି ପଡ଼ିଲା ସରସୀ ।

 

ଅବାକ୍ ହୋଇଗଲେ ଅନ୍ୟମାନେ । ଗ୍ରାମ ବିକାଶ ପରିଷଦର ସଭାପତି ଜଗନ୍ନାଥ କହିଲା–ଅନ୍ୟକୁ କହିବା ଆଗରୁ ଆମେ ନିଜେ କରିବା ଉଚିତ ବୋଲି ବିଶ୍ୱାସ କରନ୍ତି ଯୁବକମାନେ-। ମଧୁପର୍କ ନିଜେ ରାଜି ହୋଇଛି । ସେ ଆମର ନେତା ।

 

ସେଇ ଚମକରେ ଏତେ ବେଶୀ ମଧୁରତା, ଏତେ ବେଶୀ ଶିହରଣ ଥିଲା ଯେ ସରସୀର ଓଠରେ ସହସ୍ର କଦମ୍ବର ଶୋଭା ଲୀଳା କରିବାକୁ ଲାଗିଲା ।

☆☆☆

 

ଛୋଟ ଲୋକ

 

ନୀତି, ନିୟମ, ଆଇନ ଓ ଶୃଙ୍ଖଳା ସବୁ ବଡ଼ଲୋକଙ୍କର ସ୍ୱାର୍ଥରକ୍ଷାପାଇଁ କରାଯାଇଛି ବୋଲି ମନେ କରେ କେଶରୀ । ନ ହେଲେ ଅତ୍ୟାଚାରିତ, ଉତ୍ପୀଡ଼ିତ ହୋଇ ଅବିଚାରର ଭାରବୋହି ନିଜର ପ୍ରାପ୍ୟ ବିନା, ଯନ୍ତ୍ରଣାରେ ସଢ଼ୁ ନଥାନ୍ତେ ତା’ପରି ଅଗଣିତ ଗରିବ ଛୋଟଲୋକ-

 

ଛୋଟଲୋକ ଭାବରେ ତା’ମୁଣ୍ଡ ଗଣତି ହବା ଦିନୁ କେଶରୀ ଆଉ ନିଜର ପୁରା ନାଁ, ବାପ ନାଁ, ଗୋତ୍ର ବା ଗାଁ ନାଁ ବ୍ୟବହାର କଲା ନାହିଁ । ସେଥିରେ କିଛି ଲାଭ ଅଛି ବୋଲି ଆଉ ତାର ପ୍ରତ୍ୟୟ ହେଲା ନାହିଁ । ଯେଉଁ ସାଙ୍ଗିଆର ମୂଲ୍ୟ ନାହିଁ, ଯେଉଁ ଠିକଣା ଜାଣିବାପାଇଁ କାହାରି ଆଗ୍ରହ ନାହିଁ ତାହା ନାମ ସହ ଯୋଡ଼ିବା ଲାଗି ତାର ମଧ୍ୟ ଆଉ ଇଚ୍ଛା ହେଲାନାହିଁ । ତେଣୁ ସାହିପଡ଼ିଶାଙ୍କ ପାଖରେ ଗୋକୁଳ ନାଏକର ପୁଅ କେଶରୀ ନାଏକ ଖାଲି କେଶରୀ ନାଏକ ହୋଇଗଲା । ଆଉ ଗାଁ ଛାଡ଼ି ପେଟପୋଷିବା ଲାଗି ସହରକୁ ଉଠି ଆସିବା ଦିନୁ ତାର ସଠିକ୍ ଠିକଣା ବି କିଛି ନ ଥିଲା । ମାର୍କେଟ ପାଖରେ ଷ୍ଟେଟ୍‍ବ୍ୟାଙ୍କର ଯୋଉ ନୂଆ ପାଞ୍ଚତାଲା କୋଠା ତିଆରି ହୋଇଥିଲା ତାର ଚାରିପାଖରେ ସମ୍ପତ୍ତିର ସୁରକ୍ଷାପାଇଁ ଦିଆଯାଇଥିବା ଉଚ୍ଚ ପାଚେରୀକୁ ଆଶ୍ରା କରି ବାଉଁଶ କେତେଖଣ୍ଡ ଉପରେ ଛିଣ୍ଡା ତିରପାଲ, ଚଟ ଲଦି ଯୋଉ ଝୁମ୍ପୁଡ଼ି କେତେଖଣ୍ଡରେ ନିରାଶ୍ରୟ ଶ୍ରମିକମାନେ ବସବାସ କରୁଥିଲେ, ସେଇଥିରୁ ଗୋଟିକରେ ରହୁଥିଲା କେଶରୀ । ଷ୍ଟେଟବ୍ୟାଙ୍କର ନୂଆ କୋଠାଘର ତିଆରି ହେବା ସମୟରେ ସେ ମୂଲ ମଜୁରୀ ଖଟି ନ ଥିଲେ ବି ନିର୍ମାଣ କାମସାରିବା ପରେ ଛଟେଇ ହୋଇ ଯେଉଁ କେତେଜଣ ଶ୍ରମିକ ସ୍ଥାନ ଛାଡ଼ି ଚାଲିଗଲେ, ସେମାନଙ୍କ ମଧ୍ୟରୁ ଜଣକଠାରୁ ପଚାଶଟଙ୍କା ଦେଇ ସେ କିଣି ନେଇଥିଲା ଗୋଟେ । ଲମ୍ବ ସାଢ଼େ ପାଞ୍ଚ ଫୁଟ, ଚଉଡ଼ା ଚାରି ଫୁଟ । ଏକା ମଣିଷ କେଶରୀ ଚଳିବାକୁ ଅସୁବିଧା ହେଉନଥିଲା । ଖିଆପିଆ ବାହାରେ ବାହାରେ । ଖାଲି ରାତିରେ ବା ଦିନବେଳେ ଥକ୍କା ଲାଗିଲେ ବିଶ୍ରାମ ନବାପାଇଁ ଆଶ୍ରା ଟିକେ ଲୋଡ଼ା ବୋଲି ଝୁମ୍ପୁଡ଼ିଟା ନିଜ ଅକ୍ତିଆରରେ ରଖିନେଇଥିଲା ସେ । କିନ୍ତୁ ଅନ୍ୟ ଝୁମ୍ପୁଡ଼ି ଗୁଡ଼ାକ ସପରିବାର ଚଳପ୍ରଚଳ ହେଉଥିଲା । ଚାରି ପାଞ୍ଚ ଫୁଟ ଉଚ୍ଚ, ନୁଆଁଣିଆ ଅପ୍ରଶସ୍ତ ଆଶ୍ରୟସ୍ଥଳ ମେହେନତି ମଣିଷର ହସକାନ୍ଦରେ ଉଛୁଳି ଉଠୁଥିଲା । କେଶରୀ ସେଥିରୁ କିନ୍ତୁ ଭାଗ ନବାପାଇଁ ଅବସର ନ ପାଇ ଗୋଠଛଡ଼ା ଗୋରୁ ପରି ଏଣେ ତେଣେ ବୁଲୁଥିଲା । ଗୋଟେ ଜାଗାରେ ବେଶୀ ସମୟ ବସିପାରୁନଥିଲା ।

 

କେଶରୀର ଚାକିରୀ ନାହିଁ କି ବେପାର ନାହିଁ । ଚାଷବାସ ନଥିଲା ବୋଲି ପେଟ ପୋଷିବା ପାଇଁ ଗାଆଁରୁ ପଳେଇ ଆସିଥିଲା ସହରକୁ । ଚାକିରି ଗୋଟେ ପାଇଁ ଚେଷ୍ଟା କରିଥିଲା, କିନ୍ତୁ ନିରାଶ ହୋଇଗଲା ଶେଷରେ । କେହି କେହି କହିଲେ–ହଁ କାମକୁ ପାରିବୁ ଯେ ହେଲେ ଅଜ୍ଞାତ ଅପରିଚିତ ଲୋକକୁ ଘରେ ସ୍ଥାନ ଦେଲେ ପରିଣାମ କେବେ ଭଲ ହୁଏନି । ଆଉ କେହି କେହି ରହିଲେ–ପାଠଶାଠ ବି ନାହିଁ ବେଶୀ... ତଥାପି ଚଳନ୍ତା ଯେ... କିନ୍ତୁ କଅଣ ହବ... ତୋତେ ପୋଷିବା ପାଇଁ ମାସକୁ ଦେଢ଼ଶହ ଟଙ୍କା ଦବ କିଏ ?

 

ସେଇଦିନୁ ଆଉ ଚାକିରୀପାଇଁ ଚେଷ୍ଟା କରିନି କେଶରୀ । କେତେ ଭୋକ ଓପାସରେ ବୁଲିଥିଲା, ପାଣି କଳରୁ ପାଣି ପିଇ ଶୋଇ ପଡ଼ିଥିଲା; କିନ୍ତୁ ପାଣି ପବନ ଖାଇ ମଣିଷ ଯେ ବଞ୍ଚି ପାରେ ନାହିଁ ସେହିଦିନ ସେ ଜାଣିଲା ଯୋଉଦିନ ତା’ ପେଟ ଭିତରେ କିଏ ଯେପରି ନିଆଁ ଜାଳିଦେଲା । ଆଉ ସେଇ ନିଆଁ ଧାରରେ ଖାଲି ହାଣ୍ଡି ପୋଡ଼ିବା ପରି ପୋଡ଼ି ହେଲା ସେ ତିଳ ତିଳ ହୋଇ । ସେଇ ଦିନ ରାତି ତା’ ଜୀବନର ସବୁ ଅହଙ୍କାର, ଅଭିମାନ ଭାଙ୍ଗିଦେଲା । ନିରୋଳାରେ ନିକାଞ୍ଚନରେ, ନିର୍ମାୟା ପୁରୁଷ ପରି ବସିଥିବା ବେଳେ ଦୁଇ ହାତରେ ଦୁଇଟା ଥଳି ଭର୍ତ୍ତି ମାଲ ନେଇ ବଜାରରୁ ଘରକୁ ଫେରୁଥିବା ବୁଢ଼ା ଲୋକଟିକୁ ଦେଖିଲା କ୍ଷଣି ତା’ ପେଟ ଭିତରର ନିଆଁଟା ଜୋରରେ ଜଳି ଉଠିଲା । ମନ ଭିତରେ ଛକିଥିବା ଜନ୍ତୁଟା କୁଦା ମାରି ଚିହିଁକିଗଲା; ଆଉ ଆଖିର ପଲକ ପଡ଼ିବାବେଳକୁ ଛୋ ମାରି ଭୁଆ ବିରାଡ଼ି ମାଛ ନେଇ ଅଦୃଶ୍ୟ ହୋଇଯିବାପରି କେଶରୀ ଅଦୃଶ୍ୟ ହେଇଗଲା ସେଇ ନିଛାଟିଆ, ନିର୍ଜନ ଜାଗାଟାରୁ । ଆଉ ତା’ ସହିତ ଦେଖା ହୋଇନଥିଲା କେଶରୀର । ଦେଖା ହୋଇଥିଲେ ବି ସେ ଚିହ୍ନି ପାରିନଥାନ୍ତା । ସେ ବୁଢ଼ା କଅଣ କେବେ ହେଲେ ଭାବିଥିବ ଯେ ପ୍ରତିଦିନ ପରି ବଜାର କରି ମାଲିକ ଘରକୁ ନିଃଶଙ୍କାରେ, ନିଦକରେ ଫେରିବା ବେଳେ କାଳ ପୁରୁଷଟାଏ ଥଳି ଦୁଇଟାକୁ ଝାମ୍ପିନେଇ ଲୁଚିଯିବ ରବୀନ୍ଦ୍ର ଭବନ ପଛର ଜମାଟବନ୍ଧା ଅନ୍ଧାର ଭିତରେ !

 

ସେଇଦିନୁ ଆଉ ପଛକୁ ଫେରି ଚାହିଁନି, ଅନୁଶୋଚନା କରିନି କେଶରୀ । ପ୍ରଥମେ ପ୍ରଥମେ ପାପ କରିବାର ଏକ ଅନାହତ ଆଶଙ୍କା ତାକୁ ତିଳ ତିଳ ବିଦାରି ପକାଇଥିଲା; କିନ୍ତୁ ସମ୍ଭାଳିଗଲା ସେ ଚୋରି ନକଲେ ସେ ଚଳିବ କେମିତି, ଖାଇବ କଅଣ ? ଏତେ ଦିନ ପେଟପୋଷିବା ଲାଗି ସତ ରାସ୍ତାଟିଏ ଖୋଜିଲା ସେ... ପାଇଲା ? ଭୋକରେ ବ୍ରହ୍ମ ଜଳୁଥିଲା ବେଳେ କେହି ତା ହାତକୁ ରୋଟି ବା ଭାତ ମୁଠେ ବଢ଼େଇ ଦେଇପାରିଲେ ? ବରଂ ସେ ଏଇ ବିଶ୍ୱ ବ୍ରହ୍ମାଣ୍ଡରେ ପ୍ରତିଦିନ ଗର୍ବରେ, ଗୌରବରେ ବଞ୍ଚିବାପାଇଁ ବାଟ ଖୋଜୁଥିଲା ବେଳେ ବିଲେଇ କାଳପୁରୁଷ ପରି ତା’ର ବାଟ କାଟିଲା କେତେଥର... କୌଣସି ଅଘଟଣ ଘଟିଯାଇପାରେ ଏଇ ଆଶଙ୍କାରେ ସେ ଆଗକୁ ନଯାଇ ପଛେଇଲା... । ସେହିଦିନୁ ଘଡ଼ିର ଘଣ୍ଟାକଣ୍ଟା ଆଗରେ ଥିଲେ ବି ସେ ପଛଉ ଥିଲା । ଦିନକୁ ଦିନ ପାଦ ଦୁଇଟା ତାର ପଙ୍କରେ ପୋତି ହୋଇପଡ଼ୁଥିଲା । ରାସ୍ତାରେ ଏତେ ଲୋକଙ୍କ ସହ ଦେଖାହେଲେ ବି କାହାରି ମୁହଁକୁ ସେ ସାହାସ କରି ଚାହିଁ ପାରୁନଥିଲା ବରଂ ବାଟ କାଟି ଆଡ଼େଇ ହୋଇଯାଉଥିଲା ମୁହାଁ ମୁହିଁ ହୋଇଯିବା ଭୟରେ । ମଣିଷକୁ ସିନା ସେ ଡରୁ ନଥିଲା, କିନ୍ତୁ ଧର୍ମକୁ ଡରୁଥିଲା... ସତ୍ୟକୁ ଡରୁଥିଲା ।.. ଏବେ ସେଇ ଡର ବି ତାର ଚାଲିଗଲାଣି ଛାତି ତଳୁ । ରିକ୍ସା ଚଢ଼ି ଏକା ଏକା ଗୃହିଣୀ ଖରାଦିନ ଦୁଇପହରର ନିର୍ଜନ ରାସ୍ତାରେ ଗଲାବେଳେ ବା ତା’ଠାରୁ କମ୍‍ ଶକ୍ତିଶାଳୀ ପୁରୁଷଟିଏ ଦିନକର ମଜୁରି ଧରି ମନ ଆନନ୍ଦରେ ଅନ୍ୟ ମନସ୍କ ହୋଇ ଗୀତ ଗାଇ ଗାଇ ଘରକୁ ବାହୁଡ଼ିବାବେଳେ ବା ମୋକଦ୍ଦମା ହାରିଯାଇ ଆତ୍ମମଗ୍ନ ଚିନ୍ତିତ ଲୋକଟି ବି.ଜେ.ବି. କଲେଜ କ୍ୟାମ୍ପସ୍ ପାର ହୋଇ ଅନ୍ଧାରୁଆ ଗଳିରେ ବସାକୁ ଫେରିବା ସମୟରେ ସେ ଚଢ଼ଉ କରେ ସେମାନଙ୍କ ଉପରେ । ସେମାନେ ଖାଲି ବଞ୍ଚିଲେ ଚଳିବ ନାହିଁ, ତାକୁ ମଧ୍ୟ ବଞ୍ଚିବାକୁ ହେବ ।

 

କେଶରୀ ସେଇଦିନୁ ଆଜିଯାଏ ଆଉ ଭୋକରେ ରହିନି, ଲୁଗା ଗେଞ୍ଜି ଚିରିଗଲେ ଲଜ୍ଜା ନିବାରଣ କରିବା ଲାଗି ଭିକ୍ଷା ମାଗିନାହିଁ କି ଦୁର୍ବଳ ଅସହାୟଙ୍କ ପାଇଁ ଖୋଲିଥିବା ଧର୍ମଶାଳାରେ ମାରୁଆଡ଼ି ଦଉଥିବା ସଦାବ୍ରତ ଖାଇବା ପାଇଁ ସେ ଧାଡ଼ି ବାନ୍ଧିନି । ନିଜର ବୁଦ୍ଧି ଓ ବାହୁବଳରେ ବଞ୍ଚିଛି ।

 

କେଶରୀ ବେଶୀ କିଛି ଚାହିଁ ନଥିଲା । ସେ କେବଳ ଚାହିଁଥିଲା ବଞ୍ଚିବା ପାଇଁ । ମୁଣ୍ଡ ଗୁଞ୍ଜିବା ଲାଗି ଗୋଟେ ନିରାପଦ ଆଶ୍ରୟ ଆଉ ପେଟ ପୋଷିବା ପାଇଁ କଂସାଏ ପଖାଳ । ସେତକ ମିଳିଲା ନାହିଁ ସତ୍ ଉପାୟରେ । ମଣିଷର ଭଲ ପଣିଆ ତାରି ଆଖି ଆଗରେ, ତାହାରି ଚେତନା ଓ ଅନୁଭବରେ, ତାହାରି ନିଜ ହାତରେ ଏବେ ଭାଙ୍ଗି ଯାଉଛି କାଚ ପରି । ଭଙ୍ଗା କାଚ ମାଡ଼ି ମଣିଷ ଯେପରି ଲହୁଲୁହାଣ ହୁଏ ସେ ବି ସେପରି ରକ୍ତାକ୍ତ ହୋଇଛି ନିଜର ମଣିଷତ୍ୱକୁ ଭାଙ୍ଗି ରୁଜି ଦେଇ ।

 

ମନକୁ ଅଧିକାର କରିବା ପାଇଁ ଚେଷ୍ଟା କରୁଥିବା ପଛକଥା ଗୁଡ଼ାକୁ ସେ ଠେଲି ଦିଏ ଜୋର୍ କରି, ବେଳେ ବେଳେ ମନେ ପଡ଼ିଯାଏନ ତା’ ହାତରେ ପ୍ରଥମ ଶିକାର ହୋଇଥିବା ସେଇ ବୁଢ଼ା ଲୋକଟିର ମୁହଁ, ମନେ ପଡ଼ିଯାଏ ହାତରୁ ସୁନା ଚୁଡ଼ି ଖୋଲି ନେଉଥିବା ବେଳେ ବିସ୍ମୟ ବିମୂଢ଼ା ସେଇ ମହିଳାର ନିଷ୍ପଲକ ଦୃଷ୍ଟି, ଆଉ ମନେପଡ଼େ କାଳୀ ମନ୍ଦୀରର ସେଇ ନିରୀହ, ନିଷ୍କପଟ, ନିରହଂକାରୀ ପୂଜାରୀ ଯାହାର ସିଦ୍ଧି ଯୋଗୁଁ କାଳୀ ମନ୍ଦୀରରେ କୌଣସି ଅଘଟଣ ଘଟିନଥିଲା ବୋଲି କହନ୍ତି ଲୋକମାନେ ଏବଂ ଯାହାକୁ ଅତି ସହଜରେ ସେଦିନ ମନ୍ଦିର ବେଢ଼ା ଭିତରେ କାବୁ କରି ଦିନଯାକର ପ୍ରଣାମି ଓ ଭୋଗ ସେ ଛଡ଼େଇ ନେଇଥିଲା, ଯେମିତି ନିରୀହ ପାରାଟିକୁ ଝାମ୍ପ ମାରି ଟାଣିନିଏ ବାଜପକ୍ଷୀ ।

 

ଏବେ ମଝିରେ ମଝିରେ ସ୍ୱପ୍ନ ଦେଖେ କେଶରୀ । ତା’ ଆଗରେ ଉଭାହୁଏ ସେଇ ବୁଢ଼ା, ତା’ର ଶୁଖିଲା ମୁହଁ, ଆଉ ଟାଆଁସିଆ ବାଳ । ବେଳେବେଳେ ତା’ର ଝାଳୁଆ ଦେହ ଉପରେ କାହାର ସ୍ନେହ ସ୍ନିଗ୍ଧ ହାତ ଯୋଡ଼ିଏ ପହଁରିଯାଏ । ଏବଂ ହଠାତ୍ କେତେବର୍ଷ ଆଗେ ହଇଜାରେ ମରି ଯାଇଥିବା ବଡ଼ ଭଉଣୀ ମୁହଁଟି ଭାସି ଉଠି ସ୍ଥାୟୀ ହବାବେଳକୁ ସେ ଅବାକ୍ ବିସ୍ମୟରେ ଦେଖେ ଯେ ସେ ତା’ର ବଡ଼ ଭଉଣୀ ନୁହେଁ, ସୁନା ଚୁଡ଼ି ଛଡ଼େଇ ନେଇଥିବା ସେଇ ମହିଳା ଜଣକ ଆଉ କଦବା କ୍ୱଚିତ ସ୍ୱପ୍ନରେ ଜିଭ ଲହ ଲହ କରି ତାହାରି ଆଡ଼କୁ ମାଡ଼ି ଆସନ୍ତି ଭୀମ ଭୟଙ୍କରା ନୃମୁଣ୍ଡମାଳିନୀ ପ୍ରତିଦନ ସେଇ ପୂଜାରୀ ହାତରେ ପୂଜା ପାଉଥିବା ମା’ ମହାକାଳୀ । ସ୍ଥିର ହୋଇ ରହିପାରେନି କେଶରୀ । ସ୍ୱପ୍ନରେ ଦୁର୍ବଳ ହୋଇ ଆସିଥିବା ମନଟା ଦୁମୁକା ପବନରେ କଦଳୀପତ୍ର ଥରିବା ପରି ଥରି ଉଠି ତାକୁ ଡରେଇ ଦିଏ । ସେ ପାପ କରୁଛି ବୋଲି ଯନ୍ତ୍ରଣାରେ ଛଟପଟ ହୁଏ । କିନ୍ତୁ ଆଗାମୀ କାଲି ସୁଦ୍ଧା ନ ଖାଇ ପିଇ ରାସ୍ତା କଡ଼ରେ ପଡ଼ିଥିବା ସେଇ ପଙ୍ଗୁଟାକୁ ଯଦି ସେ କୌଣସି ମତେ ଖାଇବା ପିଇବା ଓ ମୁଣ୍ଡ ଗୁଞ୍ଜିବାର ବ୍ୟବସ୍ଥା ନକରେ ସେ ଯେ ନିଶ୍ଚୟ ମରିଯିବ, ତାହା ତାର ମନେ ପଡ଼ିଯିବା କ୍ଷଣି ଯନ୍ତ୍ରଣା ଗୁଡ଼ାକୁ ଜାକିରଖି ସେ ଶୋଇପଡ଼େ, ସକାଳ ହେଲେ କଅଣ କରିବ ସେ ବିଷୟରେ ମୋଟାମୋଟି ଗୋଟେ ସଂକଳ୍ପ ନେଇ ।

 

ତା’ ବଡ଼ ଭଉଣୀର ନିଷ୍ପାପ, ନିର୍ମଳ ଆଖି ଯୋଡ଼ିକ ମନେ ପଡ଼ିଲେ, ତା’ର ଗେହ୍ଲେଇ ହବା ପରି କଅଁଳିଆ କଥା ସ୍ମରଣ ହେଲେ ସବୁ କାମ ଛାଡ଼ି ହଣ୍ଡେ ବସିଯାଏ କେଶରୀ । ଏଇ କେତେଦିନ ହବ କେତେଥର ମନେ ପଡ଼ିଲାଣି ବଡ଼ ଭଉଣୀ । ପିଲାବେଳ କଥା ହେଜ ହେଉଛି । ଦିନେ ସେ ସ୍କୁଲ ନ ଯାଇ ତାଳସଜ ଲୋଭରେ ପୋଖରୀହୁଡ଼ାକୁ ଚାଲିଯାଇଥିଲା ବେଳେ ତା’ ବାପା ହାବୁଡ଼ରେ ପଡ଼ି ମାଡ଼ ଖାଇ ଅଭିମାନରେ ଘରକୁ ଫେରି ନ ଥିଲା । ମୁହଁ ସଞ୍ଜବେଳେ ତାକୁ ଖୋଜି ଖୋଜି ତା’ ବଡ଼ ଭଉଣୀ ଆମ୍ବ ତୋଟାରେ ଭୂତ ଦେଖିବା ପରି ଭୟରେ କିର୍କିରେଇ ଉଠିବାବେଳକୁ ଆମ୍ବ ଗଛରୁ ଓହ୍ଲେଇ ତାକୁ କୁଣ୍ଢେଇ ପକେଇ ସାହାସ ଦେଇଥିଲା କେଶରୀ । ତା’ ମୁଣ୍ଡ, ଗାଲ, ଛାତିରେ ବୋକ ପରି ବୋକ ବୋଳି ଦେଇ ଇମିତି ଗେଲ କରିଥିଲା ଯେ ହାତରେ ଚାନ୍ଦ ପାଇଲେ ବି ଏତେ ଖୁସି କେହି ହେବ ନାହିଁ । ସେଇଦିନୁ ସେ ବଡ଼ ଭଉଣୀକୁ ଅମାନ୍ୟ କରିନି, ଅକ୍ଷରେ ଅକ୍ଷରେ ତା’ ଆଜ୍ଞା ପାଳନ କରିଛି । ଦିନେ ତା’ ମୁଣ୍ଡ ଆଉଁସି ଦେବାବେଳେ ସେ ତାକୁ କହିଥିବା କଥା ତକ ଏବେ ବି ପାସୋରି ନାହିଁ କେଶରୀ–‘‘ ଏଇ ଜଗତରେ ଖାଇ ପିଇ ମଣିଷ ସୁଖରେ ବଞ୍ଚେନି ରେ କେଶ... ଜଣକର ଆଉ ଜଣକ ପ୍ରତି ମାୟା ମମତା, ସ୍ନେହ ସରାଗ ବଞ୍ଚେଇ ରଖେ ମଣିଷକୁ । ନହେଲେ ଏତେ ଗଞ୍ଜଣା, ଏତେ ଦହଗଞ୍ଜ ସହି ମଣିଷ କୋଉ ଦିନୁ ମରି ସାରନ୍ତାଣି । ଆଉ ତୁ ଯେତେ ଦିନ ଯାଏଥିବୁ ଏ ସଂସାରରେ ମୋର ସ୍ନେହ ମୋର କଲ୍ୟାଣ ପାଉଥିବୁ ।”

 

ତାକୁ ପ୍ରାଣଠାରୁ ବଳି ଭଲପାଉଥିବା ବଡ଼ ଭଉଣୀ ହଇଜାରେ ମରିଗଲା । ବାପା ମା’ ବି ଚାଲିଗଲେ । ମୂଲିଆ ମୁଣ୍ଡ । ଜମିଜମା ନଥିଲା ସେପରି । କଳା ଡିହ ଖଣ୍ଡକ ବାପା ମାଆର କ୍ରିୟା କାର୍ଯ୍ୟ କରିବା ପାଇଁ ବନ୍ଧକ ଦେଇ ମହାଜନଠାରୁ ଯେଉଁ ଟଙ୍କା ଆଣିଥିଲା, ତାହା ଆଉ ଶୁଝି ନପାରି, ଗାଁରେ ପେଟ ପୋଷିବାର ଉପାୟ ନପାଇ ସହରକୁ ଉଠି ଆସିଥିଲା ସେ । ଆଉ ଫେରି ନାହିଁ ରହିଯାଇଛି ମୁହଁ ମାଡ଼ି । ସେଇ ସ୍ତ୍ରୀ ଲୋକ ଜଣକ ତା’ ନିଜ ଭଉଣୀ ପରି ଦିଶୁଥିଲେ । ଠିକ୍ ସେହିପରି ସରଳ ମୁହଁ, ନିର୍ମଳ ଆଖି, ନିଷ୍କପଟ ନିରହଂକାରୀ ଦୃଷ୍ଟି । ତାଙ୍କରି ହାତରୁ ସୁନାଚୁଡ଼ି ଦୁଇପଟ ଉତାରି ନବାବେଳେ ସେ ପ୍ରତିବାଦ କରି ନଥିଲେ, ପ୍ରତିରୋଧ ବି ନଥିଲା, ବରଂ ଅବାକ୍ ବିସ୍ମୟରେ ଅନେଇ ରହିଥିଲେ ତାହାରି ମୁହଁକୁ । ତା’ ଭିତରେ ସେ ଯେମିତି ଅଣ୍ଡାଳି ହଉଥିଲେ, ଦରାଣ୍ଡି ହଉଥିଲେ କଅଣ ଗୋଟେକୁ ତାହା ସେ ଆଜି ଯାଏ ଜାଣିନି । କିନ୍ତୁ ତାକୁ ଯେପରି କେହି ଅଦୃଷ୍ଟ ପୁରୁଷ ଥରେ ଥରେ ଚେତେଇ ଦବା ପରି କହେ–ସେ ଖୋଜୁଥିଲେ ଅସୁର ଭିତରେ ମଣିଷକୁ । ମଣିଷ ଭିତରେ ଶ୍ରଦ୍ଧା ଓ ବିଶ୍ୱାସକୁ..., ଯେପରି ତୋ ବଡ଼ ଭଉଣୀ ଖୋଜୁଥିଲା ତୋ ଭିତରେ... ।

 

ଏବେ କେଶରୀକୁ ଆଉ କେହି ଶ୍ରଦ୍ଧା କରିବା ପରି ଲାଗେ ନାହିଁ । ତାକୁ କେହି ବିଶ୍ୱାସ କରନ୍ତି ନାହିଁ । ତାକୁ ଖୁସି କରିବା ପାଇଁ ତା’ ମିଜାଜ ଜଗି ବନେଇ ଚୁନେଇ ଯୋଉ ବାଜେ କଥା କହନ୍ତି ସେଥିରେ ଅହଂକାରୀ ମନଟା ହୁଏତ ତେଜି ଉଠେ ନିଜ ଦର୍ପରେ, କିନ୍ତୁ ତାର ଅନ୍ତରର ବେଦନା ଉପସମ ହୁଏନାହିଁ ।

 

ସେଇଦିନୁ ତାଙ୍କ ହାବୁଡ଼ରେ ଯେପରି ନ ପଡ଼େ ସେ ପାଇଁ ସତର୍କ ହୋଇଯାଇଛି କେଶରୀ । ସେ ଯେ ସୁନାଚୁଡ଼ି ଚୋରି ହୋଇଯିବା ବିଷୟ ଥାନା କହିନାହାନ୍ତି ଏହା ଜାଣିଯାଇଛି କେଶରୀ । ଯୋଉଁଠି ଯିଏ ଚୋରି କରୁନା କାହିଁକି ଥାନାରେ ଏତାଲା ଦେଲେ ପୋଲିସ ହାବିଲଦାର ଆଗ ପଚରା ଉଚରା କରେ ତାକୁ । ସେ ଏ ଭିତରେ ଛୋଟ ବଡ଼ ଚୋରଙ୍କର ସର୍ଦ୍ଦାର ହୋଇଯାଇଛି ବୋଲି ପୋଲିସ ମନେ କରେ । ଅଭିଯୋଗ ଆସି ନାହିଁ ବୋଲି ବୋଧ ହୁଏ ସୁନାଚୁଡ଼ି ଘଟଣା ହାବିଲଦାର ତାକୁ କହିନାହିଁ କି ପଚରା ଉଚୁରା କରିନାହିଁ । ହାବିଲଦାର ବାବୁ ଭଲ ଲୋକ, ତାକୁ ବିଶ୍ୱାସ କରନ୍ତି, ସମୟ ସମୟରେ ସାହାଯ୍ୟ କରନ୍ତି ତାକୁ ଚୋରି ମନକରି ମାନ ସମ୍ମାନ ବଜାଇ ରଖି ଚଳିବାପାଇଁ ଉପଦେଶ ଦିଅନ୍ତି । କିନ୍ତୁ ସେ ପାରେନାହିଁ, ବାରମ୍ବାର ଚେଷ୍ଟା କରି ବି ସେ ବିଫଳ ହୁଏ । ତାକୁ ଚାକିରି ମିଳିବା ଦୂରେ ଥାଉ ରିକ୍ସା ଖଣ୍ଡେ ଚଲେଇବାକୁ ମିଳେନି । କେତେ କଷ୍ଟରେ ଜଣେ ମାଲିକ ଭଡ଼ାରେ ତାକୁ ଖଣ୍ଡେ ରିକ୍ସା ଦେବେ ବୋଲି କହିଥିଲେ, କିନ୍ତୁ ଦବା ଦିନ କଅଣ ହେଲା କେଜାଣି ମନା କରିଦେଲେ । ପରେ ସେ ଜାଣିଲା ଯେ ତା’ ବିରୁଦ୍ଧରେ କେହି ତାଙ୍କୁ କହିଛି ସେ ଯେ ଛୋଟଲୋକ… ଚୋର... ଏ ବିଷୟରେ ନିଃସନ୍ଦେହ ହବାପରେ ସେ ମନା କରି ଦେଇଥିଲେ ।

 

କେଶରୀ ପାଖରେ ଅନ୍ୟ ଉପାୟ ନଥିଲା ବଞ୍ଚିବା ପାଇଁ । ଆଉ ଏକ ଜୀବନର ଲୋଭ ତାର ଚିତ୍ତାକାଶକୁ ଏମିତି ଆବୋରି ରଖିଥିଲା । ଯେ ସେଠାରେ କେବଳ ବଞ୍ଚିବା କଥା ହିଁ ମନେପଡ଼ୁଥିଲା, ମୃତ୍ୟୁ ସେଠାରେ ଥିଲା ସ୍ୱପ୍ନ ଏବଂ ସୁଦୂର । ବଞ୍ଚିବାର ଦୁର୍ନିବାର ଆକର୍ଷଣ ମାଧ୍ୟାକର୍ଷଣ ଶକ୍ତିପରି ମଣିଷ ଝୁଲୁଛି ସେଇ ଶକ୍ତି ବଳରେ, ପଳେଇ ଯିବାର ଜୁ ନାହିଁ । ଝୁମ୍ପୁଡ଼ିରେ ରହୁଥିବା ପଡ଼ୋଶୀମାନଙ୍କର ଖୋଜଖବର ରଖେ କେଶରୀ । ସେମାନେ ତା’ କଥା ମନେପକାନ୍ତି କି ନାହିଁ ତାହା ଜାଣିବା ଲାଗି ସେ କେବେ ଚେଷ୍ଟା କରିନି । କିନ୍ତୁ କାହାରି ଚୁଲିରେ ହାଣ୍ଡି ନବସିଲେ ଲୋଡ଼ା ହୁଏ କେଶରୀ । ସେ ବି ହାତ ଖୋଲି ଯାହା ଥାଏ ଦେଇଦିଏ, ଆଉ ନୂତନ ଶିକାର ସନ୍ଧାନରେ ସହରର ଗଳିକନ୍ଦିରେ, ବଜାର ଓ ମନ୍ଦିର ଭିତରେ ବୁଲିଆସେ ।

 

ଏଇ କେତେଦିନ ହେଲା ସେ ଥୟ ଧରି ରହିପାରୁନି । ପୋଲିସ ତା’ ପିଛା ଧରିଛି । ରାତିରେ ବସ୍ତି ଭିତରେ ଚଢ଼ାଉ କରି ତଲାସ କରିଚି, ପାଇ ନାହିଁ । ସହର ଭିତରେ ଯେତେ ଆଡ଼୍ଡ଼ାର ଠିକଣା ଅଛି ପୋଲିସ ପାଖରେ ଗୋଟିଏ ହେଲେ ବି ବାଦ ପଡ଼ିନି । ହଠାତ୍ ପୋଲିସ କାହିଁକି ଯେ ଏତେ ସକ୍ରିୟ ହୋଇଉଠିଚି ତାହା ଜାଣିପାରୁନି କେଶରୀ । କେହି କେହି କହୁଛନ୍ତି ସହରରେ ଚୋରି ହତ୍ୟାକାଣ୍ଡ ପ୍ରଭୃତି ଅପରାଧର ସଂଖ୍ୟା ବଢ଼ୁଥିବାରୁ ପୋଲିସ ଏପରି ପଦକ୍ଷପ ନେଇଛି । ଆଉ କେହି କେହି କହୁଛନ୍ତି ଯେ ବିଧାନସଭାର ଆଗାମୀ ଅଧିବେସନ ପାଖେଇ ଆସୁଥିବାରୁ କାଳେ ଏ ବିଷୟ ଗୃହରେ ଉତ୍ଥାପନ କରି ବିରୋଧୀପକ୍ଷ ସରକାରକୁ ହନ୍ତସନ୍ତ କରିବେ, ସେଥିପାଇଁ ଆଗୁଆ ବ୍ୟବସ୍ଥା କରାଯାଉଚି । କେଶରୀ ବି ନିଜର ଉପାୟ ବାଛି ନେଇଚି । ଏ ଭିତରେ ସେ ତା’ ଦାଢ଼ିକୁ ବେଶ୍ ଲମ୍ବେଇ ଦେଇଛି । ମଥାରେ ସର୍ଦ୍ଦାରଜୀମାନଙ୍କ ପରି ପଗଡ଼ି ବାନ୍ଧୁଚି ଆଉ ଆଖିରେ ଲଗାଉଚି କଳା ଚଷମା । ତାକୁ ଆଉ କେହି ଚିହ୍ନି ପାରୁନାହାନ୍ତି ।

 

ପୋଲିସକୁ କେବେ ଡରେନି କେଶରୀ । ଆଉ କାହାକୁ ବି ନୁହେଁ । କିନ୍ତୁ ତା’ର ନିର୍ଭୟ, ନିଃସଙ୍କୋଚ ମନଟା ସେ ମହିଳାଙ୍କ କଥା ଭାବି ଶିହରି ଉଠୁଚି, ସଙ୍କୁଚିତ ହୋଇଯାଉଛି । ତା’ ବଡ଼ ଭଉଣୀ କାଲିରାତିରେ ସ୍ୱପ୍ନରେ ଆସିଥିଲା ଯୁଗେ ପରେ । କେଶରୀ ଭାରି ଖୁସି ହୋଇଥିଲା ଭଉଣୀକୁ ସ୍ୱପ୍ନରେ ଦେଖି, ତା’ ସହିତ କଥାବାର୍ତ୍ତା କରି । ଯା’ ହେଉ ସେ ତାକୁ ଭୁଲିନି.... । କିନ୍ତୁ ଯିବା ଆଗରୁ ସେ କେଶରୀକୁ କହିଲା, ଶେଷରେ ମୋହରି ହାତରୁ ଚୁଡ଼ି ଚୋରି କଲୁରେ କେଶ... ଦେଖୁନୁ ମୋ ହାତ କେମିତି ଖାଲି ଦିଶୁଚି... ତୁ ଏ ବାଟ ଛାଡ଼ି ଦେ... ବଞ୍ଚିବା ପାଇଁ ଏତେ ବାଟ ରହିଛି... ଅନ୍ୟ ପଥ ବାଛିନେ... ।

 

କେଶରୀ କାନ୍ଦି ପକେଇଥିଲା ତା’ କଥା ଶୁଣି । ଛି ଛି ଶେଷରେ ସେ ତା ବଡ଼ ଭଉଣୀର ଚୁଡ଼ି ଚୋରି କଲା... ।

ସେ କିନ୍ତୁ ମୁହଁ ଫିଟାଇ କିଛି କହିବା ପୂର୍ବରୁ ତା’ ଭଉଣୀ ଅଦୃଶ୍ୟ ହୋଇଗଲା । ସ୍ୱପ୍ନ ଭାଙ୍ଗିଗଲା । ସେତିକିବେଳୁ ମନଟା ବିଷଣ୍ଣ ହୋଇଯାଇଛି, କିଛିରେ ମନ ଲାଗୁନି । ଉଦାସ ଉଦାସ ଲାଗୁଚି । ସେ ଭଉଣୀକୁ କହି ଦେଇଥିଲେ ଭଲ ହେଇଥାଆନ୍ତା ଯେ ନିଜେ ବଞ୍ଚିବା ପାଇଁ ଶେଷରେ ବାଧ୍ୟ ହୋଇ ସେ ଏଇ ବାଟ ବାଛି ନେଇଛି । ଏବେ ତ ସେ ଆଉ ଏକା ନୁହେଁ । ଏଇ ବସ୍ତିରେ, କଚେରୀ ହତାଭିତରେ, ବୁଦ୍ଧେଶ୍ୱରୀଙ୍କ ମନ୍ଦିର ବେଢ଼ାରେ ରହିଥିବା ଅନାଥ, ଅସହାୟମାନେ ବିଭିନ୍ନ ସୂତ୍ରରେ ଆସି ତା’ର ପରିବାର ଭୁକ୍ତ ହୋଇଯାଇଛନ୍ତି । କୁଷ୍ଠରୋଗୀମାନଙ୍କ ପାଇଁ ଘର ତିଆରି ନକଲେ ସେମାନଙ୍କ ବଞ୍ଚିବାର ବାଟ ରହିବ ନାହିଁ ବୋଲି ସେ ସୁନାଚୁଡ଼ି ଚୋରି କରିଥିଲା । ସେଥିରୁ ତିନିହଜାର ଟଙ୍କା ପାଇଥିଲା କେଶରୀ ଏବଂ ଗୋଟିଏ ପଇସା ବି ନିଜ ପାଇଁ ନ ରଖି ସବୁତକ ବଢ଼େଇ ଦେଇଥିଲା ସେମାନଙ୍କୁ ।

ସେହି ମହିଳାଙ୍କୁ ସେହିଦିନୁ ଭୁଲିପାରୁନି ସେ । ତାଙ୍କର ନିର୍ମାୟା, ନିର୍ମଳ ଦୃଷ୍ଟିନ, ମୁହଁ ଭର୍ତ୍ତି ପରକୁ ଆପଣାର କରିନବାର ଆକର୍ଷଣ ତା’ ମନକୁ ସେଇଦିନୁ ମୋହାଚ୍ଛନ୍ନ କରି ରଖିଚି । ଲାଜ ଲାଗୁଚି କିପରି ସେ ଗୋଟେ ହାତରେ ତାଙ୍କରି ଛାତି ଉପରେ ଛୁରୀର ମୁନ ଜାକି ଅନ୍ୟ ହାତରେ ଚୁଡ଼ି ଖସାଇ ନେଲା ! ଆହା ! ସେ କଅଣ ଭାବିଥିବେ... ଛି… ଛି… ଆଉ ସତରେ ସେ ଦଉଡ଼ି ପଳେଇଯିବା ପୂର୍ବରୁ ତାଙ୍କ ମୁହଁ ଉପରେ ଯୋଉ ନିଷ୍ପାପ, ନିର୍ମଳ ହସ ଟିକକ ଦେଖିଥିଲା, ତାହା ତା’ ବଡ଼ ଭଉଣୀର ହସ ପରି ମନଛୁଆଁ... ଠିକ୍ ସେଇପରି... । ବଡ଼ ଭଉଣୀର ଆତ୍ମା ପୁରୁଷ ତା’ହେଲେ ବସା ବାନ୍ଧିଚି ତାଙ୍କରି ଭିତରେ... ସେ ସ୍ୱର୍ଗକୁ ଯାଇନି... ଏଇ ପୃଥିବୀର ଭଲପାଇବା ହସ ଓ ଅଶ୍ରୁ ଛାଡ଼ି ସ୍ୱର୍ଗର ଆନନ୍ଦ ମୟ ବିସ୍ତାରରେ ଆତ୍ମ ବିସର୍ଜନ କରିନାହିଁ ।

କେଶରୀ କିନ୍ତୁ ଭଉଣୀର କଥା ମାନି ପାରିନାହିଁ । ଜୀବନର ଯନ୍ତ୍ରଣା ତାକୁ ଅଥୟ କରିଛି ବାରମ୍ବାର । ସେ ଗୋଟେ ପ୍ରବଳ ଜିଦରେ ସବୁରୀ ଉପରେ ପ୍ରତିଶୋଧ ନବାପାଇଁ ଟାଣି ହୋଇଯାଇଛି ପାପଆଡ଼କୁ । ଅପରାଧ କରିବାର ପ୍ରବୃତ୍ତି ତାକୁ ହିଂସ୍ର, ଉନ୍ମାଦ କରିଦେଇଛି କିଛି ସମୟ ପାଇଁ । ତା’ପରେ ସେ ପୁଣି ଫେରି ଆସିଚି ପୂର୍ବର ଉଦାସ ଅସୁଖୀ ଜୀବନକୁ ।

ରାତି ପାହିଲେ ଆଲୁଅ । ସେଇ ଆଲୁଅରେ ବସ୍ତିରେ ବିଞ୍ଚି ହୋଇପଡ଼ିବା ବେଳକୁ ଟଙ୍କା ଦରକାର । ରାଧାର ପୁଅ ବେମାର ପଡ଼ିଛି । ପଥି ନାହିଁ କି ଔଷଧ ନାହିଁ । ହରିଆ ପକ୍ଷାଘାତ ଭୋଗୁଛି ମାସେ ହେଲା, ଯାହା ଥିଲା ବିକି ଭାଙ୍ଗି କୋଉ ଦିନୁ ଖର୍ଚ୍ଚ କରିସାରିଲାଣି । ଏବେ ଅନ୍ୟର ଦାନ ନମିଳିଲେ ସାରା ପରିବାର ଖାଡ଼ା ଉପାସ ।

କେଶରୀ ଜାଣିଯାଇଛି ଯେ ଆଦର୍ଶ, ନୀତି, ନିୟମ ସମସ୍ତଙ୍କ ପାଇଁ ନୁହେଁ–କେବଳ ଅପମାନିତ, ଲାଞ୍ଛିତ ହୋଇ ନିଜ ବଳରେ ବଞ୍ଚିଥିବା ଲୋକଙ୍କ ପାଇଁ । ଆଇନ ଥିଲାବାଲାଙ୍କୁ ଓ ସେମାନଙ୍କର ଅଧିକାର ଓ ସମ୍ପଦକୁ ରକ୍ଷା କରିବାପାଇଁ । ନ ଥିଲାବାଲାଙ୍କ ପାଇଁ ଆଇନର କଡ଼ା ନିୟମ; ତାଙ୍କୁ ହିଁ ସବୁ ଦୁର୍ଭୋଗ ଭୋଗ କରିବାକୁ ହୁଏ, ସମାଜର ସୁରକ୍ଷା ପାଇଁ । ରାଧାର ପୁଅକୁ ମରିବାକୁ ଛାଡ଼ି ଦେଇପାରିବ ନାହିଁ କେଶରୀ । ହରିଆର ଚିକିତ୍ସା ବରଂ ନହେଉ କିନ୍ତୁ ତା ପିଲାପିଲିଙ୍କୁ କୌଣସି ମତେ ବଞ୍ଚେଇବାକୁ ପଡ଼ିବ ।

 

କେଶରୀ ଅନେଇଲା ସେ ଆଗ ଛକକୁ । ସନ୍ଧ୍ୟା ହେବ ହେବ ହଉଚି । ପିଲାଗୁଡ଼ା ଯେ ଯାହାର ଘର ଭିତରକୁ ପଶିଗଲେଣି ଆଲୁଅ ଜାଳି ପାଠ ପଢ଼ିବାପାଇଁ । ଗୋଟେ ଲୋକ ଧୋବା ଘରୁ ସଦ୍ୟ ଆଣିଥିବା ଧୋତି ପଞ୍ଜାବି ପିନ୍ଧି ମଲ୍ଲୀ ଫୁଳ ମାଳ ବେକରେ ଲମ୍ବାଇ ନାଗରୀ ଖୋଜିବାକୁ ବାହାରିଚି ।

 

ତା’ ପକେଟରୁ କିଛି ଥାଇପାରେ ବୋଲି କେଶରୀ ତା ପିଛା ଧଇଲା । କିନ୍ତୁ ହାୟ ! ତା’ ପକେଟରୁ ପାଞ୍ଚ ଟଙ୍କାର ନୋଟଟା କାଏଦା କରି ନେଇଆସିଲା ସିନା ଜାତି ଗଲା କିନ୍ତୁ ମହତ ରହିଲା ନାହିଁ । ତା’ ଆଡ଼କୁ ଚାହିଁ ଛେପ ନେଣ୍ଡାଏ ପକେଇଲା କେଶରୀ ।

 

ଗୋଟେ ବଡ଼ କୋଠାଘରର ପିଣ୍ଡା ଖାଲି ଥିବା ଦେଖି ବସି ପଡ଼ିଲା ସେଠାରେ । ଝର୍କା ବାଟ ଦେଇ ଭିତରର କଛି ଆଲୁଅ ଛିଟିକି ପଡ଼ିଥିଲା ବାହାରକୁ । ସେଇ ବାଟ ଦେଇ ଚାହିଁଲା କେଶରୀ ।

 

ଝର୍କା ପାଖରେ ଟେବୁଲଟିଏ । ତା’ ଉପରେ ଥୁଆ ହୋଇଛି ଦାମି ଘଡ଼ିଟିଏ, କଲମ ଓ ଆଉ କିଛି । ଏଇ ଘଡ଼ିଟା ଚୋରି କରି ସେଥିରୁ ଯାହା ପାଇବ ତା’ଠାରୁ ବଳି ପଡ଼ିବ ମନସ୍ତାପ । କୋଉ ଚୋରା ଜିନିଷ ବେପାରୀକୁ ନ ବିକିଲା ଯାଏ ଟିକ୍ ଟିକ୍ କରୁଥିବ ଛାତିତଳର ସ୍ପନ୍ଦନ ପରି ଆଉ ତା’ ସହିତ କେଶରୀର ମନେ ପଡ଼ିଯାଉଥିବ ଅତୀତର କୁକର୍ମ ଗୁଡ଼ାକ । ଘଡ଼ିର ଟିକ୍ ଟିକ୍ ଶବ୍ଦ ସହିତ ତାଳ ଦେଇ କାନ୍ଥରୁ ଟିକ୍ ଟିକ୍ କରେ ଝିଟିପିଟି । ସମୟର ଅସରନ୍ତି ପ୍ରବାହ ମଧ୍ୟରେ ଗଡ଼ିଚାଲେ ମଣିଷମାନଙ୍କର ସଂସାର ରଥ । କେଶରୀ ମନକୁ ପାପ ଛୁଇଁଲା, ଆହା, ନିଦକ, ନିଶ୍ଚିନ୍ତରେ ଟେବୁଲ ଉପରେ ଘଡ଼ି ରଖି ନିଜକାମରେ ବ୍ୟସ୍ତ ଥିବା ଗୃହସ୍ଥର ବିଶ୍ୱାସକୁ ସେ ଭାଙ୍ଗିଦବ ନିମିଷକରେ । ବିଶ୍ୱାସ ଅଛି ବୋଲି ବାସୁକୀ ବୋହୁଛି ଏଇ ପୃଥିବୀର ଭାର । ବିଶ୍ୱାସ ଅଛି ବୋଲି ସ୍ନେହ, ପ୍ରେମ, କରୁଣା, ଅଝି ଜଗତରେ । ବିଶ୍ୱାସ ନଥିଲେ ସବୁ ଶୂନ୍ୟ, ସବୁ ଅସାର ।

 

ଆଉ ତା’ର ଜାବନ ଦର୍ଶନ ? ମଣିଷକୁ ସେ ବିଶ୍ୱାସ କରେ, ଶ୍ରଦ୍ଧା କରେ ବୋଲି ସେମାନଙ୍କ ଦୁଃଖ ସହି ନପାରି ଚୋରି କରେ ।

 

ଅଥଚ କି ଆଶ୍ଚର୍ଯ୍ୟ, ଯୋଉଦିନ ସେ ପ୍ରଥମ ଚୋରି କରିଥିଲା ସେ ବୁଢ଼ା ପାକରୁ ସେ ଦିନ ସେ ଥିଲା ସ୍ୱାର୍ଥପର, ସେ ଦିନ ସେ କେବଳ ନିଜେ ବଞ୍ଚିବା ପାଇଁ ଚୋରି କରିଥିଲା । ଆଜି କିନ୍ତୁ ତା’ ଚାରିପାଖରେ ବିରାଟ ସଂସାର, ତାକୁ ଘେରି ସ୍ନେହ, ମମତା; ଆଉ ସବୁକୁ ଟାଣି ଓଟାରି ଚାଲିଛି ସମୟ, ଘଡ଼ିର ଟିକ୍ ଟିକ୍ ପରି ।

 

ଝର୍କା ଖୋଲି ନିଶ୍ଚିନ୍ତରେ ଏବେ ବି କେହି ଅନ୍ୟ କୌଣସି କାର୍ଯ୍ୟରେ ବ୍ୟସ୍ତ ଥାଇପାରେ ଏହା ଭାବିନଥିଲା କେଶରୀ । ଛୋଟ ବଡ଼ ଉପଦ୍ରବ ଲାଗି ରହିଛି ସହରରେ । ପୋଲିସ ଆଖି ରଖିଛି ସେମାନଙ୍କ ଉପରେ । ଚୋରି ହେଲେ ବା ଦଙ୍ଗା ହେଲେ ସେମାନଙ୍କୁ ଧରି ନେଇଯାଏ ହାବିଲଦାର ଥାନାକୁ । ବେଳେବେଳେ ଦୁଇ ତିନି ଦିନ ଅଟକାଇ ରଖେ ।

 

ଟେବୁଲ ଉପରେ ଆଉ କିଛି ମୂଲ୍ୟବାନ ଜିନିଷ ଥାଇପାରେ ଏହା ଅନୁସନ୍ଧାନ କରିବା ପାଇଁ ତାର ଦୃଷ୍ଟି ବାରମ୍ବାର ଘୂରି ବୁଲୁଥିଲା ତାହାରି ଉପରେ । ଘଡ଼ି ପଛରେ କଅଣ ଗୋଟେ ପଡ଼ିଛି, ଟିକେ ଘୁଞ୍ଚିଯାଇ ଯାହା ଦେଖିଲା ସେଥିରେ ଛାତିତଳର ସ୍ପନ୍ଦନ ବଢ଼ିଗଲା କେଶରୀର । ସୁନାହାର ପରି ଦିଶୁଛି । ହୁଏତ ହୋଇଥିବ । ଗୃହକର୍ତ୍ତ୍ରୀ ରୋଷେଇ ଘରେ କାମରେ ବ୍ୟସ୍ତ ଥିବେ କିମ୍ବା ଗାଧୋଇବା ପାଇଁ ଯାଇଥିବେ... ।

 

ସୁଯୋଗ ଅନାୟାସରେ ଆସେନି ହାତକୁ, ସେଥିପାଇଁ ଚେଷ୍ଚା କରିବାକୁ ହୁଏ । ସୁଯୋଗ ନ ଉଠେଇଲେ ହାତରେ କେହି ଗୁଞ୍ଚି ଦେଇ ଯିବନାହିଁ ।

 

କେଶରୀର ମନ ଦୃଢ଼ ହେଲା, ଯେପରି ହେଉ ସଫଳ ହେବାକୁ ପଡ଼ିବ ତାକୁ । ଟଙ୍କା ଦରକାର ଅଛି... ସେମାନେ ହୁଏତ ତାହାରି ଅପେକ୍ଷାରେ ବସିଥିବେ ଶୂନ୍ୟକୁ ଚାହିଁ ।

 

ହାତ ବଢ଼ାଇଦେଲା କେଶରୀ । ସୁନା ହାରଟା ଉଠେଇନବା ବେଳେ କାହାର ଶବ୍ଦ ଶୁଭିଲା । ସେ କିନ୍ତୁ ସଂକଳ୍ପ କରିସାରିଥିଲା । ତା ହାତ ଫେରି ଆସିବାପୂର୍ବରୁ ସେ ଶୁଣିଲା–ନେ… ନେ… ନେଇଯା… । ମୋଠାରୁ ତୋର ପ୍ରୟୋଜନ ବୋଧ ହୁଏ ବେଶୀ... । ଚମକି ପଡ଼ିଲା କେଶରୀ । ସେ ତା’ ହେଲେ ଧରା ପଡ଼ିଯାଇଛି ! ସୁନାହାରଟା ପକେଇ ଦୌଡ଼ି ପଳେଇବା ଆଗରୁ ତା’ ହାତ ଉପରେ ହାତ ରଖି ସେ କହିଲେ–ସେ ଦିନ ସୁନା ଚୁଡ଼ି ନେଇଥିଲୁ... ଆଜି ସୁନାହାର... ଏତିକିରେ ଚଳିବ ନା ଆଉ କିଛି ଦରକାର... ?

 

କେଶରୀ ସ୍ତବ୍ଧ ହୋଇଗଲା । ତା’ ବଡ଼ ଭଉଣୀର ସ୍ୱର ପରି ଶୁଭୁଛି । କାନରେ ବାଜିଯାଉଛି ତା’ର ସ୍ନେହ ବୋଳା କଥା... ।

 

ଦିନେ ଦୁଇଦିନ ନ ଖାଇଲେ ମଣିଷ ମରିଯାଏନିରେ କେଶ…. କିନ୍ତୁ ପାପ କଲେ, ଅପରାଧ କଲେ ଜୀବନ ଥାଇ ବି ସେ ମରିଯାଏ... ।

 

ସେ ଅବାକ୍ ବିସ୍ମୟରେ ଶୁଣୁଥିଲା–ପୁଣି ଅଟକି ଗଲୁ କାହିଁକି ? ଛୁରି ଯଦି ଅଛି ଭୁଷିଦଉନୁ ମୋ ଛାତିରେ… ଖାଲି ଏଇ ହାରଟା ନୁହେଁ ଦେହରେ ଆଉ ଯାହା ଅଛି ସବୁ ତୋର ହବ... ।

 

କେଶରୀ କାନକୁ ବିଶ୍ୱାସ କରି ପାରୁନଥିଲା । ଠିକ୍ ତା’ ବଡ଼ ଭଉଣୀର ସ୍ୱର । ନିର୍ଭୁଲ । ସେ ବୋଧ ହୁଏ ମରିନି... ଏଇ ଘରେ ରହିଯାଇଛି... ଶ୍ମଶାନରୁ ହୁଏତ କେହି ଦୟାବନ୍ତ ଉଠେଇ ଆଣିଥିବେ ହଇଜାରେ ମରିଗଲା ବୋଲି କହି ଫିଙ୍ଗି ଦେଇଥିବା ଶବକୁ... ।

 

ଠିକ୍ ତାହାରି ସ୍ୱର... ତାହାରି ଶାସନ କଲାଭଳି କହିବା କଥା... ।

 

ସେ ପୁଣି କହିଲେ—ନେଇଯା… ନେଇଯା... ପତିତ ଲୋକର ପାଦ ତ ତଳକୁ ତଳକୁ...-। ମୁଁ ଭାବିଥିଲି ସେଦିନର ଘଟଣା ପରେ ତୁ ଏ କାମ ଆଉ କରିବୁ ନାହିଁ... । ତୋ ଆଖିର ଦୃଷ୍ଟିରେ ମୁଁ ହିଂସା ନୁହେଁ, ପାପ ନୁହେଁ ଆଉ କଅଣ ଦେଖିଥିଲି ସେଦିନ... । ହୁଏତ ସବୁ ମୋର ମନର ଭ୍ରମ-। ମୁଁ ତା’ହେଲେ ଠକି ଯାଇଛି । ଭଲ ହବା ପାଇଁ ଚେଷ୍ଟା ନକରି ତୁ ଛୋଟ ଲୋକ ହୋଇ ରହିଯାଇଛୁ... ।

 

କେଶରୀର ଆଉ ଧୈର୍ଯ୍ୟ ନଥିଲା ଶୁଣିବା ପାଇଁ । ହାତଟା ବି ଉଠାଇ ଆଣି ପାରୁ ନଥିଲା । ତାଙ୍କ ମୁହଁକୁ ସିଧା ଚାହିଁବା ପାଇଁ ସାହାସ ନଥିଲା ତା’ର । ତା’ ଭିତରେ ଚମକି ଉଠୁଥିଲା ଗୋଟେ ଅନୁଭବ । ତା’ର ମଥା ଉପରେ ତାଙ୍କର ଅଭୟ ବରଦା ହାତର ସ୍ପର୍ଶ ପାଇବା କ୍ଷଣି ନିଜ ପେଟ ଭିତରେ ବହୁକାଳ ଧରି ଅଣ୍ଡାଳି ହେଉଥିବା ଯନ୍ତ୍ରଣାଟା ଉତୁରି ପଡ଼ିଲା କଣ୍ଠ ଦେଇ... ଚମକି ପଡ଼ିଥିବା ଶିଶୁଟିଏ ପରି ସେ କାନ୍ଦି ଉଠିଲା ଜୋରରେ... ଖୁବ୍ ଜୋରରେ ।

☆☆☆

 

Unknown

ନୂଆ ରାସ୍ତା

 

ଚାକିରିରୁ ଅବସର ନବାପରେ ଚନ୍ଦ୍ରମୋହନ ବାବୁଙ୍କର ଘରେ ବସିବା କଥା । ପୁଅମାନେ ସ୍ଵାବଲମ୍ଵୀ । ଝିଅମାନେ ବାହାହୋଇ ସୁଖରେ ଅଛନ୍ତି । ଯାହା ପେନସନ ପାଇବେ ସେତିକିରେ ସୁଖରେ ଚଳିଯିବ ସଂସାର । ଘରଭଡ଼ା ପ୍ରତି ମାସରେ ପାଆନ୍ତି । ଗାଆଁ ଜମିରୁ ଭାଗଧାନ, ମୁଗ, ବିରି ଓ ନଡ଼ିଆ ଆସେ । ପିଲାମାନେ ଅଲଗା ଜାଗାରେ ଅବସ୍ଥାପିତ । ଯିଏ ଯେତେବେଳେ ଆସେ ବାପା ମାଆଙ୍କପାଇଁ ଲୁଗା ଜାମା ଜୋତା ବା ଅନ୍ୟକିଛି ନେଇ ଆସେ, ମା’ ହାତରେ ବି କିଛି ଦେଇଯାଆନ୍ତି କାଳେ କାର୍ଯ୍ୟରେ ଲାଗିବ ବୋଲି । ଚନ୍ଦ୍ରମୋହନ ବାରଣ କରନ୍ତି ନାହିଁ–ପିଲା ବୟସରେ ଯାହା ସେମାନେ ଆୟ ଉପାୟ କରିବେ ସବୁ ଖର୍ଚ୍ଚ କରିବେ, ସଞ୍ଚୟ କରିବା କଥା କେବେ ଭାବିବେ ନାହିଁ । ଅନ୍ତତଃ ତାଙ୍କ ହାତରେ ବଳକା ଅର୍ଥ ରହିଲେ ବଢ଼ିବ ସିନା କମିବ ନାହିଁ । ସେ ମରିଗଲା ପରେ ଯାହା ରହିବ ସେଇ ପୁଅମାନେ ତ ପାଇବେ ଉତ୍ତରାଧିକାର ସୂତ୍ରରେ-। ଜୀବନରେ ବହୁ ସମସ୍ୟା ସହିତ ଜଡ଼ିତ ହୋଇଛନ୍ତି ସେ, ବର୍ତ୍ତମାନ କିନ୍ତୁ ନିରାଲମ୍ଵ ପୁରୁଷ, ହାତରେ ସମସ୍ୟା ନାହିଁ କି କୌଣସି ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ୁନି । ଆଜି ସେଇ ପୁରୁଣାଦିନର ସବୁକଥା ମନେ ପଡ଼ିଲେ ସେ କାଳୁସ୍ଥ ହୋଇ କୃତଜ୍ଞତା ଜଣାନ୍ତି ଈଶ୍ଵରଙ୍କୁ-। ମାତ୍ର ପଚାଶ ଟଙ୍କାରେ କିଲଟରୀ ଅଫିସରେ କିରାଣି ଥିଲେ ସେ । ମାସକୁ ମାସ ଏତିକି ଟଙ୍କାରେ ଚଳିବାକୁ ବାଧ୍ୟ ଥିଲେ ସେ । ପଚାଶ ଟଙ୍କା ବଢ଼ି ବଢ଼ି ଚାକିରି ଛାଡ଼ିବା ଦିନ ସେ ମାସକୁ ପାଉଥିଲେ ଏଗାରଶହ ପଞ୍ଚସ୍ତରୀ ଟଙ୍କା । ଏତେ ଗୁଡ଼ାଏ ଟଙ୍କା ହାତରେ ଧରି ଘରେ ପହଞ୍ଚିଲେ ସେ ଭାବନ୍ତି ସେ ଆଉ ସର୍ବନିମ୍ନ ସ୍ତରର ନୁହଁନ୍ତି ଅନେକ ଉପରକୁ ଉଠିଛନ୍ତି ।

 

ଅବସର ନବାପରେ ଆଉ ସହରରେ ନ ରହି ଗାଁକୁ ଚାଲିଗଲେ ଚନ୍ଦ୍ରମୋହନ । ପିଲାମାନେ ମନା କରୁଥିଲେ ଯିବାପାଇଁ । ଏତେଦିନ ଖଟିଲେ, ଏବେ ଟିକେ ଆରାମ କର । ଗାଁରେ ରହିଲେ ଦେହ ଖରାପ ହୋଇପାରେ, ସେତେବେଳେ ଦେଖାଶୁଣା କରିବାକୁ କେହି ପାଖରେ ନ ଥିବେ, ଠିକ୍ ସମୟରେ ଔଷଧ ଟିକେ ମିଳିବନି କି ଡାକ୍ତର ମଧ୍ୟ ମିଳିବେନି । ତା’ ପରେ ଗାଁର ପରିବେଶ ସ୍ୱାସ୍ଥ୍ୟର ଅନୁକୂଳ ହେବ ନାହିଁ, ମଶା ମାଛି ପ୍ରଚୁର ମେଲେରିଆ ହେଲେ ତାଙ୍କ ସହିତ ଅନ୍ୟମାନେ ବି ଭୋଗିବେ । ସବୁଠାରୁ ବଡ଼ ସମସ୍ୟା ରାତି । ଗାଁକୁ ଇଲେକ୍ଟ୍ରି ଯାଇନି ଆଜିଯାଏ । ରାତିହେଲେ ସାରା ରାଜ୍ୟର ଅନ୍ଧାର ଠୁଳ ହୁଏ ସେଠାରେ । ଭଲ ସବୁଦିନିଆ ରାସ୍ତା ପଡ଼ିନି ଏଯାଏ, ବସ୍‍ରୁ ଓହ୍ଲେଇ ଦୁଇକୋଶ ଚାଲିଯିବାକୁ ହୁଏ । ବର୍ଷାଦିନେ ଶଗଡ଼ ମଧ୍ୟ ଯାଇପାରେନି । ମଝିରେ ଗୋଟେ ଛୋଟ ନଦୀ, ଖରାଦିନେ ପାଣିଧାର ପ୍ରାୟ ଶୁଖିଗଲେ ବି ବର୍ଷାଦିନେ ଫୁଲିଉଠେ ବୀର ବିକ୍ରମରେ । ସେତେବେଳେ ହଠାତ୍ ଆବଶ୍ୟକ ପଡ଼ିଲେ କେହି ଯିବା ଦୁଃସାଧ୍ୟ ।

 

ଚନ୍ଦ୍ରମୋହନ କିନ୍ତୁ ମାନିଲେ ନାହିଁ । ସେ ଚାଳିଶ ବର୍ଷ ପରେ ଆଉ ଥରେ ଗାଁକୁ ଫେରିଯିବାପାଇଁ ଜିଦ୍ କରି ଚାଲି ଆସିଲେ । ଏଇ ଗାଁରେ ସେ ଜନ୍ମ ହୋଇଥିଲେ, ସେତେବେଳେ ଇଲେକ୍ଟ୍ରି ନ ଥିଲା ଆଜି ବି ନାହିଁ, ସେତେବେଳେ ଭଲ ରାସ୍ତାଟିଏ ନ ଥିଲା, ଆଜି ଯାହା ଅଛି ଆଗଠାରୁ ଟିକେ ଭଲ, ସେତେବେଳେ ଦଶ କୋଶ ଚାଲି ଚାଲି ଗଲେ ଡ଼ାକ୍ତର ମିଳୁଥିଲେ । ଏବେ ତ ତିନିକୋଶ ଦୂରରେ ଡାକ୍ତରଖାନା । ଗାଁଆକୁ ଯିବାର ସବୁଠାରୁ ବଡ଼ ଆକର୍ଷଣ ଥିଲା ଗାଆଁର ଖୋଲା ପବନ, ସବୁଜ ଧାନକ୍ଷେତ, ଗଛପତ୍ର, ଫୁଲ ଫଳ ଆଉ କଇଁଫୁଲରେ ପୂର୍ଣ୍ଣ ଦିଶୁଥିବା ପୋଖରୀ । ଏହାବାଦ୍ ଚାଷ ଜମି ଆଉ ଭାଗରେ ନଦେଇ ନିଜ ହାତରେ ଚାଷ କରିବେ । ଗାଡ଼ିଆରେ ମାଛ ଜାଆଁଳ ଛାଡ଼ି ମାଛଚାଷ କରିବେ । ଗାଡ଼ିଆ ଆଡ଼ିରେ କଦଳୀ ଲଗେଇବେ । ଗାଈ ରଖିବେ ।

 

ଚନ୍ଦ୍ରମୋହନ ବାବୁ ଗାଆଁରେ ପହଞ୍ଚି ଲାଗିଗଲେ କାମରେ । ଚାକିରି ଜୀବନରେ ରୁଟିନ ବନ୍ଧା ସମୟ ନିର୍ଘଣ୍ଟ ଏଠାରେ ନାହିଁ । ଏଠାରେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କାମ ଲାଗି ରହେ, ବେଳେ ବେଳେ ସନ୍ଧ୍ୟା ପରେ ବି । ଚନ୍ଦ୍ରମୋହନଙ୍କୁ ସମୟ ନିଅଣ୍ଟ ହୁଏ, ସବୁ କାମ ସରେନି-। ଦିନରାତି ମିଶି ତ ଚବିଶ ଘଣ୍ଟା । ଖବରକାଗଜ ଜୀବନରେ ଆସେ ଯେ ଦୁଇଦିନ ପରେ ପାଆନ୍ତି ସେ, ପୁଣି ସେଇ ସନ୍ଧ୍ୟାରେ । ଇଲେକ୍ଟ୍ରି ନାହିଁ ବୋଲି ଲଣ୍ଠନ ଆଲୁଅରେ ଅସୁବିଧା ହୁଏ ପଡ଼ିବାକୁ-। ତିନିଦିନ ପରେ ପୁରୁଣା, ପରିତ୍ୟକ୍ତ ମନେହୁଏ ନିଜକୁ । ଆସିବାବେଳେ ସାନପୁଅ ରେଡ଼ିଓ ଖଣ୍ତେ କିଣି ଦେଇଥିଲା, କିନ୍ତୁ ସରକାରୀ ଖବର ଶୁଣିବାକୁ ଆଉ ତାଙ୍କର ଆଗ୍ରହ ନାହିଁ । ଚାଳିଶବର୍ଷ ସରକାରୀ ଚାକିରି କଲାପରେ ସରକାରୀ ହିସାବପତ୍ର, ସରକାରୀ ଖବରରେ ଅରୁଚି ଧରି ଯାଇଛି ଚନ୍ଦ୍ରମୋହନଙ୍କର । ଡାଲି କିଲୋ ଦଶଟଙ୍କା ହେଲେ ରେଡ଼ିଓରେ ବଜାର ଦରରେ ଆଠଟଙ୍କା ପଚାଶ ପଇସା କୁହାଯାଏ । ଔଷଧ ମିଳୁ ନ ଥିଲାବେଳେ ଔଷଧର ଅଭାବ ନାହିଁ ବୋଲି ଖବର ବାହାରେ । ଖବରକାଗଜରେ ଅନେକ ଅସତ୍ୟ ବା ଅର୍ଦ୍ଧସତ୍ୟ ଯେ ନ ବାହାରେ ତାହା ନୁହେଁ, କିନ୍ତୁ ସବୁଆଡ଼ର ଛୋଟ ବଡ଼ ଖବର ଜାଣିହୁଏ । ଦେଶର ନାଡ଼ି ନକ୍ଷତ୍ର, ଲୋକଙ୍କର ଗତିବିଧି, ପ୍ରକୃତି ଓ ପରିବେଶର ଅବସ୍ଥା ବିସ୍ତାରିତ ଭାବରେ ଜାଣିହୁଏ ।

 

ଚନ୍ଦ୍ରମୋହନ ଗାଆଁରେ ପହଞ୍ଚିବା ପରେ ବୁଢ଼ା, ଟୋକା ସମସ୍ତଙ୍କ ସହିତ ମିଶିଗଲେ ଅଳ୍ପ ସମୟ ମଧ୍ୟରେ । ସେ କିଲଟରୀ ଅଫିସରେ ହେଡ଼କ୍ଲର୍କ ଥିଲାବେଳେ ଇଲେକ୍ଟର ସାହେବଙ୍କୁ କୁହାବୋଲା କରି ନିଜ ଗାଁପାଇଁ ଉଚ୍ଚ ପ୍ରାଥମିକ ସ୍କୁଲଟିଏ ମଞ୍ଜୁର କରାଇଥିଲେ ଏବଂ ଗୋଟିଏ କୂଅ ଖୋଳିବାପାଇଁ ଟଙ୍କା ମଧ୍ୟ ମଞ୍ଜୁର ହୋଇଥିଲା । ନଳକୂପଟିଏ ରହିଲେ ଗାଆଁର ଲୋକ ପୋଖରୀ ବା ଗାଡ଼ିଆ ପାଣି ବ୍ୟବହାର ନ କରି ଅନ୍ୟତଃ ଶୁଦ୍ଧଜଳ ପାଇବେ । ସ୍କୁଲଟିଏ ହେଲେ ପିଲାମାନେ ପାଠ ପଢ଼ିବାପାଇଁ ଦୁଇକୋଶ ବାଟ ପାଦରେ ଚାଲି ନ ଯାଇ ଗାଁରେ ପଢ଼ିବେ । ରାସ୍ତା ଉପରେ ଗୋଡ଼ି ପକେଇ କେବଳ ନଦୀ ଅଂଶକୁ ଛାଡ଼ି ଅନ୍ୟ ଅଂଶକୁ ସବୁଦିନିଆ ରାସ୍ତାରେ ପରିଣତ କରିବାପାଇଁ ମଧ୍ୟ ଅର୍ଥ ବରାଦ ହୋଇଥିଲା ତାଙ୍କରି ଉଦ୍ୟମରେ । ଚନ୍ଦ୍ରମୋହନ ସିନା ଗାଁ ଛାଡ଼ି ଚାଳିଶବର୍ଷ କାଳ ରହିଗଲେ ସହରରେ ଜୀବିକାର୍ଜନ କରିବାପାଇଁ, କିନ୍ତୁ ଭୁଲି ନଥିଲେ ଗାଆଁକୁ, ଗାଆଁର ଲୋକଙ୍କୁ । ଗାଆଁରେ ଅଳ୍ପ କେତେଦିନ ରହିବା ପରେ ତାଙ୍କର ସ୍ଵପ୍ନ ଭଙ୍ଗ ହେଲା-। ଗାଆଁରେ ମଞ୍ଜୁର ହୋଇଥିବା ସ୍କୁଲ ଚାଲିଛି ସତ, କିନ୍ତୁ ସ୍କୁଲ ଘର ଆଜବେଷ୍ଟସ୍ ରେ ଛୁଇଁବାପାଇଁ ଦଶ ହଜାର ଟଙ୍କା ପାଞ୍ଚ ବର୍ଷ ତଳେ ଦିଆଯାଇଥିଲେ ବି ଏ ପର୍ଯ୍ୟନ୍ତ ସେହି କାମ ସମ୍ପୂର୍ଣ୍ଣ ନ ହୋଇ ଅଧା ହୋଇପଡ଼ିଛି । କଚାରାସ୍ତା ଉପରେ ଗୋଡ଼ି ପଡ଼ିଥିଲା ବୋଲି କେହି କେହି କହନ୍ତି, କିନ୍ତୁ ତାହା ଅତି କମ୍ ଥିଲା ବୋଲି ପୂର୍ବପରି ସେଇ କଚାରାସ୍ତା ରହିଯାଇଛି । ଅଥଚ ଏଥିପାଇଁ ପଚାଶ ହଜାର ଟଙ୍କା ଖର୍ଚ ହୋଇଥିବାର ହିସାବ ସେ ନିଜ ଆଖିରେ ଦେଖିଛନ୍ତି । ଆଉ ନଳକୂପ ଅଚଳ ହୋଇ ରହିଛି ଦୁଇ ବର୍ଷ ହେଲା । ପଞ୍ଚାୟତ ଅଫିସ, ବି.ଡ଼ି.ଓ. ସମସ୍ତଙ୍କୁ ଖବର ଯାଇଛି, କିନ୍ତୁ କୌଣସି ପ୍ରତିକାର ହୋଇ ନାହିଁ ।

 

ଚନ୍ଦ୍ରମୋହନ ବାବୁ ବଡ଼ ବ୍ୟଥିତ ହେଲେ । ଆସିବାବେଳର ସାହସ ଏବଂ ପ୍ରଫୁଲ୍ଲତା କ୍ରମଶଃ ମଉଳି ଯିବାକୁ ଲାଗିଲା । ସେ ଯେ ଗାଆଁକୁ ଆସି ଠିକ୍ କରି ନାହାନ୍ତି ଏବଂ ପୁଅମାନେ ଯାହା କହିଥିଲେ ତାହା ସତ ହେବାକୁ ଯାଉଛି, ଏହା ଅଙ୍ଗେ ନିଭେଇ ବିଷଣ୍ଣ ଦିଶିଲେ ସେ । ରାତିରେ ନିଦ ହେଲାନି, ଦେହ ଓ ମନର ସ୍ଫୁର୍ତ୍ତି ଶିଥଳ ହୋଇ ଆସିଲା । ପିଲାବେଳର ଖୋଲା ଆକାଶକୁ ଅଗଣାରେ ଖଟ ଉପରେ ଶୋଇ ଶୋଇ ନିରୀକ୍ଷଣ କଲେ ଚନ୍ଦ୍ରମୋହନ । କୌଣସି ପରିବର୍ତ୍ତନ ଘଟିନି ସେଥିରେ, ଠିକ୍ ସେହିପରି ଅଛି । ସପ୍ତର୍ଷି ମଣ୍ତଳ ଠିକ୍ ଗାଆଁର ମୁଣ୍ତ ଉପରେ । ଚନ୍ଦ୍ରକିରଣ ବରଂ ଆହୁରି ପରିଷ୍କାର ଭାବରେ ପଡ଼ୁଛି ଖଳା, ବାଡ଼ି ଓ ଦାଣ୍ତରେ କାରଣ ଆଗର ସେଇ ଝଙ୍କାଳିଆ ଗଛଗୁଡ଼ିକ ଆଉ ନାହିଁ । ସେ ପିଲାଦିନେ ଯୋଉ ଆମ୍ଵଡ଼ାଳରେ ଦୋଳି ଲଗେଇ ଝୁଲୁଥିଲେ ରଜଦିନ ତାହା ଆଉ ନାହିଁ । କାଠ କରିବାପାଇଁ, ଛେଳିର ଆହାରପାଇଁ ଡ଼ାଳ, ଶାଖାପ୍ରଶାଖା ସବୁ କାଟି ନିଆଯାଇଛି । କେବଳ ଗଣ୍ତିଟା ପଡ଼ିରହିଛି ପକ୍ଷାଘାତଗ୍ରସ୍ତ ରୋଗୀପରି । ତାର ଶାଖାପ୍ରଶାଖା ପ୍ରାୟ ନାହିଁ କହିଲେ ଚଳେ । ଯୋଉ କେତେ ଖଣ୍ତ ଡାଳପତ୍ର ଗଛରେ ସେଇ ଗଣ୍ଠିରେ ସେତକ ବି ପର୍ବପର୍ବାଣିରେ ଛିଡ଼ାଇ ନିଅନ୍ତି ପିଲାଏ । ସେଇ ଆମ୍ଵଗଛର ଡାଳରେ ବା କେତେବର୍ଷ ପୂର୍ବେ ତୋଫାନରେ ଓଲଟି ପଡ଼ିଥିବା ବର ଓ ଅଶ୍ଵତ୍‍ଥ ଗଛରେ ବାସ କରୁଥିବା ହରଡ଼୍ ଚଢ଼େଇ, ଶୁଆସାରୀ, କୁମ୍ଭାଟୁଆ କି କଜଳପାତି ଆଉ ଆଖିରେ ପଡ଼ନ୍ତି ନାହିଁ । ଆମ୍ଵବଉଳ ଆଉ ଗାଁଦାଣ୍ଡକୁ ଆମୋଦିତ କରେ ନାହିଁ ମହ ମହ ବାସ୍ନାରେ ।

 

ଚନ୍ଦ୍ରମୋହନ ପ୍ରାୟ ପକ୍ଷେ କାଳ ବିମର୍ଷ, ବିଷଣ୍ଣ ଚିତ୍ତରେ ବସି ରହିଲେ ଘର ଭିତରେ । ବାହାରକୁ ଗଲେ ନାହିଁ କି ବାହାର ଲୋକଙ୍କ ସହିତ ସମ୍ପର୍କ ରଖିଲେ ନାହିଁ । ତାଙ୍କ ସ୍ତ୍ରୀ ଶାରଦାମଣି ଭୟ କରି ପୁଅମାନଙ୍କୁ ଖବର ଦେଲେ । ବଡ଼ପୁଅ ପହଞ୍ଚି ଯାଇ କହିଲା ମୁଁ ଯାହା ଆଶଙ୍କା କରୁଥିଲି ସେୟା ହେଲା । ଆମେ ଜମି ଭାଗଚାଷରେ ଦେଇ ଯାହା ପାଉଥିଲେ ସେତକ ଯଥେଷ୍ଟ ଥିଲା । ବାଡ଼ିର ନଡ଼ିଆ ମିଳୁ ନଥିଲା ତ ନାହିଁ । ସହରରେ କୌଣସି ଜିନିଷ ଅମଳ ହଉନି ଯେ ଏଇଠୁ ଗଲେ ଖାଇବ ନ ହେଲେ ଉପାସ । ଚାଲ, ଚାଲ .. ଜିପ୍ ନେଇ ଆସିଛି, ଆଜି ସନ୍ଧ୍ୟାପୂର୍ବରୁ ଫେରିଯିବାକୁ ହେବ ।

 

ଶାରଦା ବୁଝେଇଲେ, ବଡ଼ପୁଅ ଅନୁରୋଧ କଲା: କିନ୍ତୁ ରାଜି ହେଲେନି ଚନ୍ଦ୍ରମୋହନ । ସେ ଦୃଢ଼ସ୍ଵରରେ ଘୋଷଣା କଲେ ଯେ ଚାକିରିରୁ ସିନା ଅବସର ନେଇଛନ୍ତି–ଜୀବନରୁ ଅବସର ନେଇନାହାନ୍ତି । ନିଃଶ୍ଵାସ ଚାଲୁଥିବାଯାଏ ଏଇଠି ରହିବେ । ଏଇ ଗାଆଁ ତାଙ୍କର ପୁରୁଷୋତ୍ତମ କ୍ଷେତ୍ର, ଏଇଠି ତାଙ୍କର ବଡ଼ଦାଣ୍ତ, ଏଇଠି ତାଙ୍କର ମୁକ୍ତି… ।

 

ବଡ଼ ପୁଅ ଜିପ୍ ଚଢ଼ି ଫେରିଗଲା । ଶାରଦା ସ୍ଵାମୀଙ୍କ ମୁହଁକୁ ଚାହିଁ ଭରସି କରି ଆଉ କିଛି କହିଲେ ନାହିଁ ।

 

ତା’ପରଦିନ ବଡ଼ିଭୋର ପ୍ରାତକୃତ୍ୟ ସମାପ୍ତ କରି ଚନ୍ଦ୍ରମୋହନ ଚୁଡ଼ା ନଡ଼ିଆ ପେଟେ ଖାଇ ବାହାରି ପଡ଼ିଲେ । ଚାନ୍ଦବାଲି ଯାଇ ବି.ଡ଼ିଓ.ଙ୍କୁ ସବୁ କହିବେ । ଦରକାର ହେଲେ ଭଦ୍ରକ ଯିବେ ଏସ୍.ଡ଼ି.ଓ.ଙ୍କ ପାଖକୁ । ସେଠାରେ ନ ହେଲେ କଲେକ୍ଟର । ତା’ପରେ କମିଶନ୍‍ର । ଗୋଟେ ଅସମ୍ଭବ ପ୍ରକାର ଜିଦ୍ ଜାଗିଲା ମନରେ । ସେ ବି ବାଡ଼ି ନାଳ ଡେଇଁ ରାସ୍ତାଉପରକୁ ଆସି ଚାଲିଲେ ଜୋର୍ ପାଦ ପକେଇ । ମନେ ମନେ କହିବାକୁ ଲାଗିଲେ ମୋ ବାପା, ମୋ ଜେଜେବାପା, ମୋ ପୂର୍ବପୁରୁଷ ଏଇଠି ଥିଲେ, ମୁଁ ବି ଏଇଠି ରହିବି । ସେମାନଙ୍କର ଜନ୍ମଭୂମି ମୋର କେବଳ ଜନ୍ମଭୂମି ନୁହେଁ ମୋର ଶେଷ ଜୀବନର ଶ୍ରୀକ୍ଷେତ୍ର…. ।

 

ବି.ଡ଼ି.ଓ.ଙ୍କ ସହିତ ପ୍ରାୟ ଝଗଡ଼ା କଲେ ଚନ୍ଦ୍ରମୋହନ । ତୁରନ୍ତ ନଳକୂଅ ସଜାଡ଼ି ନ ଦେଲେ କମିଶନର୍‍ଙ୍କ ପାଖରେ ଆପତ୍ତି କରିବେ ବୋଲି କହିଲେ । ରାସ୍ତା ଉପରେ ଗୋଡ଼ି ପକେଇବାପାଇଁ ଏବଂ ସ୍କୁଲଘରେ ଆଜବେଷ୍ଟସ୍ ଛପର କରିବାପାଇଁ ଯେଉଁ ଟଙ୍କା ମଞ୍ଜୁର ହୋଇଥିଲା, ତାହା କିପରି ଖର୍ଚ୍ଚ ହେଲା ଜାଣିବାପାଇଁ ଚାହିଁଲେ ସେ । ବି. ଡ଼ି.ଓ. ସତରେ ବିଗିଡ଼ି ଗଲେ ତାଙ୍କ କଥା ଶୁଣି । ସେ ସାତବର୍ଷ କଟେଇଛନ୍ତି ଏ ଜାଗାରେ । କେହି ତାଙ୍କୁ ହଟେଇ ପାରିନି-। ଯିଏ ଏମ୍.ଏଲ.ଏ ହୋଇ ଆସିଛି ତାକୁ ହାତରେ ରଖିଛନ୍ତି । ଯିଏ ଏସ୍.ଡ଼ି.ଓ. କି କଲେକ୍ଟର ହେଲେ ତାଙ୍କୁ ଆୟତ୍ତ କରିଛନ୍ତି । ଆଉ କିଲଟରୀ ଅଫିସର ଅବସରପ୍ରାପ୍ତ ବଡ଼ବାବୁଙ୍କୁ ସେ ଡରିଯିବେ ?

 

ଚନ୍ଦ୍ରମୋହନ ବିଫଳ ହୋଇ ଫେରିଆସୁଥିଲେ ଗାଆଁକୁ । କିନ୍ତୁ ଘରକୁ ନ ଫେରି ସିଧା ବସ ଧରି ଚାଲିଗଲେ ବାଲେଶ୍ଵର । ଯା’ହେଉ ଗୋଟେ କିଛି ସମାଧାନ କରିବାକୁ ପଡ଼ିବ । ସବୁ ସହି ମୁହଁବୁଜି ପଡ଼ି ରହିବାର ବେଳ ଅତିକ୍ରାନ୍ତ ହୋଇଗଲାଣି ।

 

ତିନିଦିନ ପରେ ସେ ଗାଆଁକୁ ଫେରିଲେ । ଶାରଦାମଣି ଆଶ୍ଵସ୍ତ ହେଲେ ସ୍ଵାମୀଙ୍କୁ ଦେଖି-। ଏଇ ଦିନିଦିନ ସେ ଅନ୍ନଜଳ ସ୍ପର୍ଶ ନ କରି କେବଳ ଗୋପୀନାଥକୁ ଡାକୁଛନ୍ତି । ତାଙ୍କରି ପାଖରେ ଅଧିଆ ପଡ଼ି ସ୍ଵାମୀଙ୍କୁ ସର୍ବଶୁଭରେ ଅକ୍ଷତ ଶରୀରରେ ଫେରଇ ଆଣିବା ଲାଗି କାନ୍ଦିଛନ୍ତି-। ଚନ୍ଦ୍ରମୋହନ ଦୋଷ ସ୍ଵୀକାର କରି କହିଲେ–ଗୋଟେ ଜିଦ୍ କରି ଯାଇଥିଲି, କାମ ଶେଷ ନ କରି ବାହୁଡ଼ି ଆସି ପାରିଲି ନାହିଁ । ମୁଁ ଜାଣେ ତମେ ନିଶ୍ଚିନ୍ତ ହୋଇ ବସି ନ ଥିବ । କିନ୍ତୁ କଅଣ କରିବି କୁହ–ନାଚାର ହୋଇ ବସି ନ ରହି କିଛି ଗୋଟେ ପ୍ରତିକାର ନ କଲେ କୁଳାଙ୍ଗାର ବୋଲି ସ୍ଵର୍ଗରେ ଥାଇ ବି କହିବେ ପୂର୍ବପୁରୁଷମାନେ ।

 

ମନରେ କୌଣସି ଦ୍ଵନ୍ଦ୍ଵ ନ ରଖି ଚନ୍ଦ୍ରମୋହନ ସ୍ଥିର କଲେ ପ୍ରତିକାରର ପନ୍ଥା ଖୋଜି ବାହାର କରିବାପାଇଁ । ସେଥିପାଇଁ ସେ ଚାନ୍ଦଚାଲି ଯାଇଥିଲେ, ବାଲେଶ୍ଵର ଯାଇଥିଲେ । ପୁରା ବେତନ ପାଇ ସେ ଚାକିରି କରୁଥିଲେ, ଏବେ ଅଧା ବେତନ ପେନସନ ପାଆନ୍ତି । କିଛି ନ କରି ବସି ରହିଲେ କୃତଘ୍ନତା ହେବ । ଯେଉଁ ଲୋକଙ୍କ ଅର୍ଥ ସେ ପେନସନ ପାଆନ୍ତି ସେମାନଙ୍କ ପ୍ରତି ଅବିଚାର କରାଯିବ ।

 

କିନ୍ତୁ ଏହି ସଂଗ୍ରାମର ପଥ ଯେ ଲମ୍ଵା ଏବଂ କଠିନ ଏହା ବୁଝୁଥିଲେ ଚନ୍ଦ୍ରମୋହନ । ଚାଳିଶ ବର୍ଷ ପୂର୍ବେ ଯେଉଁ ବୁଝାମଣା, ସରଳତା ଥିଲା ଗାଆଁର ଲୋକମାନଙ୍କ ମଧ୍ୟରେ ତାହା ଲୋପ ପାଇ ଯାଇଛି । ଗାଆଁଲୋକ ଦଳଭୁକ୍ତ ହୋଇ ଦଳ ଦଳ ହୋଇ ଯାଇଛନ୍ତି । ମଧ୍ୟେ ମଧ୍ୟେ ଦିନେ ଅଧେ ଗାଁକୁ ଆସୁଥିଲେ ଚନ୍ଦ୍ରମୋହନ । ସମ୍ପର୍କ ଥିଲା କିନ୍ତୁ ଭିତର ଖବର ଏବଂ ଗ୍ରାମ୍ୟ ଜୀବନରେ ଏପରି ଅବକ୍ଷୟ ସେ ଜାଣି ପାରି ନ ଥିଲେ ଭଲ ଭାବରେ । ଆଜି ଅବସ୍ଥା ଦେଖି ମନେ ହେଉଛି ଯେ ଦେଶର ଶକ୍ତି ଓ ସମ୍ଵଳକୁ ଗଣତନ୍ତ୍ରର ପ୍ରହରୀ ବୋଲାଉଥିବା ଡ଼ଜନ ଡ଼ଜନ ରାଜନୈତିକ ଦଳ ନିଜ ନିଜ ମଧ୍ୟରେ ବାଣ୍ଟି ନବା ପରି ଗାଆଁର ଶକ୍ତି ଓ ସମ୍ଵଳକୁ ଗ୍ରାସ କରି ଯାଇଛନ୍ତି କେତେଜଣ ବ୍ୟକ୍ତି ।

 

ତଥାପି କାମ ଆରମ୍ଭ କରିଦେଲେ ଚନ୍ଦ୍ରମୋହନ । ଭୀଷ୍ମପଣ ମନରେ, କରିବେ ବା ମରିବେ । ଗାଁ ଲୋକଙ୍କୁ ଏକାଠି କଲେ । ସଭା ହେଲା । ବିଚାର ଆଲୋଚନା ହେଲା । ସମସ୍ତେ କହିଲେ, ଭଲ କଥା, ଏତେଦିନ ଚାକିରି କରି ଏବେ ଗାଆଁର ସେବା କରିବାକୁ ବସିଛ ଯେତେବେଳେ କେହି ବାଧା ଦେବେନି । ବରଂ ସହଯୋଗ କରିବେ । ବି.ଡ଼ି.ଓ. ଆସିଲେ, ସରଜମିନ ହେଲା ଏବଂ ସେଇଠି ଅପ୍ରତ୍ୟାଶିତ ଦିଗରୁ ବାଧା ପାଇଲେ ଚନ୍ଦ୍ରମୋହନ । ନିଜର ମାଉସୀପୁଅ ଭାଇ ଜନ୍ମେଜୟ ଗାଆଁ ପଞ୍ଚାୟତ ମେମ୍ଵର । ସ୍କୁଲର ଆଜବେଷ୍ଟସ୍ ଛପର କରିବାପାଇଁ, ରାସ୍ତା ଉପରେ ଗୋଡ଼ି ପକେଇବାପାଇଁ ସେ ଠିକା ନେଇଥିଲେ । ସେ ନିଜେ ନ କହି ଅନ୍ୟଦ୍ଵାରା ଚନ୍ଦ୍ରମୋହନଙ୍କୁ କହି ପଠେଇଲେ ଏଥିରୁ ନିବୃତ୍ତ ରହିବାପାଇଁ । ଚନ୍ଦ୍ରମୋହନ ବଡ଼ ଅଡ଼ୁଆରେ ପଡ଼ିଗଲେ । ଗୋଟେଆଡ଼େ ସମ୍ପର୍କ, ଆତ୍ମୀୟତା ଏବଂ ଅନ୍ୟଆଡ଼େ ସର୍ବସାଧାରଣଙ୍କ ସ୍ଵାର୍ଥ । କେଉଁଟିକୁ ଗ୍ରହଣ କରି ଆଉ କେଉଁଟିକୁ ଉପେକ୍ଷା କରିବେ ସେ ? ବିଚାର ସଙ୍କଟ ସୃଷ୍ଟି ହେଲା । ଜନ୍ମେଜୟ ବାରମ୍ଵାର ତାଗିଦ୍‍ କରିଦେଲେ ଯେ ଆଉ ଅଗ୍ରସର ହେଲେ ବନ୍ଧୁତ୍ଵ ଭାଙ୍ଗିବ, ସମ୍ପର୍କ ତୁଟିବ । କେବଳ ସେତିକି ନୁହେଁ, ତାଙ୍କୁ ସମର୍ଥନ କରୁଥିବା ଆଉ କେତେଜଣ ମୁଖିଆ ଲୋକ ଚନ୍ଦ୍ରମୋହନଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଦେଲେ । ସେମାନେ କହି ବୁଲିଲେ ଯେ ଚନ୍ଦ୍ରମୋହନ ଚାଳିଶ ବର୍ଷ କାଳ ଚାକିରି କରି ଯାହା କରିଛନ୍ତି ଖାଲି ଦରମାରେ ସେତକ ହୋଇପାରିବନି । ସେ ଆଗେ କୈଫିୟତ ଦିଅନ୍ତୁ କୋଉଠୁ କେତେ ଲାଞ୍ଚ ନେଇଛନ୍ତି ଏବଂ ସେ ଟଙ୍କା କୋଉ କାମରେ ଲଗେଇଛନ୍ତି । ସେ ହିସାବ ଦବା ପରେ ଗାଆଁ ଲୋକ ବି ହିସାବ ଦେବେ, ସ୍କୁଲରେ କେତେ ଟଙ୍କା ଖର୍ଚ ହୋଇଛି, ରାସ୍ତାରେ ଗୋଡ଼ି ପକେଇବା କାମ କରାଯାଇଛି କି ନାହିଁ ।

 

ଚନ୍ଦ୍ରମୋହନ ଏକଲା ପଡ଼ିଗଲେ ନୁହେଁ, କିନ୍ତୁ ତାଙ୍କ ସହିତ ଯୋଉମାନେ ରହିଲେ ସେମାନେ ସଂଖ୍ୟାଧିକ ହେଲେ ମଧ୍ୟ ଦୁର୍ବଳ ଏବଂ ଗରିବ । ବାଉରି, କଣ୍ତରା, ହରିଜନ ବସ୍ତିର ପ୍ରାୟ ସମସ୍ତେ ତାଙ୍କୁ ସମର୍ଥନ କଲେ । ଗାଆଁର କେତେଜଣ ଟୋକା ବି ତାଙ୍କ ପଛରେ ରହିଲେ । କିନ୍ତୁ ଜନ୍ମେଜୟଙ୍କ ପ୍ରବଳ ପ୍ରତାପରୁ ଅନ୍ୟ କେହି ଏ ସମ୍ପର୍କରେ ଉଚ୍ଚବାଚ ନ କରି କେବଳ ଚନ୍ଦ୍ରମୋହନଙ୍କ ବିରୁଦ୍ଧରେ ଗୁଜବ ସୃଷ୍ଟି କରିବାରେ ଲାଗିଲେ । ବି.ଡ଼ି.ଓ. ଏବଂ ଅନ୍ୟନ୍ୟ ସରକାରୀ କର୍ମଚାରୀ ମଧ୍ୟ ପ୍ରବଳ ପକ୍ଷରେ ରହିଲେ । ବି.ଡ଼ି.ଓ. କହିଲେ, ଅର୍ଥ ଦିଆ ସରିଛି । ସେ ହିସାବ ମଧ୍ୟ ପାଇଛନ୍ତି; କାମ ଯେଉଁମାନେ କଲେ ସେମାନେ କହିପାରିବେ ଆଉ କାହିଁକି କାମ ଅଟକିଲା । ସେ ସାତ ବର୍ଷ ରହିଲେଣି, ଅବସର ନବାଯାଏ ସେଇଠି ରହିବେ । ତାଙ୍କର ଲୋମଟିଏ ବି କେହି ବଙ୍କା କରି ପାରିବେ ନାହିଁ । ଚନ୍ଦ୍ରମୋହନ ନିଜେ ଯାଇ ଜନ୍ମେଜୟଙ୍କ ଘରେ ଉପସ୍ଥିତ ହେଲେ ।

 

ଜନ୍ମେଜୟଙ୍କ ସ୍ତ୍ରୀ କହିଲେ–ଶେଷରେ ଆମରି ବିରୁଦ୍ଧରେ ଲାଗିବାପାଇଁ ଏତେ କଷ୍ଟ ସହିବା ଲାଗି ଗାଆଁକୁ ଚାଲି ଆସିଲେ ମୋହନ ? ପୂର୍ବପୁରୁଷ ସମ୍ପର୍କ ବାନ୍ଧିଥିଲେ, ତୁମେ ଛିଣ୍ତେଇ ଦବ ?

 

ଚନ୍ଦ୍ରମୋହନ ବୁଝେଇଲେ, ଅନୁରୋଧ ଉପ୍ରୋଧ କଲେ । ଏ ସଂଗ୍ରାମ ଜନ୍ମେଜୟଙ୍କ ବିରୁଦ୍ଧରେ ନୁହେଁ, ଦେଶକୁ ଗ୍ରାସ କରୁଥିବା କୁସଂସ୍କାର ଭ୍ରଷ୍ଟାଚାର, ଅନ୍ୟାୟ ଓ ଅବିଚାରର ପ୍ରତିମୂର୍ତ୍ତି ଗୋଟାଏ ଦୁର୍ଦ୍ଦାନ୍ତ ରାକ୍ଷସ ବିରିଦ୍ଧରେ । ସେ ଏକା ତା’ ସହିତ ଲଢି ପାରିବେ ନାହିଁ । ସେଥିପାଇଁ ସେ ସମସ୍ତଙ୍କର ସହଯୋଗ ଓ ସମର୍ଥନ ଚାହାଁନ୍ତି ।

 

ଜନ୍ମେଜୟ ମାନିଲେ ନାହିଁ ଏବଂ ଚନ୍ଦ୍ରମୋହନଙ୍କର ବିରୋଧ କରିବା ଲାଗି ଶପଥ ନେଲେ ।

 

ସମ୍ପର୍କ ତୁଟିଗଲା । ବନ୍ଧୁତ୍ଵର ବନ୍ଧନ ଭାଙ୍ଗିଗଲା ।

 

ଶାରଦାମଣି କହିଲେ, ତୁମେ ଗାଆଁକୁ ଶାନ୍ତିରେ ରହିବାପାଇଁ ନା ଅଶାନ୍ତିର କାରଣ ହବାପାଇଁ ଆସିଥିଲେ ?

 

ଚନ୍ଦ୍ରମୋହନ କହିଲେ–ଶଶ୍ମାନର ଶାନ୍ତି ଥିଲା ଗାଁରେ ମାନୁଛି । କିନ୍ତୁ ସେଥିରେ ଲୋକଙ୍କର ଉପକାର ହେଉ ନଥିଲା । ଲୋକେ କେବଳ ଜନ୍ମେଜୟ ନନାଙ୍କ ପ୍ରତାପ ଓ ଅତ୍ୟାଚାର ଭୟରେ କିଛି କହୁ ନ ଥିଲେ । ଶୁକଦେବ ପ୍ରତିବାଦ କରି ଇମିତି ଶିକ୍ଷା ପାଇଲା ଯେ ଶେଷରେ ଗାଁ ଛାଡ଼ି ଚାଲିଯିବାକୁ ବାଧ୍ୟ ହେଲା । ଶେଷରେ ମୁଁ ବି ହୁଏତ ଗାଁ ଛାଡ଼ି ଚାଲିଯିବି, କିନ୍ତୁ ନୀରବରେ ସର୍ବସାଧାରଣଙ୍କ ସମ୍ପତ୍ତି ଜଣେ ଅଧେ ଗ୍ରାସ କରିବେ ଏହା ସହ୍ୟ କରି ପାରିବି ନାହିଁ । ମୋ ସାଙ୍ଗରେ କେହି ନ ରହିଲେ ମୁଁ ଏକା ଲଢିବି… । ଏଇ ମୋ ଜୀବନର ଶେଷ ଅଧ୍ୟାୟ । ଭୟ କରିବାର କିଛି ନାହିଁ ।

 

ଗାଆଁର ବହୁମତ, ବହୁ ଦଳ ଉପଦଳ ଶେଷରେ ଦୁଇଟି ଦଳ, ଦୁଇଟି ଶିବିରରେ ବିଭକ୍ତ ହୋଇଗଲେ । ଯୋଉମାନଙ୍କ ସୁବିଧା ସକାଶେ କାର୍ଯ୍ୟ ଆରମ୍ଭ କରିଥିଲେ ଚନ୍ଦ୍ରମୋହନ ସେମାନଙ୍କ ମଧ୍ୟରୁ ମୁଷ୍ଟିମେୟ କେତେକ ଓ ହରିଜନମାନଙ୍କୁ ଛାଡ଼ି ଅନ୍ୟ ସମସ୍ତେ ବିପକ୍ଷ ଶିବିରରେ ଯୋଗଦେଲେ । କିନ୍ତୁ ଯୋଉମାନେ ରହିଲେ ତାଙ୍କ ପକ୍ଷରେ ସେମାନଙ୍କ କଥା ଶୁଣି ମନରେ ଦମ୍ଭ ଆସିଲା ତାଙ୍କର । ସେମାନେ ଶପଥ ନେଲେ–ବହୁଦିନ ଅନ୍ୟାୟ, ଅବିଚାର ସହିଛୁ… ଆଉ ସହିବୁ ନାହିଁ… ଏ ଯୁଦ୍ଧ ଆଉ ବନ୍ଦ ହେବ ନାହିଁ… ଗୋଟିଏ ପରେ ଆଉ ଗୋଟିଏ .. ଶାରଦାମଣିଙ୍କୁ ସାହସ ଦବାପାଇଁ କହିଲେ ଚନ୍ଦ୍ରମୋହନ, ଇଏ ବି ଗୋଟେ ଯୋଗ, ଶାସ୍ତ୍ରସମ୍ମତ । ଶ୍ରୀକୃଷ୍ଣ ନିଜେ ଲୋକ ସଂଗ୍ରହ କାର୍ଯ୍ୟ କରିବାଲାଗି ଅବତାର ହୋଇ ଆସିଥିଲେ । ମୁଁ ସମାନ୍ୟ ପାପପୁଣ୍ୟର ମଣିଷଟିଏ । ତଥାପି ତାଙ୍କର କୃପାହେଲେ ଶେଷରେ ସତ୍ୟର, ଧର୍ମର ଜୟ ସୁନିଶ୍ଚିତ-। ଆଉ ଯଦି ହାରି ବି ଯାଏ, ଦୁଃଖ ନାହିଁ ଶାରଦା । ମୋ ନିଜ ପୁଅର ବ୍ରତ ବା ଝିଅର ବିବାହପାଇଁ ତ ମୁଁ ଧାଁଧପଡ଼ କରୁ ନାହିଁ ।

 

ଚନ୍ଦ୍ରମୋହନ ଦୌଡ଼ିଲେ ସହରକୁ । ଭଦ୍ରକ, ବାଲେଶ୍ଵର ଏବଂ ଶେଷରେ କଟକ ଓ ଭୁବନେଶ୍ଵର । ପିଟିସନ ଦାଖଲ କଲେ । ଖବରକାଗଜରେ ଛାପିଲେ । ତାଙ୍କୁ ସମର୍ଥନ କରୁଥିବା ଲୋକମାନଙ୍କ ସହିତ ଶୋଭାଯାତ୍ରା ବାହାର କଲେ । ଗୋଟିଏ ପ୍ରତିଜ୍ଞା, ଗୋଟିଏ ଲକ୍ଷ୍ୟ । ଗାଆଁର ପୁନର୍ଗଠନ କରିବାକୁ ହେବ । ଖାଲି ରାସ୍ତାଟି ସବୁଦିନିଆ ହୋଇଗଲେ ଚଳିବ ନାହିଁ । ସ୍କୁଲ ଉପରେ ଆଜବେଷ୍ଟସ୍ ବିଛେଇ ଦେଲେ କାମଶେଷ ହେବ ନାହିଁ । ଗାଆଁରେ ଆହୁରି ପାଞ୍ଚଟା ନଳକୂପ, ଚାଷର ସୁବିଧାପାଇଁ ଉଠା ଜଳସେଚନର ବ୍ୟବସ୍ଥା କରିବାକୁ ହେବ । ବିଜୁଳି ଶକ୍ତି ଆଣିବାକୁ ହେବ । ପଞ୍ଚାୟତକୁ ଗ୍ରାମର ବିକାଶ ନିମନ୍ତେ ଏକ ଅଜ୍ଞତା ଆଉ ଅତ୍ୟାଚାରୀ ମଣିଷର ଅହଂକାର ବିରୁଦ୍ଧରେ ଲଢିବାପାଇଁ ବଞ୍ଚିବାକୁ ହବ… ।

 

ଚନ୍ଦ୍ରମୋହନ ଫଗୁଣ ମାସର ଆକାଶକୁ ଚାହିଁ ଭାବୁ ଭାବୁ କେତେବେଳେ ଶୋଇ ପଡ଼ିଥିଲେ ଜାଣନ୍ତି ନାହିଁ । ଯେତେବେଳେ ଶାରଦାଙ୍କ ଭୟ ବିହ୍ଵଳ ଚିତ୍କାର ଶୁଣି ନିଦ ବାଙ୍ଗିଗଲା ସେ ଦେଖିଲେ ଘରେ ନିଆଁ ଲାଗି ଯାଇଛି । ଦକ୍ଷିଣା ପବନ ବାଜି ଚାଳରୁ ଚାଳକୁ ସଞ୍ଚରି ଯାଉଛି ନିଆଁ ଦାବାଗ୍ନି ପରି । ଚନ୍ଦ୍ରମୋହନ ଏକା ଦୌଡ଼ରେ ଗୋପୀନାଥକୁ କୋଳ ଉପରକୁ ଉଠେଇ ନେଇ ଶାରଦାମଣିଙ୍କ ଗୋଟେ ହାତ ଧରି କହିଲେ–ଚାଲ, ଚାଲ.. ହାତରେ ସମୟ ନାହିଁ ଆଉ ।

 

କିଏ ନିଆଁ ଲଗାଇଛି ସେ ସମ୍ପର୍କରେ ନିଃସନ୍ଦେହ ସେ । କବାଟ ଖୋଲି ଶାରଦାମଣିଙ୍କୁ ବାହାରକୁ ଠେଲିଦବା ପରେ ହଠାତ୍ ଆଗରେ ଖସି ପଡ଼ିଲା ଜଳୁଥିବା ଚାଳର ଅଂଶ ଶଣ୍ତେ । ପଛେଇ ଆସିଲେ ଚନ୍ଦ୍ରମୋହନ ।

 

ଆଗରେ, ପଛରେ, ଦୁଇ ପାଖରେ ନିଆଁ । ନିଆଁ ଘେରରେ ପଡ଼ିଗଲେ ଚନ୍ଦ୍ରମୋହନ । ପଳେଇବାର ସବୁ ପଥ ଅବରୁଦ୍ଧ । କୋଳରେ ଗୋପୀନାଥ… । ହଠାତ୍ ଗୋଟେ ଜଳନ୍ତା ବାଉଁଶ ଫୁଟି ଯାଇ ଛିଟିକି ପଡ଼ିଲା ତାଙ୍କ ଉପରେ । ଧରାଶାୟୀ ଚନ୍ଦ୍ରମୋହନଙ୍କର ମୁହଁରୁ ଶେଷକଥା ବାହାରି ପଡ଼ିଲା–ମୁଁ ହାରିଗଲି, ତମେ ବି ହାରିଗଲ ଗୋପୀନାଥ…. କିନ୍ତୁ ଏଇଠି ଏ ଲଢେଇ ସରିଯିବ ନାହିଁ… ମୋ ପରେ ଅନ୍ୟ କେହି ଲଢିବ… । ନୂଆ ରାସ୍ତାରେ ଚାଲିଲେ ମୂଲ୍ୟ ଦବାକୁ ହୁଏ-

☆☆☆

 

ମାତୃପୂଜା ମଣ୍ତପ

 

ମାତୃପୂଜା ମଣ୍ତପରେ ପ୍ରାୟ ଶହେବର୍ଷ ହେବ ନିରବିଚ୍ଛିନ୍ନ ଭାବରେ ଦୁର୍ଗାପୂଜା ହୋଇଆସୁଚି । ମାଟିମଣ୍ତପ ସ୍ଥାନରେ ଏବେ ପକ୍କା ମଣ୍ତପ ତିଆରି ହୋଇଚି । ଉପରେ ଟିଣ ଛାତ । ପୂଜାବେଳେ ନିର୍ବିଘ୍ନରେ ଯାତ୍ରା ବା ପାଲା କରିବାପାଇଁ ଥିବା ଖୋଲା ହଲ୍ ଉପରେ ଆଜବେଷ୍ଟସ୍‍ର ଛାତ । ଶହେ ବର୍ଷ ଆଗର ଚେହେରା ଆଉ ନାହିଁ, ମଣିଷମାନଙ୍କ ପରି ସହରର ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । ଗାମୁଛା ପିନ୍ଧା ଲୋକମାନଙ୍କ ବଦଳରେ ଏବେ ରାସ୍ତାରେ ବୁଲୁଥିବା ଅଧିକାଂଶ ଲୋକ ପେଣ୍ଟ ସାର୍ଟ ପିନ୍ଧା ଖାଲି ପାଦ ଆଉ ଦେଖିବାକୁ ମିଳେନି । ସମସ୍ତଙ୍କ ପାଦରେ ହାଓ୍ଵାଇ ଚପଲ । ଗରମ ସହି ନପାରି ଖାଲି ଦେହରେ ଦାଣ୍ତରେ ଆଉ କେହି ବୁଲନ୍ତିନି କି ଖରାଦିନରେ ମଣ୍ତପ ଉପରେ ସପ ପାରି ଆଗ ପରି ଆଉ ଶୁଅନ୍ତିନି । ଗରମ ଦିନରେ ବି ଗେଞ୍ଜି, ତା’ ଉପରେ ଜାମା ବାହାରେ ଭଦ୍ରଲୋକ ଶୁଅନ୍ତିନି । ପ୍ରାଇଭେସି ବୋଲି ଗୋଟେ ଏକାନ୍ତ ନିଜସ୍ଵ ବ୍ୟାପାର ଅଛି ତ !

 

କିନ୍ତୁ ଏ ସବୁ ପରିବର୍ତ୍ତନ ସତ୍ତ୍ଵେ ଆଧୁନିକ ମନ ତ୍ୟାଗ କରିପାରିନି ପ୍ରାଚୀନ ସଂସ୍କାରକୁ-। ସେଥିପାଇଁ ଯାନିଯାତ୍ରା ହୁଏ, ପାର୍ବଣ ହୁଏ । ଆନନ୍ଦରେ ସହର ମୁଖରିତ ହୋଇଯାଏ-। କିଣାବିକା ବଢ଼ି ବଢ଼ି ଚାଲିଛି । ପୁରୁଷ ଓ ସ୍ତ୍ରୀ ଦଳ ଦଳ ହୋଇ ଆସନ୍ତି ପୂଜା ଦେଖିବାପାଇଁ-। ଭୋଗ ଲଗାନ୍ତି-। ଧୂପ ଦୀପ ଦିଅନ୍ତି ।

 

ଏ ବର୍ଷ ଦୁର୍ଗାପୂଜା ସବୁ ବର୍ଷ ପରି ଯଥାରୀତି ଧୁମ୍‍ଧାମ୍ ରେ ହେବା କଥା । ଏଥିରେ କେହି କେବେ ସନ୍ଦେହ ପ୍ରକାଶ କରିନି ।

 

କିନ୍ତୁ ତଥାପି ପୂଜାଦିନ ପାଖେଇ ଆସିଲେ ବି ଏଯାଏ ପୂଜା କମିଟିର ପ୍ରଥମ ବୈଠକ ବି ବସି ନାହିଁ । ଗତ ବର୍ଷର ଆୟବ୍ୟୟ ମଞ୍ଜୁର କରିବାକୁ ପଡ଼ିବ, ଏ ବର୍ଷର ଅଟକଳ ଅନୁସାରେ ଚାନ୍ଦା ଆଦାୟ କରିବାକୁ ହେବ । ହରିପୁରର ଗଣନାଟ୍ୟ ବା ଯାଜପୁରର ଗଣନାଟ୍ୟ ଆସିବ ଏଯାଏ ସ୍ଥିର ହୋଇନାହିଁ । ତାହା ସ୍ଥିର କରିବାକୁ ସମୟ ଲାଗିବ ।

 

ଗତ ବର୍ଷ ପୂଜା କମିଟିର ପ୍ରେସିଡେଣ୍ଟ ଥିଲେ ସହଦେବ ଗଡ଼ନାୟକ । ସହରରେ ନାମଡାକ ଅଛି ତାଙ୍କର । ଏ ବର୍ଷ ସେ ଆଉ ପ୍ରେସିଡେଣ୍ଟ ରହିବ ନାହିଁ ବୋଲି ତିନିମାସ ଆଗରୁ ଜଣାଇ ଦେଇଛନ୍ତି । ବୟସ ହେଲାଣି । ସେ ବର୍ତ୍ତମାନର ସମୟ ସହିତ ନିଜକୁ ଖାପ୍‍ଖୁଆଇ ଚଳିପାରୁ ନାହାନ୍ତି । ଟୋକାମାନେ ତାଙ୍କର ବୋଲ ଆଉ ମାନୁ ନାହାନ୍ତି କି ସେ ରୁଚି ଅନୁସାରେ ନିଜକୁ ଚଳାଇ ପାରୁନାହାନ୍ତି ।

 

ଏ ବର୍ଷ ଆଉ ନୂଆ ପ୍ରେସିଡେଣ୍ଟ ନ ବାଛି ଭାଇସ୍ ପ୍ରେସିଡେଣ୍ଟଙ୍କଦ୍ଵାରା କାମ ଚଳାଇ ନବାପାଇଁ କେତେଜଣ ବୟସ୍କ ଲୋକ ଯେଉଁ ପ୍ରସ୍ତାବ ଦେଉଥିଲେ ତାହା ଯୁବକମାନେ ନାକଚ କରି ଦେଇଛନ୍ତି । ସାହିରେ କେତେଜଣ ନାମକରା ବୁଦ୍ଧିଜୀବୀ ଅଛନ୍ତି, କିନ୍ତୁ ସେମାନେ ନିଜ ନିଜ ଧନ୍ଦାରେ ବ୍ୟସ୍ତ । ଚାନ୍ଦା ଯାହା ଦବା କଥା ସେମାନେ ଦେବାରେ କାର୍ପଣ୍ୟ କରନ୍ତି ନାହିଁ, କିନ୍ତୁ ସାହିର ବା ସହରର ସାଧାରଣ ଭଲମନ୍ଦ ସହିତ ସେମାନଙ୍କର ସମ୍ପର୍କ ନ ଥାଏ । ସେମାନେ ସ୍ଵତନ୍ତ୍ର-

 

ତଥାପି ହଠାତ୍ ପ୍ରେସିଡେଣ୍ଟ ବାଛିବାପାଇଁ ପୂଜାମଣ୍ତପରେ ସନ୍ଧ୍ୟାରେ ଏକ ସଭା କରିବାପାଇଁ ଆୟୋଜନ ଆରମ୍ଭ ହୋଇଗଲା । ଯୁବକମାନେ ଆୟୋଜକ । ସେମାନଙ୍କର ସେଇ ଗୋଟିଏ କଥା, ବୁଢ଼ାମାନଙ୍କର ସମୟ ସରିଗଲାଣି, ସେମାନେ ଅକାମୀ ହୋଇଗଲେଣି ଅଚଳ ପଇସା ପରି ।

 

ସଭା ହେଲା । ବୟସ୍କମାନେ କହିଲେ ଉପ-ସଭାପତିଙ୍କୁ ସଭାପତି କରାଯାଉ । ଜଣେ ତରୁଣ ଉପ-ସଭାପତି ହୁଅନ୍ତି । ସଭାପତି ଯିଏ ସିଏ ହୋଇପାରିବ ନାହିଁ, ସେଥିପାଇଁ ଯୋଗ୍ୟତା ଦରକାର, ଟ୍ରେନିଂ ଦରକାର । ଜଣେ ଯୁବକ ଉପ ସଭାପତି ହେଲେ ସଭାପତିଙ୍କ ପାଖେ ପାଖେ ରହି କାମ ଶିଖିବେ । ବରଷେ ଦୁଇବରଷ ପରେ ସେ ସଭାପତି ହେବାରେ ବାଧା ରହିବ ନାହିଁ ।

 

ତରୁଣମାନେ ଏପରି ପ୍ରସ୍ତାବର ଘୋର ବିରୋଧ କଲେ । ବୟସ୍କମାନଙ୍କୁ ତୁଚ୍ଛାତାଚ୍ଛଲ୍ୟ କରି ମନ୍ତବ୍ୟ ଦେଲେ । କେତେକ ବୟସ୍କ ସଭାସ୍ଥଳ ଛାଡ଼ି ଚାଲିଗଲେ । ଆଉ ଜଣେ ଦୁଇଜଣ ଏପରି ଅଭଦ୍ର ବ୍ୟବହାରର ପ୍ରତିବାଦ କଲେ ।

 

ହଟ୍ଟଗୋଳ ମଧ୍ୟରେ ତରୁଣମାନଙ୍କର ପ୍ରତିନିଧି ନବୀନ କୁମାର ସାହୁ ସଭାପତି ହେଲେ ବୋଲି ଘୋଷଣା କରି ଦିଆଗଲା । ଉପ-ସଭାପତିଙ୍କୁ ତାଙ୍କ ଦାୟିତ୍ଵରୁ ଅବ୍ୟାହତି ଦେଇ ତାଙ୍କ ସ୍ଥାନରେ ଅଚ୍ୟୁତ ମିଶ୍ରଙ୍କୁ ଅବସ୍ଥାପିତ କରାଗଲା । ସମ୍ପାଦକ ପଦରେ ଯିଏ ଥିଲେ ସିଏ ପୂର୍ବତନ ସଭାପତିଙ୍କ ଚାମଚା ବୋଲି ତାଙ୍କୁ ଅନ୍ତର କରି ତାଙ୍କ ସ୍ଥାନରେ ରମଣୀରଞ୍ଜନ ମହାନ୍ତିଙ୍କୁ ସମ୍ପାଦକ କରାଗଲା ।

 

କେତେକ ବୟସ୍କ ଏହାର ପ୍ରତିବାଦ କରିବାରୁ ଠେଲା ପେଲା ଲାଗିଗଲା ଏବଂ ଠିକ୍ ସେଇ ସମୟରେ ଆଲୁଅ ଲିଭିଯିବାରୁ ଅବସ୍ଥା ଆହୁରି ଅସମ୍ଭାଳ ହୋଇପଡ଼ିଲା । ପୂର୍ବର ଉପ-ସଭାପତି ଓ ତାଙ୍କ ସମର୍ଥକମାନଙ୍କୁ ନିସ୍ତୁକ ମାଡ଼ମାରି ସେମାନଙ୍କର ଜାମା ଚିରି ଦିଆ ଯାଇଥିବା ପରେ ଜଣାପଡ଼ିଲା ।

ତା’ ପରଦିନ ସାହିର ଲୋକେ ଉଠିବା ପୂର୍ବରୁ କାନ୍ଥବାଡ଼ରେ କିଏ ସ୍ଲୋଗାନ ଲେଖି ଦେଇଥିଲା । ବୟସ୍କମାନେ ଛିଡ଼ାବସ୍ଥାର ସମର୍ଥକ ତାଙ୍କୁ ବହିଷ୍କାର କର, ନୂତନ ସମାଜ ନୂତନ ମନ, ବୁଢ଼ାଙ୍କର ସେଠି ନାହିଁ ସ୍ଥାନ । ଫାଶୀବାଦ ମୁର୍ଦ୍ଦାବାଦ, ତରୁଣ ତୁର୍କୀ ଜିନ୍ଦାବାଦ, ଗଣତନ୍ତ୍ର ଅମର ରହେ... ।

ଏଇ ସ୍ଲୋଗାନ କିଏ ଲେଖିଲା କେହି ଜାଣିଲେ ନାହିଁ, ପଚାରିଲେ ମଧ୍ୟ କେହି କହିଲେ ନାହିଁ । ସାହି ମୁଣ୍ତରେ ସିଧୁ ନାଏକର ଚା’ ବିସ୍କୁଟ ଦୋକାନ । ସେ ଜାଣିଥିବ ଭାବି ତାଙ୍କୁ କେତେଜଣ ପଚାରିଲେ । ସେ ଜାଣିଥିବା ପରି ଲାଗୁଥିଲେ ବି କିଛି କହିଲା ନାହିଁ । ପରେ ବହୁ ତାଡ଼ନା ପରେ କହିଲା, ଜୀବନକୁ ପାଣି ଛଡ଼ାଇ ସେମାନଙ୍କ ସହିତ ଲାଗିବି କାହିଁକି । ଯିଏ ପ୍ରେସିଡେଣ୍ଟ ହେଲେ ବି ମୋର କ’ଣ ଯାଏ ଆସେ । ମୁଁ ପଚିଶ ଟଙ୍କା ଚାନ୍ଦା ଦିଏ... ଏଥର ବି ସେୟା ଦେବି... । ପୂର୍ବତନ ଉପ-ସଭାପତି ଓ ତାଙ୍କର ଦୁଇ ଜଣ ସମର୍ଥକ ଲହୁଲୁହାଣ ହୋଇ ଗତ ରାତିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲେ ବି ସେମାନେ ରାତିରେ ହସ୍ପିଟାଲରେ ରହି ଯାଇଥିଲେ ନିରାପତ୍ତା ଦୃଷ୍ଟିରୁ । ସକାଳେ ଫେରିବାବେଳେ କାନ୍ଥବାଡ଼ରେ ଲେଖାଥିବା ସ୍ଲୋଗାନ ସବୁ ପଢ଼ିଲେ ।

ପୂର୍ବତନ ଉପ-ସଭାପତି କିନ୍ତୁ ଚା’ ଦୋକାନ ଆଗରେ ଛିଡ଼ା ହୋଇ କହିଲେ, କଥା ଏଇଠି ସରିଗଲାନି ଯେ ଏଇଠୁ ଆରମ୍ଭ ହେଲା ଜାଣ... ମୁଁ ଥାନାରେ ଡାଏରୀ ଦେଇ ଆସିଛି... ଏଇନେ ପୁଲିସକୁ ଫୋନ କରିବି ଏମାନଙ୍କର କୀର୍ତ୍ତି ଦେଖିଯିବାପାଇଁ ।

 

ଯୁବା ରକ୍ତ ଗରମ ବୋଲି ସକାଳେ ଉଠି ପାରିନ୍ତିନି ସେମାନେ । ସେଥିପାଇଁ ତାଙ୍କୁ ଜବାବ ଦବାପାଇଁ କେହି ନଥିଲେ ସେଠାରେ । ତଥାପି ଚା’ ଦୋକାନୀ ତାଙ୍କୁ ଶୀଘ୍ର ସେଠାରୁ ବିଦା କରିବାପାଇଁ ଆଉ ଚା’ ବିସ୍କୁଟ ପଇସା ମାଗିଲା ନାହିଁ, ବରଂ କହିଲା, ରାତିଟାସାରା ଥିବେ… ଘରକୁ ଯାଆନ୍ତୁ ବିଶ୍ରାମ କରିବେ… ସାରାରାତି ଉତ୍କଣ୍ଠାରେ କଟିଚି… ।

 

ସେମାନେ ଚାଲିଗଲେ ।

 

ସେମାନେ ଯିବାପରେ ନବୀନ କୁମାର ତା’ର ଦଳ ବଳ ଧରି ସେଠାରେ ପହଞ୍ଚିଲା ଏବଂ ସେମାନଙ୍କୁ ଚା’ ବିସ୍କୁଟ ଦେଇ ସ୍ଵାଗତ କରିଥିବାରୁ ସିଧୁ ନାଏକର ଚା’ ଦୋକାନରେ ନିଆଁ ଲଗାଇ ଦେଲା ।

 

ସିଧୁ ନାଏକ ସାହିର ଏ ମୁଣ୍ତରୁ ସେ ମୁଣ୍ତ ରଡ଼ି ଛାଡ଼ି ଦଉଡ଼ିଲା–ମୋ ଭେଳା ବୁଡ଼ିଗଲାରେ, ମୋ କୁଟୁମ୍ଵ ଓପାସ ରହିବେରେ... ମୁଁ ସରିଗଲିରେ... ।

 

ନବୀନ ତା’ ଗାଲରେ ଦୁଇ ଚଟକଣା କସିଦେଇ କହିଲା, ଭଲରେ ଭଲରେ ଘରକୁ ଯା କହୁଚି । ଧରିନେ କିଛି ହେଇ ନାହିଁ… ଏଠାରେ ତୋ ଦୋକାନ କେହି ପୋଡ଼ି ନାହିଁ କି ତୋତେ କେହି ମାରଧାର କରିନି… ଯଦି ପାଟି ଫିଟାଇବୁ ତୋ ଗଣ୍ତି ମୁଣ୍ତ ଅଲଗା କରି ଦିଆଯିବ । ତୋ ମାଇପ ଅକାଳରେ ବିଧବା ହେବ… ଶଳା ହାରାମଚାଦା କହୁଛି କଣନା ମୋ ଭେଳା ବୁଡ଼ିଗଲା… ମୋ କୁଟୁମ୍ଵ ମରିଗଲେ…. ଯାଉଛୁ ନା ବେ... ।

 

ସିଧୁ ସାହୁ ଆଉ ବିଳମ୍ଵ ନକରି ଆଖିରୁ ଲୁହ ପୋଛୁ ପୋଛୁ ଘରମୁହାଁ ହୋଇ ଚାଲିଗଲା ।

 

ସକାଳର ଶାନ୍ତ ପରିବେଶ ଛିନ୍ନଛତ୍ର ହୋଇଗଲା ପୋଡ଼ି ଯାଉଥିବା ଚା’ ଦୋକାନର ବାଉଁଶ ଫୁଟିବା ଶବ୍ଦରେ । ଚଢ଼େଇ ଗୁଡ଼ା ଫଡ଼ ଫଡ଼ କରି ଡ଼େଣା ଝାଡ଼ି ଉଡ଼ିଗଲେ ଦୂରକୁ । ସକାଳର ସୂର୍ଯ୍ୟ ମେଘ ଉହାଡ଼ରେ ମୁହଁ ଲୁଚାଇଥିଲା ଏଇ ଦୃଶ୍ୟ ଦେଖି ନପାରି ।

 

ନବୀନ ଏବଂ ତା’ର ଦଳ ସେଇଦିନୁ ବାହାରି ପଡ଼ିଲେ ଚାନ୍ଦା ଆଦାୟ କରିବାପାଇଁ । ପୂଜା ଆଉ ମାତ୍ର ପନ୍ଦର ଦିନ । ଏଥର ଖାଲି ଜାକଜମକରେ ପୂଜା ହେବ ନାହିଁ, ଗତ ଶହେ ବର୍ଷ ଧରି ଯାହା ଅସମ୍ଭବ ବୋଲି କୁହାଯାଉଥିଲା, ତାହା ସମ୍ଭବ ହେବ । ସାହିର ଝିଅମାନଙ୍କଦ୍ଵାରା ବସ୍ତ୍ରହରଣ ଗୀତିନାଟ୍ୟ ଅଭିନୀତ ହେବ । ଯୋଉ ଝିଅ ଏଥିରେ ପାର୍ଟ କରିବାପାଇଁ ରାଜି ନହେବ, ତାର ସୁରକ୍ଷା ଦାୟିତ୍ଵ ସାହିର ପିଲାଏ ନେବେ ନାହିଁ । ଚାନ୍ଦା ପ୍ରତି ବର୍ଷ ଦିଅନ୍ତି ସାହିବାଲା, ଏ ବର୍ଷ ବି ଦେଲେ । ବରଂ ଅନେକ ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ ବେଶୀ ଚାନ୍ଦା ଦେଲେ । ଚାନ୍ଦା ନବାଲାଗି ଆସିଥିବା ଟୋକାମାନଙ୍କୁ ଚା’, ସରବତ ଦ୍ଵାରା କେହି କେହି ଆପ୍ୟାୟିତ ବି କଲେ । କିନ୍ତୁ ସନ୍ଧ୍ୟାବେଳକୁ ଯୋଉମାନଙ୍କର ରିହରସାଲପାଇଁ ପୂଜାମଣ୍ତପକୁ ଆସିବାର ଥିଲା ସେମାନଙ୍କ ମଧ୍ୟରୁ ଜଣେ ଝିଅ ଆସିଲା ନାହିଁ ।

 

ନବୀନର ରାଗ ବ୍ରହ୍ମତାଳୁରେ ଉଠିଲା । ସେ ବାଣପରି ଫୁଟି ଉଠି କହିଲା, ମାଧୁରୀ ଦୀକ୍ଷିତ ଆସିନି ?

 

ତା’ ପ୍ରଶ୍ନର ଉତ୍ତର କେହି ଦବାଲାଗି ସାହସ କଲେନି । ସେଇ ନୀରବତା ହିଁ ସାକାର ହେଉଥିଲା ଉତ୍ତର ଭାବରେ ।

 

ପୁଣି ଗର୍ଜନ କଲା ନବୀନ, ମାଧୁରୀ ତା’ ହେଲେ ଆସିନି ?

 

–ନା... କିଏ ଜଣେ ସାହସ ସଞ୍ଚୟ କରି କହିଲା ।

 

ଟି ଭି ସିରିଏଲରେ ଦ୍ରୌପଦୀକୁ କୁରୁସଭାକୁ ଆସିବାର କିଏ ଦେଖିଛି... ?

 

ସମବେତ ସବୁ ଝିଅ ଶହରି ଉଠିଲେ ଆତଙ୍କରେ ।

 

ନବୀନ କହିଲା, ଦୌପଦୀକୁ ଯେପରି ଦୁଃଶାସନ ଟାଣି ଟାଣି ଆଣିଥିଲା କୁରୁରାଜସଭାକୁ ସେହିପରି ଆଜ୍ଞା ପାଳନ ନ କରିଥିବାରୁ ମାଧୁରୀ ଦୀକ୍ଷିତକୁ ଏଇ ପୂଜାମଣ୍ତପକୁ ଆଣିବା ଲାଗି ଦାୟିତ୍ଵ ଦିଆଗଲା ନିଶାକର ଆଉ କହ୍ନେଇକୁ ।

 

ନିଶାକର ଓରଫ୍ ନିଶାପତି ଜଂଘରେ ହାତ ପିଟି କହିଲା, ଯୋ ଆଜ୍ଞା !

 

କେହି ଜଣେ ପୋଲିସକୁ ଫୋନ କରି ଦେଇଥିବେ, ନ ହେଲେ ଠିକ୍ ସମୟରେ ସବ୍ଇନ୍ସପେକ୍ଟର ରମେଶ ଦତ୍ତ ମାଧୁରୀ ଦୀକ୍ଷିତର ଘର ଆଗରେ ପହଞ୍ଚିଯାଇ ନିଶାକର ଓ କହ୍ନେଇକୁ ଚକିତ କରି ଦେଇ ନ ଥାନ୍ତେ । କହ୍ନେଇ ନାମରେ ଦୁଇଟା କିଡ଼ନାପିଂ କେଶ୍ ଚାଲୁଚି, ନିଶାକର ନାମରେ ବଳାତ୍କାର କରିବା ଅଭିଯୋଗରେ ଗୋଟିଏ ଏବଂ ଜୋର୍ କରି ରେସ୍ତୋଁରା ଭିତରେ ପଶି ପଇସା ନ ଦେଇ ଖାଦ୍ୟ ଖାଇ ପଳାଇ ଯିବାର ଅଭିଯୋଗରୁ ଗୋଟିଏ କେଶ ଚାଲୁଛି । ଏମାନଙ୍କୁ ଖୋଜି ଖୋଜି ବି ପାଉ ନ ଥିଲେ ରମେଶ ଦତ୍ତ । ସହରର ଏମ୍.ଏଲ.ଏ.ଙ୍କ ଘନିଷ୍ଠ ବନ୍ଧୁ ଏମାନେ । ତାଙ୍କରି ଘରେ ଏ ଦୁଇ ଜଣଙ୍କୁ ସେ ତିନିଥର ଭେଟିଲେଣି, କିନ୍ତୁ ନ ଜାଣିବା ପରି ସେମାନଙ୍କୁ ଏଡ଼ାଇ ଯାଇଚନ୍ତି । ଥରେ ତ ମୁହାଁମୁହିଁ ହୋଇଯିବାରୁ ଏମ୍.ଏଲ.ଏ ଦୁଇ ବନ୍ଧୁଙ୍କୁ ସବ୍ ଇନ୍ସପେକ୍ଟରଙ୍କ ସହିତ ପରିଚୟ କରାଇ ଦେଇ କହିଲେ, ଏମାନଙ୍କୁ ଜାଣନ୍ତି ? ଇଏ ନିଶାକର ଆଉ ସେ କହ୍ନେଇ.. ଦରକାର ହେଲେ ସାହାଯ୍ୟ କରିବେ, ସେମାନେ ମୋ ନିଜଲୋକ । ସେମାନେ ଅଯଥାରେ ଯେପରି ହରକତ ନ ହୁଅନ୍ତି, ତାହା ଦେଖିବା ଆପଣଙ୍କର ଦାୟିତ୍ଵ ।

 

ଏମ୍.ଏଲ.ଏ.ଙ୍କ ସେଇ ଦୁଇଜଣ ନିଜ ଲୋକଙ୍କୁ ମାଧୁରୀ ଦୀକ୍ଷିତ ଘର ଆଗରେ ସନ୍ଦେହଜନକ ଭାବରେ ରାତି ନଅଟାରେ ବୁଲୁଥିବାର ଦେଖି୍ ସବ୍ ଇନ୍ସପେକ୍ଟର କହିଲେ, ଏଠି କଣ କରୁଛ ? ନିଶାକର ନିଶ ଉପରେ ହାତ ବୁଲାଇ ଆଣି କହିଲା ଏମ୍.ଏଲ୍.ଏ.ଙ୍କ କାମରେ ଆସିଥିଲୁ...

 

ସବ୍ ଇନ୍ସପେକ୍ଟର ରମେଶ ଦତ୍ତଙ୍କର ସବୁ ରାଗ ଦପ୍ କିନା ନିଭିଗଲା ଜଳି ଉଠୁଥିବା ନିଆଁ ଉପରେ ପାଣି ବାଲତିଏ ଢାଳିଦେଲେ ଯେପରି ହୁଏ ।

 

ସେ ଫେରି ଆସିଲେ । ସେଦିନ ବେଳକାଳ ଭଲ ନୁହେଁ ବୋଲି ନିଶାକର ଓ କହ୍ନେଇ ବି ଫେରିଗଲେ । ନବୀନ ସବୁ ଶୁଣିଲା । ଏଇ ବୋଧହୁଏ ସମ୍ମୁଖ ରଣାଙ୍ଗନରୁ ତାର ପ୍ରଥମ ପଛଘୁଞ୍ଚା ।

 

ପୂଜା କମିଟିର ସଭାପତି ସେ । ସମାଜର ଗଣ୍ୟମାନ୍ୟ ବ୍ୟକ୍ତି ।

 

ମାଧୁରୀ ଦୀକ୍ଷିତର ବାପା କିଲଟରୀରେ କିରାଣି କାମ କରନ୍ତି । ତାଙ୍କୁ ଜବତ କଲେ ମାଧୁରୀ ଆପେ ଆପେ ନିୟନ୍ତ୍ରଣକୁ ଆସିଯିବ ଭାବି ସେଦିନ ସନ୍ଧ୍ୟାରେ ସେ ନିଜେ ଗଲା ମଧୁସୂଦନ ଦୀକ୍ଷିତଙ୍କ ପାଖକୁ ।

 

ମଧୁସୂଦନ ଦୀକ୍ଷିତ ପୂଜାକମିଟିର ପ୍ରବଳ ସଭାପତିଙ୍କ ଆପ୍ୟାୟିତ କରିବାପାଇଁ କହିଲେ, ଆପଣ ସମାଜ ସେବାରେ ବ୍ରତୀ । ମନ୍ତ୍ରୀଙ୍କ ନିଜଲୋକ । ଆସନ୍ତା ନିର୍ବାଚନରେ ହୁଏତ ଏଇ ସହରରୁ ଛିଡ଼ା ହେବେ… ମୋ କାମ ଟିକେ କରନ୍ତେ ନାହିଁ ?

 

ନବୀନ ଉତ୍ସାହିତ ହୋଇ କହିଲା, ସେଥିପାଇଁ ତ ଆସିଚି । ଆମ ସାହିର ପୂଜା କମିଟିର ସଭାପତି ହେଲା ପରେ ସମସ୍ତଙ୍କ ସହିତ ସାକ୍ଷାତ୍ କରିବା, କାହାର କିଛି ଦୁଃଖ ବା ଅଭିଯୋଗ ଥିଲେ ତାହା ଦୂର କରିବାଲାଗି ପ୍ରତିକାରର ପନ୍ଥା ଖୋଜିବା ମୋର କାମ । ସେଥିପାଇଁ ଆପଣ ନିଶଙ୍କ ଚିତ୍ତରେ ସମସ୍ତ କଥା କହିପାରନ୍ତି । ମନେରଖନ୍ତୁ ଯେ ଆପଣ ଓ ମୋ ମଧ୍ୟରେ ଯେଉଁ ଆଲୋଚନା ହେବ, ତାହା ଗୋପନୀୟ ।

 

ମଧୁସୂଦନ ଦୀକ୍ଷିତ ସାହସ ପାଇଲେ ।

 

ଏଯାଏ ପାର୍ଲାମେଣ୍ଟ ସଦସ୍ୟ ଚାରୁଚନ୍ଦନ ମହାପାତ୍ରଙ୍କ ନିଜଲୋକ ବୋଲି ତାଙ୍କର ଜୁନିଅର ହୋଇ ବି ଶଙ୍ଖ ନନ୍ଦ ଭଲ ଭଲ ସିଟରେ କାମ କରିଆସୁଚି । ସେ ତାର ସିନିଅର୍ ହୋଇ ମଧ୍ୟ ଡେସ୍‍ପାଚ୍ ରେ ଅଛନ୍ତି । ଚିଠି ପଠାଇବା ସେକ୍‍ସନ୍ ତାଙ୍କ ଦାୟିତ୍ଵରେ । ଏଠାରେ ବେଶୀଦିନ ରହିଗଲେ ବଜାରର ଲୋକେ ବି ଚିହ୍ନିବେ ନାହିଁ । ଅଥଚ ଶଙ୍ଖ ନନ୍ଦର ବଜାରରେ କି ଆଦର ! ସେ ବିକ୍ରିକର ବିଭାଗର ଆସେସମେଣ୍ଟ ସେକ୍ସନ୍ ରେ କାମକରେ । ଅଫିସରେ ଯେପରି ତା’ ପାଖରେ ଭିଡ଼, ଘରେ ବି ସେହିପରି; ଆଉ ବଜାର ଭିତରେ ଚାଲିଗଲେ ସମସ୍ତଙ୍କ ଦୃଷ୍ଟି ପଡ଼େ ତାଙ୍କ ଉପରେ-। “ଆରେ ଚାଲି ଯାଉଚନ୍ତି ଯେ… ଚା’ ଟିକେ ପିଇ ଯାଆନ୍ତୁ’’, ଆଉ କେହି କହେ–“ଏଇ ଗରମ ପକୋଡ଼ି ଛାଣୁଚି ନଟ ଦୋକାନୀ, ଆସନ୍ତୁ, ଆସନ୍ତୁ । “ଆଉ କେହି ତାଙ୍କୁ ସଙ୍ଖୋଳି ଆଣିବା ଲାଗି ଉଠିଯାଇ କହେ–“କି ଅପୂର୍ବ ! ଆପଣ ! ପୁଣି ଏଇ ବଜାରରେ !”

 

ଶଙ୍ଖ ନନ୍ଦର ଆଖି ଉପରକୁ ଉଠିଯାଏ । ଘରକୁ ଫେରିବାବେଳେ ପରିବା, ମାଛ, ମିଠା ଭର୍ତ୍ତି ବେଗଟା କଷ୍ଟେମଷ୍ଟେ ନେଇ ଗଲାବେଳେ ଦେଖା ହୋଇଗଲେ ଖତେଇ ହେଲାପରି କହେ–“ହଇଓ ମଧୁବାବୁ… ବଜାର ସରିଲେ ତମେ କିଣିବ… ।’’ ସେଇ ବ୍ୟଙ୍ଗ ବିଦ୍ରୂପ ଭୁଲିଯାଇ ନାହାନ୍ତି ସେ । ଭୁଲିଯାଇ ନାହାନ୍ତି ପ୍ରତିଦିନ ଶଙ୍ଖ ନନ୍ଦଘରକୁ ଆସୁଥିବା ଲୋକମାନଙ୍କର ମୁହଁ । ପାଞ୍ଚ ବର୍ଷ ପୂର୍ବେ ସେ ପ୍ରତିଦିନ ସେଇ ଗୋଟିଏ ସାର୍ଟ ପିନ୍ଧି ଅଫିସକୁ ଆସୁଥିଲା ଏବେ ପ୍ରାୟ ପ୍ରତି ଦୁଇ ଦିନରେ ଥରେ ସାର୍ଟ ବଦଳ କରେ । ସୋମବାର, ଗୁରୁବାରକୁ ଛାଡ଼ି ପ୍ରତିଦିନ ମାଛ ଭଜା ବା ମାସଂରନ୍ଧାର ବାସ୍ନା ତାଙ୍କଘରୁ ଭାସିଆସି ନାକରେ ବାଜେ । ଶଙ୍ଖ ନନ୍ଦର ବାହାଦୁରୀ କିଛି ନାହିଁ ଏଥିରେ, ସେଇ ସିଟ୍ ର କରାମତି ସବୁ ।

 

ମଧୁସୂଦନ ଦୀକ୍ଷିତ କହିଲେ, ଆପଣ ପୂଜା କମିଟିର ସଭାପତି, ମୋ କାମ ଟିକେ କରାଇ ଦିଅନ୍ତୁ, ମୁଁ ଚିରକାଳ ମନେ ରଖିବି ।

 

ନବୀନ ଏଇ ସୁଯୋଗର ଅପେକ୍ଷା କରୁଥିଲା । ସେ ନିର୍ଭର ପ୍ରତିଶ୍ରୁତି ଦେଇ କହିଲା, ଆଗେ କଣ କାମ କହନ୍ତୁ… । ନିହାତି ଅସମ୍ଭବ ନ ହେଲେ ହେଲା ବୋଲି ଧରି ନିଅନ୍ତୁ… ।

 

ଏଇ ଶଙ୍ଖ ନନ୍ଦ, କିଲଟରୀର ସେଲ୍‍ସଟାକ୍ସ ବିଭାଗରେ ମୋ ସହିତ କାମ କରେ । କିନ୍ତୁ ଚାରିବର୍ଷ ହେଲା ଡେସ୍‍ପାଚ୍ ସେକ୍ସନ୍ ରେ ମୁଁ କାମ କରୁଚି, ଆଉ ସେ କାମ କରୁଚି ଆସେସମେଣ୍ଟ ସେକ୍ସନ୍ ରେ... ତାର ସୁବିଧାଟା ବୁଝି ପାରୁଥିବେ ନିଶ୍ଚୟ, ଅଥଚ ସେ ମୋର ଜୁନିଅର୍... ।

 

“ଓ ଏଇ ସାମାନ୍ୟ ବିଷୟ... ।’’ ଫୁଟୁକିମାରି କହିଲା ନବୀନ । “ମୁଁ ମାସକ ମଧ୍ୟରେ ଯଦି ତା’ ଜାଗାରେ ଆପଣଙ୍କୁ ବସାଇ ନ ଦେଇଛି ମୋ ନାମ ନବୀନ ନୁହେଁ... ।

 

“ଆପଣ ମୋ କାମ କଲେ ମୁଁ କ’ଣ ଆପଣଙ୍କ କାମ କରିବି ନାହିଁ ?

 

କାମ ପଡ଼ିଲେ ନିଶ୍ଚୟ ଆସିବି ଆପଣଙ୍କ ପାଖକୁ । ତେବେ ଏଇନେ ଗୋଟେ ଜରୁରୀ କାମରେ ହାତ ଦେଇଛି ପୂଜା ପାଖେଇ ଆସୁଚି । ବସ୍ତ୍ରହରଣ ଗୀତିନାଟ୍ୟ ମଞ୍ଚସ୍ଥ କରିବାପାଇଁ ପିଲାମାନେ ଜୋର୍ ଦେଇଛନ୍ତି... ଆମ ସାହିର ପୁଅ ଝିଅ ଯଦି ଏ କାମ ନ କରିବେ ଆଉ କିଏ କରିବ ?

 

ଭଲ କଥା... ସାହିର ପିଲାଙ୍କ ମଧ୍ୟରେ ଯେଉଁ ପ୍ରତିଭା ଲୁଚି ରହିଛି ତାକୁ ପଦାକୁ ଆସିବାର ଏଇ ଗୋଟେ ସୁଯୋଗ... ଭଲ କାମରେ ହାତ ଦେଇଛନ୍ତି ଯେତେବେଳେ ଅସୁବିଧା ରହୁଛି କେଉଠି ?

 

ସମସ୍ତେ ରିହରସାଲକୁ ଯାଆନ୍ତି, କିନ୍ତୁ ମାଧୁରୀ ଯାଏ ନାହିଁ । ଆପଣ ବୋଧହୁଏ ପର୍ ମିସନ୍ ଦେଇ ନାହାନ୍ତି ।

 

ନା, ମୁଁ ଜାଣେନି କିଛି । ସେ ପାଉ... ଆପତ୍ତି କରିବାର କାରଣ କଣ ବା ଥାଇପାରେ ! ଆପଣଙ୍କ ପରି ବଡ଼ ବଡ଼ ପ୍ରତିଷ୍ଠାବାନ୍ ବ୍ୟକ୍ତି ସେଠାରେ ଅଛନ୍ତି... ।

 

ନବୀନ ଆସିଲାବେଳେ କହି ଆସିଲା ପ୍ରଥମ ଦିନ ସେ ନିଜେ ଯଦି ମାଧୁରୀକୁ ଆଣି ଛାଡ଼ି ଦେଇ ଯାଆନ୍ତେ ତା ଲାଜ ବି ଭାଙ୍ଗନ୍ତା ଆଉ ସେ ନିଜେ ବି ଦେଖି ଆସନ୍ତେ କଣ ହେଉଛି ସେଠାରେ.... ।

 

ମଧୁସୂଦନ ଦୀକ୍ଷିତ ନବୀନ କଥାରେ ସମ୍ମତି ଜଣାଇ କହିଲେ... ହଁ, ହଁ.. ମୁଁ ନିଶ୍ଚୟ ଆସିବି । ମହାଷ୍ଟମୀ ରାତିରେ ବସ୍ତ୍ରହରଣ ଗୀତିନାଟ୍ୟ ଅଭିନୀତ ହେଲା । ସାଜସଜା ଓ ଅଭିନୟର ପ୍ରଶଂସା ସମସ୍ତଙ୍କ ମୁହଁରୁ ଶୁଣାଗଲା ଏବଂ ସେଥି ସଙ୍ଗେ ସଙ୍ଗେ ତା’ର ସାଧାରଣ ଜନସେବକ ଜୀବନର ଭିତ୍ତିଭୂମି ପ୍ରସ୍ତୁତ ହୋଇଗଲା । ଏବେ ଗୋଟିଏ ପାହାଚରୁ ଆଉ ଗୋଟିକୁ ଯିବାଲାଗି କଷ୍ଟ ହେବ ନାହିଁ । ପୂଜା କମିଟିର ସଭାପତି ମ୍ୟୁନିସିପାଲିଟିର ଚେୟାରମ୍ୟାନ ଏବଂ ତା’ପରେ ଏମ.ଏଲ.ଏ ହେବା ହିଁ ସ୍ଵାଭାବିକ ।

 

ବିଜୟା ଦଶମୀ ଦିନ ଗୀତିନାଟ୍ୟରେ ଅଭିନୟ କରିଥିବା ସମସ୍ତଙ୍କୁ ଏକ ସମ୍ଵର୍ଦ୍ଧନା ଦିଆଗଲା । ସମ୍ଵର୍ଦ୍ଧନା ପରେ ଖିଆପିଆର ବ୍ୟବସ୍ଥା ଥିଲା । ସବୁ ଶେଷ ହେବାବେଳକୁ ରାତି ଏଗାରଟା ବାଜିଗଲା । ଝିଅମାନେ ବ୍ୟସ୍ତ ହେଉଥିଲେ ଫେରିବାପାଇଁ । ନବୀନ କୁମାର ସମସ୍ତଙ୍କର ଦାୟିତ୍ଵ ନେଇଥିବାରୁ କୌଣସି ଅଭିଭାବକ ବିକଳ୍ପ ବ୍ୟବସ୍ଥା କରିବାଲାଗି ସାହସ କରି ନାହାନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଗୋଟେ ପିକ୍ ଅପ୍ ଭ୍ୟାନ ଆସି ପହଞ୍ଚିଲା ସେମାନଙ୍କୁ ନେଇ ଘରେ ଛାଡ଼ି ଆସିବାପାଇଁ । ଆଠ ଜଣ ଝିଅ ସେଥିରେ ଗଲେ ମାଧୁରୀ ଦୀକ୍ଷିତ ସମେତ । ଆଉ ତିନି ଜଣଙ୍କ ଘର ପୂଜାମଣ୍ତପ ନିକଟରେ, ତେଣୁ ସେମାନଙ୍କର ଚାଲିଯିବାରେ କିଛି ଅସୁବିଧା ହେଲା ନାହିଁ ।

 

ଜଣ ଜଣ କରି ସାଧାରଣ ଓହ୍ଲାଇ ମାଧୁରୀର ଘର ଆଗରେ ଗାଡ଼ି ଛିଡ଼ା ହେବାର କଥା, କିନ୍ତୁ ଗାଡ଼ି ସେ ରାସ୍ତାରେ ନ ଯାଇ ଗଲା ରିଙ୍ଗରୋଡ଼୍ ରାସ୍ତାରେ ।

 

ମାଧୁରୀ ପ୍ରତିବାଦ କଲା ।

 

କିନ୍ତୁ ନବୀନ କହିଲା, ମୁଁ ଅଛି ତମର ଭୟ କଣ ?

 

ସାଢ଼େ ଏଗାରଟା ବାଜିଲାଣି... ଏତେବେଳେ ଆଉ କୌଣସିଠାରେ ସମୟ ନଷ୍ଟ ନ କରି ମୁଁ ଘରେ ପହଞ୍ଚିବା ଦରକାର ।

 

ଆହୁରି ଜୋର୍ ରେ ଚାଲିଲା ଗାଡ଼ି ।

 

ମାଧୁରୀ ବିରକ୍ତ ହୋଇ କହି ପକାଇଲା, ମୋତେ ସିଧା ଘରକୁ ନ ନେଲେ ମୁଁ ଗାଡ଼ିରୁ ଡିଆଁ ମାରିଦେବି ।

 

ଝଲକାଏ ହସ ହସି କହିଲା ନବୀନ, ତମେ ରାଗିଗଲେ ଆହୁରି ସୁନ୍ଦର ଦେଖାଯାଅ ମାଧୁରୀ ! ସେତେବେଳକୁ ଗାଡ଼ି ପୁରୀଘାଟ ରୋଡ଼୍ ଅତିକ୍ରମ କରି ଖାନନଗର ଶ୍ମଶାନଆଡ଼କୁ ଅଗ୍ରସର ହେଉଥିଲେ ।

 

ସତକୁ ସତ ମାଧୁରୀ ଡେଇଁପଡ଼ିବାକୁ ଯିବାବେଳେ ତାକୁ ଧରି ପକାଇଲା ନବୀନ । ଗାଡ଼ି ଛିଡ଼ା ହେଲା ଗୋଟେ ଘର ଆଗରେ ।

 

ଆଉ ଶୂନ୍ୟେ ଶୂନ୍ୟେ ମାଧୁରୀକୁ ଟେକି ନେଇ ଘର ଭିତରେ ପଶିଗଲା ନବୀନ ।

 

କିନ୍ତୁ ଘର ଭିତରକୁ ଯିବା ପୂର୍ବରୁ ଚିତ୍କାର କରିଥିଲା ମାଧୁରୀ... ବଞ୍ଚାଅ ବଞ୍ଚାଅ... । ତା’ ମୁହଁ ଉପରେ ନିଜର ମୁହଁ ଜାକି ରଖିଲା ନବୀନ, ସେଇ ଆର୍ତ୍ତଚିତ୍କାର କିନ୍ତୁ ଆସୁଥିବା ମଧ୍ୟ ରାତ୍ରିର ନୀରବତାକୁ ଖଣ୍ତ ଖଣ୍ତ କରିଦେଲା, ଯେପରି କାଚ ଉପରେ କାଚ ବାଜିଲେ ଖଣ୍ତ ଖଣ୍ତ ହୋଇ ଖସିପଡ଼େ ଝରକା ।

 

ଦୁଇଘଣ୍ଟା ପରେ ଯେତେବେଳେ ମାଧୁରୀ ଏକା ବାହାରି ଆସିଲା ଘରୁ ସେତେବେଳେ ଝଡ଼ ଭିତରୁ ବାହାରି ଆସୁଥିବା ବ୍ୟକ୍ତି ପରି ଜଣା ପଡ଼ୁଥିଲା ସେ । ମଥାର ବାଳ ଉନ୍ମୁକ୍ତ ଓ ଅବିନ୍ୟସ୍ତ । ଦେହର ଲୁଗାଜାମା ଲୁଚାକୋଚା । କିନ୍ତୁ ଆଖି ଯୋଡ଼ିକ ଦିଶୁଥିଲା ବାଗ୍ନିପରି ଉନ୍ମତ୍ତ ।

 

ମାଧୁରୀ ଆଉ ଭୟ କରୁ ନଥିଲା । ଶଙ୍କା ବା ସଂକୋଚ ନ ଥିଲା ଏତେ ରାତିରେ ଦ୍ରୁତଗତିରେ ଘରମୁହାଁ ଚାଲିବାପାଇଁ ।

 

ଘରେ ପହଞ୍ଚି ସେ କେତେବେଳେ ଥାନାରେ ପହଞ୍ଚିଲା ନିଜେ ବି ଜାଣି ପାରିଲା ନାହିଁ । ଥାନାବାବୁ ଶୋଇଥିଲେ ଅଫିସ ଭିତରେ ।

 

ବାହାରେ ସଜାଗ ଥିବା କନେଷ୍ଟବଲ୍‍ ପଚାରିଲା, ତମେ କିଏ... ଏତେ ରାତିରେ କାହିଁକି ଆସିଛ ?

 

ମାଧୁରୀ କହିଲା, ଇନ୍ସପେକ୍ଟରଙ୍କୁ ଡାକ… ମୋର କିଛି କହିବାର ଅଛି । ଇନ୍ସପେକ୍ଟର ଉଠିଲେ । ନିଦ ମଦମଳ ଆଖିରେ ମାଧୁରୀକୁ ଥରେ ପାଦରୁ ମଥା ପର୍ଯ୍ୟନ୍ତ ଦେଖିନେଇ କହିଲେ କଣ କୁହ ।

 

ମୁଁ ଜଣକୁ ହତ୍ୟା କରିଛି…

 

ତା କଥା ଯେପରି ଶୁଣି ପାରିଲେନି ଇନ୍ସପେକ୍ଟର ।

 

ମୁଁ ଜଣକୁ ହତ୍ୟା କରଛି..

 

ଚମକି ପଡ଼ି ତା’ ମୁହଁକୁ ଚାହିଁଲେ ଇନ୍ସପେକ୍ଟର୍ । ହଠାତ୍ ଯେପରି ଶିକାର କରିଥିବା ବାଘ ଦେଖିଲେ ଚମକି ପଡ଼େ ମଣିଷ ।

 

କଣ କହିଲ ଆଉ ଥରେ କହ…

 

ମୁଁ ଜଣକୁ ହତ୍ୟା କରିଚି… ତାର ନାମ ନବୀନ କୁମାର,,. ପୂଜା କମିଟିର ସଭାପତି... ମନେ ରହିଲା ?

☆☆☆

 

ମୋ ଝିଅ ପରି

 

ସହଦେବ ଜାଣି ନଥିଲା ଯେ ଦିନେ ଏପରି ହେବ । ପିଲାଦିନେ ଜେଜେବାପା ତାକୁ କହିଥିଲେ ମଣିଷ ପରି ମଣିଷଟିଏ ହେବାପାଇଁ ଏବଂ ଆହୁରି ବି କହିଥିଲେ ବଡ଼ ଲୋକଙ୍କ ପଛେ ପଛେ ଚାଲିବାପାଇଁ । ମଣିଷ ପରି ମଣିଷଟିଏ ହେବାପାଇଁ ବଡ଼ ଲୋକଙ୍କ ପଥ ଅନୁସରଣ କରିବା ଦରକାର ହୁଏ ବୋଲି ସେ ଧରି ନେଇଥିଲା । ସେଇ ଦିନୁ ସେମାନଙ୍କ ମାର୍ଗ ଅନୁସରଣ କରି ଆସୁଛି, କିନ୍ତୁ କ୍ରମଶଃ ସେ ଅନୁଭବ କରିବାକୁ ଲାଗିଛି ଯେ ସେଇ ମାର୍ଗ ସରଳ ରେଖା ପରି ବା ଜଗନ୍ନାଥ ସଡ଼କ ପରି ଲମ୍ଵି ଯାଇନି ଆଗକୁ । ଜାଲ ମଝିରେ ବୁଢ଼ିଆଣୀ ଥିବାପରି ବଡ଼ ମଣିଷ ସବୁ ନିଜ ନିଜ ଜାଲର ମଝିରେ । ଆଉ ବୁଢ଼ିଆଣୀ ଜାଲରୁ ସେ ବାହାରି ନପାରିବା ପରି ସେଇ ବଡ଼ ମଣିଷମାନେ ଜାଲରୁ ଆଉ ବାହାରି ପାରନ୍ତି ନାହିଁ । ସବୁ ବାଟ ବନ୍ଦ ହୋଇଯାଏ । ସବୁ ଦିଗ ଗୋଟିଏ ହୋଇଯାଏ । ତାଙ୍କ ପଛେ ପଛେ ଚାଲୁଥିବା ଲୋକ ତ ସେହିପରି ବନ୍ଦି ହୋଇଯାଏ । ଜାଲରେ ଛନ୍ଦି ହୋଇ ନିଜ ଇଚ୍ଛାନୁସାରେ ନ ଚାଲି ଆଉ କାହା ପଛରେ ଚାଲିବାର ଯନ୍ତ୍ରଣା ସହି ସହି ଦେହସୁହା ହୋଇଗଲାଣି ବୋଲି ସେ ମୁକ୍ତିର ସ୍ଵପ୍ନ ଦେଖେ ନାହିଂ । ବରଂ ସେଇ ଯନ୍ତ୍ରଣାମୟ ମୁଖକୁ ନେଇ ସେ ନିଜର ଜଗତ ତିଆରି କରି ଚାଲିଛି ।

 

ସହଦେବ ସିଂ କିନ୍ତୁ ଏମିତି ନ ଥିଲା । ଜଣେ ଭଲ ଲୋକ ବୋଲି ନାମ ଡାକ ଦଶ ଜଣଙ୍କ ମଧ୍ୟରେ । କିନ୍ତୁ ଯେଉଁଦିନ ତାର ଷୋହଳବର୍ଷର ଝିଅକୁ କଲେଜରୁ ଫେରିବା ବାଟରେ ଅପହରଣ କରିନେଲେ ଦୁର୍ବୃତ୍ତମାନେ । ସେଇଦିନୁ ସେ ବାଚାଳପରି ବୁଲୁଛି । କେତେ ବଡ଼ ବଡ଼ ନେତା, ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ଵାରସ୍ଥ ହେବାସତ୍ତ୍ଵେ ରୁମା ଆଉ ମିଳିଲା ନାହିଁ କି ତାର କୌଣସି ସନ୍ଧାନ ପଇଲା ନାହିଁ ସହଦେବ । ସ୍ତ୍ରୀ ତ ଆଗରୁ ଚାଲି ଯାଇଥିଲା ସ୍ଵର୍ଗକୁ, ସେ ଏବେ ଏକା ନର୍କ ଯନ୍ତ୍ରଣାରେ ଘାଣ୍ଟି ହେଉଛି ରୁମା ମନେ ପଡ଼ିଲେ ପ୍ରାଣ ଆକୁଳ ହୁଏ, ସେ ମ୍ରିୟମାଣ ହୋଇଯାଏ ଶୋକରେ । ସେଇ ଦୁଃଖ ଶୋକରୁ ମୁକ୍ତି ପାଇବାପାଇଁ ସେ ନିଶା ଖାଇବାକୁ ଆରମ୍ଭ କଲା । ତାହା ବି ଘଟିଥିଲା ସେଇ ବଡ଼ଲୋକଙ୍କ ପଛରେ ଯିବାବେଳେ ।

 

ରାଉରକେଲା ଶିଳ୍ପାଞ୍ଚଳର ଲୋକ ପ୍ରତିନିଧ୍ ଭାସ୍କର ପଟ୍ଟନାୟକଙ୍କ ନାମ ସମସ୍ତ ସହରବାସୀଙ୍କ ମୁଖସ୍ଥ । ଦିନେ ତାଙ୍କ ପାଖକୁ ଯାଇଥିଲା ସହଦେବ ଦୁଃଖ ଜଣାଇବାପାଇଁ । ସେ ତରତର ହେଉଥିଲେ ଗୋଟେ ସଭାକୁ ଯିବାପାଇଁ । ତଥାପି ଠିଆ ଠିଆ ସହଦେବର ଦୁଃଖ ଶୁଣି ତାକୁ ସାନ୍ତ୍ଵନା ଦବା ପରି କହିଲେ–ବଡ଼ ଦୁଃଖର କଥା । ଷୋହଳବର୍ଷର ଝିଅ ଚାଲିଗଲେ କିଏ ଭାଙ୍ଗି ନ ପଡ଼ିବ ଯେ…. କିନ୍ତୁ ମୁହଁ ମାଡ଼ି ଘରେ ପଡ଼ି ରହିଲେ ତ ଝିଅ ଲେଉଟି ଆସିବ ନାହିଁ, ତାକୁ ଖୋଜିବାକୁ ହେବ.... । ଆଉ ଏଇ ଖୋଜିବା କାମ ବି ଏକା ଏକା କରି ହୁଏ ନାହିଁ । ଏଥିପାଇଁ ଆଉ ପାଞ୍ଚଜଣଙ୍କର ସାହାଯ୍ୟ ଦରକାର ହୁଏ । ମୁଁ ପୁଲିସ ସାହେବଙ୍କୁ କହିବି ନିଶ୍ଚୟ, ମନ୍ତ୍ରୀଙ୍କୁ ବି, କିନ୍ତୁ ତମେ ମାଧବ ସହିତ ପରାର୍ମଶ କରି କାମରେ ଲାଗିଯାଅ । ମାଧବ ମୋର ଖାସ୍ ଲୋକ, ମୋ ମୁହଁର କଥା ସେ କହେ... । ସେଇଦିନୁ ସହଦେବ ମାଧବର ଅନୁସରଣ କରିବାକୁ ଲାଗିଲା ।

 

ମାଧବଠାରୁ ସେ ଜାଣିଲା ଲୋକ ପ୍ରତିନିଧିଙ୍କ ଅଖଣ୍ତ ପ୍ରତାପ ଓ ଅସୀମ ସାମ୍ରାଜ୍ୟ ସମ୍ପର୍କରେ । କାଗଜ କଲମରେ ସେ କେବଳ ରାଉରକେଲାର ଲୋକ ପ୍ରତିନିଧି, କିନ୍ତୁ ତାଙ୍କ ବାହୁଛାୟା ତଳେ ନିଶ୍ଚିନ୍ତରେ ରହନ୍ତି ଖଣ୍ତମଣ୍ତଳର ଲୋକ । ସହଦେବର ମନ ଦୁର୍ବଳ ହୋଇଯାଇଥିଲା ଝିଅକୁ ହରେଇ । ଅପମାନ ଭୟରେ ସହର ଛାଡ଼ି ପଳେଇ ଆସିଥିଲା । ସହର ରାସ୍ତାରେ ନ ଚାଲି ଲୁଚି ଲୁଚି ଯିବା ଆସିବା କରୁଥିଲା । ତରୁଣୀ ଝିଅ । କିଏ କେତେ ପ୍ରକାର କହିଲେ । କିନ୍ତୁ କାହା ମୁହଁରେ ବାଡ଼ବତା ଦେଇ ପାରିଲାନାହିଁ ସହଦେବ । ଦାଣ୍ତର କଥା ଘରକୁ ଆସିଲା । ସେ ସବୁ ଶୁଣିଲା ଦୁଇ କାନରେ ଏବଂ ଧୀରେ ଧୀରେ ତା’ ମନରେ ଆକ୍ରୋଶ ଦାନା ବାନ୍ଧିବାକୁ ଲାଗିଲା । ପ୍ରତିଶୋଧ ନେବାକୁ ଇଚ୍ଛା ହେଲା । ଯିଏ ରୁମାକୁ ଅପହରଣ କରି ନେଇଛି, ତାକୁ ସେ କେବଳ ଶାସ୍ତି ଦେବ ନାହିଁ, ରୁମାର ଅପହରଣ ସମ୍ଵନ୍ଧରେ ଯେଉଁମାନେ ନାନାଦି ଅପବାଦ ରଚନା କରୁଛନ୍ତି, ସେଇମାନଙ୍କୁ ବି କ୍ଷମା ଦେବ ନାହିଁ । ରୁମା ପରି ନିରୀହ, ପବିତ୍ର ଝିଅ ନାମରେ ଯେଉଁମାନେ ଗୁଜବ ରଟନା କରୁଛନ୍ତି, ସେମାନଙ୍କର ଜିଭ କାଟିଦେବ ।

 

ମାଧବ ତାକୁ ଉତ୍ସାହିତ କଲା । ତାହାରିଠାରୁ ସହଦେବ ଜାଣିଲା ଯେ ଦୁଃଖ ଭୁଲିବାପାଇଁ ମଦ୍ୟପାନ ଦରକାର । ମାଧବ ସହିତ ସେ ମଦ୍ୟପାନ ଆରମ୍ଭ କରିଦେଲା । ଏବେ ତ ଏକା ଏକା ବି ପିଏ । ସ୍ଥାନ କାଳପାତ୍ର ବିବେଚନା ନ କରି ଯେଉଁଠି ସୁବିଧା ବା ଆବଶ୍ୟକ ହୁଏ ସେଠାରେ ପିଏ । ସେଇ ମାଧବ ତାକୁ କହିଥିଲା ଅପରାଧୀମାନଙ୍କର ଜଗତ ସମ୍ଵନ୍ଧରେ । ସଂସାରରେ ଏପରି କିଛି ଅପରାଧ ନାହିଁ, ଯାହା ବିନା ସଂକୋଚରେ ସେମାନେ ନ କରନ୍ତି । ଲୋକ ପ୍ରତିନିଧିଙ୍କ ହାତମୁଠାରେ ସେମାନେ । ତାଙ୍କ ସମ୍ଵର୍ଦ୍ଧନା ସଭାକୁ ସେମାନେ ଲୋକ ଆଣନ୍ତି, ପୁଣି ତାଙ୍କ ପ୍ରତିପକ୍ଷର ସଭାକୁ ସେଇମାନେ ଭାଙ୍ଗନ୍ତି । ସହରରେ ଶାନ୍ତିରକ୍ଷା କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ସ୍ଵେଚ୍ଛାସେବକଭାବରେ ବ୍ୟବହାର କରାଯାଏ, ପୁଣି ଶାନ୍ତିଭଙ୍ଗର କାରଣ ବି ସେଇମାନେ । ସେମାନେ ଚୋର, ସେମାନେ ବି ପୋଲିସ । ସେଇ ଅପରାଧର ଜଗତକୁ ଟାଣି ହୋଇ ଚାଲିଗଲା ସହଦେବ । ରୁମାକୁ ଖୋଜିବାକୁ ବାହାରି ସେ ଗୋଟିଏ ସ୍ଵାର୍ଥ ପଛରେ ଧାଇଁବାକୁ ଲାଗିଲା । ଭୂମିତଳେ ଅପରାଧୀମାନେ ଆତଯାତ ହୁଅନ୍ତି । ବ୍ରାହ୍ମଣୀ ନଦୀକୂଳରେ ଥିବା ଗୋଟିଏ ପାହାଡ଼ ଅଭୟାଶ୍ରମରେ ସହଜ ଲବ୍ଧ । ମାଧବ ତାକୁ ଖଡ଼ିଧରା ଶିଖାଇଥିଲା, ଏବେ ସେ ନିଜେ ମାଷ୍ଟର । ଅଫିମ, ଗଞ୍ଜେଇଠାରୁ ଆରମ୍ଭ କରି ହେରୋଇନ୍, ବ୍ରାଉନ୍ ସୁଗାର ସବୁ ପ୍ରକାର ଭୟଙ୍କର ନିଶା ଦ୍ରବ୍ୟର କାରବାରର କେନ୍ଦ୍ରସ୍ଥଳ ଅଭୟାଶ୍ରମ ।

 

ଦିନେ ମଦ ପିଇଲାବେଳେ ସହଦେବର ପ୍ରଶ୍ନର ଉତ୍ତର ଦେଇ ମାଧବ କହିଥିଲା ଯେ ଭାସ୍କର ପଟ୍ଟନାୟକ ହିଁ ପ୍ରକୃତରେ ଅଭୟାଶ୍ରମର ସଞ୍ଚାଳକ । ତାଙ୍କରି ଲଙ୍ଗିତ ଓ ନିର୍ଦ୍ଦେଶରେ ଯାହାକିଛି ହୁଏ । ଏହାର ଲାଭାଂଶରେ ତାଙ୍କର ଯେମିତି ଅଧିକାର, କ୍ଷତିରେ ମଧ୍ୟ ତାଙ୍କର ସେହିପରି ଲୋକସାନ । ଏଇ ଅଭୟାଶ୍ରମର ସଭ୍ୟମାନଙ୍କ ବାହୁବଳ ତାଙ୍କରି ଆଜ୍ଞାରେ ପରିଚାଳିତ-। ସେ ଆଖି ମାରିଲା କ୍ଷଣି ଖଣ୍ତ ପ୍ରଳୟ କରିବାକୁ ବାହାରି ପଡ଼ନ୍ତି ଏମାନେ ପ୍ରଶ୍ନ ନ ପଚାରି-। ପାଞ୍ଚବର୍ଷ ତଳେ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଭାସ୍କର ପଟ୍ଟନାୟକଙ୍କ ପୁତୁରାକୁ ଚାକିରି ଦେଲେ ନାହିଁ ବୋଲି ସ୍ଥାନୀୟ ଲୋକଙ୍କ ସ୍ଵାର୍ଥ କର୍ତ୍ତୃପକ୍ଷଙ୍କ ଦ୍ଵାରା ଅବହେଳିତ ହେଉଥିବା ଦର୍ଶାଇ ପାଇବା ଲାଗି ଦାବି କରି ଦଣ୍ତ ଦିନ ଧରି ଯେଉଁ ଧର୍ମଘଟ ହୋଇଥିଲା ତାହା କିଏ ନ ଜାଣେ । ଧର୍ମଘଟରେ ବିଜୟୀ ହେଲେ ଭାସ୍କର ପଟ୍ଟନାୟକ । କେତେଜଣ ଆଦିବାସୀ ଚାକିରି ପାଇଲେ । ତା’ ସହିତ ଆଗେ ଯେଉଁ ପୋଷ୍ଚପାଇଁ ମନୋନୀତ ହୋଇ ନ ପାରି ମୁହଁ ଶୁଖାଇଥିଲା ତାଙ୍କ ପୁତୁରା, ତା’ଠାରୁ ଦୁଇ ପାହ୍ୟା ଉପରେ ଥିବା ଜନସମ୍ପର୍କ ଅଫିସର ପାଖରେ କମ୍ପାନୀ ନିଯୁକ୍ତ କଲା ତାଙ୍କୁ-। ଆଉ ଗୋଟେ ୟୁନିୟନ ମୁଣ୍ତ ଟେକୁଥିଲା କାରଖାନା କର୍ତ୍ତୃପକ୍ଷ ସମର୍ଥନପାଇଁ ।

 

ସେମାନଙ୍କର ନେତାଙ୍କର କଣ ହେଲା କେଜାଣି ଦିନେ କୋଏଲ ନଦୀରେ ତାର ଶବ ଭାସୁଥିବାର ଦେଖାଗଲା । ଅନ୍ୟ ସବୁ ପତିପତ୍ନୀଙ୍କୁ ସତର୍କ କରିଦେବା ସକାଶେ ଏତକ ଥିଲା ଯଥେଷ୍ଟ । ସେଇ ୟୁନିୟନ କେବଳ ଭାଙ୍ଗିଗଲା ନାହିଁ । ଏହାର ସମସ୍ତ ସଭ୍ୟ ଓ କୁଜିନେତା ରାତାରାତି ଭାସ୍କର ପଟ୍ଟନାୟକଙ୍କର ଶରଣ ପଶି ତାଙ୍କ ଶିବିରରେ ଯୋଗ ଦେଲେ । ଠିକ୍ ତା’ପରେ ପରେ ବିଧାନସଭାକୁ ଯେଉଁ ନିର୍ବାଚନ ହେଲା ସେଥିରେ ବିନା ପ୍ରତିଦ୍ଵନ୍ଦିତାରେ ବିଜୟୀ ହୋଇ ବିଧାନସଭାକୁ ଗଲେ ଭାସ୍କର ପଟ୍ଟନାୟକ । ଏବେ ଲୋକସଭାକୁ ଯିବାକୁ ଚାହାନ୍ତି । ସେଥିପାଇଁ ତ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସେଇ ପ୍ରସ୍ତୁତିର ପ୍ରଥମ ସୂଚନା ପାଇଲା ସହଦେବ ଯେଉଁଦିନ ଭାସ୍କର ପଟ୍ଟନାୟକ ତାକୁ ଡ଼ାକି କହିଲେ–ଏତେଦିନ ମାଧବର ଚେଲା ହୋଇ ବୁଲିବୁ, ଏବେ ଗୋଟେ ନୂଆ ସୁଯୋଗ ଆସିଛି, ତୁ ତୋ ନିଜ ଶକ୍ତିବଳରେ ନେତା ହେବାର ଏଇ ସୁବିଧା ଆଉ ପାଇବୁ ନାହିଁ । ବିଶ୍ରା ଚୂନପଥର ଖାଦାନରେ କାମ କରୁଥିବା ଶ୍ରମିକମାନଙ୍କୁ ଆମ ଦଳରୁ କାଢ଼ିନେଇ ଆଉ ଗୋଟେ ଦଳ ଗଢ଼ିବାପାଇଁ ଚେଷ୍ଟା କରୁଛି ସାହାବୁଦ୍ଦିନ । ସେ ରାଞ୍ଚିରୁ ଆସିବାର ବରଷେ ପୂରି ନାହିଁ, ଗତ ଦଶବରଷ ଧରି ମୁଁ କରିଥିବା ସବୁ ଭଲ କାମଗୁଡ଼ାକର ପ୍ରଭାବ ବି ନଷ୍ଟ କରି ସାରିଲାଣି । ସେ ଆଉ ବଞ୍ଚିବାର ଯୋଗ୍ୟ ପାତ୍ର ନୁହେଁ । ପାରିବୁ ?

 

ସହଦେବ ଚମକି ପଡ଼ିଲା ଲୋକ ପ୍ରତିନିଧିଙ୍କ କଥା ଶୁଣି । ତାକୁ ଲାଗିଲା ସେ ଯେପରି ଆଦେଶ ଦେଲେ ତାକୁ ହତ୍ୟା କରିବାପାଇଁ ।

 

ତାକୁ ନିରୁତ୍ତର ଦେଖି ଭାସ୍କର ପଟ୍ଟନାୟକ ଚିହିଁକି ଉଠି କହିଲେ–ଏବେ ବି ଦେଖୁଛି ତୋର ଟ୍ରେନିଂ ସରି ନାହିଁ । ତୁ ଶିକ୍ଷାନବିଶ ଅବସ୍ଥାରେ ଅଛୁ । ମାଧବ ତୋତେ ଠିକ୍ ଭାବେ ଟ୍ରେନିଂ ଦେଇପାରିନି.... ।

 

ମୁଣ୍ତ ତଳକୁ କରି ଶୁଣୁଥିଲା ସହଦେବ । କେଉଁଠି ଛପି ରହି ଅପେକ୍ଷା କରୁଥିଲା କେଜାଣି ସୂଚନା ପାଇବା ମାତ୍ରେ ଆସି ପହଞ୍ଚିଲା ମାଧବ ।

 

ସବୁ ତ ଶୁଣିଛୁ ପାରିବୁ ?

 

ଯେ ଆଜ୍ଞା ।

 

ସହଦେବକୁ ଶୁଣେଇ ଶୁଣେଇ କହିଲେ ଭାସ୍କର–ମୁଁ ଜାଣେ, ତୁ ସବୁ ପାରିବୁ... ।

 

ସହଦେବର ସର୍ବାଙ୍ଗରେ ଗୋଟେ ଆହ୍ଵାନ ଖେଳିଗଲା ମୁହୂର୍ତ୍ତକରେ । ସେ ଅଯୋଗ୍ୟ ପ୍ରମାଣିତ ହୋଇଯିବ ଏଇ ସାମାନ୍ୟ କାର୍ଯ୍ୟ କରି ନପାରି । ସାହସ ସଞ୍ଚୟ କରି କହିଲା–ମୋତେ ଏଇ ପ୍ରଥମ ସୁଯୋଗଟା ଦିଅନ୍ତୁ । ସାର୍.... ମୁଁ ପାରିବି.... ।

 

ତା’ ମୁହଁକୁ ଚାହିଁ କହିଲେ ଭାସ୍କର ପଟ୍ଟନାୟକ, କିନ୍ତୁ ନ ପାରିବାର ଦଣ୍ତ ବି ଭୟଙ୍କର...-

 

ସହଦେବ ମୁଣ୍ତ ହଲାଇ ସୂଚନା ଦେଲା ଯେ ସେ ଜାଣେ ଏହାର ପରିଣାମ ।

 

ସହଦେବ ଆଦେଶ ପାଳନ କରିବାକୁ ଲାଗିଲା । ଜୀବନରେ ମାରିଦେବା ଏତେ ସହଜ ନୁହେଁ, ଯଦିବା ଜଣଙ୍କର ଜୀବନ ଯିବାକୁ ମୁହୂର୍ତ୍ତେ ଲାଗେ ନାହିଁ । ସାହାବୁଦ୍ଦିନ ବଳିପିନ୍ଦର ଯୂପକାଠିରେ ବନ୍ଧା ହୋଇ ନାହିଁ ଯେ ସେ ଯାଇ ସଂହାର କରି ଆସିବା ସେ ନିଜର ଶକ୍ତି ପରୀକ୍ଷା କରିବାକୁ ଆସିଛି ରାଞ୍ଚିରୁ ବୀରମିତ୍ରପୁର । ଏ ଦୁନିଆ ସେହିମାନଙ୍କର, ଯେଉଁମାନଙ୍କର ଅଛି ବାହୁବଳ । ନିର୍ବଳ, ନିଃସହାୟ ବଞ୍ଚିରହେ ଅନ୍ୟର ଦୟା ଉପରେ ନିର୍ଭର କରି । ସେମାନଙ୍କର ଲକ୍ଷ୍ୟ ନାହିଁ, ସେମାନେ କେବଳ ଉପଲକ୍ଷ୍ୟ ।

 

ସହଦେବ ଯେତିକି ଭାବିଲା ଏ ସମ୍ଵନ୍ଧରେ ସେତିକି ବୁଢ଼ିଆଣୀର ଜାଲପରି ତା’ ସାମ୍ରାଜ୍ୟର ବିସ୍ତାର ଦେଖିଲା ସେ ନିଜ ଆଖିରେ । ଆଉ ଦିନେ ନିଜ ଜାଲରେ ଛନ୍ଦି ହୋଇ ନିଜେ ମରି ପଡ଼ିଥିବା ବୁଢ଼ିଆଣୀକୁ ଦେଖି ସେ ବିସ୍ମୟ ବିମୂଢ଼ ହୋଇଗଲା । ତା’ ପରେ ବହୁତ ଲୋକ ମଧ୍ୟ ସେ ନିଷ୍କୃତିର ପଥ ବାହାର କରି ନ ପାରି ସବୁ କପାଳ ଲିଖନ ବୋଲି ଧରିନେଲେ । ଅପହୃତା କନ୍ୟାକୁ ଉଦ୍ଧାର କରିବାକୁ ବାହାରିଥିଲା ସେ । ତାକୁ ଫେରି ପାଇବାର ଉପାୟ ବାହାର କରିବାକୁ ଯାଇ ସେ ଯେ ଗୋଟେ ଅମୁହାଁ ଦେଉଳ ଭିତରେ ରହିଯିବ ଏହା ସେତେବେଳେ ସେ ଜାଣି ନଥିଲା । ଏହା ହିଁ ବୋଧହୁଏ ଭବିତବ୍ୟ । ଏହା ଘଟିବାକୁ ବାଧ୍ୟ । ପୂର୍ବ ନିର୍ଦ୍ଧାରିତ । ତେଣୁ ତା ମନରୁ ରୁମା ଜାଗା ଛାଡ଼ିଦେଲା ସାହାବୁଦ୍ଦିନକୁ ।

 

ସେଦିନ ବୀରମିତ୍ରପୁର ଷ୍ଟେସନରେ ଗାଡ଼ିରୁ ଓହ୍ଲାଇ ଚାଲିଯାଉଥିବାବେଳେ ଦଳେ ଟି.ଟି.ଇ., ଜଣେ ବୃଦ୍ଧା ଓ ଦୁଇଟା ଅଧନଙ୍ଗଳା ଶିଶୁକୁ ବିନା ଟିକେଟରେ ରେଳରେ ଆସିଥିବାରୁ ଗିରଫ କରି ହାଜତକୁ ନେଉଥିବାବେଳେ ଜଣେ ଯୁବକ ସେମାନଙ୍କୁ ଅଟକାଇ ଦେଲା ଏବଂ ସମାନଙ୍କର ବିନା ଟିକଟ ବାବଦକୁ ଯାହା ଦେୟ ସେତକ ପଇଠ କରିଦେଇ ସେମାନଙ୍କୁ ଖଲାସ କରିଦେଲା । ବୁଢ଼ୀ ହାତକୁ ଦଶଟଙ୍କା ଓ ସେଇ ଦୁଇଟା ପିଲାଙ୍କୁ ପାଞ୍ଚ ପାଞ୍ଚଟଙ୍କା ବଢ଼ାଇ ଦେଇ କହିଲା–ଯାଅ ରୁଟି ଡାଲି ଖାଇନିଅ, ଭୋକ କରୁଥିବ । ସେଇ ଯୁବକ ଆଡ଼କୁ ନିର୍ନିମେଷ ନୟନରେ କେଇ ମୁହୂର୍ତ୍ତ ଅନାଇ ରହିଲା ସହଦେବ । ଚେହେରା ମନେ ରଖିବାଭଳି । କିନ୍ତୁ ସେ ପାଖକୁ ଯିବା ପୂର୍ବରୁ ମୋଟର ସାଇକେଲ ଚଢ଼ି ଷ୍ଟେସନରୁ ଚାଲି ଯାଉଥିଲା ଯୁବକ ତଥାପି ତାର ନାମଧାନ ପଚାରିବାରୁ ଜଣେ ଲୋକ କହିଲା–ତାକୁ ଚିହ୍ନିନି ଏପରି କିଏ ଯେ ବୀରମିତ୍ରପୁରରେ... ସେ ପରା ସାହାବୁଦ୍ଦିନ ।

 

ନାମଟା ଶୁଣି ଚମକି ପଡ଼ିଲା ସହଦେବ । ସେ ପୁଣି ଚାହିଁଲାବେଳକୁ ମୋଟର ସାଇକେଲ ସହିତ ଯୁବକ ଅଦୃଶ୍ୟ ହୋଇ ଯାଇଥିଲା ଆଖି ଆଗରୁ । ବରଗଛ ମୂଳେ ଥିବା ସିମେଣ୍ଟ ବେଦି ଉପରେ କିଛି ସମୟ ଚୁପଚାପ ବସି ରହିଲା ସହଦେବ । ସେ ଭାବିପାରୁ ନ ଥିଲା କଣ ତାର କରଣୀୟ । ସେଇ ଯୁବକ ସମ୍ଵନ୍ଧରେ ଭାବୁ ଭାବୁ କେତେବେଳେ ତା ମନରେ ସିନ୍ଧାନ୍ତ କରିନେଲା ଯେ ଆଉ ଯାହା କରୁ ପଛେ ସେ ତାକୁ କଦାପି ଜୀବନରେ ମାରିଦେଇ ପାରିବ ନାହିଁ । ପୃଥିବୀରେ ବନସ୍ପତିର ଆବଶ୍ୟକତା ଥିବାପରି ଏଇ ସାହାବୁଦ୍ଦିନମାନଙ୍କର ଆବଶ୍ୟକତା ବି ରହିଛି-

 

କିନ୍ତୁ ଏଇ କଥା ଭାସ୍କର ପଟ୍ଟନାୟକ ଆଗରେ କହିବାପାଇଁ ସାହସ ହେଉ ନଥିଲା ସହଦେବର ।

 

ସନ୍ଧ୍ୟାରେ ଫେରିଗଲା ରାଉରକେଲା । ମାଧବ ଦେଖାହେଲା କ୍ଷଣି କହିଲା–କ’ଣ କାମ ହୋଇଗଲା ?

 

ସହଦେବ ସିଧା ଉତ୍ତର ଦେଲା–ମୋ କାମ କେବେ ନ ହୋଇରହିଛି.... ?

 

ମାଧବ ତାକୁ ଭାସ୍କର ପଟ୍ଟନାୟକଙ୍କୁ ଦେଖା କରିବାକୁ କହି ଚାଲିଗଲାବେଳେ କହିଗଲା–ଆଜି ମାଲ ଆସିବ.... ମୁଁ ବିଶ୍ରା ଯାଉଛି... ।

 

ସହଦେବ ଗଲା । କିନ୍ତୁ ଭାସ୍କର ପଟ୍ଟନାୟକଙ୍କୁ ଦେଖା କରିବାପାଇଁ ସାହସ ହେଲାନି । ସେ କିଛି ସମୟ ଅପେକ୍ଷା କଲା । ସୁଯୋଗକୁ ସେଠାରେ ଜାଣିଲା ଯେ ଭାସ୍କର ପଟ୍ଟନାୟକ ଭାରି ବ୍ୟସ୍ତ । କଥା କହିବାକୁ ସମୟ ନାହିଁ । କାଲି ଡାକି ପଠାଇବେ ।

 

ସହଦେବ ଚୁପ୍‍ଚାପ୍ ଫେରି ଆସୁଥିଲା । ତାକୁ ପୁଣି ଅଧବାଟରୁ ଡାକି ନେଇଗଲା ଆଉ ଜଣେ । ଭାସ୍କର ପଟ୍ଟନାୟକଙ୍କ ଆଗରେ ଛିଡ଼ା କରାଇ ଦେଇ କହିଲା–ଏଇ ଯେ ସହଦେବ ହଜୁର.... ।

 

ସହଦେବର ହାଲୁକ ଶୁଖିଗଲା ଭାସ୍କର ପଟ୍ଟନାୟକଙ୍କୁ ଦେଖି । ସେ କିଛି କହିବାପୂର୍ବରୁ କହିଲା ଭାସ୍କର–ତୁ କାମ ଫତେ କରିନୁ ମୁଁ ଜାଣେ… ଏଇଟା ପ୍ରଥମ ତ… ଏପରି ହୁଏ ପ୍ରଥମରେ…. ତା’ପରେ ହାତ ସଳଖିଯିବ ଯେ... । କିନ୍ତୁ ଆଉ ବେଶୀ ଡେରି କଲେ ଚଳିବନି... ମୁଁ ଚାହେଁ ତୋ ହାତ ଦେଇ ସେଇ କାମ ହେଉ…କ’ଣ ପାରିବୁ ତ ? ସହଦେବ କିଛି ଉତ୍ତର ନ ଦେଇ କେବଳ ତତେ କହିଲି…. ନିମକ–ହାରାମ ନ ହେଉ ଯେପରି... ହଁ ଆଉ ଗୋଟେ ଜରୁରୀ କାମ ଅଛିବୋଲି ଡକାଇ ଆଣିଲି ତୋତେ… । ମୁଁ ଶୁଣିବାକୁ ପାଇଲି ଯେ ରାଉରକେଲା ହୋଟେଲରେ ସାତ ଆଠଦିନ ହେବ ଯେଉଁ ଲେଖିକା ରହୁଛି ସେ କୁଆଡ଼େ ଅନିନ୍ଦ୍ୟ ସୁନ୍ଦରୀ । ତାକୁ ଆଣି ମୋ କୁମାର–ମୁଣ୍ତା ବଙ୍ଗଳାରେ ପହଞ୍ଚାଇ ପାରିବୁ ?

 

ସହଦେବ ସମ୍ମତ ହେଲା । ଏଇଟା ଅପେକ୍ଷାକୃତ ସହଜ କାମ ।

 

ସହଦେବ ସେଇ କାମ କିପରି ସଫଳତାର ସହିତ ସମ୍ପନ୍ନ କରିବ ତାହା ଚିନ୍ତା କରୁଥିଲାବେଳେ ରୁମା ପୁଣି ମନେ ପଡ଼ିଲା । ତାକୁ ଅପହରଣ କରି ନବାର ଦୁଇ ବର୍ଷ ହୋଇଗଲାଣି । ମା ଛେଉଣ୍ତ ଝିଅର ସବୁ ଦାୟିତ୍ଵ ନେଇଥିଲା ସହଦେବ । ସ୍କୁଲରୁ ଫେରିବାକୁ ଟିକେ ବିଳମ୍ଵ ହେଲେ କି ସାଇପଡ଼ିଶା କାହାଘରେ ବେଶୀ ସମୟ ରହିଗଲେ ସହଦେବ ବ୍ୟସ୍ତ ହୋଇପଡ଼ୁଥିଲା । ଲୋକ ପଠାଇ ବା ନିଜେ ଯାଇ ରୁମାକୁ ଘରକୁ ଆଣୁଥିଲା । ଥରେ ପିଲାମାନେ ଏସ୍କରସ୍ନ ରେ ଯିବାକୁ ବାହାରିବାରୁ ରୁମା ପାଞ୍ଚ ଦିନ ତା’ଠାରୁ ବିଭକ୍ତ ହୋଇ ସେମାନଙ୍କ ବାହାରେ ରହିବ ଶୁଣି ସେ ଏତେ ମ୍ରିୟମାଣ ଓ ଉଦାସ ହୋଇ ପଡ଼ିଥିଲା ଯେ ଶେଷରେ ପ୍ରିନ୍ସିପାଲଙ୍କ ବିଶେଷ ଅନୁମତି ପାଇ ସେ ନିଜେ ଯାଇଥିଲା ପିଲାମାନଙ୍କ ସହିତ । ଟିକରପଡ଼ାରେ ପିଲାମାନେ ପାଣି ଭିତରେ କୁମ୍ଭୀର ଦେଖିବାପାଇଁ ନୌକା ବିହାର କଲାବେଳେ ସହଦେବ ଝିଅ ପାଖରେ ଜାକିଜୁକି ହୋଇ ବସିଥିଲା । ତା’ର ଏତାଦୃଶ ଭୟ ଦେଖି ଅନ୍ୟମାନେ ହସିଥିଲେ ବି ସେ ସବୁକୁ ଖାତିର ନକରି ଝିଅକୁ କିପରି ଅକ୍ଷତ ଅବସ୍ଥାରେ ନେଇ ଘରକୁ ଫେରିବ ସେଇ ଭାବନାରେ ସେ ବ୍ୟସ୍ତ ରହୁଥିଲା । ଏତେ ସ୍ନେହ ଓ ତତ୍ତ୍ଵାବଧାନରେ ରଖିଥିବା ସତ୍ତ୍ଵେ ରୁମା କଲେଜରେ ଡ୍ରାମା ଦେଖି ସାଙ୍ଗମାନଙ୍କ ସହିତ ରାତି ନଅଟାରେ ଘରକୁ ଫେରୁଥିବା ସମୟରେ ସତ୍ୟନଗର ମଶାଣି ପାଖରେ ଦଳେ ଦୁର୍ବୃତ୍ତ ତାକୁ ଅପହରଣ କରି ଗୋଟେ କଳା ଆମ୍ଵାସାଡ଼ର ଗାଡ଼ିରେ କେଉଁଆଡ଼େ ନେଇଗଲେ ତାହା ଏ ଯାଏଁ ପ୍ରହେଳିକା ହୋଇରହିଛି । ସେ ଜୀବନରେ ଅଛି କି ନାହିଁ ତାହା ଭାବିଲେ ଛାତି ତଳ ପୋଡ଼ିଯାଏ ସହଦେବର ।

 

ରୁମାକୁ ସେମାନେ ଅପହରଣ କରି ନେଇଗଲେ । ସେ ଆଜିଯାଏ ତାକୁ ଉଦ୍ଧାର କରିପାରି ନାହିଁ । ଅଥଚ ଏବେ ସେହିପରି ଆଉ କାହାର ଝିଅକୁ ଉଠାଇ ଆଣିବାପାଇଁ ନିଯୁକ୍ତ ହୋଇଛି ସେ । ହଠାତ୍ ସହଦେବର ଚେତନାରେ ଏକ ହିମପ୍ରବାହ ବୋହିଗଲା ଏବଂ ତାର ସର୍ବାଙ୍ଗ ଶୀତଳ ହୋଇଗଲା । ସେଇ ଅବସାଦରୁ ମୁକ୍ତି ପାଇବାପାଇଁ ସେ ଅତ୍ୟଧିକ ମଦ୍ୟପାନ କଲା ଏବଂ ଭାସ୍କର ପଟ୍ଟନାୟକ ତାକୁ ଦେଇଥିବା ଦାୟିତ୍ଵ ପାଳନ କରିବାପାଇଁ ବାହାରି ପଡ଼ିଲା ।

 

ହୋଟେଲ ରାଉରକେଲାରେ ପହଞ୍ଚିଲାବେଳକୁ ସନ୍ଧ୍ୟା ହୋଇ ସାରିଥାଏ । ହୋଟେଲର ପ୍ରବେଶ ପଥରେ ଅଭ୍ୟର୍ଥନା ଅଫିସ । ସେଠାରେ ଦୁଇ ତିନି ଜଣ କର୍ମଚାରୀ ସଦାବେଳେ ରହୁଥିବାର ଦେଖିଲା ସହଦେବ । ଆହୁରି ବି ଦ୍ଵାର ମୁହଁରେ ଜଣେ ହୋଟେଲ ଗାର୍ଡ଼ ଅନବରତ ପଇଁତରା ମାରୁଥିବାର ଲକ୍ଷ୍ୟ କଲା ସେ । ହୋଟେଲ ଭିତରକୁ କେହି ଆସିଲେ ବା ହୋଟେଲ ବାହାରକୁ ଗଲେ ସେମାନଙ୍କର ଗାଡ଼ିର ଦରଜା ଖୋଲି ସାଲ୍ୟୁଟ ଦବା ବା ଗାଡ଼ିରେ ବସେଇ ଦରଜା ବନ୍ଦ କରିବା ମଧ୍ୟ ସେ କରୁଥିଲା । ଏହାଛଡ଼ା ଅଭ୍ୟର୍ଥନା ଅଫିସ୍ ଆଗ ଲବିରେ ସଦାବେଳେ ଆଉ କେତେଜଣଙ୍କୁ ବସିଥିବା ବା ଆଳାପ ଆଲୋଚନା କରୁଥିବାର ଦେଖି ସେ ମନକୁ ମନ ଭାବିଲା ଯେ ଏତେ ଲୋକଙ୍କ ଗହଣରୁ ଜଣକୁ ଜୋରଜବରଦସ୍ତ ଉଠାଇ ନେବା ସମ୍ଭବ ନୁହେଁ । ଆଉ କୌଣସି ବିକଳ୍ପ ବ୍ୟବସ୍ଥା ସମ୍ଵନ୍ଧରେ ଚିନ୍ତା କରୁଥିବାବେଳେ ଗୋଟାଏ ମୋଟର ସାଇକେଲ ଚଢ଼ି ଜଣେ ଯୁବକ ଆସିବାର ଦେଖିଲା ସେ । ସେ ମୋଟର ସାଇକେଲ ହୋଟେଲ ବାହାରେ ରଖି ଏତେ ଶୀଘ୍ର ହୋଟେଲ ଭିତରକୁ ପଶିଗଲା ଯେ ସହଦେବ ତାକୁ ଭଲ କରି ଦେଖିନେବାର ସୁଯୋଗ ପାଇଲା ନାହିଁ ।

 

ସହଦେବ ହୋଟେଲ ପଛକୁ ଗଲା ଏବଂ ସେଠାରେ ହୋଟେଲର ଜଣେ ଚିହ୍ନା କର୍ମଚାରୀକୁ ଭେଟିଲା । ତାହାରିଠାରୁ ଜାଣିଲା ଯେ ସେଇ ସୁନ୍ଦରୀ ମହିଳାର ନାମ ସୋନାଲି ଏବଂ ସେ ୩୧୧ ନମ୍ବର କୋଠରିରେ ରହେ । ସେ କବିତା ଲେଖେ ଏବଂ ଭଲ ଶାୟରୀ ଗାଏ । ସେହି ସୂତ୍ରରୁ ସହଦେବ ଆହୁରି ଜାଣିଲା ଯେ ଅନ୍ୟାନ୍ୟମାନଙ୍କ ପରି ସୋନାଲି ଡାଇନିଂ ହଲକୁ ଖାଇବାକୁ ଆସେ ନାହିଁ ଏବଂ ଖାଦ୍ୟ ମଗାଇ ନେଇ ଖାଏ । ପ୍ରାୟ ପ୍ରତ୍ୟେକ ଦିନ ନଅଟାରୁ ଦଶଟା ମଧ୍ୟରେ ଜଣେ ଯୁବନେତା ତା’ ପାଖକୁ ଆସେ । ସେ ଘଣ୍ଟ ଦୁଇଘଣ୍ଟା ରହି ଫେରିଯାଏ । କବି ସମ୍ମିଳନୀ କି ଶାୟରୀ ବୋଲିବା ପ୍ରୋଗ୍ରାମ ନଥିଲେ ସୋନାଲି ନିଜ କୋଠରି ଭିତରେ ନିଜକୁ ଆବଦ୍ଧ କରି ରଖେ ଏବଂ ତାକୁ ଏକା ବାହାରକୁ ଯିବାର ଏ ଯାଏ କେହି ଦେଖି ନାହାନ୍ତି ।

 

ସହଦେବ ଚିନ୍ତାରେ ପଡ଼ିଗଲା ଏବଂ ବହୁ ସମୟ ଭାବି ଭାବି ଶେଷରେ ସେ ସ୍ଥିରକଲା ଯେ ସେହି ଯୁବକ ତା’ ପାଖରୁ ବିଦାୟ ନେଇଯିବା ପରେ ସେ ଯାଇ ଦରଜାରେ ଥିବା ବେଲ୍ ବଜାଇବ । ଯୁବକ ଫେରିଯିବାର ଅଳ୍ପ ସମୟ ମଧ୍ୟରେ ବେଲ ବାଜିବା ଶୁଣି ସୋନାଲି ହୁଏତ ଧାରଣା କରିନେବ ଯେ ସେହି ଯୁବକ ହୁଏତ ପୁଣି ଫେରି ଆସିଚି କୌଣସି ଭୁଲି ଯାଇଥିବା କଥା କହିବାପାଇଁ। ସେଇ ଅବସରରେ ସେ ତାକୁ କାବୁ କରିନେବ ଏବଂ ହୋଟେଲର ସେଇ ବନ୍ଧୁ କର୍ମଚାରୀ ସହାୟତାରେ ଇଲେକ୍ଟ୍ରିସପ୍ଲାଇ ଲାଇନ କାଟି ଦେଇ ଜେନେରେଟର୍ ଚାଲୁ କରିବା ପୂର୍ବରୁ ଅନ୍ଧାରରେ ସୋନାଲିକୁ ସାଇଡ୍ ଏକ୍‌ଜିଟ ଦେଇ ତଳକୁ ନେଇ ଅପେକ୍ଷା କରୁଥିବା ଗାଡ଼ିରେ ବାହାରକୁ ଚାଲିଯିବ । ପ୍ଲାନ୍ ଅନୁସାରେ କାର୍ଯ୍ୟ କରିବାପାଇଁ ଅପେକ୍ଷା କରିବାକୁ ଲାଗିଲା ସହଦେବ ।

 

ଏବେ ଗୋଟିଏ ଧାରଣା ସହଦେବର ହୃଦବୋଧ ହବାରେ ଲାଗିଛି ଯେ ଏ ଦେଶରେ ଅର୍ଥବଳରେ ସମସ୍ତଙ୍କୁ ବଶ କରାଯାଇପାରେ । ହୋଟେଲର ଇଲେକ୍ଟ୍ରିସପ୍ଲାଇ କର୍ମଚାରୀ ଓ ଚୌକିଦାର କିପରି ଅର୍ଥ ବଳରେ ଅତି କମ୍ ସମୟ ମଧ୍ୟରେ ତାର ବଚସ୍କର ହୋଇଗଲେ ତାହା ତାକୁ ଆଦୌ ବିସ୍ମିତ କଲାନାହିଁ । ଭୁବନେଶ୍ୱରଠାରୁ ଦିଲ୍ଲୀଯାଏ ଏଇ ସଂସ୍କୃତି ବ୍ୟାପିବାରେ ଲାଗିଛି-। ଏପରି ମୁଣ୍ଡ ଆରେ ପଡ଼ୁନି ଯାହାର ମୂଲ୍ୟ ନାହିଁ । ସମସ୍ତେ ଅର୍ଥର ବଶମ୍ବଦ । ସହଦେବ ମନକୁ ମନ ହସିଲା ଏବଂ ଆଉ ବିଳମ୍ବ ନକରି ବାକୁ ଗଲା ମଦ୍ୟପାନ କରିବାପାଇଁ । ସେଠାରେ ମଦ୍ୟପାନ କରୁଥିବା ସମୟରେ ସେଇ ଯୁବକ ଆସିବାର ସୂଚନା ଯଥା ସମୟରେ ପାଇଲା ସେ-। କୌଣସି ପ୍ରକାର ବ୍ୟସ୍ତତା ବା ଅସ୍ଵାଭାବିକତା ପ୍ରଦର୍ଶନ ନକରି ସେ ହୋଟେଲିର ଚିହ୍ନା ଗ୍ରାହକ ପରି ବ୍ୟବହାର କରିବାକୁ ଲାଗିଲା । ମଦ୍ୟପାନ ପରେ ସେ ଉପରକୁ ଉଠି ୩୧୧ ନମ୍ବର କୋଠରି ସଂଲଗ୍ନ ଖାଲି କୋଠରିରେ ଭିନ୍ନ ନାମରେ ରହିଗଲା । ବାହାରର ଗତିବିଧ ଲକ୍ଷ୍ୟ କରିବାପାଇଁ ଝରକା ଖୋଲିଦେଲା ଓ ଦରଜା ଅଧା ଖୋଲା ରଖୁ । କେତେବେଳେ ଉଠିଯାଇ ବାରଣ୍ଡାରେ ବୁଲିଲା ଏବଂ ୩୧୧ ନମ୍ବର କୋଠରି ଭିତରୁ ଭାସି ଆସୁଥିବା ଗୋଟେ ଅଧେ ଶବ୍ଦ ଶୁଣିବାକୁ ଚେଷ୍ଟା କଲା ।

 

ରାତି ବାରଟା ବାଜିଲା । କିନ୍ତୁ ତଥାପି ସେଇ ଯୁବକର ପ୍ରତ୍ୟାବର୍ତ୍ତନର କୌଣସି ସୂଚନା ପାଇଲା ନାହିଁ ସହଦେବ । ସେ ବାରମ୍ବାର ଘଡ଼ି ଦେଖୁଲା ଏବଂ ଚାରିଆଡ଼କୁ ବ୍ୟସ୍ତ ହୋଇ ଚାହିଁବାରେ ଲାଗିଲା । ଏଇ ଗୋଟିଏ କାମ ସଫଳତାର ସହିତ କରିପାରିଲେ ଭାସ୍କର ପଟ୍ଟନାୟକ ସହିତ ତାର ସମ୍ପର୍କ ସୁଦୃଢ଼ ହେବ ଏବଂ ପରେ ପରେ ସେ ତାର ପ୍ରିୟପାତ୍ର ହୋଇଯିବ । ମାଧବ ପ୍ରତି ତା’ ମନରେ ଥିବା ଈର୍ଷା ଆହୁରି ତୀବ୍ର ହେଲା । ଏବଂ ଯେପରି ହେଉ କାର୍ଯ୍ୟରେ ସଫଳତା ହାସଲ କରିବାପାଇଁ ମନସ୍ଥ କଲା ସହଦେବ ।

 

ରାତି ପ୍ରାୟ ଗୋଟାଏବେଳେ ସେଇ ଯୁବକ ୩୧୧ ନମ୍ବର କୋଠରିରୁ ବାହାରି ଲିଫ୍ ଆଡ଼କୁ ଅଗ୍ରସର ହେଲା । ସେତେବେଳେ ଅକସ୍ମାତ୍ ତା ମୁହଁ ଟିକେ ଦୂରରୁ ଦେଖିପାରି ଚମକି ପଡ଼ିଲା ସହଦେବ । ଇଏ ଯେ ବୀରମିତ୍ରପୁର ବିଶ୍ରା ଚୂନ କମ୍ପାନୀର ଶ୍ରମିକ ନେତା ସାହାବୁଦ୍ଦିନ, ସେଥିରେ ଆଉ କୌଣସି ସନ୍ଦେହ ରହିଲା ନାହିଁ । କିନ୍ତୁ ସାହାବୁଦ୍ଦିନ ସହିତ ସୋନାଲିର ସମ୍ପର୍କ ସେ ଅନୁମାନ କଲା ସିନା ନିର୍ଣ୍ଣୟ କରିପାରିଲା ନାହିଁ ।

 

ସାହାବୁଦ୍ଦିନ ଖଣି ଶ୍ରମିକମାନଙ୍କର ଅପ୍ରତିଦ୍ଵନ୍ଦୀ ନେତା । ସେଦିନର ଘଟଣା ଦେଖୁ ପରେ ତା’ ପ୍ରତି ଶ୍ରଦ୍ଧାଭାବ ଜାତ ହୋଇଥିଲା ସହଦେବର ମନରେ । ସେଇ ଭାବ ଏ ପର୍ଯ୍ୟନ୍ତ ଲାଗି ରହିଥିଲା । ସେଥିପାଇଁ ସାହାବୁଦ୍ଦିନକୁ ରାତିରେ ଜଣେ ଯୁବତୀ ସହିତ ଏକାନ୍ତରେ ମିଶିବାର ଦେଖୁ ମଧ୍ୟ ସେ ତାକୁ ଲମ୍ପଟ ଓ ବଦମାସ୍ ବୋଲି ସହସା କହିପାରିଲା ନାହିଁ । ସମ୍ପର୍କ ନ ଥାଇ ଜଣେ ଯୁବତୀ ପାଖକୁ ଏତେ ରାତିରେ ସେ କାହିଁକି ଆସେ, ତାହା ମଧ୍ୟ ସହଦେବ ପାଖରେ ପ୍ରହେଳିକା ହୋଇ ରହିଗଲା ।

 

ସାହାବୁଦ୍ଦିନ ଲିଫ୍ଟରେ ଓହ୍ଲାଇ ଯିବାପରେ ସହଦେବ ନିଶ୍ଚିନ୍ତ ହୋଇ ୩୧୧ ନମ୍ବର କୋଠରୀପାଖକୁ ଆସିଲା ଏବଂ ବେଲ୍ ବଜାଇଲା । ଠିକ୍ ସେହି ସମୟରେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଇଲେକ୍ଟ୍ରିସପ୍ଲାଇ ବନ୍ଦ ହୋଇଗଲା ଓ ସମଗ୍ର ହୋଟେଲ ଓ ଆଖପାଖ ଅଞ୍ଚଳ ଅନ୍ଧାରରେ ବୁଡ଼ିଗଲା । ସେଇ ଅନ୍ଧାର ଚିରି ଗୋଟେ ମୋଟର ସାଇକେଲ ଆଗକୁ ଚାଲିଯିବାର ଦେଖୁ ସହଦେବ । ସେ ଯେ ସାହାବୁଦ୍ଦିନ ଏଥିରେ ଆଉ ସନ୍ଦେହ ନ ଥିଲା ।

 

ଭିତରେ ବୋଧହୁଏ ମହମବତି ଜାଳିଲା ସୋନାଲି, କାରଣ ସେ କବାଟ ଖୋଲିଲା ବେଳକୁ ଚେନାଏ ଆଲୁଅ ଭାସି ଆସିଲା ବାହାରକୁ ।

 

ସେ କିଛି ପଚାରିବା ପୂର୍ବରୁ ତଡ଼ିତ୍ ବେଗରେ ତା’ ମୁହଁ ଉପରେ ରୁମାଲ ଜାକି ଗୋଇଠା ମାରି ମହମବତିଟା ନିଭାଇ ଦେଲା ସହଦେବ । ରୁମାଲର ନିଶ୍ଚିତକ ଗନ୍ଧ ତା’ ନାକରେ ମିନିଟିଏ ଜାକି ରହିବାରୁ ସୋନାଲି ଚେତା ହରାଇ ସହଦେବ ଉପରେ ଢଳିପଡ଼ିଲା, ବ୍ୟାଧର ବତକ ଶିକାର ପରି ! ପ୍ରଥମେ ଟିକେ ଫଡ଼ଫଡ଼, ପ୍ରତିରୋଧ ଓ ନିଷ୍କୃତିର ପଥ ଖୋଜିବାର ଚେଷ୍ଟା... ତା’ ପରେ ପ୍ରତିପକ୍ଷର ବିପୁଳ ଶକ୍ତି ଆଗରେ ନିଜର ଅସମର୍ଥତା ପ୍ରକାଶ ।

 

ସୋନାଲିକୁ ବୋହି ଆଣି କାର୍ ଭିତରେ ରଖିବାକ୍ଷଣି ଜେନେରେଟର୍ ଚାଲୁ ହେଲା। ଏବଂ ହୋଟେଲର ଆଲୁଅ ସବୁ ଜଳି ଉଠିବା କ୍ଷଣି ସହଦେବର ଗାଡ଼ି ହୋଟେଲ ଫାଟକ ପାର ହୋଇ ପାନପୋଷଆଡ଼େ ତୀର ବେଗରେ ଆଗେଇ ଚାଲିଲା । ପ୍ରଧାନ ରାସ୍ତାରୁ ଅନ୍ୟ ରାସ୍ତାକୁ ଯାଇ କୁମାରମୁଣ୍ଡାର ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରାୟ ପନ୍ଦର ମିନିଟରେ ପହଞ୍ଚିଲା ସହଦେବ ।

 

ରାତି ସେତେବେଳେ ଗୋଟାଏ ତିରିଶ ମିନିଟ୍ ।

 

ସଙ୍ଗେ ସଙ୍ଗେ ଭାସ୍କର ପଟ୍ଟନାୟକ ପାଖକୁ ଖବର ପଠାଇ ଦେଲା ସହଦେବ ।

 

ସେତେବେଳ ପର୍ଯ୍ୟନ୍ତ ଅଚେତ ଅବସ୍ଥା କଟି ନଥିଲା ସୋନାଲିର । ସହଦେବା ନିଜର ପ୍ରଥମ ସଫଳତାରେ ଅତିଶୟ ଆନନ୍ଦିତ ହେଲା ଏବଂ ରାତିଟା ମଉଜ କରି କଟାଇବା ଲାଗି ନିଷ୍ପତ୍ତି କଲା । ଭାସ୍କର ପଟ୍ଟନାୟକର ଭୋଗ୍ୟ ସୋନାଲି, ତଥାପି ତା । ମୁହଁ ଏ ଯାଏ ଦେଖ ନ ଥିଲା ସେ-। ନିଶ୍ଚୟ ସୁନ୍ଦରୀ ଓ ଲୋଭନୀୟ ହୋଇଥିବ। ନ ହେଲେ ଏତେ ବଡ଼ ନେତା ଆରେ ସେ ପଡ଼ି ନ ଥାନ୍ତା । ସୋନାଲିର ମୁହଁ ଉପରୁ ଶାଢ଼ିର ଅଞ୍ଚଳଟା ଉଠାଇ ଦେବା ପୂର୍ବରୁ ହଠାତ୍ ବିଜୁଳି ବେଗରେ ତା’ ମନରେ ଚମକି ଉଠିଲା ରୁମାର ସ୍ମତି ।

 

ତାହାରି ପରି ଜଣେ ଦୁର୍ବୃତ୍ତ ହୁଏ ତ ସେଦିନ ଅପହରଣ କରିନେଇଥିବ ରୁମାକୁ ।

 

ସହଦେବର ସର୍ବାଙ୍ଗରେ ସେଇ ପରିଚିତ ହିମପ୍ରବାହ ଖେଳିଗଲା ଏବଂ ସେ ଅବସାଦରେ ପ୍ରିୟମାଣ ହୋଇଗଲା । ଠିକ୍ ସେତିକିବେଳେ ଭାସ୍କର ପଟ୍ଟନାୟକଙ୍କ ଉପରୁ ଓହ୍ଲାଉଥିବାର ଶବ୍ଦ ଭାସି ଆସିଲା ଏବଂ ପଙ୍ଖାର ଗତି ହେଉ କି ଦମକାଏ ପବନ ହଠାତ୍ ଘର ଭିତରକୁ ପଶି ଆସିବାଯୋଗୁଁ ହେଉ, ସୋନାଲିର ମୁହଁ ଉପରୁ ଲୁଗାଟା ଖସି ପଡ଼ିଲା ।

 

ସହଦେବ ପଲକେ ମାତ୍ର ଚାହିଁ ଦେଇ ଚିରେଇ ଉଠିଲା ମନ ଭିତରେ । ଠିକ୍ ସେଇ ମୁହଁ, ସେଇ ଓଠ । ଉପରେ ସେଇପରି ତିଳ ଚିହ୍ନ... ମୁହଁ ଉପରେ ସେଇ ପବିତ୍ରତା.... ଠିକ୍ ମୋ ଝିଅ ପରି.... ଠିକ୍ ରୁମା ପରି....

☆☆☆

 

ରାଜଧାନୀର ସକାଳ

 

ସୁନ୍ଦରପୁର ଗାଁର ଜନକ ନାଏକ କେବେ ଭାବି ନଥିଲା ଯେ ଆଖି ଆଗରେ ଏତେ ଲୋକ ଥାଉଁ ଥାଉଁ ତାହାରି କପାଳ ଫାଟିବ । ଝିଅକୁ ବାହା କରାଇ ଦବାପାଇଁ ଜ୍ଵାଇଁ ଖୋଜିବାବେଳେ ଯେ ଏମିତି ଅଘଟଣ ଘଟିଯିବ ତାହା ବା କାହିଁକି କିଏ ଭାବିବ । ରାଜଧାନୀରେ କୋଡ଼ିଏ ବର୍ଷଧରି ସେ କାମ କରି ଆସୁଛି । କେତେ ଘର ତାହାରି ହାତରେ ତୋଳାଯାଇଛି । ସାନ ସାନ ଏକତାଲା ଘର, ବଡ଼ ବଡ଼ ବହୁତାଲା ଘର ସବୁଥିରେ ତା’ ହାତ ଚିହ୍ନ ରହିଯାଇଛି । ସବୁ ଇଟା ସନ୍ଧିରେ ସିମେଣ୍ଟ ଓ ବାଲି ସହିତ ତା’ ଝାଳ ଓ ରକ୍ତ ଫେଣ୍ଟି ହୋଇଯାଇଛି । ସେଥିପାଇଁ ବାବୁମାନେ ଘର ନିଅଁ ଦବାବେଳୁ ଛାତ ପଡ଼ିବାଯାଏ ଖୋଜନ୍ତି ଜନକ ନାଏକକୁ । ସୁନ୍ଦରପୁର ତ ବେଶୀ ବାଟ ନୁହେଁ । ଦୁଇ କୋଣ ଚାଲିଗଲେ ଖଣ୍ତଗିରି ପାହାଡ଼ର କୋଳ ଘସି ଗଢ଼ି ଉଠିଥିବା ସେଇ ଗାଁ ଆଖିରେ ପଡ଼େ । ଆଗେ ସଡ଼କ ନଥିଲା । ବିଲ ବଣ ପାର ହେବାକୁ ସମୟ ଲାଗୁଥିଲା । ଏବେ ତ ନାଲି ସଡ଼କ ପଡ଼ିଛି, ସାଇକେଲ ଉପରକୁ କୁଦି ପଡ଼ିଲେ ଚକ ଗଡ଼ିଯାଏ ଭୁବନେଶ୍ଵର ।

 

ଜନକ ନାଏକ ସବୁ ଯୋଗାଡ଼ କରି ସାରିଥିଲା ଝିଅ ବାହାଘରପାଇଁ । କୋଡ଼ିଏ ବର୍ଷ ଧରି ଦେହର ରକତ ପାଣି କରି ଯାହା ସଞ୍ଚୟ କରିଛି ସେତକ ଯଥେଷ୍ଟ ନ ହେଲେ ବି ଆରମ୍ଭ କରିବାପାଇଁ ଯଥେଷ୍ଟ । ରାଜଧାନୀରେ ଯୋଉ ବାବୁମାନଙ୍କ ବୋଲମାନି ସେମାନଙ୍କ ଘର ତୋଳିଛି ସେମାନଙ୍କୁ ନେହୁରା ହୋଇଛି ସାହାଯ୍ୟପାଇଁ । କେହି ମନା କରି ନିହାନ୍ତି, ବରଂ ତାକୁ ହିମ୍ମତ ଦେଇଛନ୍ତି ଝିଅ ବାହାଘର ଉଠେଇ ଦବାପାଇଁ । କିଏ ରୂପାର ବଳା ଦବ କହିଛି ତ ଆଉ କିଏ କହିଛି ସମ୍ଵଲପୁରୀ କୁମ୍ଭପକା ଶାଢ଼ିଟିଏ ଦବ । ଜନକ ନାଏକ ଆଶ୍ଚର୍ଯ୍ୟ ହୋଇଯାଇଛି ସେମାନଙ୍କ ମହତପଣିଆ ଦେଖି । କିଏ କହେ ସ୍ଵାର୍ଥପର ? କିଏ କହେ ରାଜଧାନୀର ବଡ଼୍ ବଡ଼ିଆମାନେ ଆତ୍ମସ୍ଵାର୍ଥ ନେଇ ବ୍ୟସ୍ତ ?

 

ଜନକ ନାଏକ ହାବୁଡ଼୍ ରେ ସେଦିନ ପଡ଼ିଯାଇଥିଲା ଧନପଦାର ମୁକୁନ୍ଦ ନାଏକର ପୁଅ ଲକ୍ଷ୍ମଣ । ପାରିବାର ପିଲାଟିଏ । କଳା ମିଚିମିଚି ଦେହ । କୁଞ୍ଚୁକୁଞ୍ଚିଆ କେଶ । କୁନ୍ଦା କୁନ୍ଦା ଗଠନ । ମଝିଆରି ଉଚ୍ଚତା । ନାକ ତଳେ ପୁରୁଷପଣିଆର ପରିଚୟ ହେଉଥିବା ନିଶ ହଳେ । ରାଜଧାନୀର ଇନ୍ଦିରା ପାର୍କରେ ମାଳିକାମ କରେ । ତାହାରି ସେବାଯତ୍ନ ପାଇ ଶାଗୁଆ ଦିଶେ ଇନ୍ଦିରା ପାର୍କ । ଦେହର ଚର୍ବି କମେଇବାପାଇଁ ସେଇ ପାର୍କରେ ସକାଳ ସନ୍ଧ୍ୟା ଟହଲ ମାରନ୍ତି ବାବୁଭାୟା ହାକିମ ହୁକୁମାମାନେ । ଲକ୍ଷ୍ଣଣ ନାଏକ ପରି ଯୁଆନ ପିଲାଟିଏ ଯେ ସୀତାର ସ୍ଵାମୀ ହେବାପାଇଁ ଉପଯୁକ୍ତ ଏଥିରେ ସନ୍ଦେହ ନ ଥିଲା ଜନକ ନାଏକର ।

 

ବାହାଘର ଠିକ୍ ହୋଇଗଲା । ଲିଙ୍ଗରାଜଙ୍କ ମନ୍ଦିରଆଡ଼କୁ ଚାହିଁ ହାତଯୋଡ଼ି ଜନକ ନାଏକ ଆଉ ମୁକୁନ୍ଦ ନାଏକ ସଂକଳ୍ପ କଲେ ଅକ୍ଷୟ ତୃତୀୟାଦିନ ଶୁଭକାମ ଉଠେଇ ଦେବେ । ହାତରେ ମାତ୍ର ସାତ ଦିନ । ସବୁ କାମ ଶେଷ କରିବାକୁ ହେବ ଏଇ ସାତ ଦିନରେ । ଗାଁ ବାଲା ଲଗେଇଛନ୍ତି ଭାତ ମାଉଁସ ଝୋଳ ଆଉ ଖିରୀପାଇଁ । ଖାସି ଦୁଇଟା ନରଣପୁର ହାଟରୁ କିଣି ଦୁଆରେ ବାନ୍ଧିଛି ଜନକ । ଝିଅକୁ କହି ଦେଇଛି ନିଘା ରଖିବାପାଇଁ । ତା’ ମା’ ଥିଲେ ଏଇ କାମ କରିଥାଆନ୍ତା । ଜାଇରଗଡ଼ାପାଇଁ ଦଶଘରୁ ମାଇପମାନେ ଆସି ଥାଆନ୍ତେ । କିନ୍ତୁ ଲକ୍ଷ୍ମୀ ତ ଚାଲିଗଲା ଅସମୟରେ । ଅଳ୍ପ ପରମାୟୁ ନେଇ ଆସିଥିଲା ସଂସାରକୁ । ଝିଅର ହାତକୁ ଦି’ ହାତ କରିବ, ଏତେ ସପନକୁ ରାତି କାହିଁ ! ଲକ୍ଷ୍ମୀ ଚାଲି ଯିବାପରେ ଏଇ ସାତ ବରଷ ଧରି ଝିଅର ସବୁ ଅଳିଅର୍ଦ୍ଦଳି ତାହାରି ପାଖରେ । ପାରୁପର୍ଯ୍ୟନ୍ତ ଝିଅର ସବୁ କଥା ଶୁଣିଛି ଜନକ । ତାହାରି ବରାଦ ମୁତାବକ ଶାଢ଼ି କିଣିଛି, କାଚ ଆଣିଛି, ଲିଙ୍ଗରାଜଙ୍କୁ କୋରାଖଇ ଭୋଗ ଦେଇଛି ।

 

ବାହାଘର ତିନିଦିନ ଆଗରୁ ସୀତା ଯାଇଥିଲା ମାମୁଁଘର ନିମିତ୍ତ ଖାଇବାପାଇଁ । ମାମୁଁ ଆଣି ଛାଡ଼ି ଦେଇଗଲା ଗାଁ ମୁଣ୍ତରେ । ସେଇଠୁ ଘରକୁ ଫେରିବା କଥା । କିନ୍ତୁ ସୀତା ଆଉ ଫେରି ଆସିନି । ସନ୍ଧ୍ୟା ଗଡ଼ିବାପରେ ଘରେ ପହଞ୍ଚି ଝିଅକୁ ନ ଦେଖି ମୁଣ୍ତ ଘୁରିଗଲା ଜନକର । ଗାଁର ପ୍ରତି ଘର ଖୋଜି ଆସିଲା, ଗାଁ ଗୋହିରି, ବାରିପଟ ପୋଖରୀ କୂଳ ଦରାଣ୍ତି ପକାଇଲା । କିନ୍ତୁ ସୁନାନାଖି ଝିଅର କୌଣସି ଚିହ୍ନବର୍ଣ୍ଣ ପାଇଲା ନାହିଁ । ସାରାରାତି ପାଗଳ ପରି ବୁଲିଲା ଜନକ । ମା’ ମଙ୍ଗଳାଙ୍କ ନାମରେ କଳାବୋଦାଟିଏ ବଳି ଦବ ବୋଲି ମନାସ କଲା । ଶିବ ମନ୍ଦିର ଆଗରେ ଅଧିଆ ପଡ଼ି ରୁନ୍ଦ୍ରାଭିଷେକ କରିବାପାଇଁ ସଂକଳ୍ପ କଲା । ଖଣ୍ତଗିରିଠାରୁ ସୁନ୍ଦରପୁର ଯାଏ ସବୁ ଦେଖା ଅଦେଖା ଜାଗା ତନ୍ନ ତନ୍ନ କରି ଖୋଜି ଆସିଲା । କିନ୍ତୁ ଝିଅର ପତ୍ତା ପାଇଲା ନାହିଁ ।

 

ଝିଅମାନେ କଣ ଶୂନ୍ୟରେ ଉଡ଼ି ଯାଆନ୍ତି ନା ଦୁଃଖରେ ପାତାଳ ଭିତରେ ପ୍ରବେଶ କରନ୍ତି ? ମା ଛେଉଣ୍ତ ଝିଅକୁ ଦିନେ ଦୁଃଖ ଦେଇନି ଜନକ । ଝିଅର ମନ ଜଗି ଚଳିଛି ନିଜେ, ତା’ ବରାଦ ପୂରଣ କରିବାକୁ ଦୁଇ ଗୁଣ ମେହେନତ କରି ଟଙ୍କା ଉପାର୍ଜନ କରିଛି । ଆଉ ଝିଅ କଣ ନାକରା ଯେ ଘର କୋଣରେ ଲୁଚି ରହିବ ! ଯାହା ଘରକୁ ଯିବ, ଯେଉଁଠି ରହିବ ଆଲୁଅ ଦିଶିବ ସେଇ ସ୍ଥାନ । ବେଶୀ ନ ହେଲେ ବି ସାତ କ୍ଲାସ ଯାଏ ପଢ଼ିବି । ଖଣ୍ତଗିରି ରାଜଧାନୀର ଏତେ ପାଖରେ, କିନ୍ତୁ କେତେଦୂର ଜଣାପଡ଼େ ସତରେ ! ପାହାଡ଼ ଏ ପାଖର ସୁନ୍ଦରପୁର ଗାଁର କୋଳାହଳ, ସୁଖଦୁଃଖ ସହରକୁ ଶୁଣାଯାଏନି । ବରଂ ରାଜଧାନୀର ବଢ଼ନ୍ତି ରୂପ, ଯାନବାହାନର ଶଦ୍ଦ ପାହାଡ଼ ଡ଼େଇଁ ଭାସି ଆସେ ଏ ପାଖକୁ । ସହରର ଲୋକମାନେ କେଡ଼େ ଶୀଘ୍ର ଶୀଘ୍ର ବଦଳି ଯାଉଛନ୍ତି ତାହା ଦେଖି ତାଜୁବ ହୋଇଯାଏ ଜନକ । ସେମାନଙ୍କୁ ଡରେ ସେ । ସେଥିପାଇଁ ଖଣ୍ତଗିରି ପାଖର ଲକ୍ଷ୍ମଣ ଗାର ଡ଼େଇଁ ଝିଅକୁ ସହରକୁ ନବାପାଇଁ ସାହସ ହୁଏ ନାହିଁ କି ତାକୁ ସାଙ୍ଗସାଥିମାନଙ୍କ ସହିତ ଯିବାକୁ ଦିଏ ନାହିଁ ଜନକ । କି ଦରକାର ସେଇ ଅସନା ଗୀତ ଶୁଣିବା, ଅଲାଜୁକ ବେଶ ଦେଖିବା ? କଣ ଶୋଭା ଅଛି ସେଥିରେ ?

 

ଖଣ୍ତଗିରି ଡ଼େଇଁ ଏ ପାଖକୁ ସିନେମା ଆସିଲାଣି କେଇ ବର୍ଷ ହେଲା । ସୀତା ବିବାହ ଛବି ସେ ଦେଖିଥିଲା ଯୁଗେ ହେଲା । ତା’ ପରେ ଆଉ ସିନେମା ଯାଇନି କି ଯାତ୍ରା ଦେଖିବାକୁ ସମୟ ହେଇନି । ଖଣ୍ତଗିରି ମେଳା ସମୟରେ ଯାତ୍ରା ହୁଏ । ହଜାର ହଜାର ଲୋକ ଧାଆଁନ୍ତି ଯାତ୍ରା ଦେଖିବାଲାଗି । ସୀତା କେତେ ଥର କହିଛି ତାକୁ ଯାତ୍ରା ଦେଖାଇ ଆଣିବାପାଇଁ । ଆଜି କାଲି କରି ଟାଳି ଦେଇଛି ଜନକ । ସେ ମୁକୁନ୍ଦଠାରୁ ଶୁଣିଛି ସେଇ ଯାତ୍ରା କିପରି ହୁଏ, କିଏ କରେ । ଲୋକମାନେ ଯେ ଏମିତି ଅଶ୍ଲୀଳ, ଅସନା ହୋଇଯିବେ ତାହା କିଏ ଜାଣିଥିଲା ! ଝିଅଗୁଡ଼ା ଅଧା ନଙ୍ଗଳା ବେଶରେ ନାଚନ୍ତି ମରଦମାନଙ୍କ ଆଗରେ । ସେଇ ଯାତ୍ରା ଦେଖିବାକୁ ଯାଇ ନକୁଳ ପୁହାଣର ବଡ଼ ପୁଅ ଗୋଟେ ବାଇ ସାଙ୍ଗରେ କୁଆଡ଼େ ଚାଲିଗଲା ଯେ ପାଞ୍ଚବର୍ଷ ହେଲାଣି ଆଉ ଫେରୁ ନାହିଁ । ଆହା ! ନକୁଳଟା ମରି ଯାଇଥାନ୍ତା ହେଲେ… ପକ୍ଷାଘାତରେ ପଡ଼ି ସଢ଼ୁଛି ତିନି ବରଷ । ମନ ଭାଙ୍ଗି ଯାଇଥିଲା ପୁଅ ବାହାରି ଯିବାରୁ, ଏବେ ଦେହ ବି ଭାଙ୍ଗି ଯାଇଛି । ଉଠିବାର ଶକ୍ତି ନାହିଁ । ଦୁନିଆର ଏଇ ରୂପ ବଡ଼ ଭୟଙ୍କର ଦିଶେ ଜନକକୁ । ସେଥିପାଇଁ ଆକଟ କରେ ଝିଅକୁ । ଛୁଆମାନଙ୍କୁ ଡ଼େଣା ତଳେ ମା’ପକ୍ଷୀ ନିରାପଦରେ ରଖିବାପରି ମା’ଛେଉଣ୍ତ ଝିଅକୁ ସେ ମନ୍ଦ ଆଖିର ଆଢ଼ୁଆଳରେ ରଖିଛି ଏଯାଏ । ପ୍ରତି ସୋମବାର ଓପାସ କରିଛି ଝିଅପାଇଁ, ଶିବଙ୍କ ମୁଣ୍ତରେ ପାଣି ଚଢ଼ାଇଛି, ଫୁଲ ବେଲପତ୍ର ଦେଇଛି । ସବୁ ଦେବତାଙ୍କୁ ପ୍ରାର୍ଥନା କରିଛି ଝିଅକୁ ଘଣ୍ଟଘୋଡ଼ାଇ ନିରାପଦରେ ରଖିବାପାଇଁ ।

 

କ୍ରମଶଃ କେତେ କଥା କାନରେ ପଡ଼ିଲା । ଦଳେ ଟୋକା ସିନେମାରେ ଅଭିନୟ କରିବାକୁ ଆସିଥିଲେ । କାହାକୁ ଖୋଜି ଖୋଜି ସେମାନେ କୁଆଡ଼େ ରାସ୍ତାଘାଟ ଦରାଣ୍ତି ପକାଉଥିଲେ । ସୁରଧରି ଅସନା ଗୀତ ଗାଉଥିଲେ, ଝିଅମାନଙ୍କୁ ଦେଖି ଅଶ୍ଳୀଳ ଇସାରା କରୁଥିଲେ । ଖବର ଶୁଣି ଛାତିରୁ ଅତଡ଼ା ଖସିଲା ଜନକର । ପାପ ଛୁଇଁଲା ମନକୁ । ପିଲାଦିନେ ଝିଅର ବାରମ୍ଵାର ପ୍ରଶ୍ନର ଉତ୍ତର ଦେଇ ଲକ୍ଷ୍ମଣରେଖା ଡେଇଁଥିବାରୁ ରାବଣ ରାବଣ କିପରି ସୀତା ଅପହରଣ କରି ନେଇଥିଲା ତାହା କେତେଥର କହିଛି ସେ । ତେବେ କ’ଣ ଏ ଯୁଗର ରାବଣ କେହି ଟେକିନେଲା ଝିଅକୁ… ?

 

ଆଉ ବସି ରହିବାର ବେଳ ନାହିଁ । ମେରୁଦଣ୍ତ ଥରି ଉଠୁଛି ନିଦାରୁଣ ହିମଶୀତଳ ପ୍ରବାହରେ । ଆଶଙ୍କାରେ ଭରି ଯାଇଛି ମନ । ବାହାହୋଇ ସ୍ଵାମୀ ଘରକୁ ଯିବାପାଇଁ ସ୍ଵପ୍ନ ଦେଖୁଥିବା କନ୍ୟାକୁ ଯଦି କେହି ହରଣ କରିନିଏ ତେବେ ପିତାର କର୍ତ୍ତବ୍ୟ କଣ ? ସେ ବସି ବସି ଲୁହ ପୋଛିବ ନା ଦୋଷୀକୁ ଦଣ୍ତ ଦବ ? ପ୍ୟାରେଡ଼୍ ପଡ଼ିଆରେ ସେଦିନ ବିରାଟ ସଭାରେ ମଂନ୍ତ୍ରୀ କହିଥିଲେ ଯେ ଅସାମାଜିକ ଓ ଅପରାଧୀମାନଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ ।

 

ଜନକ ବାହାରି ପଡ଼ିଲା ଝିଅକୁ ଠାବ କରିବା ଉଦ୍ଦେଶ୍ୟ ନେଇ । ସୁନ୍ଦରପୁର, ଖଣ୍ତଗିରି, ଶିରିପୁର, ସି.ଆର.ପି., ନୂଆପଲ୍ଲୀ, ଭି.ଆଇ.ପି. କଲୋନୀ, ଭରତପୁର, ପୁରୁଣା ଭୁବନେଶ୍ଵର ସବୁ ଦରାଣ୍ତି ପକାଇଲା । ସୀତାର ସାଙ୍ଗମାନେ ବାହାହୋଇ ରହୁଥିବା ଜାଗାସବୁ ଖୋଜି ଆସିଲା । କାଳେ ଝିଅ ରାଗ ଅଭିମାନରେ ମାମୁଁ କି ମଉସା ଘରକୁ ଯାଇଥିବ ଏୟା ଭାବି ଆତ୍ମୀୟମାନଙ୍କ ଘର ବୁଲି ଆସିଲା । କିନ୍ତୁ ସୀତାକୁ ଠାବ କରି ପାରିଲା ନାହିଁ କି ତାକୁ କେହି କୌଣସି ନିର୍ଭରଯୋଗ୍ୟ ସୁରାକ ଦେଇ ପାରିଲେନାହିଁ ।

 

ଶିରିପୁରରୁ ସଡ଼ୁ ଘରୁ ଫେରିବା ବାଟରେ କେହି ଜଣେ ଆଉ ଜଣକୁ କହୁଥିବାର କାନରେ ପଡ଼ିଲା ଆସି–ଦିନ କାଳ ଯାହାହେଲାଣି ଝିଅ ବୋହୂ ଆଉ ଦାଣ୍ତକୁ ବାହାରି ପାରିବେ ନାହିଁ । ବର୍ଗି ମାତିଛନ୍ତି ରାଜଧାନୀରେ, ଯୁବତୀ ଦେଖିଲେ ଉଠେଇ ନେଉଛନ୍ତି ରାବଣ ସୀତାକୁ ପୁଷ୍ପକ ବିମାନରେ ନେଇଯିବାପରି ।

 

ରହିଗଲା ଜନକ ।

 

ଛାତି ତଳର ସ୍ପନ୍ଦନ ଆହୁରି ବଢ଼ିଗଲା । ସୀତାକୁ ତା’ ହେଲେ କେହି ଗୁଣ୍ତା ବଦମାସ ଉଠେଇ ନେଇ ନାହିଁ ତ ! ଅସମ୍ଭବ ନୁହେଁ...

 

ସେମାନଙ୍କ ଗତିବିଧି ଲକ୍ଷ୍ୟ କଲା ଜନକ ନାଏକ ।

 

ତା’ ପିଲାବେଳେ କଥା ମନେ ପଡ଼ିଲା । ସେତେବେଳେ ଏଇ ରାଜଧାନୀ ନ ଥିଲା ଏଠାରେ । ସହର ବସିଥିବା ଜାଗାଟା ଥିଲା ଗଛବୃଛରେ ଭର୍ତ୍ତି । ନୂଆଣିଆ ଜାଗାରେ ଧାନବିଲ । ଚନ୍ଦକା ଜଙ୍ଗଲ ସହିତ ମିଶିରହିଥିଲା ବୋଲି ମେଲାଜାଗା ପାଇ ନିର୍ଭୟରେ ବୁଲୁଥିଲେ ଜନ୍ତୁ ଜାନୁଆର । ହାତୀପଲ ହାବୁଡ଼ରେ ପଡ଼ିଗଲେ କାଳେ କଣ ହୋଇଯିବ ଭାବି କେହି ଦିନବେଳେ ବି ନିର୍ଭୟରେ ପଶୁ ନ ଥିଲେ ବଣ ଭିତରକୁ । ସେଇ ବଣବୁଦା ସଫାକରି ସହର ବସିବାବେଳେ ପାଖଆଖ ଗାଁର କେତେଜଣ ଯୁବତୀ ନିଖୋଜ ହୋଇ ଯାଇଥିବାର ଖବର ସେତେବେଳେ ଚମକାଇ ଦେଇଥିଲା ଖଣ୍ତମଣ୍ତଳକୁ । ପ୍ରତିବାଦ କରିବା ଆଗରୁ ଅଜସ୍ର ପଇସା ଖର୍ଚ କରି ମୁହଁ ବନ୍ଦ କରିଦେଇଥିଲା ଠିକାଦାର । ସହର ଗଢ଼ିବା ଆଗରୁ ମଣିଷତ୍ଵ ବଳି ଦବାକୁ ହୁଏ, ମାନସିକ ପୂର୍ଣ୍ଣହେଲେ ଠାକୁରାଣୀଙ୍କ ଆଗରେ କଳା ବୋଦା ବଳି ପଡ଼ିବାପରି । ସେଦିନ ଏତେ କଥା ବୁଝିବାର ବୟସ ହୋଇ ନ ଥିଲା ଜନକର । ଏବେ ବୁଝିଛି ।

 

ଜନକର ପେଟ ଭିତରଟା ଘାଣ୍ଟି ଚକଟି ହେଲା । ଭୋକ ଲାଗି ଲାଗି ମରିଗଲାଣି, ଶୋଷରେ ତଣ୍ଟି ଅଠା ଅଠା ହୋଇଗଲାଣି । ଝିଅ ମିଳୁନି । ସାତପୁରୁଷ ଧରି ସଞ୍ଚୟ କରିଥିବା ଇଜ୍ଜତ୍ ହଠାତ୍ ରାଜଧାନୀର ବିଚ୍ ରାସ୍ତାରେ ଧୂଳି ସହିତ ମିଶିଗଲା ଯେପରି ।

 

ଜନକ ଦଣ୍ତେ ରହିଯାଇ ସେଇ ଦୁଇ ଜଣଙ୍କ ପାଖକୁ ଗଲା ଆଉ କିଛି ତଥ୍ୟ ସଂଗ୍ରହ କରିବାପାଇଁ । କିନ୍ତୁ ସାହସ ହେଲାନି ନିଜ କଥା କହିବାପାଇଁ । ଇଜ୍ଜତ ଥରେ ଚାଲିଗଲେ ଆଉ ମିଳେ ନାହିଁ ।

 

ସେମାନଙ୍କ ମଧ୍ୟରୁ ଜଣେ କହିଲା କଣ ଖୋଜୁଛୁ ? କାହାକୁ ଖୋଜୁଛୁ ? ଟଙ୍କା ପଇସା ପଡ଼ିଗଲା ଅଣ୍ଟାରୁ ?

 

ଜନକ ଉତ୍ତର ଦେଇପାରିଲା ନାହିଁ ।

 

ନା, ଟଙ୍କା ପଇସା କିଛି ହଜି ନାହିଁ ଯେ ତା’ ସାତ ପୁରୁଷ ଧରି ଥିବା ବୁନିଆଦ ଭୂମିକମ୍ପରେ ଭାଙ୍ଗି ରୁଜି ଯାଇଛି । ତଥାପି ଟିକିଏ ପରେ ଜନକ କହିଲା–ଏଇ ବାଟରେ ଝିଅଟିଏ ଯାଉଥିବାର ଦେଖିଛ କେହି ? ଗୋରୀ ନୁହେଁ କି କାଲୀ ନୁହେଁ, ଲମ୍ଵା ନୁହେଁ କି ଗେଡ଼ୀ ନୁହେଁ, । ଆମ ଗାଁ ପାଖ ମୁକୁନ୍ଦ ନାୟକର ପୁଅ ସହିତ ତାର ବାହାଘର ଠିକ୍ ହୋଇଥିଲା । ମା’ ଛେଉଣ୍ତ ଝିଅ । ବାପା ତିନି ଦିନ ହେଲା ନ ଖାଇ ନ ପିଇ ଖାଲି ଖୋଜୁଛି ।

 

ଜଣେ ହୋ ହୋ କରି ହସି ଉଠି କହିଲା–ବାପାମାନେ ଯୁଗ ଯୁଗ ଧରି ଖୋଜୁଛନ୍ତି... ସ୍ଵାମୀମାନେ ବି ଖୋଜୁଛନ୍ତି... କିନ୍ତୁ ଥରେ ଯୁବତୀ ଝିଅ କି ବୋହୂ ଘରୁ ଚାଲିଗଲେ ଆଉ ଫେରି ଆସେ ନାହିଁ... ଫେରି ଆସିପାରେ ନାହିଁ... ଫେରିବାପାଇଁ ବାଟ ପାଏନି କି ସାହସ କୁଳାଏ ନି... ତୋ ଝିଅ ନୁହେଁ ତ ! ଏତେ ଘାବରେଇ ଯାଉଛୁ କିଆଁ… ଯାହାର ଝିଅ ସେ ଖୋଜୁ... ରାଜଧାନୀଯାକ ଦରାଣ୍ତି ଦେଉ… ମନ୍ତ୍ରୀ, ଏମ୍ .ଏଲ . ଏ. ମାନଙ୍କ ଉଆସର ଆଉଟ୍ ହାଉସ୍ ଭିତରେ ପଶି ଅନୁସନ୍ଧାନ କରୁ... ।

 

ନିଜର ଝିଅ ବୋଲି କହି ପାରିଲାନି ଜନକ । କହିଲେ କୂଳକୁଟୁମ୍ଵକୁ ଲାଜ । ଏ କଥା କୁହା ଯାଏନା ।

 

ଜନକ ସେମାନଙ୍କୁ ଛାଡ଼ି କୁଆଡ଼େ ଯିବ ସ୍ଥିର କରିପାରୁ ନଥିଲା । ହଠାତ୍ ସେମାନଙ୍କ ମଧ୍ୟରୁ ଜଣେ କହିଲା–ତୁ ଚାଲିଯା ଏଇ ବାଟଧରି... ରାଜଭବନ ପାର ହୋଇ ଆହୁରି ଆଗକୁ ଗଲେ ଯୋଉ ବଡ଼ ବଗିଚା ପଡ଼ିବ ସେଇଠି ଖୋଜିବୁ…. ବସଷ୍ଟାଣ୍ତରେ ଖୋଜିବୁ ହାଟରେ ଖୋଜିବୁ… ସେଇ ବାଟ ଦେଇ ଝିଅ ବୋହୂ ଚାଲିଯାଆନ୍ତି ରାଜ୍ୟ ବାହାରକୁ... କଲିକତା କି ବମ୍ଵେ ସହରକୁ । ଯା… ଯା… ବେଗି ବେଗି ଚାଲିଯା… ସନ୍ଧ୍ୟା ହବ ହବ ହଉଛି ।

 

ଆଉ ବିଳମ୍ଵ ନ କରି ଆଗକୁ ବଢ଼ାଇଲା ଜନକ । ସେ କାହାକୁ ଖୋଜୁଥିବା ପରି ଆଖି ନେଇ ଚାଲୁଥିଲା, ହଠାତ୍ ଆଉ କାହାରି ସହିତ ଧକ୍କା ଖାଇ ହାବୁଡ଼ି ପଡ଼ିବା ବେଳେ ତାକୁ ଉଠାଇ ନେଇ କହିଲା ମୁକୁନ୍ଦ–ଝିଅ ଫେରିଲା ସମୁଦୀ ? ଜନକ ମୂଳ ହୋଇଗଲା ମୁହୂର୍ତ୍ତେ, କିନ୍ତୁ ତା’ପରେ କହିଲା–ମାଉସୀ ଘରେ ରହିଯାଇଥିଲା, ଯାଉଛି ନେଇ ଆସିବି ।

 

ମୁକୁନ୍ଦ ଖୁସି ହୋଇ ଘରକୁ ଫେରିବାବେଳେ କହିଲା ଝିଅ ମାଉସୀ ଘରୁ ଫେରି ଆସିଲେ ଖବର ଦବାପାଇଁ । ଜନକ ତା’ କଥା ଶୁଣି ପାରିଲା ନାହିଁ । ସେ କିନ୍ତୁ ମନେ ମନେ ପାପପୁଣ୍ୟର ହିସାବ କରି ଜାଣୁଥିଲା ଯେ ଜୀବନରେ ଏଇ ପ୍ରଥମ ମିଛ କହିଲା ସେ । ସେତେବେଳେ ଦୁଇ ଜଣ ଲୋକଙ୍କୁ ସେ ପ୍ରତ୍ୟକ୍ଷଭାବେ ମିଛି ନ କହି ବାଆଁରେଇ କହି ଦେଇଥିଲା ଆଉ କାହା ଝିଅ କଥା । କିନ୍ତୁ ମୁକୁନ୍ଦକୁ ମିଛ ନ କହି ଗତି ନ ଥିଲା ତାର । ତିନି ଦିନ ହେଲା ଝିଅ ଘରକୁ ଫେରି ନ ଥିବା କଥା ଆଉ ନିଜ ଘରର ଗୋପନ ବିଷୟ ହୋଇ ରହିନାହିଁ । ଗାଁରେ ଏବଂ ଗାଁ ବାହାରେ ପ୍ରଚାର ହୋଇଗଲାଣି ଏ ଭିତରେ । ଗାଁରୁ କେହି ବାହାରକୁ ଗଲେ ଗାଁ ଲୋକଙ୍କୁ ଲୁଚେଇ ଯେପରି ଯାଇହୁଏ ନାହିଁ । ସେହିପରି ଗାଁଲୋକ ଫେରି ନ ଆସିଲେ ମୁଣ୍ତ ଗଣତିବେଳେ ଅନୁପସ୍ଥିତ ଲୋକର ନାମ ଜାଣି ହୋଇଯାଏ ଆପେ ଆପେ ।

 

ମୁକୁନ୍ଦକୁ ସିନା ମିଛ କହି ସଙ୍କଟ ଟାଳି ଦେଲା ଜନକ, କିନ୍ତୁ ଝିଅର ପତ୍ତା ଯେ ଏ ପର୍ଯ୍ୟନ୍ତ ମିଳି ନାହିଁ ତାହା ସମସ୍ତେ ଜାଣନ୍ତି । ମୁକୁନ୍ଦ ଯଦି ସରଳ ନ ହୋଇ ଥାଆନ୍ତା ସେ ମଧ୍ୟ ଜାଣିଥାଆନ୍ତା ।

 

ରାଜଭବନ ପାରିହେବା ପରେ ଜନକ ପେଟ୍ରୋଲ ପମ୍ଫ ପାଖରେ ସିଧା ଆଗକୁ ନ ଯାଇ ଡାହାଣ ବାଟ ଧରିଲା । କିଛି ବାଟ ଯିବାପରେ ଅଚାନକ ରାସ୍ତା ଉପରେ ଭିଡ଼ ଦେଖି ଥମକି ଗଲା । ତାକୁ ଠେଲିଦେଇ ଆଗକୁ ଚାଲି ଯାଉଥିବା ଲୋକ ଜଣେ କହିଲା... ଗାଁଉଲି... ମନ୍ତ୍ରୀ ଉଆସ ପାଖରେ ମଡ଼ର୍... ଆଉ ତୁ ଏଇ ବାଟ ଧରିଛୁ... ।

 

ମଡ଼ର୍... ମଡ଼ର୍... ଏହାର ଠିକ୍ ଅର୍ଥ କଣ ଜାଣେନା ଜନକ, ତଥାପି କାହାକୁ ଯେ ମାରି ଦିଆ ହୋଇଛି ତାହା ସେ ବୁଝିଲା ।

 

କାହାକୁ ମାରି ଦିଆ ହୋଇଛି ?

 

କାହାକୁ ? କାହାକୁ... କାହାକୁ ମଡ଼ର କରା ହୋଇଛି ?

 

ଜନକର ପାଦ ଥରିବାକୁ ଲାଗିଲା, ମେରୁଦଣ୍ତ ଦେଇ ବରଫ ସ୍ରୋତ ବହିଗଲା ପରି ଲାଗିଲା ।

 

ପୋଲିସ ଗାଡ଼ି ଛିଡ଼ା ହୋଇଥିଲା ଅନତି ଦୂରରେ ।

 

ଠେଲାପେଲାରେ ଜନକ ଘୋଷାରି ହୋଇଗଲା....ତା’ପରେ କଣ ହେଲା ସେ ଜାଣେ ନାହିଁ ।

 

 

ରାତିରେ ଚେତା ହେବାବେଳକୁ ସେ ଆକାଶରେ କୁଆଁତାରା ଦେଖି ଜାଣିଲା ଯେ ରାତି ଶେଷ ହେବାକୁ ଆଉ ବେଶୀ ସମୟ ନାହିଁ ।

 

ଚାରିପାଖକୁ ଚାହିଁ ଅନ୍ଦାଜ କଲା ଜନକ ।

 

ଗୋଟେ ବଡ଼ ବଗିଚାର ତାରବାଡ଼ ନିକଟରେ ଶୋଇଥିଲା ସେ ।

 

ବାଡ଼ ସେ ପାଖରେ ଲୋଚାକୋଚା ଅବସ୍ଥାରେ ଆଉ ଜଣେ କେହି ଶୋଇଥିବାର ଦେଖି ଉଠି ବସିଲା ସେ ।

 

ବତି ଖୁଣ୍ଟର ଝାପ୍ସା ଆଲୁଅରେ ଦିଶି ଯାଉଥିଲା ସେ ପାଖରେ ଶୋଇଥିବା ମଣିଷର ଲୁଗା... ।

 

ଆଉ ଟିକେ ପାଖକୁ ଯାଇ ନିରେଖିଲା ଜନକ ।

 

ଶାଢ଼ିର ଗୋଟିଏ ଅଂଶ ଦେଖି ଚମକି ପଡ଼ିଲା ସେ । ତା’ପରେ ଗୋଟିଏ ଡିଆଁରେ ସେ ପାଖକୁ ଯାଇ ନଇଁ ପଡ଼ିଲା ମୁହଁ ତଳକୁ କରି ଶୋଇଥିବା ସ୍ତ୍ରୀଲୋକଟିର ମଥା ପାଖରେ…. ।

 

ନା… ନା... ଇଏ ସୀତା ହୋଇପାରେନା... ମନକୁ ମନ ବାହୁନି ଉଠିଲା ଜନକ । ଏବଂ ତା’ପରେ ଘାସ ଉପରେ ଠୁଳ ହୋଇଥିବା ପ୍ରତ୍ୟୁଷର ଶିଶିରସବୁ ଏକତ୍ର ବରଫ ପାଲଟିଗଲେ ତା’ ଆଖିରେ ।

 

ସେ କାନ୍ଦି ପାରିଲା ନାହିଁ, ଉଚ୍ଚ ସ୍ଵରରେ କାହାକୁ ଡାକି ପାରିଲା ନାହିଁ ।

 

ସୀତାପାଇଁ ବାହୁନି ପାରିଲା ନାହିଁ ।

 

ରାଜଧାନୀରେ ସକାଳ ହେବାର ସୂଚନା ଦେଇ ସିନ୍ଦୁରା ଫାଟିଲା ପୂର୍ବ ଦିଗରେ ।

 

ଆଉ ବାପର କର୍ତ୍ତବ୍ୟ ସମ୍ପାଦନ କରିବାପାଇଁ ତରତର ହୋଇ ଦେହ ଉପରୁ ଚାଦରଟା କାଢ଼ି ସୀତା ଉପରେ ଢାଙ୍କି ଦେଲା ଜନକ ।

 

ସେତେବେଳକୁ ଝିଅମାନଙ୍କୁ ଖୋଜିବାପାଇଁ ଆକୁଳ ରାଜଧାନୀର ରାସ୍ତାଘାଟ ଦରାଣ୍ତି ପକାଉଥିଲେ ବାପାମାନେ ।

 

ମନ୍ତ୍ରୀଙ୍କ ଉଆସ ଆଗରେ ସେହିପରି ଭିଡ଼ ଜମିଥିଲା ସକାଳରୁ, ନିହତ ସମର୍ଥକର ଶୋକସଭା କରିବା ପାଇଁ ।

Image